ନକ୍ସଲ କବ୍‌ଜାରେ ୫ ଦିନ ରହିଲେ ରାକେଶ୍ୱର, ୬ ଦିନ ଥିଲେ ମାଲକାନଗିରି ଜିଲ୍ଲାପାଳ

0
161

ଭୁବନେଶ୍ୱର: ନକ୍ସଲ କବ୍‌ଜାରେ ଦୀର୍ଘ ୫ ଦିନ ବିତାଇବା ପରେ ସିଆରପିଏଫ୍‌ ଯବାନ ରାକେଶ୍ୱର ସିଂ ମାନହାସ୍‌ ଗୁରୁବାର ମୁକ୍ତ ହୋଇଛନ୍ତି। ରାକେଶ୍ୱର ନକ୍ସଲଙ୍କ ଠାରୁ ଆସିବା ପରେ ସମଗ୍ର ଦେଶର ଜନତାଙ୍କ ମନରେ ଥିବା ଉତ୍କଣ୍ଠାର ଅବସାନ ଘଟିଛି। ଯବାନଙ୍କ ପରିବାର ଓ ତାଙ୍କର ବନ୍ଧୁବାନ୍ଧବ ମାନେ ଉତ୍ସବ ପାଳନ କରିବା ସହିତ ମିଠେଇ ବଣ୍ଟନ କରିଛନ୍ତି। ସିଆରପିଏଫ୍‌ର ସେନା ଶିବିରରେ ମଧ୍ୟ ଉତ୍ସବର ମାହୋଲ ଦେଖାଯାଇଛି। କେବଳ ରାକେଶ୍ୱରଙ୍କ ପରିବାର ନୁହେଁ, ବରଂ ସମଗ୍ର ସେନା ପରିବାରଙ୍କ ମୁହଁରେ ମଧ୍ୟ ହସ ଫୁଟିଛି।

ସୂଚନାଯୋଗ୍ୟ, ଏପ୍ରିଲ ୩ ତାରିଖରେ ଛତିଶଗଡ଼-ସୁକମା ଜିଲ୍ଲାର ସୀମାରେ ପ୍ରାୟ ୪୦୦ ନକ୍ସଲ ଏମ୍ବୁସ ଲଗାଇ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ। ନକ୍ସଲଙ୍କ ଏହି ଆକ୍ରମରରେ ୨୨ ଜଣ ଯବାନ ସହିଦ ହୋଇଥିବା ବେଳେ ରାକେଶ୍ୱରଙ୍କୁ ଅପରହଣ କରାଯାଇଥିଲା। ସୁରକ୍ଷାକର୍ମୀ-ନକ୍ସଲଙ୍କ ଗୁଳିବିନିମୟ ପରେ ରାକେଶ୍ୱରଙ୍କୁ ଅସୁସ୍ଥ ଅବସ୍ଥାରେ ନକ୍ସଲମାନେ ପାଇଥିଲେ। ଏହା ଥିଲା ଏପ୍ରିଲ ୪ ତାରିଖର ଘଟଣା। ସେହିଦିନ ନିରସ୍ତ୍ର ଓ ଅସୁସ୍ଥ ଅବସ୍ଥାରେ ଥିବା ଦେଖି ମାଓବାଦୀମାନେ ବନ୍ଦୀ କରି ନେଇଥିଲେ। ଛତିଶଗଡ଼ ନକ୍ସଲ ଇତିହାସର ଅନ୍ୟତମ ବଡ଼ ଘଟଣାରେ ରାକେଶ୍ୱର ନିଖୋଜ ଥିବା ପ୍ରଥମେ କୁହାଯାଉଥିଲା କିନ୍ତୁ ୬ ତାରିଖ ଦିନ  ନକ୍ସଲଙ୍କ ପକ୍ଷରୁ ଏକ ପ୍ରେସ୍‌ ବିବୃତି ଜାରି କରାଯାଇ ଥିଲା ଏବଂ ରାକେଶ୍ୱରଙ୍କୁ ବନ୍ଦୀ କରାଯାଇଛି ବୋଲି ସୂଚନା ଦିଆଯାଇଥିଲା। ରାକେଶ୍ୱରଙ୍କୁ ମୁକ୍ତ କରିବାକୁ ହେଲେ କିଛି ସର୍ତ୍ତପାଳନ କରିବାକୁ ପଡ଼ିବ ବୋଲି ନକ୍ସଲ ପ୍ରେସ୍‌ ବିଜ୍ଞପ୍ତିରେ କହିଥିଲେ।

ମୁକ୍ତ ପାଇଁ ଯୋଜନା ସଫଳ

ନକ୍ସଲଙ୍କ ପ୍ରେସ୍‌ ରିଲିଜି ଜାରି ହେବା ପରେ ରାକେଶ୍ୱରଙ୍କୁ ମୁକ୍ତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ଏଥି ପାଇଁ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, ଗଣମାଧ୍ୟମର ପ୍ରତିନିଧି ଉଦ୍ୟମ କରିଥିଲେ। ରାକେଶ୍ୱର ଥିଲେ ଜମ୍ମୁକଶ୍ମୀର ବାସିନ୍ଦା। ତାଙ୍କୁ ନକ୍ସଲ କବଳରୁ ମୁକ୍ତ କରିବା ପାଇଁ ପରିବାର ପକ୍ଷରୁ ଜମ୍ମୁକଶ୍ମୀରରୁ ନିବେଦନ କରାଯାଇଥିଲା। କିନ୍ତୁ ନକ୍ସଲମାନେ ପରିବାର ଲୋକଙ୍କର କଥା ଶୁଣି ନଥିଲେ। ଛତିଶଗଡ଼ର ଜେଲ ମୁକ୍ତ ବନ୍ଦୀ ସମିତି ପକ୍ଷରୁ ମଧ୍ୟ ନକ୍ସଲଙ୍କ ନିକଟରେ ଗୁହାରି କରାଯାଇଥିଲା। ଏହା ପରେ ମାଓବାଦୀମାନେ ସରକାରୀ ମଧ୍ୟସ୍ଥିଙ୍କ ସହ ଆଲୋଚନା କରିବା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରିବେ ବୋଲି ସୂଚନା ଦେଇଥିଲେ। ସ୍ଥାନୀୟ ସାମ୍ବାଦିକ ଗଣେଶ ମିଶ୍ର ଓ ମୁକେଶ ଚକ୍ରଧରଙ୍କ ଉଦ୍ୟମରେ ରାକେଶ୍ୱରଙ୍କ ମୁକ୍ତି ଲାଗି ଏକ ରାସ୍ତା ଫିଟିଥିଲା।  

ମାନବିକତା ଆମ ପାଇଁ ଶ୍ରେଷ୍ଠ: ନକ୍ସଲ

ଛତିଶଗଡ଼ ସରକାର ପଦ୍ମଶ୍ରୀ ଧରମପାଲ ସାଇନି ଓ ଗଣ୍ଡୱାନା ସମାଜର ମୁଖ୍ୟ ତେଲମ୍‌ ବୁରାଇୟାଙ୍କୁ ମାଓବାଦୀଙ୍କ ସହ ଆଲୋଚନା ଲାଗି ମଧ୍ୟସ୍ଥି ନିଯୁକ୍ତ କରିଥିଲେ। ଏହି ଦୁଇଜଣ ସ୍ଥାନୀୟ ସାମ୍ବାଦିକଙ୍କର ୭ ଜଣିଆ ପ୍ରତିନିଧି ଦଳ ମଧ୍ୟ ଜଙ୍ଗଲକୁ ଯାଇଥିଲେ। ଆଲୋଚନା ପରେ ନକ୍ସଲମାନେ ଯବାନଙ୍କୁ ନିଃସର୍ତ୍ତ ମୁକ୍ତ କରିବାକୁ ଘୋଷଣା କରିଥିଲେ। ନକ୍ସଲମାନେ କହିଥିଲେ ଯେ, ଯେତେବେଳେ ଜଣେ ମାଓବାଦୀ ପୁଲିସ କବଳରେ ପଡ଼ୁଛି ତାକୁ ଛଡ଼ାଯାଉନାହିଁ। କିନ୍ତୁ ମାନବିକତା ଦୃଷ୍ଟିରୁ ଆମେ ଯବାନଙ୍କୁ ମୁକ୍ତ କରୁଛୁ।

ଯବାନଙ୍କୁ ବାଇକ୍‌ରେ ଆଣିଲେ ସାମ୍ବାଦିକ

ପୂର୍ବ ନିର୍ଦ୍ଧାରିତ ଆଲୋଚନା ଅନୁଯାୟୀ ଆଜି ମଧ୍ୟାହ୍ନ ସମୟରେ ଘଞ୍ଚ ଜଙ୍ଗଲରେ ଥିବା ମାଓବାଦୀଙ୍କ ଆଡ୍ଡାରେ ମଧ୍ୟସ୍ଥିମାନେ ପହଞ୍ଚିଥିଲେ। ୨ମଧ୍ୟସ୍ଥିଙ୍କୁ ଡକାଇ ମାଓବାଦୀମାନେ ସେମାନଙ୍କ ସହ ସିଧାସଳଖ ଆଲୋଚନା କଲା ପରେ ବନ୍ଦୀ ଯବାନ ରାକେଶ୍ୱରଙ୍କୁ ନିକଟସ୍ଥ ଗାଁକୁ ଅଣାଯାଇଥିଲା। ସେଠାରେ ପ୍ରଜାକୋର୍ଟ କରାଯାଇ ଦଉଡ଼ିରେ ବନ୍ଧା ଯାଇଥିବା ରାକେଶ୍ୱରଙ୍କୁ ମୁକ୍ତ କରାଗଲା। ରାକେଶ୍ୱରଙ୍କୁ ସ୍ଥାନୀୟ ସାମ୍ବାଦିକମାନେ ବାଇକରେ ବସାଇ ଆଣିଥିଲେ।

ତତ୍‌କାଳୀନ ଜିଲ୍ଲାପାଳ ଥିଲେ ନକ୍ସଲ କବ୍‌ଜାରେ

୨୦୧୧ ଫେବ୍ରୁଆରୀ ୧୬ ତାରିଖର ଘଟଣା। ତତ୍‌କାଳୀନ ମାଲକାନଗିରି ଜିଲ୍ଲାପାଳ ଆର୍‌ଭି କ୍ରିଷ୍ଣା ଓ ଜଣେ ଜୁନିୟର ଇଂଜିନିୟରଙ୍କୁ ନକ୍ସଲମାନେ ଅପହରଣ କରିଥିଲେ। ଘଟଣା ଦିନ ଜିଲ୍ଲାପାଳ ଚିତ୍ରକୋଣ୍ଡାର ଦୁର୍ଗମ ଅଂଚଳକୁ ବୁଲିବାକୁ ଯାଇଥିଲେ। ୩୦ ବର୍ଷୀୟ ଯୁବ କଲେକ୍ଟରଙ୍କୁ ଅପହରଣ କରାଯିବାର ନକ୍ସଲଙ୍କ ଉଦ୍ଦେଶ୍ୟ ଥିଲା ଯେ, କେନ୍ଦ୍ରୀୟ ପୋଲିସ ବଳ ମୁତୟନ ବନ୍ଦ କରାଯାଉ ଓ ଜେଲରୁ ମାଓବାଦୀମାନଙ୍କୁ ଛଡ଼ାଯାଉ। ନକ୍ସଲ ପରେ ଜିଲ୍ଲାପାଳଙ୍କୁ ୬ ଦିନ ପରେ ଛାଡ଼ି ଦେଇଥିଲେ। ଏହି ଘଟଣା ସେତେବେଳେ ସମଗ୍ର ଦେଶରେ ଚର୍ଚ୍ଚା ହୋଇଥିଲା। 

Share the article

LEAVE A REPLY