ବ୍ୟାପୁଛି କରୋନା ସଂକ୍ରମଣ, ପୁଣି ଚିନ୍ତା ବଢ଼ାଇବେ ପ୍ରବାସୀ ଓଡ଼ିଆ!

0
302

ଭୁବନେଶ୍ୱର: କରୋନା ଭାଇରସ୍‌ ମହାମାରୀର ୨ୟ ପ୍ରବାହ ଯୋଗୁଁ ଦେଶର ଚାରିଆଡେ ସଂକ୍ରମିତ ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବିଗତ କିଛି ଦିନ ହେବ ଦେଶରେ କରୋନା ସଂକ୍ରମିତ ଲୋକଙ୍କର ସଂଖ୍ୟା ଦେଢ଼ ଲକ୍ଷ ଅତିକ୍ରମ କରିସାରିଛି। ଓଡ଼ିଶାରେ ମଧ୍ୟରେ କରୋନା ପଜିଟିଭ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଛି। ଗତ ମାର୍ଚ୍ଚ ୧୨ ତାରିଖ ବେଳକୁ ରାଜ୍ୟରେ କରୋନା ପଜିଟିଭ୍‌ ସଂଖ୍ୟା ଦିନକୁ ୧୦୦ ତଳକୁ ଥିବା ବେଳେ ସୋମବାର (୨୦୨୧ ଏପ୍ରିଲ ୧୨) ଏହି ସଂଖ୍ୟା ୧୭୪୧ ଛୁଇଁଛି । ଦେଶରେ ହୁହୁ ହୋଇ କରୋନା ଭାଇରସ ସଂକ୍ରମଣ ବଢ଼ିଚାଲିଥିବା ବେଳେ ଅନେକ ଜିଲ୍ଲାରେ ଲକଡାଉନ୍ ଆରମ୍ଭ ହୋଇଯାଇଛି । ସେହିଭଳି କିଛି ସହରରେ ରାତ୍ରକାଳୀନ କର୍ଫ୍ୟୁ ଲାଗୁ ହୋଇଯାଇଛି । ତେଣୁ ଲୋକଙ୍କ ମାନରେ ଦେଶ ସଂପୂର୍ଣ୍ଣ ଲକ୍‌ଡାଉନ୍ ଭୟରେ ଭିଟାମାଟି ଅଭିମୁଖେ ବାହାରିପଡୁଛନ୍ତି ।

ପ୍ରବାସୀ ଓଡ଼ିଆଙ୍କ ଘରବାହୁଡ଼ା

ତେବେ ଓଡ଼ିଶା ତୁଳନାରେ ମହାରାଷ୍ଟ୍ର, ଗୁଜରାଟ, ଉତ୍ତର ପ୍ରଦେଶ, ଦିଲ୍ଲୀ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ସମେତ ଅନ୍ୟ କିଛି ରାଜ୍ୟରେ ସଂକ୍ରମଣ ଅଧିକ ବ୍ୟାପିଚାଲିଛି। ତେଣୁ ଭୟରେ ପ୍ରବାସୀ ଓଡ଼ିଆମାନେ ଘରମୁହାଁ ହେଉଛନ୍ତି। ପ୍ରବାସୀମାନଙ୍କ ଘରବାହୁଡ଼ା ନେଇ ସ୍ଥାନୀୟ ପ୍ରଶାସନ ଓ ସରକାରଙ୍କ ଚିନ୍ତା ବଢ଼ିଛି। ଗୁଜରାଟ, ଦିଲ୍ଲୀ, ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକରୁ ପ୍ରବାସୀ ଓଡ଼ିଆମାନଙ୍କ ଆଗମନ ବଢ଼ିବାରେ ଲାଗିଛି। ପ୍ରତିଦିନ ହଜାର ହଜାର ପ୍ରବାସୀ ଘରକୁ ଫେରୁଥିବା ଦୃଷ୍ଟିଗୋଚର ହେଉଛି। କିନ୍ତୁ ଗତବର୍ଷ ଯେମିତି ପ୍ରବାସୀ ଓଡ଼ିଆଙ୍କ ପାଇଁ ସରକାରୀ ସଂଗରୋଧ ବ୍ୟବସ୍ଥା କରାଯାଇଥିଲା, ଏଥର କିନ୍ତୁ ସେଭଳି ଭାବରେ ବ୍ୟାପକ କରାଯାଇ ପାରି ନାହିଁ। ଫଳରେ ସେମାନେ ସିଧାସଳଖ ଘରକୁ ଯାଇ ଗୃହ ସଂଗରୋଧରେ ରହୁଛନ୍ତି। ଫଳରେ ଅନେକ ସ୍ଥାନରେ ନିୟମ ଉଲ୍ଲଂଘନ ହେଉଥିବାର ମଧ୍ୟ କୁହାଯାଉଛି।

ଅବ୍ୟବସ୍ଥିତ ସଂଗରୋଧ କେନ୍ଦ୍ର

କରୋନା ଭାଇସର ବ୍ୟାପିବା ପରେ ରାଜ୍ୟ ସରକାର ଗତବର୍ଷ ପଂଚାୟତ ଠାରୁ ମହାନଗର ନିଗମ ଯାଏଁ ସଂଗରୋଧର ବ୍ୟବସ୍ଥା କରିଥିଲେ। ସେଗୁଡ଼ିକ ଏବେ ବିପର୍ଯ୍ୟସ୍ତ ଅବସ୍ଥାରେ ପଡ଼ିରହିଛି। କରୋନା ଭୟରେ ଏବେ ପ୍ରବାସୀମାନେ ଘରବାହୁଡ଼ା ହେଉଥିବାରୁ ସେମାନଙ୍କୁ ରଖିବା ପାଇଁ ବ୍ୟବସ୍ଥା ହୋଇପାରି ନାହିଁ। କାରଣ ସଂଗରୋଧ କେନ୍ଦ୍ର ଗୁଡ଼ିକ ଆଉ ସୁବ୍ୟବସ୍ଥିତ ହୋଇ ରହିନାହିଁ। ପ୍ରବାସୀଙ୍କ ପାଇଁ ଉଦ୍ଦିଷ୍ଟ ସଂଗରୋଧ କେନ୍ଦ୍ର ଗୁଡ଼ିକରେ ବିଦ୍ୟୁତ୍‌ ବ୍ୟବସ୍ଥା ନାହିଁ ତ ଫ୍ୟାନ୍‌ ଗୁଡ଼ିକ ଭାଙ୍ଗିଯାଇଛି। ସେହିଭଳି ଭଲ ହେପାଜତରେ ନାହିଁ ଶୌଚାଳୟ।  

ଛତିଶଗଡ଼ ସୀମାନ୍ତ ଜିଲ୍ଲାରେ ଚେକିଂ ଜୋରଦାର୍

ପଡୋଶୀ ଛତିଶଗଡ଼ରେ ଶନିବାର ଦିନ ୧୪ ହଜାର ୯୮ ଜଣ ସଂକ୍ରମିତ ହୋଇଥିଲେ। ଏଥି ସହିତ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ୩୨ ହଜାର ୭୭୬କୁ ବୃଦ୍ଧି ପାଇଥିଲା। ଶନିବାର ପର୍ଯ୍ୟନ୍ତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୨ ହଜାର ୧୩୯ ଜଣ। ୮୫ ହଜାର ୮୬୦ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହଥିଲା। ପଡୋଶୀ ରାଜ୍ୟରେ କରୋନା ସଂକ୍ରମଣ ବ୍ୟାପିଚାଲିଥିବାରୁ ଓଡ଼ିଶା ପ୍ରତି ମଧ୍ୟ ଏହା ଅଧିକ ବଢ଼ିବାର ଆଶଙ୍କା ଉପୁଜିଛି। ସେଥି ପାଇଁ ରାଜ୍ୟ ସରକାର ଛତିଶଗଡ଼ ସୀମାକୁ ଲାଗିଥିବା ଜିଲ୍ଲା ଗୁଡ଼ିକର ପ୍ରବେଶ ପଥରେ ଚେକିଂକୁ ଅଧିକ କଡ଼ାକଡ଼ି କରିଦେଇଛନ୍ତି।

ରାଜ୍ୟର କରୋନା ସ୍ଥିତି ଉଦ୍‌ବେଗଜନକ

ରାଜ୍ୟର କିଛି ଜିଲ୍ଲାରେ ଏବେ କରୋନା ଭାଇରସ୍‌ ସଂକ୍ରମଣର ସ୍ଥିତି ଉଦ୍‌ବେଗଜନକ ରହିଛି। ବରଗଡ଼, ବଲାଙ୍ଗୀର, କଟକ, ଭୁବନେଶ୍ୱର, ଝାରସୁଗୁଡ଼ା, କଳାହାଣ୍ଡି, ଖୋର୍ଦ୍ଧା, ମୟୂରଭଂଜ, ନବରଂଗପୁର, ନୂଆପଡ଼ା ଓ ସମ୍ବଲପୁର ଜିଲ୍ଲାରେ ପ୍ରତିଦିନ ଅଧିକ ସଂଖ୍ୟାରେ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି। 

Share the article

LEAVE A REPLY