ବର୍ଷ ସାରା ସ୍କୁଲରେ ପଡ଼ିନି ପାଦ, ପ୍ରଥମରୁ ଅଷ୍ଟମ ଶ୍ରେଣୀର ସବୁ ପିଲା ପାସ୍‌!

0
132

ଭୁବନେଶ୍ୱର: ଅଭିଭାବକମାନଙ୍କୁ ଏକ ପ୍ରକାରର ବଡ଼ ଆଶ୍ୱସ୍ତି ମିଳିଯାଇଛି। ରାଜ୍ୟରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ଯାଏଁ ପଢୁଥିବା ପିଲାମାନେ ବିଦ୍ୟାଳୟର ମାଟି ମାଡ଼ି ନାହାନ୍ତି। କିନ୍ତୁ ସେମାନେ ପରବର୍ତ୍ତୀ ଶ୍ରେଣୀକୁ ପ୍ରମୋସନ୍ ହେବେ। ପ୍ରଥମ ଶ୍ରେଣୀର ପିଲା ଦ୍ୱିତୀୟ ଶ୍ରେଣୀକୁ, ଦ୍ୱିତୀୟ ଶ୍ରେଣୀର ଛାତ୍ରଛାତ୍ରୀମାନେ ତୃତୀୟ ଶ୍ରେଣୀକୁ ଉତ୍ତିର୍ଣ୍ଣ ହେବେ। ସେହିପରି ତୃତୀୟରୁ ଅଷ୍ଟମ ଶ୍ରେଣୀ ଯାଏଁ ବିଦ୍ୟାର୍ଥୀମାନଙ୍କର ପ୍ରମୋସନ୍ ହେବ। ରାଜ୍ୟ ସରକାର ଯଦିଓ ବିଧିବଦ୍ଧ ଭାବେ ଯଦିଓ ଘୋଷଣା କରି ନାହାନ୍ତି, ତଥାପି ଏହା ପୂର୍ବାଭାସ ମିଳିସାରିଛି।

ପୁଣି ବିନା ପରୀକ୍ଷାରେ ପାସ୍‌!

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଶନିବାର ସୂଚନା ଦେଇଛନ୍ତି ଯେ, ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଢୁଥିବା ସମସ୍ତ ଛାତ୍ରଛାତ୍ରୀ ୨୦୨୧ରେ ବାର୍ଷିକ ପରୀକ୍ଷା ଦେବେ ନାହିଁ। ଅର୍ଥାତ ବିନା ବାର୍ଷିକ ପରୀକ୍ଷାରେ ପ୍ରମୋସନ୍ ପାଇବେ। ଶିକ୍ଷା ବର୍ଷ ୨୦୧୯-୨୦ରେ ମଧ୍ୟ ପ୍ରଥମରୁ ୯ମ ଶ୍ରେଣୀ ପର‌୍ୟ୍ୟନ୍ତ ପିଲାମାନେ ବିନା ବାର୍ଷିକ ପରୀକ୍ଷାରେ ପାସ୍ କରିଥିଲେ। ଗ୍ରୀଷ୍ମ ବଢ଼ିଥିବାରୁ ଏବଂ କରୋନା ଭାଇରସ୍ ସଂକ୍ରମଣ ବ୍ୟାପିଥିବାରୁ ପ୍ରାଥମିକ ଶିକ୍ଷା ଗ୍ରହଣ କରୁଥିବା ପିଲାମାନଙ୍କର କ୍ଲାସ୍ କରାଯିବା ସମ୍ଭବ ନୁହେଁ। କରୋନା ଭାଇରସ୍ ଯେଉଁ ସ୍ଥିତିରେ ରହିଛି, ଆଉ ସ୍କୁଲ ଖୋଲିବା ମଧ୍ୟ ସମ୍ଭବ ନୁହେଁ। ଏଣୁ ଗତବର୍ଷ ଭଳି ଚଳି ବର୍ଷ ମଧ୍ୟ ବିନା ବାର୍ଷିକ ପରୀକ୍ଷାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀମାନେ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବେ। ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ, ଏନେଇ ଯଦିଓ ବିଧିବଦ୍ଧ ନିଷ୍ପତ୍ତି ନିଆଯାଇ ନାହିଁ, ତଥାପି ଆପାତତଃ ତାହା ସ୍ଥିର ହୋଇଛି।

୯ମରୁ ଦ୍ୱାଦଶ ଯାଏଁ ଅନ୍‌ଲାଇନ୍ ପରୀକ୍ଷା

ରାଜ୍ୟରେ ଗତ ଜାନୁଆରୀ ମାସ ଠାରୁ ଦଶମ ଓ ଦ୍ୱାଦଶ ଶ୍ରେଣୀର ପାଠପଢ଼ା ଜାରି ରହିଛି। ସେହିପରି ଫେବ୍ରୁଆରୀ ମାସରୁ ନବମ ଓ ଏକାଦଶ ଶ୍ରେଣୀରେ ପଢୁଥିବା ପିଲାମାନଙ୍କର କ୍ଲାସ୍ ଚାଲୁଛି। ଅର୍ଥାତ ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲାଙ୍କର ପାଠପଢ଼ା ଚାଲିଥିବାରୁ ସେମାନଙ୍କର ପରୀକ୍ଷା ଅଫଲାଇନ୍ ମାଧ୍ୟମରେ କରାଯିବ ବୋଲି ସରକାର ପୂର୍ବରୁ ସୂଚନା ଦେଇଛନ୍ତି।

ଜୁନ୍‌ରେ ଖୋଲିପାରେ ସ୍କୁଲ୍

‌ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର‌୍ୟ୍ୟନ୍ତ ପିଲାଙ୍କ ସ୍କୁଲ ଦୀର୍ଘ ୧ ବର୍ଷ ହେଲା ବନ୍ଦ ରହିଛି। କରୋନା ଭାଇରସ୍ ମହାମାରୀ ଦେଖାଯିବା ପରେ ଗତବର୍ଷ ଏପ୍ରିଲ୍ ୧୭ ତାରିଖ ଦିନ ରାଜ୍ୟ ସରକାର ଅଚାନକ ସ୍କୁଲ ଗୁଡ଼ିକ ବନ୍ଦ ରହିଛି। ଆସନ୍ତା ଏପ୍ରିଲ ମାସରେ ସ୍କୁଲ ଖୋଳାଯିବ କି ନାହିଁ, ଏନେଇ ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି। ମନ୍ତ୍ରୀ ଶ୍ରୀ ଦାଶଙ୍କ ସୂଚନା ଅନୁସାରେ ନୂତନ ଶିକ୍ଷାବର୍ଷ ଜୁନ୍ ମାସରେ ଆରମ୍ଭ ହୋଇପାରେ। ତେବେ ବିଳମ୍ବରେ ସ୍କୁଲ ଖୋଲାଯିବା କାରଣ ହେଉଛି ଗ୍ରୀଷ୍ମ ପ୍ରବାହ ଏବଂ କରୋନା ମହାମାରୀ।

ଚିନ୍ତାର ବୁଦ୍ଧିଜୀବୀ

କରୋନା ଓ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୮ଟି ଶ୍ରେଣୀରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କୁ ପ୍ରମୋସନ୍ ଦେଉଛନ୍ତି। ଏଥିରେ କିଛି ଅଭିଭାବକ ଓ ଶିକ୍ଷକମାନେ ଯଦିଓ ଖୁସି ଅନୁଭବ କରୁଛନ୍ତି, ବୁଦ୍ଧିଜୀବୀମାନଙ୍କ ମତରେ ପିଲାମାନଙ୍କର ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଉଛି। କାରଣ ପିଲାମାନେ ବର୍ଷ ସାରା ଘର ଭିତରେ ହିଁ ବସି ରହିଲେ। ଗତ ଜୁନ୍ ମାସରେ ସ୍କୁଲ ଖୋଲିବା ପରେ କିଛି ଦିନ ପାଇଁ ଅନ୍‌ଲାଇନ୍ ପାଠପଢ଼ା ହୋଇଥିଲା। ଏଥିରେ ସହରାଂଚଳ ଓ ବିକଶିତ ଗ୍ରାମାଂଚଳରେ ରହୁଥିବା ଆର୍ଥିକ ସ୍ୱଚ୍ଛଳ ଥିବା ପରିବାରର ପୁଅ-ଝିଅ ମାନେ ଶିକ୍ଷା ପାଇପାରିଲେ। କିନ୍ତୁ ଦୁର୍ଗମ ଓ ଗରିବ ଶ୍ରେଣୀର ପିଲାମାନେ ଅନ୍‌ଲାଇନ୍ ଶିକ୍ଷାରୁ ବଂଚିତ ହୋଇଥିଲେ। କାରଣ ଦୁର୍ଗମ ଅଂଚଳରେ ମୋବାଇଲ୍ ନେଟଓ୍ଵାର୍କର ସମସ୍ୟା ଥିବା ବେଳେ ଗରିବ ପରିବାରରେ ସ୍ମାର୍ଟଫୋନ୍‌ର ଅଭାବ ଥିଲା।

Share the article

LEAVE A REPLY