ସାବିତ୍ରୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ସତ୍ୟବାନ ଚିନ୍ତିତ

0
328

ଭୁବନେଶ୍ୱର: ପୂର୍ବ-ଭାରତର ଅନ୍ୟ ପର୍ବ ସାବିତ୍ରୀ ବ୍ରତ ଜୁନ ୧୦ରେ ପାଳନ ହେଉଛି । ଏଥି ପାଇଁ ସାବିତ୍ରୀମାନେ ନିଜକୁ କେମିତି ପ୍ରସ୍ତୁତି କରିବେ, ସେ ନେଇ ବ୍ୟସ୍ତ ଥିବା ବେଳେ ସତ୍ୟବାନ ମାନେ ମଧ୍ୟ ଚିନ୍ତିତ ଅଛନ୍ତି । ସତ୍ୟବାନମାନେ ଚିନ୍ତିତ ହେବାର କାରଣ ହେଲା ଯେ, କରୋନା ପାଇଁ ହୋଇଥିବା ଲକଡାଉନ ଓ ଆର୍ଥିକ ସମସ୍ୟା ଭିତରେ ସାବିତ୍ରୀଙ୍କୁ କେମିତି ସନ୍ତୁଷ୍ଟ କରିବେ । ଓଡ଼ିଶାରେ ଗତ ମାସ ୫ ତାରିଖ ଠାରୁ କରୋନା ଭାଇରସ୍ ମହାମାରୀ ପାଇଁ ଲକ୍‌ଡାଉନ ଆରମ୍ଭ ହୋଇଛି । ଏହା ଚଳିତ ମାସ ୧୯ ତାରିଖ ଯାଏଁ ଜାରି ରହିବ । କରୋନା ସଂକ୍ରମଣ ଜାରି ରହିଲେ ଏହା ଆଗକୁ ମଧ୍ୟ ବଢ଼ିପାରେ । ବର୍ତ୍ତମାନ ସ୍ଥିତିରେ ଲକ୍‌ଡାଉନ ଆହୁରି ୧୦ ଦିନ ଥିବା ବେଳେ, ଏହାରି ଭିତରେ ପାଳନ ହେଉଛି ସାବିତ୍ରୀ ବ୍ରତ । କିନ୍ତୁ ଲକଡାଉନ୍ ଥିବାରୁ ସାବିତ୍ରୀ ବ୍ରତ ପ୍ରଭାବିତ ହୋଇଛି ।

ଗରିବ ଓ ମଧ୍ୟମ ଧରଣରେ ବସବାସ କରୁଥିବା ଲୋକ କରୋନା ଲକ୍‌ଡାଉନ୍ ସମୟରେ ଆର୍ଥିକ କ୍ଷତି ସହ୍ୟ କରୁଛନ୍ତି । ଦରଦାମ ଯେଭଳି ଭାବରେ ବଢ଼ିଛି, ତାକୁ ନେଇ ଲୋକେ ଚିନ୍ତିତ ହୋଇପଡ଼ିଛନ୍ତି । ସାବିତ୍ରୀ ପାଇଁ ମୁଖ୍ୟ ଜିନିଷ ହେଲା ସାଢ଼ୀ ଓ ଫଳମୂଳ । ଫଳମୂଳ ଦର ଆକାଶଛୁଆଁ ହୋଇଛି । କଦଳୀ କିଲୋ ୫୦ ଟଙ୍କା, ତରଭୂଜ ୩୦ ଟଙ୍କା, ଆମ୍ବ ୪୦ରୁ ୭୦, ଲିଚୁ ୧୭୦ରୁ ୨୫୦ ଟଙ୍କା, ସେଓ ୨୪୦ରୁ ୨୮୦ ଟଙ୍କା, ଅଙ୍ଗୁର ୧୦୦ରୁ ୨୦୦ ଟଙ୍କା । ଅନ୍ୟ ଫଳ ଦର ମଧ୍ୟ ଅଧିକ ହୋଇଥିବାରୁ ପତ୍ନୀମାନଙ୍କୁ ସେମାନଙ୍କର ସ୍ୱାମୀମାନେ ସନ୍ତୁଷ୍ଟ କରିବା ସହଜ ନୁହେଁ ।

କ୍ଷତି ସହିଲେ କପଡ଼ା ବ୍ୟବସାୟୀ

ପ୍ରତିବର୍ଷ ସାବିତ୍ରୀ ଆସିଲେ କପଡ଼ା ଦୋକାନୀମାନେ ଭଲ ବ୍ୟବସାୟ କରୁଥିବାରୁ ସେମାନେ ଏଥର ଟିକେ ଚିନ୍ତାରେ ପଡ଼ିଯାଇଛନ୍ତି । ହେଲେ କିଛି ଦୋକାନୀ କରୋନା ଭାଇରସ୍‌ର ଭୟାବହତା ମଧ୍ୟରେ ଲୁଚାଛପାରେ କପଡ଼ା ବେପାର କରୁଛନ୍ତି । ଦୀର୍ଘ ଏକ ମାସରୁ ଅଧିକ ସମୟ ଲୁଗା ଦୋକାନ ଗୁଡ଼ିକ ବନ୍ଦ ରହିବା ପରେ ମାଲିକମାନେ ବ୍ୟସ୍ତ ହୋଇପଡ଼ିଛନ୍ତି । ସେଥି ପାଇଁ ଅନେକ ସ୍ଥାନରେ କିଛି ଦୋକାନୀମାନେ ଦୋକାନର ସଟର ଅଧା ପକାଇ ଗ୍ରାହକମାନଙ୍କୁ ଭିତରକୁ ନେଇ ବ୍ୟବସାୟ କରୁଥିବା ଦୃଷ୍ଟିଗୋଚର ହେଉଛି । ସାବିତ୍ରୀ ସମୟରେ ଦୋକାନ ଖୋଲିବା ପାଇଁ ଲୋକେ ମଧ୍ୟ ଅନେକାଂଶରେ ଦାୟୀ । କାରଣ ଲୋକେ କରୋନା ନେଇ ସଚେତନ ହେଲେ ଦୋକାନ ଆଉ ଖୋଲି ପାରନ୍ତା ନାହିଁ । ସେହିପରି ପୋଲିସ ଓ ପ୍ରଶାସନ ମଧ୍ୟ ମଜବୁତ ହେଲେ ଲୁଗା ଦୋକାନ ସଂପୂର୍ଣ୍ଣ ବନ୍ଦ କରାଯାଇ ପାରିବ ।

ଲକ୍‌ଡାଉନରେ କପଡ଼ା ଦୋକାନ ଖୋଲା

ସାବିତ୍ରୀ ବ୍ରତ ପୂର୍ବରୁ ରାଜ୍ୟର କିଛି ସ୍ଥାନରେ କପଡ଼ା ଦୋକାନ ସିଲ ହୋଇଛି । ଅମାନିଆ ହୋଇ ଦୋକାନ ଖୋଲିଥିବାରୁ ମାଲିକ ମାନଙ୍କୁ ଜରିମାନା ଦେବାକୁ ପଡ଼ିଛି । ଏପରିକି କିଛି ଦୋକାନୀଙ୍କୁ ଲକ୍ଷାଧିକ ଟଙ୍କାର ଜରିମାନ ମଧ୍ୟ ଦେବାକୁ ପଡୁଛି । କରୋନା ସମୟରେ ଅମାନିଆ ହେବାରୁ ଦୋକାନୀମାନଙ୍କୁ ଏହାର ଫଳ ମିଳୁଛି । କାରଣ ସେମାନେ କପଡ଼ା ବିକ୍ରି କରି ଯେତିକି ଲାଭ କରୁ ନାହାନ୍ତି, ତା’ଠାରୁ ଅଧିକ ଟଙ୍କା ଜରିମାନା ଆକାରରେ ଦେଉଛନ୍ତି । ଗତ ୬ ତାରିଖରେ ଜଗତସିଂହପୁର ପୌର ଅଧିକାରୀ ଓ ତାଙ୍କ ଟିମ୍ ସହରର ତିନୋଟି ଲୁଗା ଦୋକାନ ‘ଅଭିରାମ କ୍ଲଥ୍ ଷ୍ଟୋରରୁ ୬୦ ହଜାର, ଜୟ ଶ୍ରୀ ରାମ କ୍ଲଥ୍ ଷ୍ଟୋରରୁ ୬୦ ହଜାର ଏବଂ ଜୟ ହନୁମାନ କ୍ଲଥ୍ ଷ୍ଟୋରରୁ ୫୦ ହଜାର ଟଙ୍କା ଜରିମାନା ଆଦାୟ କରିଥିଲେ । ସେହିଭଳି ରାଜ୍ୟ ଅନ୍ୟ ସ୍ଥାନରେ ଲକଡାଉନ କଟକଣା ନମାନି ଦୋକାନୀମାନେ ଜରିମାନା ଦେଇଛନ୍ତି । ରାଉରକେଲା, ନବରଂଗପୁର ଓ କେନ୍ଦୁଝର ଜିଲ୍ଲାରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛି ସ୍ଥାନୀୟ ପ୍ରଶାସନ । କିନ୍ତୁ ଅନେକ ସ୍ଥାନରେ ଦୋକାନୀମାନେ ପ୍ରଶାସନ ଓ ପୋଲିସର କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତି ଯାଉଥିବା ଦୃଷ୍ଟିଗୋଚର ହେଉଛନ୍ତି । ଛୋଟ ସହର ଓ ବଡ଼ ସହରର ଗଳିକନ୍ଦି ଅଂଚଳରେ ସାବିତ୍ରୀ ପାଇଁ ଦୋକାନ ଖୋଲା ରହୁଛି ।

ଯାଜପୁରରେ ମନ୍ଦିର ପରିସରରେ ୧୪୪ ଧାରା

ସାବିତ୍ରୀ ବ୍ରତ ସମୟରେ ଯାଜପୁର ଜିଲ୍ଲାର କିଛି ମୁଖ୍ୟ ମନ୍ଦିରରେ ବ୍ରତଧାରୀଙ୍କ ଭିଡ଼କୁ ଲକ୍ଷ୍ୟ ରଖି ୧୪୪ ଧାରା ଜାରି କରାଯାଇଛି । ଯାଜପୁର ତହସିଲ ଅନ୍ତର୍ଗତ ରାଜ୍ୟର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜା, ଯାଉଁଳି ବନ୍ଧସ୍ଥିତ ମା’ ମଙ୍ଗଳା, ଜଗନ୍ନାଥ ମନ୍ଦିର, ବରାହ ମନ୍ଦିର ଓ ରାମ ମନ୍ଦିରରେ ୯ ତାରିଖ ରାତି ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ଧାରା ୧୪୪ ଜାରି ହୋଇଛି । ଯାଜପୁର ବ୍ୟତୀତ ରାଜ୍ୟର ଅନ୍ୟ ସ୍ଥାନରେ ସାବିତ୍ରୀ ବ୍ରତ ସମୟରେ ଭିଡ ରହୁଥିବା ଦେବାଳୟମାନଙ୍କରେ ପ୍ରଶାସନ ଓ ପୋଲିସ ନଜର ରଖିବ ।

Share the article

LEAVE A REPLY