ନୂଆ ଆଶା ସଂଚାର କରିବ ସ୍ୱଦେଶୀ କରୋନା ଔଷଧ!

0
290

ନୂଆଦିଲ୍ଲୀ: କରୋନା ଭାଇରସ୍ ନେଇ ସମଗ୍ର ବିଶ୍ୱ ଚିନ୍ତିତ ଥିବା ବେଳେ ଦୀର୍ଘ ଦେଢ଼ ବର୍ଷ ହେବ ଗବେଷକମାନେ ଟିକା ଓ ଔଷଧ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି । ଗବେଷକ ଓ ଗବେଷଣା ସଂସ୍ଥା ଦିନରାତି ଏଦିଗରେ କାମ କରୁଥିଲେ ମଧ୍ୟ କରୋନାକୁ ସଫଳତାର ସହିତ ମୁକାବିଲା କରିପାରି ନାହାନ୍ତି । ବରଂ କରୋନାର ୨ୟ ଲହର ବିଶେଷକରୀ ଭାରତୀୟମାନଙ୍କର ଚିନ୍ତା ବଢ଼ାଇଛି । ଦେଶରେ ଚଳିତ ମାସ ୭ ତାରିଖରେ ୪ ଲକ୍ଷ ୧୪ ହଜାର ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୮ ତାରିଖରେ ୪ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଏହାରି ମଧ୍ୟରେ ଭାରତରେ ଡିଆରଡିଓ ଦ୍ୱାରା ପ୍ରସ୍ତୁତ କରୋନାର ପ୍ରଥମ ଔଷଧ ‘୨-ଡିଜି’କୁ ଜରୁରୀକାଳୀନ ବ୍ୟବହାର ପାଇଁ ଡିଜିସିଆଇ ଅନୁମତି ଦେଇଛି ।

ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (ଡିଜିସିଆଇ) ଦ୍ୱାରା ଅନୁମତି ମିଳିଥିବା ୨-ଡିଜି ଦେଶରେ କରୋନା ଚିକିତ୍ସା ପାଇଁ ବ୍ୟବହାର କରାଯିବ । ଏହି ଔଷଧକୁ ଇନଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁକ୍ଲିୟର ମେଡିସିନ ଆଣ୍ଡ ଆଲାଏଡ ସାଇନ୍‌ସେସ୍ (ଆଇଏନ୍‌ଏମ୍‌ଏସ୍‌) ଓ ହାଇଦ୍ରାବାଦର ସେଣ୍ଟର ଫର ସେଲ୍ୟୁଲାର ଆଣ୍ଡ ମଲିକ୍ୟୁଲର ବାୟୋଲୋଜି (ସିସିଏମ୍‌ବି)ର ମିଳିତ ଉଦ୍ୟମରେ ପ୍ରସ୍ତୁତ ହେବ । ବର୍ତ୍ତମାନ ପରିପ୍ରେକ୍ଷୀରେ ଏହି ଔଷଧର ନାମ ଡିଅକ୍ସ-ଡି-ଗ୍ଲୁକୋଜ ରଖାଯାଇଛି ଏବଂ ଏହାର କ୍ଲିନିକାଲ ପରୀକ୍ଷା ସଫଳ ହୋଇଥିବା କଥା କୁହାଯାଉଛି । ହାଇଦ୍ରାବାଦ୍‌ର ଡ. ରେଡ୍ଡୀ ଲାବ୍ରୋଟେରୀଜରେ ଏହି ଔଷଧ ଉତ୍ପାଦନ କରାଯିବ ବୋଲି ଜଣାପଡ଼ିଛି । କରୋନା ଔଷଧକୁ ବର୍ତ୍ତମାନ ପରିପ୍ରେକ୍ଷୀରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି । ବଜାରକୁ ଆସିବାକୁ ହେଲେ ଏହାର ସଫଳତା ଦରକାର ଅଛି ।

ଦ୍ରୁତ ଗତିରେ କାମ କରୁଛି ଔଷଧ

ଡିଆରଡିଓ ପକ୍ଷରୁ କୁହାଯାଇଛି ଯେ, ଔଷଧର କ୍ଲିନିକାଲ ପରୀକ୍ଷା ସଫଳ ହୋଇଛି । ଦାବି କରାଯାଉଛି ଯେ, ଯେଉଁ ରୋଗୀଙ୍କ ଦେହରେ ଏହା ପରୀକ୍ଷା କରାଯାଇଥିଲା, ଏହା ଦ୍ରୁତ ଗତିରେ କାମ କରିଥିଲା । ଏଥି ସହିତ ରୋଗୀଙ୍କୁ ଅକ୍ସିଜେନ ମଧ୍ୟ କମ ଦରକାର ପଡ଼ିଥିଲା । ଆହୁରି କୁହାଯାଇଛି ଯେ, ରୋଗୀଙ୍କ କରୋନା ରିପୋର୍ଟ ଅନ୍ୟ ରୋଗୀଙ୍କ ତୁଳନାରେ ଖୁବ ଶୀଘ୍ର ନେଗେଟିଭ ଆସିଥିଲା । ଅର୍ଥାତ ଔଷଧ ନେଇଥିବା ରୋଗୀମାନେ ଖୁବ ଶୀଘ୍ର ସୁସ୍ଥ ହୋଇଥିଲେ । ଡିଆରଡିଓର ବୈଜ୍ଞାନିକମାନେ ୨୦୨୦ ଏପ୍ରିଲରୁ ଏହି ଔଷଧ ଉପରେ ଗବେଷଣା କରୁଥିଲେ । ଗବେଷଣାରୁ ଜଣାପଡ଼ିଲା ଯେ, ଔଷଧ କରୋନାକୁ ନିୟନ୍ତ୍ରଣ କରିବାରେ ସଫଳ ହେବ ।

୨୨୦ ରୋଗୀଙ୍କ ଦେହରେ ପରୀକ୍ଷା

‘ଡିଆରଡିଓ’ର ବୈଜ୍ଞାନିକମାନେ କରୋନା ଔଷଧକୁ ଗତବର୍ଷ ଏପ୍ରିଲରେ ପରୀକ୍ଷା କରିଥିଲେ । ଏଥିରୁ ଜଣାପଡ଼ିଥିଲା ଯେ, ସ୍ୱଦେଶୀ ଔଷଧ କରୋନା ନିୟନ୍ତ୍ରଣ କରିବାରେ ସହାୟକ ହେବ । ଗତ ବର୍ଷ ମେ’ ମାସରେ ଦ୍ୱିତୀୟ ପର୍ଯ୍ୟାୟରେ ପରୀକ୍ଷା ପାଇଁ ଅନୁମତି ମିଳିବା ପରେ ୨୦୨୦ ଡିସେମ୍ବରରୁ ୨୦୨୧ ମାର୍ଚ୍ଚ ମଧ୍ୟରେ ଦେଶର ୨୭ଟି ହସ୍‌ପିଟାଲରେ ତୃତୀୟ ପର୍ଯ୍ୟାୟ ପରୀକ୍ଷା କରାଯାଇଥିଲା । ଦିଲ୍ଲୀ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଗୁଜରାଟ, ରାଜସ୍ଥାନ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା କର୍ଣ୍ଣାଟକ ଏବଂ ତାମିଲନାଡୁର ୨୨୦ ଜଣ ରୋଗୀଙ୍କୁ ପରୀକ୍ଷାରେ ସଂପୃକ୍ତ କରାଯାଇଥିଲା ।

ପାଉଡର ଭଳି କରୋନା ଔଷଧ

କରୋନା ଔଷଧ ୨-ଡିଜି ଦେଖିବାକୁ ପାଉଡର ଭଳି । ତେଣୁ ଏହାକୁ ପାଣିରେ ମିଶାଇ ରୋଗୀଙ୍କୁ ଖାଇବାକୁ ଦିଆଯାଇଥାଏ । ଏହି ଔଷଧ ପାଣିରେ ମିଶାଇ ପିଇବା ପରେ ରୋଗୀର ସଂକ୍ରମିତ କୋଷଗୁଡ଼ିକ ନିକଟରେ ଜମା ହୋଇଥାଏ । ପରେ ଏହା ସଂକ୍ରମଣକୁ ରୋକିବାରେ ସହାୟକ ହୋଇଥାଏ ।

Share the article

LEAVE A REPLY