ମାଟ୍ରିକ୍‌ରେ ରେକର୍ଡ ପାସ୍‌, ଗତବର୍ଷ ତୁଳନାରେ ୧୯.୧୩% ବୃଦ୍ଧି

0
346

ଭୁବନେଶ୍ୱର: କରୋନା ମହାମାରୀର ୨ୟ ଲହର ଯୋଗୁଁ ରାଜ୍ୟରେ ଶିକ୍ଷା ବର୍ଷ ୨୦୨୦-୨୧ ପାଇଁ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ଅଫ୍‌ଲାଇନ୍‌ରେ ପରୀକ୍ଷା ହୋଇପାରିଲା ନାହିଁ । ରାଜ୍ୟ ସରକାର ବାଧ୍ୟ ହୋଇ ବିକଳ୍ପ ବ୍ୟବସ୍ଥା ମାଧ୍ୟମରେ ଶୁକ୍ରବାର ମାଟ୍ରିକ୍ ରେଜଲ୍ଟ ବାହାର କରିଛନ୍ତି । ନବମ ଶ୍ରେଣୀର ପ୍ରଦର୍ଶନ ଆଧାରରେ ପିଲାମାନଙ୍କର ଫଳ ବାହାର କରାଯାଇଥିବାରୁ ଦଶମ ଶ୍ରେଣୀର ପିଲାମାନଙ୍କୁ ଫଳ ମିଳିଯାଇଛି । କରୋନା ଯୋଗୁଁ ମାଟ୍ରିକ ପିଲାମାନଙ୍କୁ ବାର୍ଷିକ ପରୀକ୍ଷା ଦେବାକୁ ପଡ଼ି ନାହିଁ ସତ, କିନ୍ତୁ ଫଳ କିଛି କମ ଆସିନାହିଁ । ବିନା ପରୀକ୍ଷାରେ ସ୍କୁଲ ଗୁଡ଼ିକ ମଧ୍ୟ ଭଲ ପ୍ରଦର୍ଶନ ଦେଖାଇଛନ୍ତି । ରାଜ୍ୟର ୫ହଜାର ୯୪୫ ସ୍କୁଲରେ ପାସ୍‌ହାର ଶତପ୍ରତିଶତ ହୋଇଛି ।

ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ମାଟ୍ରିକ ପରୀକ୍ଷା (ରେଗୁଲାର ଓ ଏକ୍ସ-ରେଗୁଲାଲ) ସହିତ ମଧ୍ୟମା ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ଫଳ ମଧ୍ୟ ଏକାସାଙ୍ଗରେ ପ୍ରକାଶ କରିଛି । ଚଳିତ ବର୍ଷ ୯୭.୮୯ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ପୂର୍ବରୁ ଏତେ ପ୍ରତିଶତ ପିଲା ପାସ୍ କରି ନଥିଲେ । ମୋଟ ୫ ଲକ୍ଷ ୬୨ ହଜାର ୧୦ ଜଣ ମାଟ୍ରିକ ପାସ୍ କରିଛନ୍ତି । ଅନ୍ୟପକ୍ଷରେ ଫେଲ ହୋଇଥିବା ପିଲାଙ୍କ ସଂଖ୍ୟା ୭ ହଜାର ୭୦୩ ଜଣ ।

ଆଗରେ ଝିଅ, ପଛରେ ପୁଅ

ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ପୁଅଙ୍କ ତୁଳନାରେ ଝିଅମାନେ ଭଲ ପ୍ରଦର୍ଶନ କରିଛନ୍ତି । ମୋଟ ୨ ଲକ୍ଷ ୮୧ ହଜାର ୬୫୮ ଛାତ୍ରୀ ପାସ୍ କରିଛନ୍ତି । ସେହିଭଳି ଛାତ୍ରଙ୍କ ପାସ ସଂଖ୍ୟା ୨ ଲକ୍ଷ ୮୦ ହଜାର ୩୫୨ ଜଣ । ଏଥିରେ ଏ-୧ରେ ୨ ହଜାର ୬୫୬, ଏ-୨ରେ ୨୨ ହଜାର ୧୩୧, ବି-୧ରେ ୫୨ ହଜାର ୨୯୯, ବି-୨ରେ ୯୪ ହଜାର ୪୭୫, ସି ଗ୍ରେଡରେ ୧ ଲକ୍ଷ ୩୭ ହଜାର ୧୪, ଡି ଗ୍ରେଡରେ ୧ ଲକ୍ଷ ୫୧ ହଜାର ୬୩୯, ଇ ଗ୍ରେଡରେ ୧ ଲକ୍ଷ ୧ ହଜାର ୭୯୬ ଓ ଏଫ ଗ୍ରେଡରେ ୭ ହଜାର ୭୦୩ ଜଣ ଛାତ୍ରଛାତ୍ରୀ ଅଛନ୍ତି ।

ଅସନ୍ତୁଷ୍ଟ ଛାତ୍ର ଦେବେ ପରୀକ୍ଷା

ମାଟ୍ରିକ ଫଳାଫଳ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ କହିଛନ୍ତି, ଯେଉଁ ଅସନ୍ତୁଷ୍ଟ ଛାତ୍ରଛାତ୍ରୀମାନେ ଅଫ୍‌ଲାଇନ୍‌ରେ ପରୀକ୍ଷା ଦେବାକୁ ଚାହିଁବେ, ସରକାର ତାଙ୍କ ପାଇଁ ବ୍ୟବସ୍ଥା କରୁଛନ୍ତି । ଆସନ୍ତା ଜୁଲାଇ ୫ ତାରିଖରେ ଫର୍ମ ଫିଲପ୍ କରାଯିବ । କରୋନା ଭାଇରସ ସ୍ଥିତି ଦେଖି ଏହା ପରେ ପରୀକ୍ଷା ପାଇଁ ତାରିଖ ସୂଚାଇ ଦିଆଯିବ ।

ପଶ୍ଚିମ ଓଡ଼ିଶାର ୭ ଜିଲ୍ଲାର ରେଜଲ୍ଟ ରାଜ୍ୟ ହାର ଠାରୁ କମ

ରାଜ୍ୟରେ ୯୭.୮୯ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଥିବା ବେଳେ ୧୩ଟି ଜିଲ୍ଲାର ପାସ୍ ପ୍ରତିଶତ ରାଜ୍ୟର ହାରାହାରୀ ଫଳାଫଳ ଠାରୁ କମ । ଏହି ଜିଲ୍ଲା ଗୁଡ଼ିକ ହେଲା କେନ୍ଦୁଝର, ମୟୂରଭଂଜ, ଗଜପତି, ବୌଦ୍ଧ କନ୍ଧମାଳ, କଳାହାଣ୍ଡି, ନୂଆପଡ଼ା, ବରଗଡ଼, ସମ୍ବଲପୁର, ବଲାଙ୍ଗୀର, ସୁବର୍ଣ୍ଣପୁର, କୋରାପୁଟ ଓ ମାଲକାନଗିରି । ଅର୍ଥାତ ଯେଉଁ ୧୩ଟି ଜିଲ୍ଲାର ଫଳାଫଳ ୯୭.୮୯ ପ୍ରତିଶତ ରହିଛି, ସେଥିରୁ ୭ଟି ଜିଲ୍ଲା ପଶ୍ଚିମ ଓଡ଼ିଶାରୁ ସାମିଲ ହୋଇଛି । ଏହି ଜିଲ୍ଲା ଗୁଡ଼ିକରେ ଶିକ୍ଷାଦାନ ବ୍ୟବସ୍ଥା ବାକି ଜିଲ୍ଲା ଗୁଡ଼ିକର ତୁଳନାରେ ନିମ୍ନମାନର ବୋଲି ସୂଚନାଉଛି ।

ପାସ ହାର ୧୯.୧୩ ପ୍ରତିଶତ ବୃଦ୍ଧି

ବିନା ପରୀକ୍ଷାରେ ଚଳିତ ବର୍ଷ ୯୭.୮୯ ପ୍ରତିଶତ ପିଲା ପାସ କରିଛନ୍ତି । ଶିକ୍ଷାବର୍ଷ ୨୦୧୯-୨୦ ଦଶମ ବୋର୍ଡ ପରୀକ୍ଷାରେ ୭୮.୭୬ ପ୍ରତିଶତ ଉତ୍ତୀର୍ଣ୍ଣ ହୋଇଥିଲେ । ଅର୍ଥାତ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ୧୯.୧୩ ପ୍ରତିଶତ ବୃଦ୍ଧି ଘଟିଛି । ଅଫ୍‌ଲାଇନ ମାଧ୍ୟମରେ ପରୀକ୍ଷା ହୋଇଥିଲେ, ଏଭଳି ପରୀକ୍ଷା ହାର ଆସିବା ଆଶଙ୍କା କମ ଥିଲା । ବର୍ଷ ୨୦୧୮-୧୯ ବାର୍ଷିକ ପରୀକ୍ଷାରେ ଏହା ୭୦.୭୮ ପ୍ରତିଶତ ଥିଲା । ଶିକ୍ଷାବର୍ଷ ୨୦୧୯-୨୯ରେ ଏ-୧ ଗ୍ରେଡରେ ୧୨୭୯, ଏ-୨ ଗ୍ରେଡରେ ୮୪୫୮, ବି-୧ ଗ୍ରେଡରେ ୧୮ ହଜାର ୧୮୮ ଜଣ ପାସ କରିଥିଲେ । ୨୦୧୮-୧୯ ବାର୍ଷିକ ପରୀକ୍ଷାରେ ୧୧୮୧ ଜଣ ପିଲା ଏ-୧ ଗ୍ରେଡ, ଏ-୨ରେ ୯୯୩୮, ବି-୧ରେ ୨୪୯୯୧, ବି-୨ରେ ୪୬,୩୧୯ ଜଣ ପାସ କରିଥିଲେ ।

Share the article

LEAVE A REPLY