କରୋନା ଭାଇରସ୍ ସଂକ୍ରମଣ ବଢ଼ାଉଛି ସଂକଟ

0
86

ଭୁବନେଶ୍ୱର: ପୂର୍ବରୁ ଯାହା ଅନୁମାନ କରାଯାଉଥିଲା, ତାହା ହେଉଛି । ରାଜ୍ୟ ସରକାର ଲକଡାଉନ୍ କଟକଣାକୁ ଆଗାମୀ ଜୁନ୍ ମାସ ୧ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଲକ୍‌ଡାଉନ୍ ବୃଦ୍ଧି ନେଇ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ନୂଆ ଗାଇଡଲାଇନ୍‌ରେ କଟକଣାକୁ ଅଧିକ କଠୋର କରି ଦିଆଯାଇଛି । ଚଳିତ ମାସ ୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ସୋମବାର ଠାରୁ ଶୁକ୍ରବାର ଯାଏଁ ସକାଳ ୬ଟାରୁ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ କଟକଣାକୁ କୋହଳ କରାଯାଇଥିବା ବେଳେ ନୂଆ ମାର୍ଗ ଦର୍ଶିକାରେ ଦୈନିକ ୪ ଘଣ୍ଟା କୋହଳ ରହିଛି । ଲୋକେ ନିଜ ଘର ଠାରୁ ୫୦୦ ମିଟର ଦୂରରେ ଥିବା ପନିପରିବା ଏବଂ କିରାନା ଦୋକାନକୁ ପାଦରେ ଚାଲିଚାଲି ଯାଇପାରିବେ ।

ସେହିଭଳି ନୂଆ କଟକଣା ଅନୁସାରେ ଲୋକେ ବିବାହ ଉତ୍ସବରେ ୫୦ ଜଣ ବି ଯୋଗଦେଇପାରିବେ ନାହିଁ । ଏଥର ବିବାହ କାର୍ଯ୍ୟକ୍ରମରେ କେବଳ ୨୫ ଜଣ ସାମିଲ ହୋଇପାରିବେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ବିବାହ ହେଉ କି ବ୍ରତ ଓ ଶୁଦ୍ଧିକ୍ରିୟାରେ ଭୋଜିଭାତ ହୋଇପାରିବ ନାହିଁ । ସେହିପରି ଯଦି କୌଣସି ଉତ୍ସବର ଆୟୋଜନ ହେଉଛି, ତା’ହେଲେ ସେଠାରେ ଖାଇବାର ବ୍ୟବସ୍ଥା ହୋଇପାରିବ ନାହିଁ । ଉତ୍ସବରେ ଯୋଗ ଦେଇଥିବା ଲୋକେ ପାର୍ସଲ ନେଇ ଘରକୁ ଯାଇପାରିବେ । ରାଜ୍ୟ ସରକାର କହିଛନ୍ତି ଯେ, ଶନିବାର ଓ ରବିବାର ସଟଡାଉନ୍ ଜାରି ରହିବ । ଏଥର ଲକ୍‌ଡାଉନ୍ ଓ ସଟ୍‌ଡାଉନ୍‌କୁ ଅଧିକ ତୀବ୍ର କରି ଦିଆଯିବ ।

ଜାତୀୟ ସ୍ତରରେ ହ୍ରାସ ପାଉଛି କରୋନା

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୬ ଦିନ ପରେ ମଙ୍ଗଳବାର ହ୍ରାସ ପାଇଛି । ବିଶେଷଜ୍ଞମାନଙ୍କ କହିବା ଅନୁସାରେ କରୋନାର ୨ୟ ଲହର ସଂକ୍ରମଣ ପିକ୍ ସ୍ତରରେ ପହଂଚି ସାରିଥିବା ଅନୁମାନ ହେଉଛି । ଅଳ୍ପ କିଛି ଦିନ ପୂର୍ବରୁ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷରୁ ଊର୍ଦ୍ଧ୍ୱ ଥିବା ବେଳେ ମଙ୍ଗଳବାର ଦିନ ୨ ଲକ୍ଷ ୮୧ ହଜାର ୩୮୬କୁ ଖସିଥିବା ନିଶ୍ଚିତ ଭାବେ ଏକ ଖୁସି ଖବର । ଆଗାମୀ ଦିନରେ ଏହା ଆହୁରି ହ୍ରାସ ପାଇବ ବୋଲି ପୂର୍ବାନୁମାନ କରାଯାଉଛି । କିନ୍ତୁ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ପାଉ ନଥିବାରୁ ଚିନ୍ତା ବଢ଼ିଛି । ଏବେବି ଦୈନିକ ମୃତ୍ୟୁ ୪୦୦୦ ହଜାର ଉପରେ ରହୁଛି ।

ରାଜ୍ୟରେ କରୋନା ସ୍ଥିତି ସ୍ଥିର

ଦେଶରେ ଯଦିଓ କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଉଛି, ରାଜ୍ୟ ସ୍ଥିତିରେ ପରିବର୍ତ୍ତନ ଆସୁନାହିଁ । ଦୈନିକ ସଂକ୍ରମଣ ୧୦ ହଜାର ଉପରେ ରହୁଥିବାରୁ ରାଜ୍ୟବାସୀଙ୍କର ଚିନ୍ତା ବଢ଼ିଯାଇଛି । ଏଥି ପାଇଁ ସରକାର ଉପାୟ ଶୂନ୍ୟ ହୋଇ ଲକ୍‌ଡାଉନ୍ କଟକଣାକୁ ଆହୁରି କଠୋର କରି ଦେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲଭ୍ ଅଗ୍ରୱାଲ କହିଛନ୍ତି ଯେ, ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଆସାମ, ପୁଡୁଚେରୀ, ପଶ୍ଚିମବଙ୍ଗ ଓ ନାଗାଲାଣ୍ଡରେ ସଂକ୍ରମଣ ହାର ସ୍ଥିର ରହିଛି । ସେ କହିଛନ୍ତି ଯେ, ଓଡ଼ିଶାରେ ଗତ ୫ରୁ ୧୧ ମଧ୍ୟରେ ପଜିଟିଭ ହାର ୨୪.୪ ପ୍ରତିଶତ ଥିବା ବେଳେ ୧୨ରୁ ୧୮ ତାରିଖ ମଧ୍ୟରେ ୨୩.୩ ପ୍ରତିଶତକୁ ହ୍ରାସ ପାଇଛି ।

ସଚେତନତା ଆବଶ୍ୟକ

କରୋନା ନେଇ ରାଜ୍ୟବାସୀଙ୍କ ଚିନ୍ତା ବଢ଼ିଛି । ମୁକାବିଲା ଲାଗି ସରକାର, ପ୍ରଶାସନ ଓ ବ୍ୟକ୍ତିଗତ ସ୍ତରରେ ଉଦ୍ୟମ ଚାଲିଛି । ରାଜ୍ୟରେ ଏବେ ସହରାଂଚଳ ଅପେକ୍ଷା ଗ୍ରାମାଂଚଳରେ ଅଧିକ ସଂକ୍ରମିତ ଲୋକ ଅଛନ୍ତି । ଗାଁଲୋକେ ଟେଷ୍ଟିଂକୁ ନେଇ ବହୁତ ଅବହେଳା ପ୍ରଦର୍ଶନ କରୁଛନ୍ତି । ଜ୍ୱରରେ ପୀଡ଼ିତ ଥିବା ଲୋକେ ସଂଗରୋଧରେ ରହିବାକୁ ଉଦ୍ୟମ କରୁ ନାହାନ୍ତି । ସରକାର କରୋନା ନେଇ ଯେଉଁ ଗାଇଡଲାଇନ୍ ପ୍ରସ୍ତୁତ କରିଛନ୍ତି, ଏହାରି ଉପରେ ସମସ୍ତେ ନଜର ରଖିଲେ ନିଶ୍ଚିତ ଭାବେ ସଂକ୍ରମଣ ନିୟନ୍ତ୍ରଣକୁ ଆସିପାରିବ ।

Share the article

LEAVE A REPLY