ଶ୍ରୀମନ୍ଦିର ଆନନ୍ଦ ବଜାରରେ ହିଂସା

0
354

ଭୁବନେଶ୍ୱର: ଭକ୍ତ ଓ ଭଗବାନଙ୍କର ଅପୂର୍ବ ମିଳନ ସ୍ଥଳୀ ହେଉଛି ଶ୍ରୀମନ୍ଦିର । ଏଠାରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନେ ହଜାର ହଜାର କିଲୋମିଟର ଦୂରରୁ ଛୁଟି ଆସିଥାନ୍ତି । ପୁରୀକୁ କଶ୍ମୀର ଓ କନ୍ୟାକୁମାରୀ ବ୍ୟତୀତ ଦେଶ-ବିଦେଶରୁ ମଧ୍ୟ ଭକ୍ତଙ୍କର ସମାଗମ ହୋଇଥାଏ । ଯେଉଁମାନେ ମହାପ୍ରଭୁଙ୍କର ମହାନତା ଜାଣିଛନ୍ତି, ସେମାନେ ହିଁ ବୁଝିଛନ୍ତି ପୁରୀର ମହତ୍ୱ । କିନ୍ତୁ କ୍ଷୋଭର ବିଷୟ ଯେ ପୂଣ୍ୟ ତୀର୍ଥରେ ହିଂସାତ୍ମକ ଗତିବିଧି ଦେଖିବାକୁ ମିଳୁଛି । ପୁରୀରେ ବାରମ୍ବାର ହିଂସାତ୍ମକ ଗତିବିଧି ଦେଖାଯାଉଥିବା ନେଇ ଶ୍ରଦ୍ଧାଳୁ ଓ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି ।

କରୋନା ଭାଇରସ ସଂକଟ ସମୟରେ ଶ୍ରୀମନ୍ଦିର ସାଧାରଣ ଭକ୍ତଙ୍କ ପାଇଁ ବନ୍ଦ ରହିଛି । ଆନନ୍ଦ ବଜାରରେ ଭିଡ ନାହିଁ । ତଥାପି ଶ୍ରୀମନ୍ଦିରରେ ମେ’ ୧୦ ତାରିଖରେ ୨ ଜଣ ସେବାୟତଙ୍କର ମଧ୍ୟରେ ମୁହାଁମୁହିଁ ହୋଇଥିଲା । ଏଥିରେ ହରେକୃଷ୍ଣ ସୁଆର ନାଁରେ ଜଣେ ସେବାୟତ ଆହତ ହୋଇଥିଲେ । ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଅଭିଯୋଗ ଅନୁସାରେ ବୁଲୁ ପଣ୍ଡା ନାଁରେ ଜଣେ ସେବାୟତ ହରେକୃଷ୍ଣଙ୍କୁ ଆକ୍ରମଣ କରିଥିଲେ । ତେବେ ଉଭୟ ସେବାୟତଙ୍କ ମଧ୍ୟରେ କେଉଁ କାରଣକୁ ନେଇଁ ମୁହାଁମୁହିଁ ପରିସ୍ଥିତି ହୋଇଥିଲା, ତାହା ଲୋକଲୋଚନକୁ ଆସି ନାହିଁ । କିନ୍ତୁ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସ୍‌ପି ଡ. କେ ବିଶାଲ ସିଂହ ସୂଚନା ଦେଇଛନ୍ତି ।

ଶ୍ରୀମନ୍ଦିରରେ ପତିଆରା

ଭଗବାନ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ସେବାୟତ ହୁଅନ୍ତୁ ଅଥବା ପୋଲିସ କର୍ମଚାରୀ ହୁଅନ୍ତୁ ପତିଆରା ଦେଖାଇବା ଉଚିତ ନୁହେଁ । ନିଜର ପତିଆରା ପଣିଆ ଦେଖାଇବା ଯୋଗୁଁ ବାରମ୍ବାର ଗଣ୍ଡଗୋଳ ଭଳି ଘଟଣା ଘଟୁଛି । ଗତକାଲିର ଘଟଣା ବ୍ୟତୀତ ଗତ ମାସ ୧୮ ତାରିଖରେ ମଧ୍ୟ ଶ୍ରୀମନ୍ଦିରରେ ହିଂସା କାଣ୍ଡ ଦେଖାଯାଇଥିଲା । ଘଟଣା ଦିନ ଶ୍ରୀଜଗନ୍ନାଥ ମନ୍ଦିର ପୋଲିସର ୨ ଜଣ କର୍ମଚାରୀଙ୍କ ମଧ୍ୟରେ ମାରପିଟ ହୋଇଥିଲା । ଘଟଣାର ତଦନ୍ତ ପରେ ଜେଟିପି ଗଙ୍ଗାଧର ପ୍ରଧାନଙ୍କୁ ନିଲମ୍ବିତ କରାଯାଇଥିଲା ।

ହିଂସାର ଶିକାର ଭକ୍ତ-ସେବାୟତ-ପୋଲିସ

ଶ୍ରୀମନ୍ଦିରରେ କେବଳ ସେବାୟତ ଓ ପୋଲିସ ହିଂସାର ଶିକାର ହେଉ ନାହାନ୍ତି । ବରଂ ଆକ୍ରୋଶର ଶିକାର ହେଉଛନ୍ତି ଭକ୍ତ । ବର୍ଷ ୨୦୧୮ ଫେବ୍ରୁଆରୀ ୮ ତାରିଖରେ କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅଂଚଳର କୃଷ୍ଣ ମହାପାତ୍ର ନାଁରେ ଜଣେ ଭକ୍ତ ଆହତ ହୋଇଥିଲେ । ଘଟଣା ଦିନ ସେ ଆନନ୍ଦ ବଜାରକୁ ଯାଇଥିଲେ । ସେଠାରେ ସେ ମହାପ୍ରସାଦ କିଣିବା ସମୟରେ ୨ ଜଣ ସେବାୟତଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇଥିଲେ । ଏଥିରେ ତାଙ୍କର ଡାହାଣ ଗୋଡ଼ ଭାଙ୍ଗି ଯାଇଥିଲା । ଅଭିଯୋଗ ଅନୁସାରେ କୃଷ୍ଣ ମହାପାତ୍ର ଯେଉଁ ଦୋକାନରୁ ମହାପ୍ରସାଦ କିଣିବାକୁ ଯାଉଥିବା ସମୟରେ କୌଣସି କାରଣକୁ ନେଇ ଯୁକ୍ତିତର୍କ ହୋଇଥିଲା ଏବଂ ହିଂସା ଦେଖାଯାଇଥିଲା ।

ଭକ୍ତ ପାଉଛନ୍ତି ନିଯ୍ୟାତନା

ମହାପ୍ରଭୁଙ୍କର ଦର୍ଶନ ପାଇଁ ଭକ୍ତ ହଜାର ହଜାର କିଲୋମିଟର ଦୂରରୁ ଶ୍ରୀକ୍ଷେତ୍ର ଆସିଥାନ୍ତି । ମାତ୍ର ଶ୍ରୀମନ୍ଦିରରେ ପ୍ରବେଶ କଲା ପରେ ଅନେକ ଭକ୍ତ ଏଠାକାର ବ୍ୟବସ୍ଥା ଉପରେ ସନ୍ତୁଷ୍ଟ ନଥାନ୍ତି । ଶ୍ରୀମନ୍ଦିରର ଯଦିଓ ପୂର୍ବଭଳି ସେବାୟତଙ୍କର ଆଧିପତ୍ୟ ନାହିଁ, ତଥାପି ଏବେବି ଭକ୍ତମାନେ କିଛି ସେବାୟତଙ୍କ ଦ୍ୱାରା ଶୋଷଣାର ଶିକାର ହେଉଥିବା ବେଳେ ନିର୍ଯାତନା ପାଉଥିବା ଅଭିଯୋଗ ହେଉଛି । ମହାପ୍ରସାଦ ପାଇବା ପାଇଁ ଭକ୍ତମାନେ ବ୍ୟାକୁଳ ହୋଇଯାଉଥିବା ବେଳେ ଏହାର ସୁଯୋଗ ନେଇ ସେବାୟତମାନେ ଠକି ଚାଲିଥାନ୍ତି ।

ଆନନ୍ଦ ବଜାରରେ ହକର୍‌

ଆନନ୍ଦ ବଜାରରେ ହକର୍ ମାଧ୍ୟମରେ ମହାପ୍ରସାଦ ବିକ୍ରୀ ଚାଲିଛି । ଶ୍ରୀମନ୍ଦିର ସ୍କ୍ୱାର୍ଡ ହେଉଛି ପ୍ରଶାସନିକ ଅଧିକାରୀ ହୁଆନ୍ତୁ, ଏହି ହକର୍‌ମାନଙ୍କୁ ହଟାଇ ପାରୁ ନାହାନ୍ତି । ହକର୍‌ମାନଙ୍କୁ ସୁଆରମାନେ ପ୍ରେତ୍ସାହନ ଦେଉଛନ୍ତି । କାରଣ ସେମାନେ ହକର୍‌ଙ୍କ ମାଧ୍ୟମରେ ମହାପ୍ରସାଦ ବିକ୍ରୀ କଲେ ଅଧିକ ଲାଭ ପାଇପାରିବେ । ସୁଆରମାନେ ଯଦି ସିଧାସଳଖ ଭକ୍ତଙ୍କୁ ମହାପ୍ରସାଦ ବିକ୍ରି କରନ୍ତି, ତା’ହେଲେ ଅଭିଯୋଗ ହେଲେ ସମସ୍ୟା ଦେଖାଯାଇପାରେ । ସେମାନଙ୍କୁ କାର୍ଯ୍ୟାନୁଷ୍ଠାନର ଶିକାର ମଧ୍ୟ ହେବାକୁ ପଡ଼ିପାରେ ।

Share the article

LEAVE A REPLY