ପିପିଲି ଉପନିର୍ବାଚନରେ ‘ବିଜେଡି-ବିଜେପି’ର ଅସଲ ଲଢ଼େଇ!

0
302

ଭୁବନେଶ୍ୱର: ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ଆସନ୍ତା ୧୭ ତାରିଖରେ ମତଗ୍ରହଣ କରାଯିବ। ମତଦାନ ଦିବସ ଯେତିକି ପାଖେଇ ଆସୁଛି, ତୃଣମୂଳ ସ୍ତର ଠାରୁ ଦଳୀୟ ନେତାମାନଙ୍କ ମଧ୍ୟରେ ସେତିକି ଉତ୍ସାହ ଦେଖାଯାଉଛି। ରାଜନେତାମାନେ ମଧ୍ୟ ବହୁତ ବ୍ୟସ୍ତ ଦେଖାଯାଉଛନ୍ତି। ନେତାମାନଙ୍କର ଚାମ୍‌ଚାମାନେ (କୁଜିନେତା) ମଧ୍ୟ କମ୍‌ ନୁହଁନ୍ତି। ମତଦାତାଙ୍କୁ ଆକର୍ଷିତ କରିବା ପାଇଁ ଏବେ ଘରକୁ ଘର କ୍ୟାମ୍ପନ୍‌  ମଧ୍ୟ ଆରମ୍ଭ ହୋଇଯାଇଛି। ପିପିଲି ଉପନିର୍ବାଚନରେ ଶ୍ରେଷ୍ଠ ଦଳ ହେଉଛନ୍ତି ବିଜୁ ଜନତା ଦଳ, ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ। ହେଲେ କୁହାଯାଉଛି ଯେ, ବିଜେଡି ଓ ବିଜେପି ମଧ୍ୟରେ ଅସଲ ଲଢ଼େଇ ହେବ। କଂଗ୍ରେସ ତୃତୀୟ ସ୍ଥାନରେ ରହିବ ବୋଲି ଆକଳନ କରାଯାଉଛି।

ସ୍ୱର୍ଗତ ପ୍ରଦୀପ ମହରଥୀଙ୍କୁ ସମ୍ମାନ ଜଣାଇ ବିଜୁ ଜନତା ଦଳ ତାଙ୍କର ସୁୁପୁତ୍ର ରୁଦ୍ରପ୍ରତାପ ମହରାଥୀଙ୍କୁ ଟିକେଟ୍‌ ଦେଇଛି। ପିପିଲି ନିର୍ବାଚନ ମଣ୍ଡଳୀରେ ପ୍ରଦୀପ ମହରଥୀ ଯେଉଁ କାମ କରିଥିଲେ, ତାକୁ ଆଗକୁ ନେବେ ବୋଲି ବିଜେଡି ରୁଦ୍ରପ୍ରତାପଙ୍କ ଉପରେ ଭରସା ରଖିଛି। ବିଜେପିର ଟିକେଟରେ ଆଶ୍ରିତ ପଟ୍ଟନାୟକଙ୍କୁ ପ୍ରାର୍ଥୀ ହୋଇଛନ୍ତି। କଂଗ୍ରେସରୁ ଏଠାରେ କିଏ ପ୍ରାର୍ଥୀ ହେବେ ତାହା ଖୁବ୍‌ ଶୀଘ୍ର ଜଣାପଡ଼ିଯିବ। ଦଳ ହାଇକମାଣ୍ଡଙ୍କ ନିକଟକୁ ୩ ଜଣଙ୍କର ନାଁ ପଠାଇଛି।

ବାପା-ମା’ଙ୍କ ଆର୍ଶୀବାଦ ଓ ନବୀନଙ୍କୁ ଧନ୍ୟବାଦ

ବିଜେଡିରୁ ଟିକେଟ ମିଳିବା ପରେ ରୁଦ୍ରପ୍ରତାପ ମହରଥୀ ଖୁସି ଅନୁଭବ କରିଛନ୍ତି। ସେ ଗଣମାଧ୍ୟମର ପ୍ରତିନିଧିଙ୍କୁ ନିଜର ପ୍ରତିକ୍ରିୟା ଦେଇଛନ୍ତି। ମା’-ବାପାଙ୍କ ଆଶୀର୍ବାଦ ଯୋଗୁଁ ତାଙ୍କୁ ବିଜେଡି ଟକେଟ ଦେଇଛନ୍ତି। ସେହିପରି ବିଜେଡି ସୁପ୍ରିମୋ  ନବୀନ ପଟ୍ଟନାୟକ ମଧ୍ୟ ରୁଦ୍ରଙ୍କ ଉପରେ ଭରସା ରଖିଛନ୍ତି ବୋଲି ରୁଦ୍ର କହିଛନ୍ତି। ଏଥି ସହିତ ସେ କହିଛନ୍ତି ଯେ, ପିପିଲି ଉପନିର୍ବାଚନରେ ବିଜେଡିର ପ୍ରାର୍ଥୀ ହେବାର ସୁଯୋଗ ମିଳିଛ। ତେଣୁ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଧନ୍ୟବାଦ ଜଣାଉଛି। ପିପିଲି-ଡେଲାଙ୍ଗ ମାଟିର ଲୋକଙ୍କ ସେବା କରିବାକୁ ଲକ୍ଷ୍ୟ ରଖିଛି। ବାପାଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବି।

ଲାଗି ରହିଛି ମା’-ପୁଅଙ୍କ ବିବାଦ

ରୁଦ୍ରପ୍ରତାପଙ୍କୁ ବିଜେଡି ଟିକେଟ ଦେଇଛି, ଏକଥା ସତ। କିନ୍ତୁ ମହାରଥୀ ପରିବାରରେ ଅନ୍ତଃଦ୍ୱନ୍ଦ୍ୱ ଲାଗି ରହିଛି। ସବୁଠାରୁ ପରିତାପର ବିଷୟ ଯେ, ପ୍ରଦୀପ ମହରଥୀଙ୍କ ଦେହାନ୍ତ ପରେ ତାଙ୍କର ଧର୍ମପତ୍ନୀ ପ୍ରତିଭା ମହରାଥୀ ଓ ପୁଅ ରୁଦ୍ରଙ୍କ ମଧ୍ୟରେ ମତାନ୍ତର ଦେଖାଯାଇଛି। ମା’-ପୁଅଙ୍କ ମଧ୍ୟରେ ଥିବା ମନୋମାଳିନ୍ୟକୁ ଦୂର କରିବା ପାଇଁ ବିଜେଡିର ଟାଣୁଆ ନେତାମାନେ ମଧ୍ୟ ଲାଗିଛନ୍ତି। ଯଦି ପରାରିବାରିକ କଳି ଉପନିର୍ବାଚନ ପୂର୍ବରୁ ଲାଗି ରହେ, ତାହେଲେ ବିଜେପିକୁ ଲାଭ ପହଂଚିପାରେ। କିନ୍ତୁ ରୁଦ୍ର ଦୃଢ଼ତାର ସହିତ କହିଛନ୍ତି ଯେ, ମୋ ଉପରେ ମା’ଙ୍କ ଆଶୀର୍ବାଦ ସବୁବେଳେ ରହିଛି। ମୁଁ ଟିକେଟ ପାଇବା ଯାହା, ମା’ ପାଇବା ତାହା।  ବାପା-ମା’ଙ୍କ ବିନା ମୋର କିଛି ଅସ୍ଥିତ୍ୱ ନାହିଁ ବୋଲି ସେ ସ୍ୱୀକାର କରିଛନ୍ତି।

ବିଜେପି ଟିକେଟ୍‌ରେ ଆଶ୍ରିତ

ବିଜେଡି ପ୍ରାର୍ଥୀ ଘୋଷଣା ପୂର୍ବରୁ ଆଶ୍ରିତ ପଟ୍ଟନାୟକଙ୍କୁ ଟିକେଟ ଦେଇଛି। ଏହାରି ମଧ୍ୟରେ ଆଶ୍ରିତ ମାର୍ଚ୍ଚ ୨୬ ତାରିଖଷର ନାମାଙ୍କନ କରି ସାରିଛନ୍ତି। ନାମାଙ୍କନ ପୂର୍ବରୁ ପିପିଲି ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା ହୋଇଥିଲା। ଏହା ପରେ ଏକ ବାଇକ ରାଲି ପୁରୀ ଅଭିମୁଖେ ବାହାରିଥିଲେ। ସେଠାରେ ବିଜେପିର ବରିଷ୍ଠ ନେତା ଓ କର୍ମୀଙ୍କ ଗହଣରେ ଯାଇ ସେ ନାମାଙ୍କନ ଦାଖଲ କରିଥିଲେ।

କିଏ ଜିତିବ ପିପିଲି?

ପ୍ରାର୍ଥୀପତ୍ର ଦାଖଲ ପରେ ଆଶ୍ରିତ କହିଛନ୍ତି, ପିପିଲି ଉପନିର୍ବାଚନରେ ଲୋକଙ୍କ ବିଶ୍ୱାସ ବିଜୟ ହେବ। ଏଠାରେ ଭାରତୀୟ ଜନତା ପାର୍ଟିର ବିଜୟ ହେବ। କିନ୍ତୁ ଦୀର୍ଘ ଦିନରୁ ପିପିଲିକୁ ବଜେଡି ନିୟନ୍ତ୍ରଣ କରିଥିବାରୁ ଦଳ ଏହାକୁ ପୁଣି ନିଜ ଅଧିନରେ ଆଣିବାକୁ ଉଦ୍ୟମ କରିବ। ବିଜେଡି ନିକଟରେ ପିପିଲି ପାଇଁ ସ୍ୱତନ୍ତ୍ର ପ୍ୟାକେଜ ମଧ୍ୟ ଘୋଷଣା କରିଥିଲା। କିନ୍ତୁ ଚର୍ଚ୍ଚା ହେଉଛି ଯେ, ପିପିଲିରେ ଲୋକେ ବିଜେଡି ଉପରେ ବିରକ୍ତି ପ୍ରକାଶ କରୁଛନ୍ତି। ହେଲେ ଏକଥା ମତଦାନ ଫଳାଫଳ ବାହାରିବା ପରେ ଜଣାପଡ଼ିବ। ବିଗତ କିଛି ବର୍ଷ ମଧ୍ୟରେ ଯେତେସ୍ଥାନରେ ଉପନିର୍ବାଚନ ହୋଇଛି, ବିଜେଡିର ବିଜୟ ହୋଇଛି। 

LEAVE A REPLY

Please enter your comment!
Please enter your name here