ଓଡ଼ିଶା ସମେତ ଭାରତରେ ଭାଙ୍ଗିଲା କରୋନା ସଂକ୍ରମଣ ରେକର୍ଡ

0
404

ଭୁବନେଶ୍ୱର: କରୋନା ଭାଇରସ୍ ମହାମାରୀ ରାଜ୍ୟରେ ଏପର୍ଯ୍ୟନ୍ତ ଶୀର୍ଷ ସ୍ଥାନକୁ ପହଂଚି ସାରିଛି । ୨୪ ଘଣ୍ଟା ମଧ୍ୟରେ ୧୦ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇସାରିଛନ୍ତି । ମୃତକଙ୍କ ସଂଖ୍ୟା ୧୭ ଟପିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯଦିଓ ଏହି ତଥ୍ୟକୁ ସାର୍ବଜନିକ କରାଯାଇଛି, କିନ୍ତୁ ସାଧାରଣ ଲୋକେ ଏହାକୁ ଗ୍ରହଣ କରୁ ନାହାନ୍ତି । ଦୈନିକ ମୃତ୍ୟୁ ଯାହା ହେଉଛି, ତାହା ସବୁ କରୋନା କାରଣ ନୁହେଁ । ଅନ୍ୟ ରୋଗ ଯୋଗୁଁ ମଧ୍ୟ ଲୋକଙ୍କର ମୃତ୍ୟୁ ଘଟୁଛି । ତେଣୁ ବୁଦ୍ଧିଜୀବୀମାନଙ୍କ କହିବା ଅନୁସାରେ କରୋନା ମୃତ୍ୟୁ ପଛରେ ରହସ୍ୟ ରହୁଛି ।
ରାଜ୍ୟରେ ଗତବର୍ଷ କରୋନା ଭାଇରସ ସଂକ୍ରମଣ ପିକ୍‌ରେ ରହୁଥିଲା, ସେହି ସମୟରେ ଦୈନିକ ୧୪ରୁ ୧୬ ଜଣଙ୍କର ମୃତ୍ୟୁ ହେଉଥିଲା । କିନ୍ତୁ ସଂକ୍ରମଣ ବ୍ୟାପିବା ହ୍ରାସ ପାଇବା ପରେ ମଧ୍ୟ ଏହି ଧାରା ଜାରି ରହିଥିଲା । ତେଣୁ ସ୍ୱାସ୍ଥ୍ୟ ବିଭାଗର ଏହି ସୂଚନା ସାଧାରଣ ଲୋକଙ୍କୁ ବ୍ୟଥିତ କରି ପକାଉଥିଲା । ଚଳିତ ବର୍ଷ ମଧ୍ୟ ଅନୁରୂପ କଥା । ରାଜ୍ୟରେ କରୋନା ଭାଇରସଜନିତ ମୃତ୍ୟୁ ନେଇ ରାଜ୍ୟ ସରକାର ଯେତିକି ଘୋଷଣା କରୁଛନ୍ତି, ତା’ଠାରୁ ଢେର ଅଧିକ ରୋଗୀଙ୍କର ମୃତ୍ୟୁ ହେଉଥିବା ଚର୍ଚ୍ଚା ହେଉଛି । ସମ୍ବଲପୁର, ସୁନ୍ଦରଗଡ଼, ଖୋର୍ଦ୍ଧା ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି । ଚର୍ଚ୍ଚା ହେଉଛି ଯେ, ପ୍ରକୃତ ତଥ୍ୟ ସାର୍ବଜନିକ ହେଉନାହିଁ ।

ଗତବର୍ଷ ୫୩ ଅଣକୋଭିଡ ମୃତ୍ୟୁ

କୋଭିଡ-୧୯ଜନିତ ମୃତ୍ୟୁ ରହସ୍ୟ ଘେରରେ ରହୁଛି । କରୋନାର ପ୍ରଥମ ଲହର ସମୟରେ ରାଜ୍ୟ ସରକାର କହୁଥିଲେ ଯେ, ସବୁ ମୃତ୍ୟୁ କୋଭିଡଜନିତ ନୁହେଁ । ଚିକିତ୍ସାଧୀନ ଅବସ୍ଥାରେ ଜଣେ ରୋଗୀ କରୋନା ପଜିଟିଭ ହୋଇ ମୃତ୍ୟୁ ହୋଇଗଲେ ତାକୁ କୋଭିଡଜନିତ ବୋଲି କୁହାଯାଇପାରିବ ନାହିଁ । ଯଦି ଚିକିତ୍ସକଙ୍କୁ କୋଭିଡ ବୋଲି ହୃଦୟଙ୍ଗମ ହୋଇଥାଏ, ତାହେଲେ କୋଭିଡ ମୃତ୍ୟୁ ବୋଲି ଧରାଯିବ । ଗତବର୍ଷ ୫୩ ଜଣ ଅଣକୋଭିଡ ମୃତ୍ୟୁ ରିପୋର୍ଟ ଆସିଥିଲା । ଏଥର କେତେ ଆସିବ ସମୟ କହିବ । କିନ୍ତୁ ଏତିକି କୁହାଯାଇ ପାରିବରେ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି ।

ଗୋଟିଏ ଶ୍ମଶାନରେ ୫୦ ମୃତଦେହ ଜଳିଲା

ଗତ ଏପ୍ରିଲ ଦ୍ୱିତୀୟ ସପ୍ତାହ ପରେ ରାଜ୍ୟରେ କରୋନା ଭାଇରସର ୨ୟ ଲହର କାୟା ବିସ୍ତାର କରିଚାଲିଛି । ଦିନକୁ ଦିନ ସଂକ୍ରମିତ ଲୋକଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଟିକାକରଣ, ସଟ୍‌ଡାଉନ୍‌, ଲକଡାଉନ୍ ଓ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ପରେ ବି କରୋନା ଭାଇରସ ଅମାନିଆ ହୋଇଛି । ବେସରକାରୀ ତଥ୍ୟ ହିସାବରେ ପ୍ରତିଦିନ ଶତାଧିକ ଲୋକଙ୍କର ମୃତ୍ୟୁ ହୋଉଛି । ତାହା କରୋନା ହେଉ ବା ଅଣ କୋଭିଡ ହେଉ, ଲୋକଙ୍କ ମନରେ କିନ୍ତୁ କରୋନା ଭୟ ଜାତ ହୋଇଛି । ଭୁବନେଶ୍ୱରର ସତ୍ୟନଗରସ୍ଥିତ ଶ୍ମଶାସନରେ ଗୋଟିଏ ଦିନରେ ୫୦ରୁ ଅଧିକ କରୋନା ରୋଗୀଙ୍କ ମୃତଦେହ ଦାହ କରାଯାଇଥିଲା । ଗତ ଏପ୍ରିଲ ମାସରେ ସମ୍ବଲପୁରରେ ପ୍ରାୟ ୨୦୦ ଜଣଙ୍କର କୋଭିଡ-୧୯ ଯୋଗ୍ୟୁ ମୃତ୍ୟୁ ହୋଇଥିଲା । ସୁନ୍ଦରଗଡ଼ରେ ମାତ୍ର ୩ ଦିନରେ ୩୪ ଜଣଙ୍କର ମୃତଦେହ ଅନ୍ତିମ ସଂସ୍କାର କରାଯାଇଥିଲା ।

ଭାଙ୍ଗିଲା ସର୍ବକାଳୀନ ରେକର୍ଡ

ରାଜ୍ୟରେ କେରାନା ବିଗତ ୨୪ ଘଣ୍ଟା ମଧ୍ୟରେ ଆଉ ଏକ ରେକର୍ଡ କରିଛି । ଗତକାଲି ୧୭ ଜଣଙ୍କର ଜୀବନ ନେଇଥିବା ବେଳେ ଆଜି ୧୯ ଜଣ ଆକ୍ରାନ୍ତ ପ୍ରାଣ ହାରିଛନ୍ତି । ସୁନ୍ଦରଗଡ଼ରୁ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଖୋର୍ଦ୍ଧାରୁ ପ୍ରାଣ ହାରିଛନ୍ତି ୩ ଜଣ । ଭୁବନେଶ୍ୱର, ପୁରୀ ଓ ଗଂଜାମରୁ ୨-୨ ଜଣ ଆକ୍ରାନ୍ତଙ୍କ କରୋନାରେ ମୃତ୍ୟୁ ହୋଇଛି । ଅନୁଗୁଳ, କଟକ, ଗଜପତି, ଦେବଗଡ଼, ବଲାଙ୍ଗୀର, ଝାରସୁଗୁଡ଼ା ଓ କଳାହାଣ୍ଡି ଜିଲ୍ଲାରେ ଜଣେ ଲେଖାଏଁ ଆକ୍ରାନ୍ତଙ୍କ କରୋନାରେ ମୃତ୍ୟୁ ହୋଇଛି । ରାଜ୍ୟରେ ଆଜି ୧୨ ହଜାର ୨୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୨ ହଜାର ୭୩ ଜଣ ଓ ଖୋର୍ଦ୍ଧା ଜିଲ୍ଲାରୁ ୧୮୨୮ ଜଣ ସଂକ୍ରମଣ ଶିକାର ହୋଇଛନ୍ତି । ବିଗତ ୨୪ ଘଣ୍ଟାରେ ଭାରତରେ ୪ ଲକ୍ଷ ୧୪ ହଜାର ୪୩୩ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ଦେଶରେ ଏହି ସମୟ ମଧ୍ୟରେ ୩୯୨୦ ଜଣଙ୍କର ମୃତ୍ୟୁ ହୋଇଛି ।

Share the article

LEAVE A REPLY