କୋଭିଡ-୧୯ କଟକଣା ଭିତରେ ଦେବସ୍ନାନ ପୂର୍ଣ୍ଣିମା

0
214

ଭୁବନେଶ୍ୱର: କୋଭିଡ-୧୯ କଟକଣା ମଧ୍ୟରେ ସମଗ୍ର ରାଜ୍ୟରେ ଥିବା ଜଗନ୍ନାଥ ମନ୍ଦିର ଗୁଡ଼ିକରେ ଦେବସ୍ନାନ ପୂର୍ଣ୍ଣିମା ପାଳନ ହୋଇଛି । କେବଳ ମନ୍ଦିରର ସେବାୟତମାନଙ୍କୁ ନେଇ ନୀତିକାନ୍ତି ସଂପନ୍ନ କରାଯାଇଛି । ଦେବସ୍ନାନ ପୂର୍ଣ୍ଣିମା ସହ ସାଧାରଣ ଭକ୍ତମାନେ ଗଜାନନ ବେଶ ଦେଖିବାରୁ ବଂଚିତ ହୋଇଛନ୍ତି । ମାତ୍ର ଜଗନ୍ନାଥପ୍ରେମୀମାନେ ଟେଲିଭିଜନ ମାଧ୍ୟମରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ଦେଖିପାରିଛନ୍ତି । ରାଜ୍ୟ ସରକାର ଦେବସ୍ନାନ ପୂର୍ଣ୍ଣିମା କେବଳ ସେବାୟତଙ୍କୁ ନେଇ ପାଳନ କରାଯିବା ନେଇ ପୂର୍ବରୁ ମାର୍ଗଦର୍ଶିକା ଜାରି କରିଥିଲେ । ସେହି ଆଧାରରେ ମନ୍ଦିର ଭିତରକୁ ଭକ୍ତଙ୍କୁ ବାରଣ ହୋଇଛି । ରାଜ୍ୟର ଏକାଧିକ ମନ୍ଦିର ଓ ମନ୍ଦିର ବାହାରେ ସ୍ନାନଯାତ୍ର ପାଇଁ ୧୪୪ ଧାରା ଜାରି କରାଯାଇଛି ।

କରୋନା ଭାଇରସ ମହାମାରୀ ଯୋଗୁଁ ଗତବର୍ଷ ଭଳି ଏଥର ମଧ୍ୟ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଯାଇଛି । ମହାପ୍ରଭୁଙ୍କର ଏହି ବାର୍ଷିକ ପର୍ବରେ କେବଳ ସେବାୟତ ଓ ପୂଜକମାନେ ନିୟୋଜିତ ହୋଇଛନ୍ତି । ଶ୍ରୀକ୍ଷେତ୍ର ପୁରୀରେ କଡ଼ା କଟକଣା ମଧ୍ୟରେ ଶ୍ରୀଜିଉଙ୍କର ସ୍ନାନଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ରାଜ୍ୟର ଅନ୍ୟ ସ୍ଥାନରେ ମଧ୍ୟ ସମାନ ଅବସ୍ଥା । ରାଜ୍ୟର ଜଣାଶୁଣା ତଥା ଲୋକପ୍ରିୟ ଜଗନ୍ନାଥ ମନ୍ଦିର ଗୁଡ଼ିକରେ ପୋଲିସ ମୁତୟନ କରାଯାଇଥିଲା । ପୁରୀ ବ୍ୟତୀତ କେନ୍ଦ୍ରାପଡ଼ାସ୍ଥିତ ବଳଦେବଜିଉ ମନ୍ଦିର ଓ ରଥଦାଣ୍ଡରେ ୧୪୪ ଧାରା ଜାରି କରାଯାଇଥିଲା । ସେହିପରି ୨ୟ ଶ୍ରୀକ୍ଷେତ୍ର ବାରିପଦାରେ ମଧ୍ୟ ୧୪୪ ଧାରା ଜାରି କରି ସ୍ନାନଯାତ୍ରା ନୀତି ଅନୁଷ୍ଠିତ ହୋଇଥିଲା ।

ଭକ୍ତ ଶୂନ୍ୟ ଶ୍ରୀକ୍ଷେତ୍ର

ପ୍ରତିବର୍ଷ ଦେବସ୍ନାନ ପୂର୍ଣ୍ଣିମା ଦିନ ଶ୍ରୀକ୍ଷେତ୍ର (ପୁରୀ)ରେ ଲୋକାରଣ୍ୟ ହୋଇଥାଏ । ଲକ୍ଷାଧିକ ଭକ୍ତ ଶ୍ରୀମନ୍ଦିର ନିକଟସ୍ଥ କୋଠା ଓ ବଡ଼ଦାଣ୍ଡରେ ଭିଡ ଲାଗିଥାଏ । ହରିବୋଲ-ହୁଳହୁଳିରେ ଚାରିଆଡ଼ କମ୍ପିଉଠିଥାଏ । ଏଥର କିନ୍ତୁ ବଡ଼ଦାଣ୍ଡ ଫିକାଫିକା ଲାଗିଛି । ୧୪୪ ଧାରା ଲଗାଇ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଛି । ମହାପ୍ରଭୁଙ୍କ ସ୍ନାନଯାତ୍ରା ଦେଖିବା ପାଇଁ ଭକ୍ତମାନେ ବ୍ୟସ୍ତ ହୋଇପଡ଼ିଥାନ୍ତି । ଗରମରୁ ସାମାନ୍ୟ ଆଶ୍ୱସ୍ତି ପାଇବା ପାଇଁ ବାହାର ରାଜ୍ୟର ଶ୍ରଦ୍ଧାଳୁ ମଧ୍ୟ ପୁରୀକୁ ଆସିଥାନ୍ତି । ଚଳିତ ଥର ସେହି ଅନୁଭୂତି ନାହିଁ । ସମୁଦ୍ରର ବେଳାଭୂମିରେ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ ରହିଥାନ୍ତା । ହୋଟେଲ ଓ ଅନ୍ୟ ବ୍ୟବସାୟୀ ଦି ପଇସା ରୋଜଗାର କରିଥାନ୍ତେ । ଏସବୁ ସ୍ୱପ୍ନ ଧୂଳିସାତ୍ ହୋଇଯାଇଛି ।

ଜୁଲାଇରେ ରଥଯାତ୍ରା, ପୁଣି କଟକଣା

ଆସନ୍ତା ଜୁଲାଇ ୧୨ ତାରିଖରେ ଶ୍ରୀଗୁଣ୍ଡିଚା ରଥଯାତ୍ରା ଆୟୋଜନ ହେବ । ଜଗନ୍ନାଥ ରଥଯାତ୍ରା କେବଳ ପୁରୀରେ ଆୟୋଜନ ହେବ । ରାଜ୍ୟର ଅନ୍ୟ ସ୍ଥାନଗୁଡ଼ିକରେ ରଥଯାତ୍ରାର ଆୟୋଜନ ହୋଇପାରିବ ନାହି । କେବଳ ସୀମିତ ପୂଜକ ଓ ସେବାୟତଙ୍କୁ ନେଇ ମନ୍ଦିର ଭିତରେ ମହାପ୍ରଭୁଙ୍କର ନୀତିକାନ୍ତି ଅନୁଷ୍ଠିତ ହୋଇପାରିବ । କେନ୍ଦ୍ରାପଡ଼ାର ବଳଦେବଜିଉ, ବାରିପଦା, କୋରାପୁଟର ଶବର ଶ୍ରୀକ୍ଷେତ୍ର, ବରଗଡ଼ ଜିଲ୍ଲାର ଭଟ୍ଟଲି ସମେତ ରାଜ୍ୟର ଅନ୍ୟମନ୍ଦିର ଗୁଡ଼କରେ ମଧ୍ୟ ରଥ ଗଡ଼ିପାରିବ ନାହିଁ । ତେଣୁ ପୁଣି ଥରେ ଭକ୍ତଙ୍କୁ ନିରାଶ ହେବାକୁ ପଡ଼ିବ । କାରଣ ଭଗବାନ ଓ ଭକ୍ତଙ୍କ ମଧ୍ୟରେ ଅତି ନିକଟରୁ ମିଳନ ହୋଇପାରିବ ନାହିଁ । ଭକ୍ତ ମନରେ ଭଗବାନଙ୍କୁ ଡାକି ଆତ୍ମତୃପ୍ତି କରିବେ ।

Share the article

LEAVE A REPLY