ଓଡ଼ିଶାରୁ ଉତ୍ପାଦିତ ଅମ୍ଲଜାନ ଯିବ ଦିଲ୍ଲୀ

0
249
Spread the love

ଭୁବନେଶ୍ୱର: ଜୀବନ ପାଇଁ ୨ଟି ଅପରିହାର୍ଯ୍ୟ ଜିନିଷ ହେଲା ଜଳ ଓ ବାୟୁ। ଏହି ୨ଟି ପ୍ରତ୍ୟେକ ଜୀବଜନ୍ତୁଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଜିନିଷ। କରୋନା ଭାଇରସ୍‌ ସକ୍ରମଣ କାଳରେ ବର୍ତ୍ତମାନ ସମଗ୍ର ବିଶ୍ୱରେ ଅମ୍ଲଜାନର ଗୁରୁତ୍ୱ ବଢ଼ିଯାଇଛି। ଭାରତରେ ଏହା ଅଧିକ। କେନ୍ଦ୍ର ସରକାର ମେଡିକାଲ ଅକ୍ସିଜେନ୍‌ର ସୁପରିଚାଳନା ପାଇଁ ଚନ୍ତା କରୁଛନ୍ତି। ଏପରିକି ବିଦେଶରୁ ମଧ୍ୟ ଅମ୍ଲଜାନ ଆମଦାନୀ କରିବାକୁ ଚିନ୍ତା କରୁଛନ୍ତି। ଅମ୍ଲଜାନ ଯୋଗାଣ ପାଇଁ ବାୟୁସେନା ମଧ୍ୟ କାମ କରିବାକୁ ପ୍ରସ୍ତୁତ ଅଛି। ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ମହାରାଷ୍ଟ୍ର, ହରିୟାଣା, ପଂଜାବ ଏବଂ ଉତ୍ତର ପ୍ରଦେଶରେ ଅମ୍ଲଜାନର ଚାହିଦା ଅଧିକ। ଦିଲ୍ଲୀରେ ଆବଶ୍ୟକ ଅନୁସାରେ ଅମ୍ଲଜାନ ଉତ୍ପାଦନ ହୋଇପାରୁ ନଥିବାରୁ ଏହାକୁ ଓଡ଼ିଶା ଯୋଗାଇବାକୁ ପ୍ରତିଶ୍ରୁତି ଦେଇଛି।  

ଏକ ସାମ୍ବାଦିକ ସମ୍ମଳନୀରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୁରୁବାର  ଏହି ସୂଚନା ଦେଇଛନ୍ତି। କେଜ୍ରିଓ୍ଵାଲ କହିଛନ୍ତି ଯେ, ଓଡ଼ିଶାରୁ ବିମାନ ଯୋଗେ ଦିଲ୍ଲୀକୁ ଅମ୍ଲଜାନ ଆସିବ। କେବଳ ଦିଲ୍ଲୀ ନୁହେଁ ଓଡ଼ିଶା ଅନ୍ୟ ରାଜ୍ୟକୁ ମଧ୍ୟ ଅମ୍ଲଜାନ ଯୋଗାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରୁଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି।  ଏଥି ପାଇଁ  ଡିଜି (ଆଇନ ଶୃଙ୍ଖଳା)ଙ୍କ ତତ୍ତ୍ୱାବଧାନରେ ଶୀଘ୍ର ନିରବଚ୍ଛିନ୍ନ ଭାବେ ଅମ୍ଲାଜନ ଯୋଗାଇ ଦିଆଯିବାକୁ ଗୁରୁତ୍ୱ ଦିଆଯାଉଛି।

ଫୋନ୍‌ରେ କଥା ହେଲେ ନବୀନ-କେଜ୍ରିଓ୍ଵାଲ୍

ଓଡ଼ିଶାରୁ ଅମ୍ଲଜାନ ଦେବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୋନ ଯୋଗେ ଆଶ୍ୱାସନା ଦେଇଛନ୍ତି। କେଜ୍ରିୱାଲଙ୍କ ଟୁଇଟ କରିଛନ୍ତି ଯେ, ନବୀନ ପଟ୍ଟନାୟକଙ୍କ ଠାରୁ ଏକ ଫୋନକଲ ପାଇଲି। ଓଡିଶାରୁ ଅମ୍ଲଜାନର ଦିଲ୍ଲୀ କୋଟା ଦେବା ପାଇଁ ସେ ପ୍ରତିଶ୍ରୁତି ଦେଇଛନ୍ତି। ଏହି କାମ ପାଇଁ ଜଣେ ସ୍ୱତନ୍ତ୍ର ଅଧିକାରୀଙ୍କୁ ନିୟୋଜିତ କରିଛନ୍ତି। ଦିଲ୍ଲୀ ଏଥିପାଇଁ କୃତଜ୍ଞତା ପ୍ରକାଶ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଫୋନ ଯୋଗେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି ଯେ ଏବେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଜାତୀୟ ସ୍ତରରେ ଓଡିଶା ସମସ୍ତ ପ୍ରକାଶ ସହ ଯୋଗ ଯୋଗାଇବ।

ଦେଶବ୍ୟାପୀ ଅମ୍ଲଜାନ ସଂକଟ

ଦେଶବ୍ୟାପୀ ବିଭିନ୍ନ ହସ୍ପିଟାଲରେ ଅମ୍ଲଜାନର ଅଭାବ ଦେଖାଯାଇଛି, ଯେଉଁଥି ପାଇଁ ହାହାକାର ସୃଷ୍ଟି କରିଛି। ଅମ୍ଲଜାନକୁ ଅପେକ୍ଷା କରି ମହାରାଷ୍ଟ୍ର, ଦିଲ୍ଲୀ, ହରିୟାଣା ଏବଂ ଉତ୍ତରପ୍ରଦେଶରେ ଅନେକ କୋଭିଡ୍‌ ରୋଗୀ ଆଖି ବୁଜି ଦେଇଛନ୍ତି। ତେଣୁ ଦେଶରେ କରୋନାର ଦ୍ଵିତୀୟ ଲହରରେ ମେଡିକାଲ ଅମ୍ଲଜାନ ଚାହିଦା ପ୍ରବଳ ଭାବେ ବି ଯାଇଛି। ବୁଧବାର ଦିଲ୍ଲୀରେ ମାତ୍ର କିଛି ଘଣ୍ଟା ପାଇଁ ଅମ୍ଲଜାନ ରହିଛି ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ଵିଟ୍‌ କରିବା ସହ କେନ୍ଦ୍ରର ସହାୟତା ଲୋଡ଼ିଥିଲେ। ଏହାପରେ ଯୁଦ୍ଧସ୍ତରରେ ଉଦ୍ୟମ ଯୋଗୁଁ ମାତ୍ର କିଛି ଘଣ୍ଟା ମଧ୍ୟରେ ଅମ୍ଲଜାନ ଯୋଗାଣ ସମ୍ଭବ ହୋଇପାରିଥିଲା। ଗୁଜରାଟ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ଛତିଶଗଡ଼ରେ ଅକ୍ସିଜେନ୍‌ ସଙ୍କଟ ଯୋଗୁଁ ସମସ୍ୟା ଜଟିଳ ହେଉଥିବା ଜଣାପଡ଼ିଛି। ରିଲାଏନ୍‌ସ, ସେଲ୍‌, ଟାଟା ଷ୍ଟିଲ୍‌ ଏବଂ ଆର୍ସଲମିତ୍ତଲ ସମେତ ଅନେକ କମ୍ପାନୀ ଦେଶରେ ଅକ୍ସିଜେନ୍‌ ସଙ୍କଟକୁ ଦୂର କରିବା ପାଇଁ ସହାୟତାର ହାତ ବାଇଛନ୍ତି

ଅମ୍ଲଜାନ ଅଭାବରୁ ୨୪ ମୃତ
ମହାରାଷ୍ଟ୍ରର ନାସିକ୍‌ସ୍ଥିତ ଜାକିର ହୁସେନ୍‌ ହସ୍‌ପିଟାଲରେ ଅମ୍ଲାଜନର ଘୋର ଅଭାବ ଦେଖାଯାଇଛି। ବୁଧବାର ଦିନ ଟାଙ୍କିରୁ ଅମ୍ଲଜାନ ନିର୍ଗତ ହେବାରୁ ଅକ୍ସିଜେନ୍‌ ଯୋଗାଣ ବନ୍ଦ କରି ଦିଆଯାଇଥିଲା। ଫଳରେ ଅଳ୍ପ ସମୟ ମଧ୍ୟରେ ୨୪ ଜଣ କୋଭିଡ୍‌ ରୋଗୀଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ସାରା ଦେଶରେ ଚର୍ଚ୍ଚା ହୋଇଥିଲା। ହସ୍‌ପିିଟାଲରେ ମୋଟ ୧୫୭ ଜଣ କୋଭିଡ୍‌ ରୋଗୀ ଚିକିତ୍ସିତ ହେଉଥିଲେ। ଏହି ଦୁଃଖଦ ଘଟଣା ପରେ ମୃତକଙ୍କ ପରିଜନମାନେ ଜୋରଦାର ପ୍ରତିବାଦ କରିଥିଲେ ଏବଂ ଦୋଷୀ ବ୍ୟକ୍ତିଙ୍କ ବିରୋଧରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।  

ଅନ୍ୟ ରାଜ୍ୟକୁ ଔଷଧ ଯୋଗାଇବ ଦିଲ୍ଲୀ
କେଜ୍ରିଓ୍ଵାଲ କହିଛନ୍ତି ଯେ, ଦିଲ୍ଲୀ ସରକାର ଏବେ ଅମ୍ଲଜାନ ଦରକାର କରୁଛନ୍ତି। ବଦଳରେ ଅନ୍ୟ ରାଜ୍ୟକୁ ଯାହା ବି ସହାୟତା ଆବଶ୍ୟକ ତାହା ଯୋଗାଇବେ। ଦିଲ୍ଲୀ ପାଖରେ ଅଧିକ ଔଷଧ ରହିଛି ଓ ରୋଗୀ କମ ଅଛନ୍ତି। ଅନ୍ୟ ରାଜ୍ୟକୁ ଔଷଧ ପଠାଇବା ପାଇଁ ଦିଲ୍ଲୀ ପ୍ରସ୍ତୁତ ଅଛି। କାରଣ ଏବେ ସବୁ ରାଜ୍ୟ ପରସ୍ପରକୁ ସହଯୋଗ କରିବାର ସମୟ। ଏକାଠି ହୋଇ ଲଢିଲେ ହିଁ ଦେଶ ମହାମାରୀ ସଙ୍କଟରୁ ରକ୍ଷା ପାଇପାରିବ। ଦିଲ୍ଲୀରେ ଅମ୍ଲଜାନର ପ୍ରବଳ ମାତ୍ରାରେ ଅଭାବ ଦେଖିବାକୁ ମିଳୁଥିବା ବେଳେ କେହି ରୋଗୀ ଯେପରି ଅମ୍ଲଜାନ ଅଭାବରୁ ମୃତ୍ୟୁବରଣ ନ କରନ୍ତି ସେଥିପାଇଁ ମିଶନ ମୋଡରେ କାମ  କରାଯାଉଛି ବୋଲି କେଜ୍ରିୱାଲ କହିଛନ୍ତି।  

ରେକର୍ଡ କଲା କରୋନା
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ପକ୍ଷରୁୁ ଦିଆଯାଇଥିବା ସୁଚନା ଅନୁସାରେ, ବୁଧବାର-ଗୁରୁବାର ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୩,୧୪,୮୩୫ କରୋନା ଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୨,୧୦୪ ମୃତ୍ୟୁ ରେକର୍ଡ କରାଯାଇଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୫୯,୩୦,୯୬୫ରେ ପହଞ୍ଚିଛି। ରାଜ୍ୟରେ ମଧ୍ୟ କରୋନାର ଦୈନିକ ସଂକ୍ରମଣ ରେକର୍ଡ ଭାଙ୍ଗିଛି। ୨୪ ଘଣ୍ଟା ମଧ୍ୟରେ ୬୨୧୫  ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

LEAVE A REPLY