ଆଂଶିକ ଲକ୍‌ଡାଉନ୍ ଜାରି; ଅନ୍ତଃରାଜ୍ୟ ବସ୍ ଚଳାଚଳକୁ ଅପେକ୍ଷା

0
146

ଭୁବନେଶ୍ୱର: ରାଜ୍ୟ ସରକାର ଜୁନ ମାସରେ ଲାଗୁ ହୋଇଥିବା ଆଂଶିକ ଲକଡାଉନ୍‌କୁ ଜୁଲାଇ ୧୬ ତାରିଖ ଯାଏଁ ବଢ଼ାଇ ଦେଇଛନ୍ତି । ଗତ ଥର ଭଳି ଏଥର ମଧ୍ୟ ୩୦ଟି ଜିଲ୍ଲାକୁ ‘କାଟାଗୋରୀ-ଏ’ ଓ ‘କାଟାଗୋରୀ-ବି’ରେ ଭାଗ କରିଛନ୍ତି । ‘କାଟାଗୋରୀ-ଏ’ରେ ଥିବା ୨୦ଟି ଜିଲ୍ଲା ଗୁଡ଼ିକରେ ସର୍ବ ସାଧାରଣ ପରିବହନ ସେବା ଚାଲିବ । ଅର୍ଥାତ ବସ୍‌, ଅଟୋ ଓ ଟ୍ୟାକ୍ସି ଗୁଡ଼ି ଜିଲ୍ଲା ଭିତରେ ଯାତାୟତ କରିପାରିବ । ବସ୍ ଗୁଡ଼ିକରେ କେବଳ ସିଟରେ ଯାତ୍ରୀ ଯାଇପାରିବେ । ଟ୍ୟାକ୍ସି ଓ ଅଟୋରେ ଚାଳକଙ୍କ ବ୍ୟତୀତ ଅନ୍ୟ ୨ ଜଣ ଯାତ୍ରୀ ବସିପାରିବେ । କିନ୍ତୁ ଏଗୁଡ଼ିକ ଜିଲ୍ଲା ବାହାରକୁ ଯାଇପାରିିବ ନାହିଁ । ଯଦି କେହି ଅମାନିଆ ହୁଅନ୍ତୁ ତା’ହେଲେ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିବ । କିନ୍ତୁ ‘କାଟାଗୋରୀ-ବି’ରେ ଥିବା ଜିଲ୍ଲା ଗୁଡ଼ିକରେ ସର୍ବସାଧାରଣ ପରିବହନ ସଂପୂର୍ଣ୍ଣ ରୂପେ ବନ୍ଦ ରହିବ ।

ଆଂଶିକ ଲକ୍‌ଡାଉନ ଜୁଲାଇ ୧ ତାରିଖ ସକାଳ ୫ଟାରେ ଶେଷ ହୋଇଯିବ ବୋଲି ରାଜ୍ୟବାସୀ ଆଶା କରିଥିଲେ । କିନ୍ତୁ ଏହି ଆଶା ଓ ଆଶଂକା ମଧ୍ୟରେ ଉପକୂଳ ଓ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ଅଧିକ କଟକଣା ରହିବ ବୋଲି ସଂଦେହ କରାଯାଉଥିଲା । କାରଣ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ତୁଳନାରେ ଉପକୂଳ ଓ ଉତ୍ତର ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଅଧିକ । ରାଜଧାନୀ ଭୁବନେଶ୍ୱର ସମେତ ଖୋର୍ଦ୍ଧା, ପୁରୀ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ ସଂକ୍ରମଣ ହ୍ରାସ ପାଇନାହିଁ । ତେଣୁ ସର୍ବସାଧାରଣ ପରିବହନ ବ୍ୟବସ୍ଥା ଉପରେ ବର୍ତ୍ତମାନ ପରିପ୍ରେକ୍ଷୀରେ କଟକଣା ଲାଗିଛି ।

ଗରିବ ଜନତାଙ୍କୁ ଅସୁବିଧା

ଜାତୀୟ ରାଜଧାନୀ ନୂଆଦିଲ୍ଲୀ, ମୁମ୍ବାଇ, ଉତ୍ତର ପ୍ରଦେଶ, ପଡୋଶୀ ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ରାଜସ୍ଥାନ ଅନ୍‌ଲକ ହୋଇସାରିଛି । ଏସବୁ ରାଜ୍ୟଗୁଡ଼ିକରେ ସାଧାରଣ ପରିବହନ ବ୍ୟବସ୍ଥା ପୁଣି ଥରେ ଆରମ୍ଭ ହୋଇଯାଇଛି । ଦୋକାନ-ବଜାର, ସପିଂ ମଲ, ହୋଟେଲ-ରେଷ୍ଟୁରାଣ୍ଟ, ମନୋରଂଜନ ପାର୍କ, ସ୍ପା, ସେଲୁନ, ଆଦି ଖୋଲିଛି । କିଛି ରାଜ୍ୟରେ କୋଭିଡ-୧୯ କଟକଣା ସହିତ ମନ୍ଦିର ଖୋଲିଛି । ତେଣୁ ଓଡ଼ିଶାରେ ଅତିକମରେ ଅନ୍ତଃରାଜ୍ୟ ବସ ଚଳାଚଳ କରିପାରେ ବୋଲି ଆଶା କରାଯାଉଥିଲା । କିନ୍ତୁ ଏହା ହୋଇନ ପାରିବା ପରେ ସାଧାରଣ ଗରିବ ଜନତାଙ୍କୁ ଆହୁରି କିଛି ଦିନ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ।

ପଡୋଶୀ ଜିଲ୍ଲାକୁ ବସ୍ ସେବା ନାହିଁ

ଅନ୍ତଃ ଜିଲ୍ଲା ବସ୍ ଚଳାଚଳ କରିବା ଦ୍ୱାରା ଯଦିଓ ଲୋକଙ୍କର ସାମାନ୍ୟ ଅସୁବିଧା ଦୂର ହେବ, ତଥାପି ପଡୋଶୀ ଜିଲ୍ଲାର ଲୋକଙ୍କୁ ହଇରାଣ ହେବାକୁ ପଡ଼ିବ । ଧରାଯାଉ ସମ୍ବଲପୁରର ପଡୋଶୀ ଜିଲ୍ଲା ଗୁଡ଼ିକ ହେଉଛି । ବରଗଡ଼, ଦେବଗଡ଼, ଝାରସୁଗୁଡ଼ା, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ । ଏହି ୫ଟି ପଡୋଶୀ ଜିଲ୍ଲାର ଲୋକେ ଅନେକ କାମ ପାଇଁ ସମ୍ବଲପୁର ଉପରେ ନିର୍ଭରଶୀଳ । ପଶ୍ଚିମ ଓଡ଼ିଶାର ବଡ଼ ସହର ହୋଇଥିବାରୁ ଏଠାରେ ଲୋକଙ୍କର ଅନେକ କାମ ଥାଏ । କିନ୍ତୁ ଅନ୍ତଃ ଜିଲ୍ଲା ବସ୍ ଚଳାଚଳ ହେବା ଦ୍ୱାରା ଏହି ୫ଟି ଜିଲ୍ଲାର ଲୋକେ ସମ୍ବଲପୁରରେ କାମ ଥିଲେ ମଧ୍ୟ ଯାଇପାରିବେ ନାହିଁ । ସେହିପରି ସ୍ୱାସ୍ଥ୍ୟ ଓ ବାଣିଜ୍ୟ କ୍ଷେତ୍ରରେ ବ୍ରହ୍ମପୁର ହେଉଛି ଦକ୍ଷିଣ ଓଡ଼ିଶାର ପ୍ରାଣ କେନ୍ଦ୍ର । ଅନ୍ତଃରାଜ୍ୟ ବସ ସେବା ଚାଲୁ ହେବା ପରେ ମଧ୍ୟ ଗଜପତି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରୁ ଲୋକେ ଜରୁରୀକାମରେ ବସ ମାଧ୍ୟମରେ ବ୍ରହ୍ମପୁର ଯାଇପାରିବେ ନାହିଁ ।

ବସ ମାଲିକଙ୍କୁ ପୁଣି ଝଟକା

ରାଜ୍ୟ ସରକାର ପୁଣି ଥରେ ଆଂଶିକ ଲକ୍‌ଡାଉନ୍ ଘୋଷଣା କଲା ପରେ ପୁଣି ଥରେ ଘରୋଇ ବସ୍ ମାଲିକମାନଙ୍କୁ ଝଟକା ଲାଗିଛି । ଗତ ମେ’ ମାସ ୫ ତାରିଖରୁ ଓଡ଼ିଶା ଲକ୍‌ଡାଉନ୍ ହେବା ପରେ ରାଜ୍ୟର ପ୍ରାୟ ୧୭ ହଜାର ବସ୍ ବନ୍ଦ ରହିଛି । ତେଣୁ ବସ୍ ମାଲିକମାନଙ୍କୁ ଆର୍ଥିକ କ୍ଷତି ସହିବାକୁ ହେଉଛି । ବସ ଡ୍ରାଇଭର, ହେଲପର, ବଡ଼ ବଡ଼ ଗ୍ୟାରେଜ ମାଲିକଙ୍କର ମଧ୍ୟ ସମାନ ଦଶା । କାରଣ ବସ୍ ଚାଲିଲେ, ଏମାନଙ୍କ ହାତକୁ ଦି’ ପଇସା ଆସିବ ଓ ପରିବାର ଚଳିବ ।

୨ଟି କାଟାଗୋରୀରେ ୩୦ ଜିଲ୍ଲା

ରାଜ୍ୟ ସରକାର ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, ଦେବଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ସୁବର୍ଣ୍ଣର୍ର୍ପୁର, ଗଂଜାମ, ଗଜପତି, କୋରାପୁଟ, ରାୟଗଡ଼ା, ନବରଂଗପୁର, ମାଲକାନଗିରି, କନ୍ଧମାଳ, ବୌଦ୍ଧ, ଢେଙ୍କାନାଳ, ଅନୁଗୁଳ ଓ କେନ୍ଦୁଝରକୁ କାଟାଗୋରୀ-‘ଏ’ରେ ରଖିଛନ୍ତି ।, ସେହିପରି କାଟାଗୋରୀ-‘ବି’ରେ ଅଛି କଟକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ ମୟୂରଭଂଜ ଜିଲ୍ଲା ।

Share the article

LEAVE A REPLY