ବିଳମ୍ବ ହେଉଛି ପିଲାଙ୍କ ପରୀକ୍ଷା-ଫଳାଫଳ, ଚିନ୍ତାରେ ଅଭିଭାବକ

0
309

ଭୁବନେଶ୍ୱର: କରୋନା ଭାଇରସ ମହାମାରୀ ଲାଗି ଶିକ୍ଷାବର୍ଷ ୨୦୨୦-୨୧ରେ ହେବାକୁ ଥିବା ଅଧିକାଂଶ ଶ୍ରେଣୀର ବାର୍ଷିକ ପରୀକ୍ଷାଗୁଡ଼ିକ ଅନୁଷ୍ଠିତ ହୋଇପାରିଲା ନାହିଁ । ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ବିନା ପରୀକ୍ଷାରେ ପାସ କରିଗଲେ । ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀ ମଧ୍ୟ ପରୀକ୍ଷା ନଦେଇ ଦ୍ୱାଦଶ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇଗଲେ । ଦଶମ ଶ୍ରେଣୀ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା କରିବା ପାଇଁ ଶିକ୍ଷା ବିଭାଗ ଉଦ୍ୟମ କରିଥିଲା । କିନ୍ତୁ କରୋନା ସଂକ୍ରମଣ ମାର୍ଚ୍ଚ ମାସରେ ଅଚାନକ ବଢ଼ିବାର ଶେଷର ପରୀକ୍ଷା ବାତିଲ କରିବାକୁ ପଡ଼ିଥିଲା ।

ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ କରିବା ପରେ ସରକାର ବିକଳ୍ପ ମାଧ୍ୟମ ଖୋଜିଲେ । ଦଶମ ଶ୍ରେଣୀର ଫଳାଫଳ ବାହାର କରିବା ପାଇଁ ଟେଷ୍ଟ ପରୀକ୍ଷା ଓ ଅନ୍ୟ ପରୀକ୍ଷାର ପ୍ରଦର୍ଶନକୁ ସାମିଲ କରିଛନ୍ତି । ସେହିପରି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଦଶମ ଶ୍ରେଣୀର ପ୍ରଦର୍ଶନ ଆଧାରରେ ବାହାରିବ । ମାଟ୍ରିକ ଫଳାଫଳ ବାହାରିବାକୁ ଆହୁରି କିଛି ଦିନ ବାକି ଅଛି । ସେହିପରି ଦ୍ୱାଦଶ ଶ୍ରେଣୀର ଫଳାଫଳ ଅଗଷ୍ଟ ୨ୟ ସପ୍ତାହରେ ବାହାରିବ ବୋଲି ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଫଳାଫଳ ଆସିବା ବିଳମ୍ବ ହେଉଥିବାରୁ ଦିନକୁ ଦିନ ଅଭିଭାବକଙ୍କ ଚିନ୍ତା ବଢ଼ିବାରେ ଲାଗିଛି । ନିଜ ପିଲାମାନଙ୍କୁ କେଉଁ ବିଭାଗରେ ପଢ଼ାଇବେ ଏବଂ ସେମାନଙ୍କ ଶିକ୍ଷା ଭବିଷ୍ୟତ କିପରି ଗଢ଼ିବେ ସେଥିପାଇଁ ଚିନ୍ତା କରୁଛନ୍ତି ।

ଦ୍ୱନ୍ଦ୍ୱ ଓ ଚିନ୍ତା ଭିତରେ ଅଭିଭାବକ

ଯୁକ୍ତ ୨ କଳାରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକ ଦ୍ୱନ୍ଦ୍ୱରେ ରହୁଛନ୍ତି ଯେ, ସେମାନେ ନିଜର ପିଲାକୁ କେଉଁ ‘ସମ୍ମାନ’ରେ ପାଠ ପଢ଼ାଇବେ । ସିଟି ପଢ଼ାଇବା ପାଇଁ ଆବଶ୍ୟକ ମାର୍କ ଆସିବ କି ନାହିଁ । ବିଜ୍ଞାନ ବିଷୟରେ ଅଧ୍ୟୟନ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟ ସମାନ ଅବସ୍ଥା । ମେଡିକାଲ ଓ ଇଂଜିନିୟରିଂ ବିଷୟରେ କ୍ୟାରିୟର କରିବାକୁ ଚାହୁଁଥିବା ପିଲାମାନେ ମଧ୍ୟ ଦ୍ୱନ୍ଦ୍ୱରେ ପଡ଼ିଯାଇଛନ୍ତି । କାରଣ ପରୀକ୍ଷା ହୋଇଥିଲେ, ସେମାନେ ନିଜର ଦକ୍ଷତା ଜାଣିପାରିଥାନ୍ତେ । ଅନ୍ୟପଟରେ ଯୁକ୍ତ ୨ ପରୀକ୍ଷା ଫଳ ଅଗଷ୍ଟ ୨ୟ ସପ୍ତାହରେ ଆସୁଥିବାରୁ ଅନେକ ଗୁଡ଼ିଏ ଜାତୀୟ ସ୍ତରୀୟ ପରୀକ୍ଷା ଶେଷ ହୋଇସାରିଥିବା ତେଣୁ ପିଲାମାନଙ୍କର ଅଭିଭାବକ ଚିନ୍ତିତ ହେବା ସ୍ୱାଭାବିକ ।

ଅଗଷ୍ଟ ୨ୟ ସପ୍ତାହରେ ଯୁକ୍ତ ୨ ଫଳାଫଳ

ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ ଫଳାଫଳ ଆସନ୍ତା ଅଗଷ୍ଟ ମାସ ୨ୟ ସପ୍ତାହରେ ପ୍ରକାଶ ପାଇବ । ଏନେଇ ଶୁକ୍ରବାର ବିଦ୍ଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଚଳିତ ବର୍ଷ ଯୁକ୍ତ ୨ ପରୀକ୍ଷା ହୋଇ ପାରି ନଥିବାରୁ ୧୦ମ ଶ୍ରେଣୀ ପରୀକ୍ଷାରେ ପ୍ରଦର୍ଶନକୁ ଆଧାର କରି ଫଳ ବାହାର କରାଯିବ । ଛାତ୍ରଛାତ୍ରୀମାନେ ଦଶମ ଶ୍ରେଣୀ ପରୀକ୍ଷା ପ୍ରଦର୍ଶନ ଅନୁସାରେ ମାର୍କ ପାଇିବେ । ବିଜ୍ଞପ୍ତିରେ କୁହାଯାଇଛି ଯେ, ଯେଉଁ ପିଲାମାନେ ଫଳାଫଳରେ ଅସନ୍ତୁଷ୍ଟ ହେବେ, ସେମାନେ ଆଉ ଥରେ ଅଫଲାଇନ ମାଧ୍ୟମରେ ପରୀକ୍ଷା ଦେଇପାରିବେ । କରୋନା ଭାଇରସ ସଂକ୍ରମଣର ସ୍ଥିତି ସୁଧୁରିବା ପରେ ଅଫ୍‌ଲାଇନ୍‌ରେ ପରୀକ୍ଷା କରାଯିବ । ପରୀକ୍ଷା ହେବାର ନିର୍ଦ୍ଧାରିତ ଦିନ ପୂର୍ବରୁ ସିଏଚଏସଇର ୱେବସାଇଟରେ ବିଜ୍ଞପ୍ତି ପ୍ରକାଶ ପାଇବ ।

ଅନ୍‌ଲାଇନ୍‌ରେ ୟୁଜି/ପିଜି ପରୀକ୍ଷା

କରୋନା ଭାଇରସ ପାଇଁ ଶିକ୍ଷା ବର୍ଷ ୨୦୨୦-୨୧ର ସ୍ନାତକ ଓ ସ୍ନାତୋକତ୍ତର ଛାତ୍ରଛାତ୍ରୀମାନେ ସେମିଷ୍ଟର ପରୀକ୍ଷା ଦେଇପାରି ନାହାନ୍ତି । ସ୍ନାତକ ଓ ସ୍ନାତକୋତ୍ତର ଶେଷ ବର୍ଷର ଛାତ୍ରଛାତ୍ରୀ ଅନ୍‌ଲାଇନରେ ପରୀକ୍ଷେ ଦେବେ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି । କୁଳପତିଙ୍କ ସମ୍ମିଳନୀରେ ପରୀକ୍ଷା ନେଇ ନିଷ୍ପତ୍ତି ହେବା ପରେ ଯେଉଁ ଘରେ ଅନଲାଇନ ପରୀକ୍ଷା ପାଇଁ ସୁବିଧା ନଥିଲେ ନିକଟ ଡିଗ୍ରୀ କଲେଜରେ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ । ଯେଉଁମାନଙ୍କର ପୂର୍ବ ପରୀକ୍ଷାରେ ବ୍ୟାକ ରହିଛି, ସେମାନେ ମଧ୍ୟ ଅନ୍‌ଲାଇନରେ ପରୀକ୍ଷା ଦେବେ । କିନ୍ତୁ ପରୀକ୍ଷାର ତାରିଖ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂସାଶିତ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ନିର୍ଦ୍ଧାରଣ କରିବ ।

Share the article

LEAVE A REPLY