ସମ୍ବଲପୁର ବିଶ୍ୱବିଦ୍ୟାଳୟ: ନାଲି ଗାର ବୁଲାଥିବା ପ୍ରଶ୍ନପତ୍ର ଭାଇରାଲ୍‌

0
303

ଭୁବନେଶ୍ୱର: ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ମହାବିଦ୍ୟାଳୟ ଗୁଡ଼ିକରେ ଏବେ ଯୁକ୍ତ ୩ ପଂଚମ ସେମିଷ୍ଟରର ପରୀକ୍ଷା ଚାଲିଛି। ଏହି ପରିକ୍ଷାରେ କିଛି ଅଧ୍ୟାପକ ବ୍ୟାପକ ଅବହେଳା ପ୍ରଦର୍ଶନ କରିଥିବା ଜଣାଯାଇଛି। ଓଡ଼ିଆ ଭାଷା ସାହିତ୍ୟର ପ୍ରଶ୍ନପତ୍ରରେ ବ୍ୟାପକ ତ୍ରୁଟି ଦେଖାଯାଇଥିବା ଜଣାଯାଇଛି। ୮୦ ନମ୍ବରର ପ୍ରଶ୍ନପତ୍ରରେ ପ୍ରାୟ ୫୦ଟି ତ୍ରୁଟ ଥିବା ଜଣାଯାଇଛି। ପ୍ରଶ୍ନ ପତ୍ରରେ ବୁଲା ହୋଇଛି ନାଲି ଗାର। ଏହି ନାଲି ଗାର ବୁଲାଯାଇଥିବା ବିକୃତ ପ୍ରଶ୍ନପତ୍ର ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ରାଜ୍ୟରେ ଉଚ୍ଚ ଶିକ୍ଷାର ଆଲୋକ ବର୍ତ୍ତିକା କୁହାଯାଉଥିବା ଅନ୍ୟତମ ପୁରାତନ ବିଶ୍ୱବିଦ୍ୟାଳୟରେ ଏଭଳି ଅବ୍ୟବସ୍ଥାକୁ ନେଇ ଛାତ୍ରଛାତ୍ରୀ, ଅଭିଭାବକ ଓ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖାଯାଇଛି।  

ଆଶ୍ଚର୍ଯ୍ୟ ହୋଇଗଲେ ପରୀକ୍ଷାର୍ଥୀ

ସୂଚନା ଅନୁସାରେ ଚଳିତ ମାସ ୧୮ ତାରିଖ ଦିନ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ପରିଚାଳିତ ହେଉଥିବା ମହାବିଦ୍ୟାଳୟଗୁଡ଼ିକରେ +୩ ଓଡ଼ିଆ ପଞ୍ଚମ ସେମିଷ୍ଟର୍‌ ଛାତ୍ରଛାତ୍ରୀମାନେ ଦ୍ଵାଦଶ ପତ୍ର ପରୀକ୍ଷା ଦେଇଥିଲେ। ମହାବିଦ୍ୟାଳୟ ଗୁଡ଼ିକରେ ଯେତେବେଳେ ପ୍ରଶ୍ନପତ୍ର ପ୍ୟାକେଟ୍‌ ଖୋଲା ଯାଇଥିଲା ପରୀକ୍ଷାର୍ଥୀ ମାନେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ପ୍ରଶ୍ନ ପତ୍ରରେ ଏତେ ପରିମାଣରେ ତ୍ରୁଟି ଥିଲା ଯେ ପିଲାମାନେ ଏହାକୁ ଦେଖି ୧୫ ମିନିଟରୁ ଅଧଘଣ୍ଟା ଯାଏଁ ଚିନ୍ତାରେ ପଡ଼ି ଯାଇଥିଲେ। ସେମାନେ ଉତ୍ତର କଣ ଲେଖିବେ ଜାଣି ପାରି ନଥିଲେ। ପରୀକ୍ଷା ଦାୟିତ୍ୱରେ ଥିବା ଅଧ୍ୟାପକମାନଙ୍କୁ ଏସଂକ୍ରାନ୍ତରେ ଜଣାଇଥିଲେ। ପରେ ଏହା ସମସ୍ତଙ୍କ ନଜରକୁ ଆସିଥିଲା। ଯେକୌଣସି ପ୍ରକାରରେ  ପରୀକ୍ଷା ଶେଷ କରାଗଲା। କିନ୍ତୁ ପ୍ରଶ୍ନପତ୍ରକୁ ନେଇ ଆରମ୍ଭ ହୋଇଗଲା ଚର୍ଚ୍ଚା।

କ୍ୟାରିୟର ଉପରେ ପଡ଼ିବ ପ୍ରଭାବ

୫୪ ବର୍ଷ ପୂରାତନ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧିନରେ ହଜାର ହଜାର ଛାତ୍ରଛାତ୍ରୀଙ୍କ ଶିକ୍ଷା ଭବିଷ୍ୟତ ଗଢ଼ି ହୋଇଥାଏ। କିନ୍ତୁ ପ୍ରଶ୍ନ ପତ୍ର ପ୍ରସ୍ତୁତ ହେବା ବେଳେ କାହିଁକି ସତର୍କତାକୁ ଦୃଷ୍ଟି ଦିଆଗଲା ନାହିଁ, ସେ ନେଇ ପ୍ରଶ୍ନ ଉଠିଛି। କିଛି ଦାୟିତ୍ୱହୀନ ଅଧ୍ୟାପକଙ୍କ ପାଇଁ ହଜାର ହଜାର ପିଲାଙ୍କର ସମୟ ନଷ୍ଟ ହେଲା, ଯାହା ଦ୍ୱାରାକି ସେମାନଙ୍କ କ୍ୟାରିୟର ଉପରେ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି। ପିଲାମାନେ ବିକୃତ ପ୍ରଶ୍ନପତ୍ର ଦେଖି ଯେଉଁ ସମୟ ନଷ୍ଟ କଲେ, ସେଥିପାଇଁ ସେମାନେ ଗ୍ୟାସ୍‌ ମାର୍କ ଦିଆଯିବାର ବ୍ୟବସ୍ଥା ହୋଇପାରିବ କି।  

ବହୁମୂଲ୍ୟ ସମୟ ଫେରିବ କି?

ତ୍ରୁଟିପୂର୍ଣ୍ଣ ପ୍ରଶ୍ନପତ୍ର ପ୍ରସ୍ତୁତ କରିଥିବା ଓ ଏହାର ଯାଞ୍ଚ କରିଥିବା ଦୁଇ ଜଣ ଅଧ୍ୟାପକ  ଓ ଯାଞ୍ଚକର୍ତ୍ତାଙ୍କୁ ଏହି କାର୍ଯ୍ୟରୁ ଆଜୀବନ ନିଲମ୍ବନ କରାଯାଇଛି। ଏକ କମିଟି ଗଠନ କରି ଏହି ପ୍ରଶ୍ନପତ୍ର ତ୍ରୁଟି ଉପରେ ଯାଞ୍ଚ କରିବାକୁ ଦାୟିତ୍ୱ ଦିଆଯାଇଛି। ତଦନ୍ତ ରିପୋର୍ଟ ଆସିବା ପରେ ତାହା କୁଳପତିଙ୍କୁ ପ୍ରଦାନ କରାଯିବ। କୁଳପତି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ରବୀନ୍ଦ୍ର ପାଣିଗ୍ରାହୀ କହିଛନ୍ତି। କିନ୍ତୁ ଏହା ଦ୍ୱାରା ଯେଉଁ ପିଲାମାନେ ନିଜର ବହୁ ମୂଲ୍ୟ ସମୟ ଅପଚୟ କଲେ, ତାହା କ’ଣ ଫେରିଆସିବ କି?

କେମିତି ପ୍ରସ୍ତୁତ ହୁଏ ପ୍ରଶ୍ନପତ୍ର

ପ୍ରଶ୍ନପତ୍ର କେଉଁ ପ୍ରକ୍ରିୟାରେ ପ୍ରସ୍ତୁତ ହେବ, ସେଥିପାଇଁ ବିଶ୍ୱବିଦ୍ୟାଳୟ ବୋର୍ଡ ଅଫ୍‌ ଷ୍ଟଡିଜ୍‌ରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥାଏ। ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ମହାବିଦ୍ୟାଳୟ ଗୁଡ଼ିକର ସଂପୃକ୍ତ ବିଭାଗୀୟ ଅଧ୍ୟାପକଙ୍କ ମଧ୍ୟରୁ ଜଣକୁ ଏହି ଦାୟିତ୍ୱ ଦିଆଯାଇଥାଏ। ପ୍ରଶ୍ନ ପତ୍ର ପ୍ରସ୍ତୁତ ହେବା ପରେ ଏହାକୁ ଯାଞ୍ଚ କରିବା ପାଇଁ ଆଉ ଜଣେ ବରିଷ୍ଠ ଅଧ୍ୟାପକଙ୍କୁ ନିଯୁକ୍ତି ଦିଆ ଯାଇଥାଏ। କିନ୍ତୁ ଚଳିତ ଥର ଓଡ଼ିଆ ପ୍ରଶ୍ନପତ୍ର ପ୍ରସ୍ତୁତିରେ ନିୟୋଜିତ ଥିବା ଅଧ୍ୟାପକ ଓ ଯାଂଚକର୍ତ୍ତା ଚରମ ଅବହେଳା କରିଛନ୍ତି।  

LEAVE A REPLY

Please enter your comment!
Please enter your name here