ଅଧାରେ ରହିଗଲା ସାତକୋଶିଆରେ ‘ବ୍ୟାଘ୍ର ପ୍ରକଳ୍ପ’ ସ୍ୱପ୍ନ!

0
229

ଭୁବନେଶ୍ୱର: ସାତକୋଶିଆ ଅଭୟାରଣ୍ୟରେ ଏନ୍‌ଟିସିଏ (ନ୍ୟାସନାଲ୍‌ ଟାଇଗର ରିଜର୍ଭ ଅଥରିଟୀ) ଓ ରାଜ୍ୟ ସରକାର ପକ୍ଷରୁ ‘ବ୍ୟାଘ୍ର ପ୍ରକଳ୍ପ’ ପାଇଁ ଯେଉଁ ସ୍ୱପ୍ନ ଦେଖାଯାଇଥିଲା, ତାହା ଅଧୁରା ହୋଇଗଲା ବୋଲି ଧରାଯିବ। ବିଶାଳ ଭୌଗଳିକ ଘଂଚ ଜଂଗଲ ପରିସରରେ ଏନ୍‌ଟିସିଏ ଓ ରାଜ୍ୟ ସରକାର ତିନି ବର୍ଷ ତଳେ ବଡ଼ ସ୍ୱପ୍ନ ଦେଖିଥିଲେ। ସାତକୋଶିଆରେ ଅଣ୍ଡିରା ମହାବଳ ବାଘ ‘ମହାବୀର’ ଓ ମଧ୍ୟପ୍ରଦେଶର କାହ୍ନା ପାର୍କରୁ ୨୦୧୮ ମସିହାରେ ଆସିଥିବା ମାଈ ବାଘୁଣୀ ‘ସୁନ୍ଦରୀ’କୁ ନେଇ ବଡ଼ ବ୍ୟାଘ୍ର ପ୍ରକଳ୍ପ ପାଇଁ ଆଶା ରଖିଥିଲେ। କିନ୍ତୁ ଏହି ସ୍ୱପ୍ନ ଧୂଳିସାତ୍‌ ହୋଇଛି। ଶେଷରେ ବାଘୁଣୀ ପୁଣି ଥରେ ମଧ୍ୟ ପ୍ରଦେଶକୁ ଫେରିଯାଇଛି। ସୁନ୍ଦରୀକୁ ଯେଉଁ ଅଭୟାରଣ୍ୟ ଭିତରୁ ଅଣାଯାଇଥିଲା, ବୁଧବାର ସେଠାରେ ଛଡ଼ାଯିବ।

ବାଘ ବଂଶ ବୃଦ୍ଧି ଆଶା ନେଇ ବାଘୁଣୀ ‘ସୁନ୍ଦରୀ’କୁ ସାତକୋଶିଆ ଅଣାଯାଇଥିଲା।  କିନ୍ତୁ ଦେଶର ଏହି ପ୍ରଥମ ଅନ୍ତଃରାଜ୍ୟ ସ୍ଥାନାନ୍ତରଣ ବ୍ୟାଘ୍ର ପ୍ରକଳ୍ପ ଆରମ୍ଭ ହେବା ପୂର୍ବରୁ ବିବାଦ ଦେଖାଯାଇଥିଲା। ୨୦୧୮ ମସିହା ଜୁନ୍‌ ମାସରେ ‘ସୁନ୍ଦରୀ’ ଜଣେ ମହିଳାଙ୍କ ସମେତ ୨ ଜଣଙ୍କୁ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ସେମାନଙ୍କର ପ୍ରାଣ ଚାଲିଯାଇଥିଲା। ଘଟଣା ପରେ ଦୀର୍ଘ ୩ ବର୍ଷ ହେବ ସାତକୋଶିଆ ଅଂଚଳର ଲୋକେ ଭୟରେ ଥିଲେ। ଆଜି ସୁନ୍ଦରୀ ମଧ୍ୟପ୍ରଦେଶ ଅଭିମୁଖେ ଯାଇଥିବାରୁ ଲୋକେ ଏକ ପ୍ରକାରର ଆଶ୍ୱସ୍ତିଲାଭ କରିଛନ୍ତି।

ଏନ୍‌କ୍ଲୋଜରରେ ଅଢ଼େଇ ବର୍ଷ

ସାଧାରଣ ଲୋକଙ୍କ ଜୀବନ ପ୍ରତି ବିପଦ ଦେଖାଯିବା ପରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ୨୦୧୮ ମସିହା ନଭେମ୍ବର ମାସରୁ ସୁନ୍ଦରୀକୁ ଏନକ୍ଲୋଜର ମଧ୍ୟରେ ରଖାଯାଇଥିଲା। କିନ୍ତୁ ଜଙ୍ଗଲର ଆଖପାଖ ଅଞ୍ଚଳରେ ରାଗ ନ ଥମିବାରୁ ସୁନ୍ଦରୀକୁ ଫେରାଇ ନେବା ପାଇଁ ରୂପରେଖ ପ୍ରସ୍ତୁତ କରାଯାଇଥିଲା। ସୁନ୍ଦରୀ ସାତକୋଶିଆ ଛାଡିବା ପରେ ବ୍ୟାଘ୍ର ପ୍ରକଳ୍ପର ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଛି।

ଯନ୍ତାକୁ ପଶିଲାନି ବାଘୁଣୀ

ସାତକୋଶିଆ ଅଭୟାରଣ୍ୟର ବନ୍ୟ ପ୍ରାଣୀ ଚିକିତ୍ସକ କିଶୋର ସାହୁଙ୍କ କହିବା ଅନୁସାରେ ବନ ବିଭାଗର ବହୁ ଉଦ୍ୟମ ପରେ ସୁନ୍ଦରୀକୁ ଧରିଥିଲେ। ବାଘୁଣୀକୁ ଧରିବା ପାଇଁ ଯନ୍ତାର ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ଏଥିରେ ବାଘ ପଶି ନଥିଲା। ଶେଷରେ ବାଧ୍ୟ ହୋଇ ତାକୁ ଟ୍ରାଙ୍କୁଲାଇଜ୍‌ କରାଯାଇଥିଲା। ୩ ଜଣିଆ ଡାକ୍ତରୀ ଟିମ୍‌ ବାଘୁଣୀକୁ ଟ୍ରାଙ୍କୁଲାଇଜ୍‌ କରି ଧରିଥିଲେ। ପ୍ରାୟ ୧୫ ମନିଟି ପରେ ସୁନ୍ଦରୀ  ଚେତା ପାଇଥିଲା। ଚେତା ପାଇବାର କିଛି ସମୟରେ ପରେ ତାକୁ ଏକ ସ୍ୱତନ୍ତ୍ର ଗାଡ଼ିରେ ଭତ୍ତି କରାଯାଇଥିଲା। ସାତକୋଶିଆରୁ ବାହାରିବା ପୂର୍ବରୁ ସୁନ୍ଦରୀର ଓଜନ ୧୬୦ କିଲୋ ଥିଲା। ସେ ସୁସ୍ଥ ଥିଲା। ସ୍ୱତନ୍ତ୍ର ଯନ୍ତାରେ ଖାଦ୍ୟ ଦିଆଯାଇ ଗାଡ଼ିକୁ ମଧ୍ୟପ୍ରଦେଶ ଅଭିମୁଖେ ନିଆଯାଇଥିଲା।  

ସାତକୋଶିଆରେ ଲଙ୍କାକାଣ୍ଡ

ସାତକୋଶିଆରେ ଥିବା ବେଳେ ସୁନ୍ଦରୀ ହାତୀବାରୀ ଗାଁର କୈଳାଶୀ ସାଏ ନାଁରେ ଜଣେ ମହିଳାଙ୍କ ଆକ୍ରମଣ କଥିଲା। ଘଟଣା ଦିନ କୈଳାଶୀ ଗାଁ ନିକଟସ୍ଥ ନାଳରେ ଗାଧୋଉଥିଲେ। ପଛପଟରୁ ଝାମ୍ପ ମାରିଥିଲା ବାଘୁଣୀ। ପୁଳାଏ ମାଂସ ମଧ୍ୟ ନେଇଯାଇଥିଲା। ଏହି ଘଟଣା ପରେ ସ୍ଥାନୀୟ ଲୋକେ ଟିକରପଡ଼ାରେ ଲଙ୍କା କାଣ୍ଡ କରିଥିଲେ। ଉତ୍ତେଜିତ ଲୋକେ ବିଟ ହାଉସ ପୋଡ଼ି ଦେଇଥିଲେ। ଟାଇଁସି ଗାଁର ଜଣେ ଚାଷୀ ସକାଳୁ ଗାଁ ପାଖ ନାଳକୁ ଯାଇଥିବା ବେଳେ ସୁନ୍ଦରୀ ଅନୁରୂପ ଭାବେ ଝାମ୍ପ ମାରି ତାଙ୍କର ଜୀବନ ନେଇଥିଲା। ଏହି ଘଟଣାକୁ ନେଇ ରାଜରାସ୍ତା ଅବରୋଧ କରିଥିଲେ। ପୋଲିସ ସହ ଲୋକଙ୍କର ଖଣ୍ଡ ଯୁଦ୍ଧ ହୋଇଥିଲା। ଉତ୍ତେଜିତ ଲୋକେ ପୋଲିସର  ବସ୍‌ରେ ନିଆଁ ସଂଯୋଗ କରିଥିଲେ।

ସାତକୋଶିଆରେ ଗୋଟିଏ ବାଘୁଣୀ!

କୁହାଯାଉଛି ଯେ, ସାତକୋଶିଆ ଅଭୟାରଣ୍ୟରେ ଏବେ ମାତ୍ର ଗୋଟିଏ ବାଘୁଣୀ ଅଛି। ତାର ମଧ୍ୟ ବୟସ ଗଡ଼ିଯାଇଛି। ପ୍ରାୟ ବର୍ଷକ ପୂର୍ବରୁ ମହାବଳ ବାଘ ‘ମହାବୀର’ର ମୃତ୍ୟୁ ହୋଇଯାଇଛି। ସାତକୋଶିଆରେ ବ୍ୟାଘ୍ର ପ୍ରକଳ୍ପ ଚିନ୍ତା କରିବା ପୂର୍ବରୁ ଏବେ ମାଈ ଓ ଅଣ୍ଡିରା ବାଘ ରଖାଯିବାର ଆବଶ୍ୟକତା ଅଛି। କିନ୍ତୁ ବିଗତ ୩ ବର୍ଷ ମଧ୍ୟରେ ଯେଭଳି ଅସୁବିଧା ଦେଖିବାକୁ ମଳିଛି ଏଠାରେ ବ୍ୟାଘ୍ର ପ୍ରକଳ୍ପ କରାଯିବା ଅସମ୍ଭବ ହୋଇପଡ଼ିଛି। 

Share the article

LEAVE A REPLY