ମାଓବାଦୀଙ୍କ ଗୁଳିରେ ଟଳିଲେ ୨୨ ଯବାନ, ଉଜୁଡି ଗଲା ପରିବାର

0
266
Spread the love

ଭୁବନେଶ୍ୱର/ରାୟପୁର: ସୈନିକ ହୋଇ ଦେଶ ସେବା କରିବା ଏକ ମହାନ୍‌ କାମ। ପୁଅକୁ ସୈନିକ ବେଶରେ ଦେଖିଲେ ବାପା-ମା’ ଓ ପତ୍ନୀ ନିଜକୁ ଗର୍ବ  ମନେ କରିଥାନ୍ତି। ପରିବାର ଓ ବନ୍ଧୁବାନ୍ଧବ ମଧ୍ୟ ସୈନିକଙ୍କୁ ନେଇ ଗର୍ବ କରିଥାନ୍ତି। କିନ୍ତୁ ଆଜିର ଦିନରେ ମାଓବାଦୀମାନେ ଯବାନଙ୍କୁ ଯେଭଳି ଭାବରେ ଟାର୍ଗେଟ କରୁଛନ୍ତି, ସହିଦ୍‌ ଯବାନଙ୍କ ପରିବାର ହିଁ ଯନ୍ତ୍ରଣା ସହିବା କେତେ କଷ୍ଟ ସେକଥା କହିପାରିବେ। ଅତୀତରେ ଘଂଚ ଜଙ୍ଗଲରେ ଛାତି ଫୁଲାଇ ଯବାନ ଯେତେବେଳେ ସର୍ଚ୍ଚ ଅପରେଶନରେ ଥାଏ, ପରିବାର ଲୋକଙ୍କ ମୁହଁରେ ହସ୍‌ ଥାଏ। ମାତ୍ର ଯବାନ କୌଣସି ବିପରୀତ ପରିସ୍ଥିତିର ସମ୍ମୁଖୀନ ହୋଇ ଯାଏ, ପରିବାର ଉଜୁଡ଼ି ଯାଇଥାଏ। ଯବାନଙ୍କ ପତ୍ନୀଙ୍କୁ ଲୁହ ପିଇପିଇ ବଂଚିବାକୁ ହୋଇଥାଏ। ସନ୍ତାନଙ୍କୁ କିପରି ବଡ଼ କରିବ ପତ୍ନୀଙ୍କ ଚିନ୍ତା ବଢ଼ିଯାଏ। ପିତୃ ସ୍ନେହରୁ ଆଜୀବନ ବଂଚିତ ହୋଇଥିବା ପିଲାଗୁଡ଼ିକର କଥା କହିଲେ ନସରେ।

ପଡୋଶୀ ଛତିଶଗଡ଼ର ବିଜାପୁର-ସୁକମା ସୀମାରେ ଶନିବାର ସୁରକ୍ଷା ବାହିନୀ ଓ ନକ୍ସଲଙ୍କ ମଧ୍ୟରେ ଏନ୍‌କାଉଣ୍ଟର ହୋଇଛି। ଏହି ଏନ୍‌କାଉଣ୍ଟରରେ ୨୨ ଜଣ ଯବାନ ସହିଦ୍‌ ହୋଇଛନ୍ତି। ସହିଦ୍‌ଙ୍କ ମଧ୍ୟରେ ଡିଆର୍‌ଜି, ଏସ୍‌ଟିଏଫ୍‌, କୋବରା ବାଟାଲିୟନ୍‌ ଓ ବସ୍ତର ବାଟାଲିୟନ୍‌ର ଯବାନ ସାମିଲ୍‌ ଅଛନ୍ତି। ଯବାନ୍‌ମାନେ ଯେତେବେଳେ ଜୁନ୍ନାଗଡ଼ରେ ଅପରେଶନ୍‌ ସାରି ଫେରୁଥିଲେ, ସେହି ସମୟରେ ନକ୍ସଲମାନଙ୍କ ଟାର୍ଗେଟରେ ଫସିଯାଇଥିଲେ। ନକ୍ସଲମାନେ ସ୍ୱଦେଶୀ ବ୍ୟାରେଲ ଗ୍ରେନେଡ ଲଂଚର ଦ୍ୱାରା ଗୁଳି ଚଳାଇଥିଲେ। କିନ୍ତୁ ଯବାନମାନେ ମଧ୍ୟ ଏହାର ଯବାବ ଦେଇଥିଲେ ବୋଲି ସିଆରପିଏଫ୍‌ ଡିଜି କୁଳଦୀପ ସିଂହ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ବଡ଼ ଷଡ଼ଯନ୍ତ୍ର ରଚିଥିଲେ ନକ୍ସଲ
କୁହାଯାଉଛିଯ, ସୁରକ୍ଷା ବାହିନୀକୁ ଏକ ଝଟକା ଦେବା ପାଇଁ ନକ୍ସଲମାନେ ଏକ ବଡ଼ ଧରଣର ଷଡ଼ଯନ୍ତ୍ର ରଚିଥିଲେ। ସେଥିପାଇଁ ସେମାନେ ପ୍ରଥମେ ପୋଲିସକୁ ଗୁପ୍ତ ସୂଚନା ପଠାଇଥିଲେ। ଏଥିରେ କୁହାଯାଇଥିଲା ଯେ ଜଂଗଲରେ ଦକ୍ଷିଣ ବସ୍ତର ମିଲିଟାରି କମାଣ୍ଡର ହିଡମା କିଛି ମାଓବାଦୀଙ୍କୁ ନେଇ କ୍ୟାମ୍ପ କରି ରହିଛି। ହିଡମା ଜଙ୍ଗଲରେ ଚଳପ୍ରଚଳ କରୁଥିବା ନେଇ  ସୂଚନା ମିଳିବା ପରେ ଯବାନମାନେ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଦେଇଥିଲେ। କିନ୍ତୁ ପୂର୍ବରୁ ପ୍ରସ୍ତୁତ ଥିବା ନକ୍ସଲମାନେ ଯବାନମାନଙ୍କ ଉପରେ ଅତର୍କିତ ଭାବେ ଗୁଳି ବର୍ଷା କରିଥିଲେ। ଯବାନମାନଙ୍କୁ ଲକ୍ଷ୍ୟ କରି ଚାରିପଟୁ ଅତର୍କିତ ଗୁଳି ଚଳାଇଥିଲେ। ଜୀବନ ବିକଳରେ ଏଣେ ତେଣ ପଳାୟନ କରୁଥିବା ଯବାନଙ୍କୁ ଗୋଡେଇ ଗୋଡେଇ ଗୁଳି ମାରିଥିଲେ। ପ୍ରାଣ ବିକଳରେ ଯବାନମାନେ ଜୁନ୍ନାଗଡ ଗାଁକୁ ପଶିଥିଲେ। ହେଲେ ସେଠାରେ ମଧ୍ୟ ନକ୍ସଲମାନେ ଆମ୍ବୁସ ଲଗାଇ ପ୍ରସ୍ତୁତ ଥିଲେ।  

ଭାରି ଥିଲେ ମାଓବାଦୀ
ଯବାନଙ୍କ ତୁଳନାରେ ମାଓବାଦୀଙ୍କ ସଂଖ୍ୟା ଅଧିକ ଥିଲା। ସର୍ଚ୍ଚ ଅପରେସନ୍‌ରେ ବାହାରିଥିବା ଯବାନମାନେ ଜାଣି ନଥିଲେ ଜଙ୍ଗଲ ଭିତରେ ଏତେ ପରିମାଣରେ ମାଓବାଦୀ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଧରି ସେମାନଙ୍କ ଆଡ଼କୁ ବନ୍ଧୁକ ମୁନ ସଜାଇ ବସିଥିଲେ। ନକ୍ସଲଙ୍କ ଗୁଳିରେ ୨୨ ଜଣ ଯବାନ ସହିଦ୍‌ ହୋଇଥିବା ବେଳେ ୩୧ ଜଣ ଆହତ ଯବାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନକ୍ସଲମାନେ ୭ଟି ଏକେ-୪୭, ୨ଟି ଏସ୍‌ଏଲ୍‌ଆର୍‌ ଓ ଏଲ୍‌ଏମ୍‌ଜି ବନ୍ଧୁକ ଲୁଟ୍‌ କରିଛନ୍ତି।

ବ୍ୟର୍ଥ ଯିବ ନାହିଁ ବଳିଦାନ: ଗୃହମନ୍ତ୍ରୀ
ଛତିଶଗଡ଼ରେ ହୋଇଥିବା ନକ୍ସଲଙ୍କ ହିଂସା ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଏବଂ ଛତିଶଗଡର ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ତୀବ୍ର ନିନ୍ଦା କରିଛନ୍ତି। ନକ୍ସଲଙ୍କର ଏହି ଅମାନିବୀୟ କାଣ୍ଡର ଜବାବ ଦିଆଯିବ ବୋଲି ଗୃହ ମନ୍ତ୍ରୀ ଶ୍ରୀ ଶାହା  କହିଛନ୍ତି। ସେ କହିଛନ୍ତି ଯେ, ଯବାନଙ୍କ ବଳିଦାନ ବେକାର ଯିବ ନାହିଁ। ଏଥି ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ। 

LEAVE A REPLY