ଘର ଲିପିବା ପାଇଁ ଚୂନମାଟି ଆଣିବାକୁ ଯାଇଥିଲେ, ଅତଡ଼ା ଖସି ୩ ମହିଳା ମୃତ

0
337

ଭୁବନେଶ୍ୱର: କୋରାପୁଟ ଜିଲ୍ଲାର ଚଇତି ପର୍ବ ନିକଟତର ହୋଇଛି। ପର୍ବ ପୂର୍ବରୁ ଆଦିବାସୀ ଅଧ୍ୟୁଷିତ ଗାଁ ଗଣ୍ଡାରେ ରହୁଥିବା ଲୋକେ ଘର ଗୁଡ଼ିକ ସଫାସୁଥୁରା କରିବେ। ଗରିବ ଆଦିବାସୀମାନେ ନିଜର ମାଟିକାନ୍ଥକୁ ଧଳା ଓ ନାଲି ରଂଗରେ ରଂଗେଇବେ। ଏହି ଆଶା ନେଇ ଏପ୍ରିଲ ୧୬ ତାରିଖ ପୂର୍ବାହ୍‌ଣ ସମୟରେ ସେମିଳିଗୁଡ଼ା ବ୍ଲକ ପଟ୍ଟାଙ୍ଗୀ ଥନା ଅଂଚଳର ରାଲେଗଡ଼ା ଗ୍ରାମପଂଚାୟତର ମିରିଆଲୁପାଡୁ ଗାଁର ୧୧ ଜଣ ମହିଳା ରେଙ୍ଗା ଗ୍ରାମପଞ୍ଚାୟତର ପୋଡ଼ାଗୁଡା ଗ୍ରାମକୁ ଚୂନମାଟି ଆଣିବାକୁ ଯାଇଥିଲେ। କିନ୍ତୁ ଭାଗ୍ୟର ଖେଳ ବିଚିତ୍ର। ମହିଳାମାନେ ମାଟି ଖୋଳୁଥିବା ବେଳେ ଅତଡ଼ା ଖସିବାରୁ ୪ ଜଣ ମହିଳା ଘଟଣାସ୍ଥଳରେ ଚାପି ହୋଇଯାଇଥିଲେ।

ତେବେ କୋରାପୁଟ ଜିଲ୍ଲାରେ ମାଟି ଅତଡ଼ା ଖସି ମୃତ୍ୟୁ ହେବା ଘଟଣା ନୂଆଁ ନୁହେଁ। ବିଗତ ୨ ବର୍ଷ ମଧ୍ୟରେ ଜିଲ୍ଲାରେ ଏଭଳି ୪ ଥର ଦୁର୍ଘଟଣା ଘଟିଛି। ପଟ୍ଟାଙ୍ଗୀ ଓ ବନ୍ଧୁଗାଁ ବ୍ଲକରେ ୨-୨ ଥର ଏଭଳି ଦୁର୍ଘଟଣା ଘଟିଛି। ସଚେତନତାର ଅଭାବ ଯୋଗୁଁ ଏଭଳି ପରିସ୍ଥିତି ଦେଖାଯାଉଥିବା କୁହାଯାଉଛି।

ପାହାଡ଼ ତଳେ ମା’-ଝିଅଙ୍କ ମୃତ୍ୟୁ

ପାହାଡ଼ରୁ ଚୂନମାଟି ଅତଡ଼ା ଖସିଯିବାରୁ ଘଟଣାସ୍ଥଳରେ ମିରିଆଲୁପାଡୁ ଗାଁର କୋଟା ସ୍ୱାମୀଙ୍କ ପତ୍ନୀ ରାମୁଲାମା ମୁଷୁରୀ(୪୦) ତାଙ୍କ ଝିଅ ଦେବୀ ମୁଷୁରୀ(୧୭) ଏବଂ ମିତୁଲା କୋଟା(୨୭)ଙ୍କ ମୃତ୍ୟୁ ହୋଇଯାଇଥିଲା। ମିତୁଲା କୋଟା(୨୮)ଙ୍କୁ ପ୍ରଥମେ ପଟ୍ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯିବା ପରେ କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି।  

ମାଟି ଆଣିବାକୁ ଯାଇଥିଲେ ୩୫ କିମି

କୁହାଯାଉଛି ଯେ, ପଟ୍ଟାଙ୍ଗୀ ଅଂଚଳର ମହିଳାମାନେ ପ୍ରତିବର୍ଷ ଚୂନମାଟି ଆଣିବାକୁ ଯାଇଥାନ୍ତି। ଏହି ଅଂଚଳରେ ୪ଟି ସ୍ଥାନରେ ଚୂନମାଟି ମିଳିଥାଏ। ମିରିଆଲୁପାଡୁ ଗାଁର ମହିଳାମାନେ ଏକ ଅଟୋ ଭଡ଼ା କରି ୩୫ କିମି ଦୂର ଯାଇଥିଲେ। ଚୂନମାଟି ଆଣି ଘର ଲିପିଥାନ୍ତେ। କିନ୍ତୁ ୩ ଜଣଙ୍କର ମୃତ୍ୟୁ ପରେ ପୂରା ଗାଁ ସ୍ତବ୍ଧ ପାଲଟିଯାଇଛି। ଗାଁରେ ଚଇତି ପର୍ବ ଫିକା ପଡ଼ିବାର ଆଶଙ୍କା ଉପୁଜିଛି।

ମାଟି ଅତଡ଼ା ଘଟଣା ନୂଆ ନୁହେଁ

-୨୦୨୦ ମେ’: ରାୟଗଡ଼ା ଜିଲ୍ଲା ଶେଷଖାଲ ଥାନା ଆମ୍ବାଗୁଡ଼ା ଗାଁରେ ମହିଳାଙ୍କ ମୃତ୍ୟୁ
-୨୦୧୯ ମେ’: କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ଥାନା ଦଳପତିଗୁଡ଼ାରେ ୩ ଜଣଙ୍କର ମୃତ୍ୟୁ
-୨୦୧୯ ମେ’: ନବରଂଗପୁର ସଦର ଥାନା ସିଉନିରେ ମହିଳା ମୃତ
-୨୦୧୯ ଜୁଲାଇ: ଅନୁଗୁଳ ଜିଲ୍ଲା ତାଳଚେରରେ ଜଣେ ମୃତ
-୨୦୧୯ ଅଗଷ୍ଟ: କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ମେକଡା ଗାଁରେ ୨ ଜଣଙ୍କର ମୃତ୍ୟୁ
-୨୦୧୯ ଅଗଷ୍ଟ: କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ମେଂଚଡା ଗାଁରେ ୨ ମୃତ

ମୁଖ୍ୟମନ୍ତ୍ରୀଙ୍କ ଅନୁକମ୍ପା ରାଶି ଘୋଷଣା

ଏହି ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ଜଣାଇଛନ୍ତି। ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ସେହିପରି ମୃତକଙ୍କ ପରିବାରକୁ ୫-୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଗୁରୁତର ଆହତଙ୍କ ଚିକିତ୍ସା ଦାୟିତ୍ୱ ନେବେ ରାଜ୍ୟ ସରକାର।   ରାଲେଗଡା ସରପଞ୍ଚ ତ୍ରିନାଥ କୋଟା ହରିଶ୍ଚନ୍ଦ୍ର ଯୋଜନାରେ ଦୁଇ ହଜାର ଟଙ୍କା ଲେଖାଏଁ ସହଯୋଗ ପ୍ରଦାନ କରିଥିଲେ। ସେହିପରି ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଇଛି।

ପ୍ରତିବର୍ଷ ଆଣୁଥିଲେ ଚୂନମାଟି

ଚଇତି ପର୍ବ ଆସିବା ପୂର୍ବରୁ ପଟ୍ଟାଙ୍ଗୀ ଅଂଚଳର ମହିଳାମାନେ ଚୂନମାଟି ଆଣିବାକୁ ଯାଆନ୍ତି। ତେବେ ପୂର୍ବରୁ ଏଭଳି ଅଭାବନୀୟ ଘଟଣା ଘଟି ନାହିଁ। ଶୁକ୍ରବାର ଦିନ ଅଘଟଣ ଘଟିବା ପରେ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବୀଙ୍କ ମନରେ ନାନା ପ୍ରଶ୍ନ ଉଙ୍କି ମାରୁଛି। ଚୂନମାଟି ଗୁମ୍ଫାକୁ କାହିଁକି ବନ୍ଦ କରାଗଲା ନାହିଁ। ଏଠାରୁ କେତେ ବର୍ଷ ହେଲା ଚୂନମାଟି ନିଆଯାଉଥିଲା। କୋରାପୁଟ ଜିଲ୍ଲା ଜରୁରୀ ବିଭାଗ ଅଧିକାରୀ ଜ୍ଞାନଜିତ ତ୍ରିପାଠୀ ଘଟଣା ସମ୍ପର୍କରେ ସେମିଳିଗୁଡା ତହସିଲଦାରଙ୍କ ଠାରୁ ଘଟଣା ସମ୍ପର୍କରେ ରିପୋର୍ଟ ମାଗିଛନ୍ତି। 

Share the article

LEAVE A REPLY