ବିନା ପ୍ରଚାରରେ ମତଦାତାଙ୍କ ଦୃଦୟ ଜିଣିବ ବିଜେଡି!

0
115

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ପିପିଲି ନିର୍ବାଚନ ନେଇ ରାଜନୈତିକ ଉଷ୍ଣତା ପୁଣି ଦେଖାଯାଇଛି । ଏପ୍ରିଲ ୧୯ରେ ଉପନିର୍ବାଚନ ନେଇ ସାନି ବିଜ୍ଞପ୍ତି ଜାରି ହେବା ପରେ ରାଜନେତାଙ୍କୁ ଉଭୟ କୋଭିଡ-୧୯ସଂକ୍ରମଣ ଓ ତାପମାତ୍ରା ଖାତିର ଲାଗୁ ନାହିଁ । ରାଜ୍ୟରେ କରୋନା ଭାଇରସ୍ ନେଇ ବଡ଼ ବଡ଼ ନେତାଙ୍କର ଚିନ୍ତା ବଢ଼ିଥିବା ବେଳେ କୁଜି ନେତାମାନେ ମତଦାନ ନେଇ ଅଧିକ ଉତ୍ସାହିତ ଦେଖାଯାଉଛନ୍ତି । କୋଭିଡ-୧୯ର ୨ୟ ଲହର ସମଗ୍ର ଭାରତବାସୀଙ୍କର ଚିନ୍ତା ବଢ଼ାଇ ଦେଇଥିବା ବେଳେ ନିର୍ବାଚନରେ କେମିତି ଜନସଭା ଓ ରାଲି କରାଯିବ ସେନେଇ ନେତାମାନେ ସମୀକ୍ଷା କରୁଛନ୍ତି ।


ପ୍ରତି ଓଡ଼ିଆ ମୋ ପରିବାରର ସଦସ୍ୟ: ନବୀନ

ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସୋମବାର ଘୋଷଣା କରିଛନ୍ତି ଯେ, ପିପିଲି ଉପନିର୍ବାଚନରେ ରାଲି ତଥା ଜନସଭା କରିବେ ନାହିଁ । କରୋନା ଯୋଗୁଁ ବିଜେଡି ରାଲି ଓ ଜନସଭାଠାରୁ ଦୂରରେ ରହିବ । ଟୁଇଟ କରି ନବୀନ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବିଜେଡି ଏକ ଦାୟିତ୍ୱବାନ ଦଳ । ତେଣୁ ନିର୍ବାଚନ ଜରିଆରେ ଲୋକଙ୍କ ଜୀବନକୁ ବିପଦରେ ପକାଇବାକୁ ଚାହୁଁନାହିଁ । ଲୋକଙ୍କର ଜୀବନ ମୂଲ୍ୟବାନ ଏବଂ ଆମେ ସେମାନଙ୍କର ସେବା କରିବାକୁ ନିର୍ବାଚନ ଲଢୁଛୁ । କିନ୍ତୁ ନିର୍ବାଚନ ପ୍ରଚାର ସମୟରେ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି । ତେଣୁ ରାଜନୈତିକ ଦଳମାନେ ଓ ନିର୍ବାଚନ କମିସନକୁ ଅନୁରୋଧ କରିବି ଯେ ପ୍ରଚାରର ସମୟ ଏବଂ ପଦ୍ଧତି ଉପରେ ପୁନର୍ବିଚାର କରନ୍ତୁ । ନବୀନ କହିଛନ୍ତି ଯେ, ପ୍ରତିଟି ଓଡ଼ିଆ ମୋ ପରିବାରର ସଦସ୍ୟ । ତେଣୁ କୋଭିଡ କଟକଣା ମଧ୍ୟରେ ବିଜେଡି ନିଷ୍ପତ୍ତି ନେଇଛି ଯେ, ପିପିଲି ଉପନିର୍ବାଚନରେ ପ୍ରଚାର କରିବ ନାହିଁ ।


୨୬ ସୁଦ୍ଧା କଂଗ୍ରେସର ନାମଙ୍କନ ଦାଖଲ

ପିପିଲି ଉପନିର୍ବାଚନରେ ଜନସଭା ଓ ରାଲିକୁ ବିଜେଡି ନା କରିଥିବା ବେଳେ ଭାରତୀୟ ଜନତା ପାର୍ଟି (ବିଜେପି), କଂଗ୍ରେସ ଓ ଅନ୍ୟ ଦଳ ତଥା ସ୍ୱାଧୀନ ପ୍ରାର୍ଥୀମାନେ କେମିତି ଲୋକଙ୍କ ନିକଟରେ ପହଂଚିବ, ସେ ନେଇ କିଛି ଘୋଷଣା କରି ନାହିଁ । କଂଗ୍ରେସ ଆସନ୍ତା ୨୬ ତାରିଖ ସୁଦ୍ଧା ନାମାଙ୍କନ ଦାଖଲ କରିବ । ୨୯ ତାରିଖରେ ପ୍ରାର୍ଥୀ ପତ୍ର ଯାଂଚ ପରେ ପୁଣି ଥରେ ନେତାମାନେ ପ୍ରଚାର ପାଇଁ ସଜବାଜ ହୋଇଯିବେ । କିନ୍ତୁ ବିଜେଡି ଉପନିର୍ବାଚନ ପାଇଁ ରାଲି ଓ ଜନସଭା କରିବାକୁ ଆଗ୍ରହ ରଖି ନଥିବା ବେଳେ ଅନ୍ୟ ଦଳ କ’ଣ କରୁଛନ୍ତି ଦେଖିବାର ରହିଲା ।


ବଢ଼ିଲା ନେତାଙ୍କ ଯୋଶ

ଗତ ୧୭ ତାରିଖରେ ହେବାକୁ ଥିବା ମତଦାନ ପୂର୍ବରୁ ଏପ୍ରିଲ ୧୪ ତାରିଖରେ କଂଗ୍ରେସ ପ୍ରାର୍ଥୀ ଅଶୋକ ମଙ୍ଗରାଜ କରୋନାରେ ପୀଡିତ ହୋଇ ମୃତ୍ୟୁବରଣ କରିଥିଲେ । ଏହା ପରେ ଉପନିର୍ବାଚକୁ ଜରୁରୀକାଳୀନ ଭିତ୍ତିରେ ସ୍ଥଗିତ କରି ଦିଆଯାଇଥିଲା । ଏବେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ନେତାଙ୍କ ମନେରେ ପୁଣି ଥରେ ଯୋଶ ବଢ଼ିଯାଇଛି । ପୁଣି ଥରେ ନେତାମାନେ ମତଦାତାଙ୍କ ନିକଟକୁ ଯାଇ ଭୋଟ ମାଗିବେ ।


ମେ’ ୧୩ରେ ପିପିଲି ଉପନିର୍ବାଚନ

ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଆସନ୍ତା ମେ’ ମାସ ୧୩ ତାରିଖରେ ମତଦାନ ହେବ । ଏଥି ପାଇଁ ଏପ୍ରିଲ ୧୯ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଉପନିର୍ବାଚନ ପାଇଁ ଚଳିତ ମାସ ୨୬ ସୁଦ୍ଧା ନାମାଙ୍କନ ପତ୍ର ଦାଖଲ କରାଯିବ । ୨୭ରେ ଏହା ଯାଂଚ ହେବାକୁ ଥିବା ବେଳେ ୨୯ରେ ପ୍ରାର୍ଥୀପତ୍ର ଦାଖଲ କରିବା ପାଇଁ ଶେଷ ତାରିଖ ରହିଛି । ମେ’ ୧୭ ତାରିଖରେ ଭୋଟ ଗଣତି ଓ ଫଳା ଫଳ ପ୍ରକାଶ ପାଇବାକୁ ଥିବା ବେଳେ ମେ’ ମାସ ୧୮ ତାରିଖ ସୁଦ୍ଧା ଉପନିର୍ବାଚନ ପାଇଁ ସମସ୍ତ ପ୍ରକ୍ରିୟା ଶେଷ କରାଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୌହାନୀ ସୂଚନା ଦେଇଛନ୍ତି ।

Share the article

LEAVE A REPLY