୧୫୫ କୋଟି ଟଙ୍କା ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ବାଲେଶ୍ୱର ସହରବାସୀ ଖୁସି ତ?

0
93

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପ୍ରତିଶ୍ରୁତି ପାଳନ କରିଛନ୍ତି। ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ମଙ୍ଗଳବାର କାର୍ଯ୍ୟରେ ପରିଣତ କରିଛନ୍ତି। ବାଲେଶ୍ୱର ସହରର  ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ୧୫୫ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରିଛନ୍ତି।  ଏହି ଟଙ୍କାରେ ବାଲେଶ୍ୱରର ସୌନ୍ଦର୍ଯ୍ୟ ବଢ଼ିବ। ରାସ୍ତାଘାଟ ଚକାଚକ୍‌ ହେବ। ବସ୍‌ଷ୍ଟାଣ୍ଡରେ ଯାତ୍ରୀଙ୍କର ପାଇଁ ଅନେକ ସୁବିଧା ରହିବ। ସେହିଭଳି ଇଣ୍ଡୋର ଷ୍ଟାଡ଼ିୟମ ଓ ସନ୍ତରଣାଗାରର ନିର୍ମାଣ କାମ ଶେଷ ହୋଇଗଲେ ଏଠାରେ କ୍ରୀଡ଼ାବିଦ୍‌ମାନେ ଖେଳିବାକୁ ସୁଯୋଗ ପାଇପାରିବେ।

ପ୍ୟାକେଜ୍‌ ଘୋଷଣା ଅବସରରେ ମୁଖ୍ୟମନ୍ତ୍ରୀ କହଥିଲେ ଯେ, ବାଲେଶ୍ୱର ହେଉଛି ଓଡିଶାର ଅନ୍ୟତମ ମୁଖ୍ୟ ସହର। ଏହା ମୋର ପ୍ରିୟ ଲେଖକ ଫକୀର ମୋହନ ସେନାପତିଙ୍କ ଜନ୍ମ ସ୍ଥାନ। ନିକଟରେ ମୁଁ ବାଲେଶ୍ୱରବାସୀଙ୍କୁ କଥା ଦେଇଥିଲି। ଯେ ବାଲେଶ୍ୱର ପୌରପାଳିକାର ବିକାଶ ଉପରେ ଆମେ ଧ୍ୟାନ ଦେବୁ।  

ହସିବେ ବାଲେଶ୍ୱରବାସୀ

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ମଙ୍ଗଳବାର ଘୋଷଣା ହୋଇଥିବା ପ୍ରକଳ୍ପ ଗୁଡ଼ିକ ମଧ୍ୟରୁ  କିଛି ପ୍ରକଳ୍ପର କାମ ପୂର୍ବରୁ ଜାରି ରହିଛି। ବାଲେଶ୍ୱର ସହରର ଡ୍ରେନେଜ୍‌ କାମ୍‌, ପୋଖରୀ ସୌନ୍ଦର୍ଯ୍ୟକରଣ କାମ ଓ ବସ୍‌ଷ୍ଟାଣ୍ଡ କାମ ମଧ୍ୟ ଚାଲିଛି। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ୟାକେଜ୍‌ ଘୋଷଣା ହେବା ପରେ ବିକାଶ କାମଗୁଡ଼ିକ ଆହୁରି ତ୍ୱରାନ୍ଵିତ ହେବ। ବାଲେଶ୍ୱରବାସୀଙ୍କ ମନରେ ହସ ଫୁଟିବ ବୋଲି ଆଶା କରାଯାଉଛି।  

ସକାଳୁ ବୁଲିଲେ ସଚିବ, ସନ୍ଧ୍ୟାରେ ପ୍ୟାକେଜ୍‌ ଘୋଷଣା

ନବୀନଙ୍କ ନିର୍ଦ୍ଦେଶ ଅନୁସାରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ(୫ଟି) ଭି.କେ ପାଣ୍ଡିଆନ ଓ ପୂର୍ତ୍ତ ସଚିବ କିଷନ କୁମାର ମଙ୍ଗଳବାର ସକାଳୁ ବାଲେଶ୍ୱର ଗସ୍ତ କରିଥିଲେ। ତିନି ଜଣ ସଚିବ ବିଭିନ୍ନ ପ୍ରକଳ୍ପ ଅଞ୍ଚଳ ବୁଲି ଦେଖିଥିଲେ। ସେମାନେ ସେଠାରୁ ଫେରି ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ। ଏହି ଆଧାରରେ ମୁଖ୍ୟମନ୍ତ୍ରୀ ବାଲେଶ୍ୱର ସହରର ବିକାଶମୂଳକ କାମ ପାଇଁ ୧୫୫ କୋଟି ଟଙ୍କା ଘୋଷଣା କରିଛନ୍ତି।  

ପିପିଲି-ଡେଲାଙ୍ଗକୁ ୭୦ କୋଟି ପ୍ୟାକେଜ୍

ମୁଖ୍ୟମନ୍ତ୍ରୀ ନବୀନ ଗତ ଫେବ୍ରୁଆରୀ ୨୩ ତାରିଖରେ ପୁରୀ ଜିଲ୍ଳା ପିପିଲି-ଡେଲାଙ୍ଗର ବିକାଶ ପାଇଁ ୭୦ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରିଥିଲେ। ଏହି ପ୍ୟାକେଜରେ ଅଧିନରେ ଦୁଇଟି ବ୍ଳକର ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଥିଲେ। ରାସ୍ତା ଘାଟ, ଜଳସେଚନ, ଷ୍ଟାଡ଼ିୟମ, ବସଷ୍ଟାଣ୍ଡ୍‌, ସେତୁ ଇତ୍ୟାଦି ଭଳି ବିକାଶମୂଳକ ପ୍ରକଳ୍ପ ଗୁଡ଼ିକ କାମ ହେବ ବୋଲି ସେଦିନ ସେ କହିଥିଲେ।  ପିପିଲି ଉପନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଏହି ବଡ଼ ଘୋଷଣା ହୋଇଥିଲା। ସେଦିନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କୁ ମନେ ପକାଇ ଥିଲେ। ନବୀନ କହିଥିଲେ ଯେ, ପ୍ରଦୀପ ମହାରଥୀ ପିପିଲି-ଡେଲାଙ୍ଗର ବିକାଶ ପାଇଁ ଅନେକ ପରିଶ୍ରମ କରିଥିଲେ। ଜୀବନ ସାରା ଏହି ଅଞ୍ଚଳର ବିକାଶ ପାଇଁ ନିଜକୁ ସମର୍ପି ଦେଇଥିଲେ।

ଜଗତସିଂହପୁରବାସୀଙ୍କ ପାଇଁ ପ୍ୟାକେଜ୍‌
ଗତବର୍ଷ ନଭେମ୍ବର ମାସରେ ଜଗତସିଂହପୁର ଉପନିର୍ବାଚନ ହୋଇଥିଲା। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ମହାନଦୀ ଉପରେ ୨ଟି ପୋଲ ନିର୍ମାଣ ପାଇଁ ପ୍ୟାକେଜ୍‌ ଘୋଷଣା କରିଥିଲେ। ଜିଲ୍ଲାରେ ୨ଟି ପୋଲ ନିର୍ମାଣ ହୋଇଯିବା ପରେ ଜଗତସିଂହପୁର ଜିଲ୍ଲାର ଲୋକଙ୍କ ପାଇଁ ଗମନାଗମନ ଆହୁରି ଅଧିକ ସହଜ ହେବ। ଲୋକଙ୍କର ସମୟ ବଂଚିବ ଓ ସୁବିଧାରେ ଯାତାୟତ କରିପାରିବେ। 

Share the article

LEAVE A REPLY