ଅମ୍ଲଜାନ ଅଭାବ: ୩୨ ଜଣଙ୍କର ମୃତ୍ୟୁ

0
286

ନୂଆଦିଲ୍ଲୀ: କରୋନା ଭାଇରସ୍ ମହାମାରୀ ନେଇ ସମଗ୍ର ବିଶ୍ୱ ସମେତ ଭାରତରେ ହାହାକାର ଦେଖାଯାଇଛି । ମାନବ ସଭ୍ୟତା ଦୀର୍ଘ ଦେଢ଼ ବର୍ଷ ହେବ ଏଭଳି ଏକ ପରିସ୍ଥିତି ଦେଇ ଗତି କରୁଛି ଯେ, ନିଜର ସ୍ଥିତି ସଂପର୍କରେ କିଛି ଭବିଷ୍ୟତ ଯୋଜନା କରିପାରୁ ନାହିଁ । ବିଗତ ଦିନରେ କରୋନା ଭାଇରସ୍ ପାଇଁ ଆମେରିକା, ଫ୍ରାନ୍ସ, ବ୍ରାଜିଲ, ରୁଷିଆରେ ଘୋର ସଂକଟ ଦେଖାଯାଇଥିବା ବେଳେ ଏବେ ପ୍ରାୟ ୨ ସପ୍ତାହ ହେବ ଭାରତର ସ୍ଥିତି ଉଦ୍‌ବେଗଜନକ ରହିଛି । ଗୋଟିଏ ପଟରେ ସଂକ୍ରମଣ ବଢ଼ି ଚାଲିଥିବା ବେଳେ ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ହରିୟାଣା, ପଂଜାବ ଓ ନୂଆଦିଲ୍ଲୀରେ ଅମ୍ଲଜାନ ବଡ଼ ସମସ୍ୟା ଭଳି ଛିଡ଼ା ହୋଇଛି । ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ି ଥିବାରୁ ହସ୍‌ପିଟାଲ ଗୁଡ଼ିକରେ ଶଯ୍ୟା ମିଳିପାରୁ ନାହିଁ । ଅମ୍ଲଜାନ ଅଭାବ ଯୋଗୁଁ ତିନି ଦିନ ମଧ୍ୟରେ ମହାରାଷ୍ଟ୍ରର ନାସିକ, ମଧ୍ୟପ୍ରଦେଶର ଗ୍ୱାଲିୟର ଏବଂ ପଂଜାବର ଅମୃତସରରେ ୩୨ ଜଣ ରୋଗୀଙ୍କର ମୃତ୍ୟୁ ହୋଇସାରିଛି । ଏହି ସବୁ ରାଜ୍ୟଗୁଡ଼ିକୁ ଏବେ ଦେଶର ରାଷ୍ଟ୍ରାୟତ୍ତ କଂପାନୀଗୁଡ଼ିକ ଅମ୍ଲଜାନ ପଠାଉଛନ୍ତି ।
ନାସିକ ମହାନଗର ନିଗମର କମିଶନର କୈଳାଶ ଯାଧବ କହିଥିଲେ, ଚଳିତ ମାସ ୨୧ ତାରିଖରେ ଜାକିର ହୁସେନ ହସ୍‌ପିଟାଲରେ ଗ୍ୟାସ ଟ୍ୟାଙ୍କରରୁ ଗ୍ୟାସ ନିର୍ଗତ ହୋଇଥିଲା । ଏହି ସମୟରେ ହସ୍‌ପିଟାଲରେ ୧୭୧ ଜଣ ରୋଗୀଙ୍କ ଚିକିତ୍ସା ଜାରି ଥିଲା । ମାତ୍ର ଅକ୍ସଜେନ ନିର୍ଗତ ହେବାରୁ ୩୦ ମିନିଟ ଲାଗି ଯୋଗାଣ ବନ୍ଦ କରିଦିଆଯାଇଥିଲା । ଫଳରେ ୨୪ ଜଣ ରୋଗୀଙ୍କର ମୃତ୍ୟୁ ହୋଇଥିଲା ।


ଗ୍ୱାଲିୟର-ଅମୃତସରରେ ଅମ୍ଲଜାନ ଅଭାବ

ଅମ୍ଲଜାନ ଅଭାବରୁ ଦ୍ୱିତୀୟ ଘଟଣା ଘଟିଛି ମଧ୍ୟପ୍ରଦେଶର ଗ୍ୱାଲିୟର ଚମ୍ବଲ ସଂଭାଗରେ । ଶୁକ୍ରବାର ବିଳମ୍ବିତ ରାତି ଜୟାରୋଗ୍ୟ ହସ୍ପିଟାଲ ସମୂହର ଆଇସିୟୁରେ ଅମ୍ଲଜାନ ଶେଷ ହୋଇଯାଇଥିଲା । ଅମ୍ଲଜାନ ଶେଷ ହୋଇଯିବା ନେଇ ରୋଗୀଙ୍କ ପରିବାର ସୂଚନା ପ୍ରଦାନ କରିଥିଲେ । କିନ୍ତୁ ଏହାରି ଭିତରେ ରୋଗୀମାନଙ୍କୁ ଅନ୍ୟ ଏକ ବିଭାଗକୁ ସ୍ଥାନାନ୍ତରିତ କରାଯିବା ସମୟରେ ୩ଜଣଙ୍କର ମୃତ୍ୟୁ ହୋଇଥିଲା । ଏପ୍ରିଲ ୨୪ ତାରିଖରେ ପଂଜାବର ଅମୃତସରସ୍ଥିତ ଏକ ଘରୋଇ ହସ୍‌ପିଟାଲ (ନୀଳକଣ୍ଠ ହସ୍‌ପିଟାଲ)ରେ ଅମ୍ଲଜାନ ଅଭାବରୁ ୫ ଜଣ ରୋଗୀଙ୍କର ମୃତ୍ୟୁ ହୋଇଛି । ତେବେ ହସ୍‌ପିଟାଲ କର୍ତ୍ତୃପକ୍ଷ ଅମ୍ଲଜାନ ଅଭାବ ଲାଗି ସ୍ଥାନୀୟ ପ୍ରଶାସନକୁ ଦାୟୀ କରିଛି ।


ଅମ୍ଳଜାନ ସମସ୍ୟା ଦୂର ହେବ: ଗୋୟଲ

ଦେଶର ବିଭିନ୍ନ ହସ୍‌ପିଟାଲରେ ଅମ୍ଲଜାନର ଘୋର ସଂକଟ ଦେଖାଯାଇଥିବା ବେଳେ ଏଥିରୁ ତ୍ରାହି ପାଇବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟସରକାର ଗୁଡ଼ିକ ଉଦ୍ୟମ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ ଟୁଇଟ କରି କହିଛନ୍ତି ଯେ, ମୋଦୀ ସରକାର ଦ୍ୱାରା ଦେଶରେ ଅମ୍ଲଜାନ ଆପୂର୍ତ୍ତି କାମ ଲଗାତାର ଜାରି ରହିଛି । ବୋକାରୋ-ଲଖନଉ ମଧ୍ୟରେ ୨ୟ ଅମ୍ଲଜାନ ଏକ୍ସପ୍ରେସ ମାଧ୍ୟମରେ ବାରାଣସୀରେ ମଧ୍ୟ ଅମ୍ଲଜାନର ଆବଶ୍ୟକତା ପୂରଣ କରାଯାଇଛି । ଏହା ଦ୍ୱାରା ବାରାଣସୀରେ କରୋନା ରୋଗୀଙ୍କ ଲାଗି ଅମ୍ଲଜାନ ଉପଲବ୍ଧତା ସୁନିଶ୍ଚିତ ହେବ ।

ଅମ୍ଲଜାନ ଯୋଗାଉଛି ଓଡ଼ିଶା


ଭାରତର ବଡ଼ ବଡ଼ ସହରରେ ଅମ୍ଲଜାନର ଅଭାବ ଥିବା ବେଳେ ଏହାକୁ ପୂରଣ କରିବା ପାଇଁ ଆଗେଇ ଆସିଛି ଓଡ଼ିଶା । ଦିନକ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ଦିଲ୍ଲୀ ସମକକ୍ଷ ଅରବିନ୍ଦ କେଜ୍ରିୱାଲଙ୍କ ସହିତ ଫୋନ୍‌ରେ କଥା ହୋଇ ଅମ୍ଲାଜାନ ଯୋଗାଇ ଦେବାକୁ ପ୍ରସ୍ତାବ ଦେଇଥିଲେ । ଏବେ ଓଡ଼ିଶାରୁ ମହାରାଷ୍ଟ୍ର, ତେଲେଙ୍ଗାନା, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ ଓ ବିହାରକୁ ଅମ୍ଲଜାନ ପଟାଯାଉଛି । ଅମ୍ଲଜାନ ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶୁକ୍ରବାର ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି । ବାହାର ରାଜ୍ୟକୁ ଅମ୍ଲାଜାନ ପଠାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି । ଏହାରି ମଧ୍ୟରେ ଓଡ଼ିଶାରୁ ଅନ୍ୟ ରାଜ୍ୟକୁ ୧୯ଟି ଟ୍ୟାଙ୍କରରେ ୨୫୦ ଟନ୍ ଅମ୍ଲଜାନ ପଠାଯାଇଛି ।

Share the article

LEAVE A REPLY