୧୩ ମାସ ପରେ ପୁଣି ରାଜ୍ୟରେ ଲକ୍‌ଡାଉନ୍‌, ଗରିବଙ୍କ ଚିନ୍ତା ବଢ଼ିଲା

0
183

ଭୁବନେଶ୍ୱର: କରୋନା ଭାଇରସ୍ ମହାମାରୀ ସମଗ୍ର ବିଶ୍ୱ ସମେତ ରାଜ୍ୟବାସୀଙ୍କର ଚିନ୍ତା ବଢ଼ାଇଛି । ମେ’ ମାସ ୫ ତାରିଖରେ ଦେଶରେ ୩ ଲକ୍ଷ ୮୨ ହଜାର ୬୯୧ ଜଣ ନୂଆ ସଂକ୍ରମିତ ହୋଇଥିବା ବେଳେ ଓଡ଼ିଶାରେ ଏହି ସଂଖ୍ୟା ୯୮୮୯କୁ ପହଂଚିଛି । ରାଜ୍ୟରେ ଆଜି ୧୬ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତକଙ୍କ ସଂଖ୍ୟା ୨୧୦୪କୁ ବୃଦ୍ଧି ପାଇଛି । ସପ୍ତାହାନ୍ତ ସଟ୍‌ଡାଉନ୍‌, ପଡ଼ୋଡୀ ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ସୀମା ସିଲ କରାଯିବା ପରେ ମଧ୍ୟ କରୋନା ଭାଇରସ୍ ନିୟନ୍ତ୍ରଣ ନହେବାରୁ ରାଜ୍ୟ ସରକାର ଚଳିତ ମାସ ୫ ତାରିଖ ଠାରୁ ଲକ୍‌ଡାଉନ୍ ଘୋଷଣା କରିଛନ୍ତି । ୧୪ ଦିନିଆ ଏହି ଲକଡାଉନ୍ ଆସନ୍ତା ୧୯ ତାରିଖ ଯାଏଁ ଜାରି ରହିବ । କିନ୍ତୁ ସ୍ଥିତିରେ ଯଦି ସୁଧାର ନଆସେ ତା’ହେଲେ କଟକଣା ବଢ଼ିପାରେ ।


କରୋନା ଭାଇରସ ମହାମାରୀ ବୃଦ୍ଧି ପାଇଥିବାରୁ ୧୩ ମାସ ପରେ ରାଜ୍ୟକୁ ପୁଣି ଥରେ ଲକ୍‌ଡାଉନ୍ ରଖାଯାଇଛି । ବର୍ତ୍ତମାନ ସ୍ଥିତିରେ ଯଦିଓ ୧୪ ଦିନ ପାଇଁ କଟକଣା ଲାଗୁ କରାଯାଇଛି, ଆଗାମୀ ଦିନରେ ଏହା ବଢ଼ିପାରେ । କାରଣ ଅତୀତରେ ଏଭଳି ନିଷ୍ପତ୍ତି ନେଇଥିଲେ ସରକାର । ଗତବର୍ଷ ମାର୍ଚ୍ଚ ୨୫ରୁ ଦେଶକୁ କେନ୍ଦ୍ର ସରକାର ଲକଡାଉନ୍ ଘୋଷଣା କରିଥିଲେ । ପ୍ରଥମ ଦଫାରେ ୨୧ ଦିନିଆ ଲକଡାଉନ ଘୋଷଣା ହୋଇଥିଲା । ଏହା ପର୍ଯ୍ୟାୟ କ୍ରମେ ବଢ଼ିଚାଲିଥିଲା । ମାତ୍ର ଜୁନ ମାସଠାରୁ କରୋନା କଟକଣାରେ ଧୀରେ ଧୀରେ କୋହଳ କରାଯାଇଥିଲା । ୨୦୨୦ ଡିସେମ୍ବର ମାସ ବେଳକୁ କରୋନା ଭାଇରସ ଏକ ପ୍ରକାର ନିୟନ୍ତ୍ରଣକୁ ଆସିଯିବା ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା । ନୂଆବର୍ଷରେ ମନ୍ଦିର, ସପିଂ ମଲ, ହୋଟେଲ, ପାର୍କ, ସିନେମା ହଲ, ଖେଳପଡ଼ିଆ ଆଦି ଖୋଲିଥିଲା ।


ଖୋଲା ରହିବ ଅତ୍ୟାବଶ୍ୟକ ଦୋକାନ

ରାଜ୍ୟରେ କରୋନା ଭାଇରସ ସଂକ୍ରମଣ ବୃଦ୍ଧି ଯୋଗୁଁ ଲକ୍‌ଡାଉନ୍ ଘୋଷଣା ହୋଇଛି । ଫଳରେ ଜରୁରୀ କାଳୀନ ସେବା ବ୍ୟତୀତ ଅନ୍ୟ ବ୍ୟବସାୟିକ ପ୍ରତିଷ୍ଠାନକୁ ଦୈନିକ ୬ ଘଣ୍ଟା ପାଇଁ ଖୋଲାଯାଉଛି । ଲକଡାଉନ ବେଳେ ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ରାସ୍ତାକଡ଼ର ଖାଇବା ଦୋକାନ, ପନିପରିବା-ଫଳ, ମାଛ-ମାଂସ-ଅଣ୍ଡା ଆଦି ଦୋକାନ ୩୦ ଫୁଟ ବ୍ୟବଧାନରେ ଖୋଲିବ । ଏହି ସମୟ ମଧ୍ୟରେ ଦୈନିକ ହାଟ ଏବଂ ସାପ୍ତାହିକ ହାଟ ବନ୍ଦ ରହିବ । ଗ୍ରାହକ କେବଳ ଘର ପାଖରେ ଥିବା ଦୋକାନକୁ ଚାଲିଚାଲି ଯାଇପାରିବେ । ସ୍ୱାସ୍ଥ୍ୟ ସେବା, ଜଳଯୋଗାଣ, ବିଦ୍ୟୁତ ସରବରାହ, ପରିମଳ ସେବା, ଟେଲିଫୋନ, ଇଣ୍ଟରନେଟ, ଡିଟିଏଚ, ଗ୍ୟାସ ବିତରଣ, ପେଟ୍ରୋଲ ପମ୍ପ ଆଦି ଖୋଲା ରହିବ । ସ୍ୱାସ୍ଥ୍ୟ ସଂପର୍କିତ ସଂସ୍ଥା ପାଇଁ କୌଣସି କଟକଣା ନାହିଁ । କିନ୍ତୁ ଶନିବାର ଓ ରବିବାର ସଂପୂର୍ଣ୍ଣ ସଟଡାଉନ୍ କରାଯାଇଛି ।


ବ୍ୟବସାୟ ବ୍ୟାପକ କ୍ଷତି

ଗତ ବର୍ଷ ଲକଡାଉନ ଯୋଗୁଁ ପ୍ରାୟ ୮ ମାସ ଯାଏଁ ଲୋକଙ୍କୁ ବ୍ୟାପକ କଟକଣା ମଧ୍ୟରେ ରହିବାକୁ ପଡ଼ିଥିଲା । ଏହି କାରଣରୁ ଗରିବ ଲୋକଙ୍କୁ ସର୍ବାଧିକ କ୍ଷତି ସହ୍ୟ କରିବାକୁ ପଡ଼ିଥିଲା । ସ୍ଥିତି ସ୍ୱାଭାବିକ ହେବା ପରେ ବ୍ୟବସାୟ ଏବଂ ଅନ୍ୟ କାମଧନ୍ଦା ସୁପରିଚାଳିତ ହେବାରୁ ଗରିବଙ୍କ ମୁହଁରେ ହସ ଫୁଟିବାରେ ଲାଗିଥିଲା । ଗରିବ ଲୋକଙ୍କର ଆର୍ଥିକ ଅବସ୍ଥାରେ ସାମାନ୍ୟ ସଂଶୋଧନ ଆସିଥିଲା । ମାତ୍ର ୩ ମାସ ପରେ ପୁଣି ଥରେ ଲକଡାଉନ ଆରମ୍ଭ ହୋଇଯିବା ପରେ ଗରିବ ଲୋକ କେମିତି ଟଙ୍କା ରୋଜଗାର କରି ପରିବାର ପୋଷିବେ ଚିନ୍ତିତ ହୋଇପଡ଼ିଛନ୍ତି । ଲକଡାଉନ ଅବଧୀ କେବେ ଶେଷ ହେବ ତା’ର କୌଣସି ସୁନିଶ୍ଚିତତା ନାହିଁ ।


ଲକଡାଉନରେ ଚାଷୀ ପ୍ରଭାବିତ

ଲକଡାଉନ ଯୋଗୁଁ ଚାଷୀମାନେ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି । ଗତ ବର୍ଷ କରୋନା ଅଧିକାଂଶ ଭାବରେ ସହରାଂଚଳରେ ବ୍ୟାପିଥିବା ବେଳେ ଏଥର କିନ୍ତୁ ଗାଁ ଗାଁରେ କାୟା ବିସ୍ତାର କରିଛି । ଲକଡାଉନ୍ ଯୋଗୁଁ ଚାଷୀମାନେ ଠିକ ସମୟ ମଧ୍ୟରେ ପନିପରିବା ବିକ୍ରି କରି ପାରି ନାହାନ୍ତି । ତେଣୁ ସେମାନେ ବାଧ୍ୟହୋଇ ରାସ୍ତାରେ ପରିବା ଗଡ଼ାଇ ଦେଇ ଚାଲିଯାଉଛନ୍ତି । ଗତ ମାସ ୬ ତାରିଖରେ ଝାରସୁଗୁଡ଼ାରେ ବିକ୍ରି ଅଭାବ ଯୋଗୁଁ ଚାଷୀମାନେ ପରିବା ରାସ୍ତାକଡ଼ରେ ଗଡ଼ାଇ ଦେଇଥିଲେ । ଏବେ ବଲାଙ୍ଗୀରରେ ଚାଷୀମାନେ ପନିପରିବା ରାସ୍ତାରେ ଢାଳି ଦେଇଛନ୍ତି । କରୋନା କଟକଣା ଯୋଗୁଁ ପରିବା ବିକ୍ରି ହୋଇ ପାରୁ ନଥିବା ଚାଷୀମାନେ ଅଭିଯୋଗ ଆଣିଛନ୍ତି ।

Share the article

LEAVE A REPLY