ୟୁଟ୍ୟୁବ୍‌ରେ ପାଠପଢ଼ା: ଗରିବ ପିଲା ପଢ଼ିବେ କେମିତି?

0
273

ଭୁବନେଶ୍ୱର: କରୋନା ଭାଇରସ ମହାମାରୀ ସମଗ୍ର ବିଶ୍ୱବାସୀଙ୍କୁ କଲବଲ କରୁଛି । ସଂକ୍ରମଣ ବ୍ୟାପିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ବେପାର-ବାଣିଜ୍ୟ, ଶିକ୍ଷା, ବ୍ୟକ୍ତିଗତ ବୃତ୍ତି ଆଦି ପ୍ରଭାବିତ ହୋଇଛି । କରୋନା ଯୋଗୁଁ ୨୦୨୦ ମାର୍ଚ୍ଚ ୧୭ ତାରିଖ ଠାରୁ ପ୍ରଥମର ଅଷ୍ଟମ ଶ୍ରେଣୀ ଯାଏଁ ରାଜ୍ୟରେ ଅଫ୍‌ଲାଇନ୍‌ରେ ପାଠପଢ଼ା ହୋଇପାରି ନାହିଁ । ଗତ ଜାନୁଆରୀ ପ୍ରଥମ ସପ୍ତାହ ଠାରୁ ମାର୍ଚ୍ଚ ମଧ୍ୟରେ ନବମ ଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ପ୍ରାୟ ୩ ମାସ ପର୍ଯ୍ୟନ୍ତ ହୋଇଥିଲା । ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ପାଠ ପଢ଼ୁଛନ୍ତି । ରାଜ୍ୟ ସରକାର ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ଶେଷ ସେମିଷ୍ଟାର ପରୀକ୍ଷା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ଗତ ଶିକ୍ଷା ବର୍ଷରେ ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ପିଲାମାନେ ବାର୍ଷିକ ପରୀକ୍ଷା ଦେଇପାରିଲେ ନାହିଁ । ଏହି ଶ୍ରେଣୀଗୁଡ଼ିକରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀମାନେ ବିନା ପରୀକ୍ଷାରେ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତିର୍ଣ୍ଣ ହୋଇଗଲେ । ଶିକ୍ଷା ବର୍ଷ ୨୦୨୧-୨୨ ପ୍ରାୟ ୩ ମାସ ଅତିକ୍ରାନ୍ତ କରିସାରିଛି । କିନ୍ତୁ ଅଫଲାଇନରେ କ୍ଲାସ ସମ୍ଭବ ହୋଇପାରିଲା ନାହିଁ । କରୋନା ଭାଇରସ ଯୋଗୁଁ ଅଫ୍‌ଲାଇନ୍‌ରେ କ୍ଲାସ ହୋଇପାରୁ ନଥିବାରୁ ରାଜ୍ୟ ସରକାର ଏବେ ପ୍ରଥମରୁ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ୟୁଟ୍ୟୁବ ମାଧ୍ୟବରେ ପାଠ ପଢ଼ାଉଛନ୍ତି । ଏହା ଚଳିତ ଜୁନ ମାସ ୨୧ ତାରିଖ ଠାରୁ ଆରମ୍ଭ ହୋଇଯାଇଛି ।

ପ୍ରଥମରୁ ଦଶମ ଛାତ୍ରୀ ୮୦ ଲକ୍ଷ!

ରାଜ୍ୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଖାପାଖି ୮୦ ଲକ୍ଷ ପିଲା ପାଠ ପଢୁଛନ୍ତି । କିନ୍ତୁ ପ୍ରଥମ ଦିନରେ ପ୍ରାୟ ୭ ଲକ୍ଷ ପିଲା ୟୁଟ୍ୟୁବ ମାଧ୍ୟମରେ ପାଠ ପଢ଼ିଛନ୍ତି । ନବମ ଓ ଦଶମ ଶ୍ରେଣୀର ପିଲାମାନେ ୟୁଟ୍ୟୁବ କ୍ଲାସରେ ଅଧିକ ଜଡ଼ିତ ହୋଇଥିଲେ । ଏହି ୨ଟି ଶ୍ରେଣୀର ପ୍ରାୟ ୪ ଲକ୍ଷ ଛାତ୍ରଛାତ୍ରୀ ପାଠ ପଢ଼ିଥିବା ବେଳେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ସଂଖ୍ୟା ପ୍ରାୟ ୩ ଲକ୍ଷ ଥିଲା । ପ୍ରଥମ ଦିନ ତୁଳନାରେ ଦ୍ୱିତୀୟ ଦିନ ଅଧିକ ପିଲା ୟୁଟ୍ୟୁବ ମାଧ୍ୟମରେ କ୍ଲାସ କରିଥିବା ଅନୁମାନ କରାଯାଉଛି ।

ପିଲାଙ୍କ ପାଖରେ ନାହିଁ ସ୍ମାର୍ଟଫୋନ

ୟୁଟ୍ୟୁବ ମାଧ୍ୟମରେ କ୍ଲାସ କରିବା ଅନେକ ପିଲାଙ୍କୁ ଅସୁବିଧା ହୋଇଥିବାରୁ ସେମାନେ ଏଥିରୁ ବଂଚିତ ହୋଇଛନ୍ତି । ୟୁଟ୍ୟୁବ ମାଧ୍ୟମରେ କ୍ଲାସ କରିବା ପାଇଁ ପ୍ରଥମତଃ ସ୍ମାର୍ଟଫୋନ୍‌ର ଆବଶ୍ୟକତା ଅଛି, ଯାହାକି ପ୍ରତ୍ୟେକ ପରିବାରରେ ନାହିଁ । ଯେଉଁ ପରିବାରରେ ଏହା ଅଛି, ତାହା ଗୋଟିଏ ବା ଦୁଇଟି । ଧରାଯାଉ ଗୋଟିଏ ପରିବାରରେ ୨ଟି ପିଲା ଅଛନ୍ତି ଓ ଘରେ ଗୋଟିଏ ସ୍ମାର୍ଟ ଫୋନ ଅଛି, ୟୁଟ୍ୟୁବ୍‌ରେ କ୍ଲାସ କରିବ କିଏ? ଅସୁବିଧା କେବଳ ସେତିକିରେ ଅଟକି ନାହିଁ, ଗୋଟିଏ ଶ୍ରେଣୀରେ ଦିନକୁ ୪ଟି କ୍ଲାସ ହେଉଛି, ଯେଉଁଥି ପାଇଁ କି ମୋବାଇଲ ଇଣ୍ଟରନେଟ୍ ଡାଟା ୧ଜିବିରୁ ଅଧିକ ଦରକାର । ତେଣୁ ଲୋକଙ୍କୁ ଗୋଟିଏ ପିଲାର କ୍ଲାସ ପାଇଁ ଏକ ସ୍ମାର୍ଟଫୋନ ସହିତ ଦୈନିକ ୧ରୁ ଅଧିକ ଜିବି ଇଣ୍ଟରନେଟ ଡାଟା ଦରକାର ପଡୁଛି । ଅନ୍ୟପଟରେ ସ୍ମାର୍ଟଫୋନ ନଥିବାର ପରିବାର ଏହା କିଣିବାକୁ ଅତି କମରେ ୮ ହଜାର ଟଙ୍କା ଦରକାର । କରୋନା ପାଇଁ ଲୋକଙ୍କର ଆର୍ଥିକ ସ୍ଥିତି ଖରାପ ଥିବା ବେଳେ ପିଲାଙ୍କ ପାଇଁ ଏତେ ଟଙ୍କା ଖର୍ଚ୍ଚ କରି କେଉଁଠୁ ମୋବାଇଲ ଆଣିବେ ।

ଭିତ୍ତିଭୂମିର ଅଭାବ

ଅନ୍‌ଲାଇନ୍ ମାଧ୍ୟମରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଶିକ୍ଷାଦାନ କରିବା ରାଜ୍ୟ ସରକାରଙ୍କ ଏକ ଭଲ ପଦକ୍ଷେପ । ୟୁଟ୍ୟୁବ ଜରିଆରେ ପିଲାମାନଙ୍କୁ ଭଲ ସୁଦକ୍ଷ ଶିକ୍ଷକଙ୍କ ଦ୍ୱାରା ଶିକ୍ଷା ଦିଆଯାଉଛି । ଭଲ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହି ମାଧ୍ୟମର କ୍ଲାସ ସୁବିଧା ହେଉଛି । କିନ୍ତୁ ଅପେକ୍ଷା କୃତ କମ ପ୍ରଦର୍ଶନ କରୁଥିବା ପିଲାମାନେ ସିଧାସଳଖ ଶିକ୍ଷକଙ୍କ ଦ୍ୱାରା ନିଜର ସମସ୍ୟାକୁ ଉପସ୍ଥାପିତ କରିପାରୁ ନାହାନ୍ତି । ଅନ୍ୟପଟରେ ରାଜ୍ୟର ଅଧିକ ପରିବାରରେ ଅନ୍‌ଲାଇନ କ୍ଲାସ ପାଇଁ ଆବଶ୍ୟକ ଭିତ୍ତିଭୂମି ନାହିଁ । ତେଣୁ କ୍ଲାସ ପ୍ରଭାବିତ ହେଉଛି ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି ।

୮୦% ପିଲା କ୍ଲାସ କରିଛନ୍ତି: ମନ୍ତ୍ରୀ

ୟୁଟ୍ୟୁବ ଜରିଆରେ କ୍ଲାସ କାର୍ଯ୍ୟକ୍ରମକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଶୁଭାରମ୍ଭ କରିଥିଲେ । ସେ କହିଥିଲେ ଯେ, ରାଜ୍ୟର ୭୦ରୁ ୮୦ ପ୍ରତିଶତ ପିଲା ୟୁଟ୍ୟୁବ ମାଧ୍ୟମରେ କ୍ଲାସ କରିଛନ୍ତି । ମୋବାଇଲ ନେଟୱାର୍କ ଓ ଅନ୍ୟ ଅସୁବିଧା ଯୋଗୁଁ ଆଦିବାସୀ ଓ ଦୁର୍ଗମ ଅଂଚଳର ପିଲାମାନେ କମ ସାମିଲ ହୋଇଛନ୍ତି । ଜୁଲାଇ ଶେଷ ପର୍ଯ୍ୟନ୍ତ ଏଭଳି କ୍ଲାସ ଜାରି ରଖିବା ପାଇଁ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛି ।

Share the article

LEAVE A REPLY