କରୋନା ସଂକ୍ରମଣକୁ ପ୍ରୋତ୍ସାହନ ଦେଉଛି ପର୍ଯ୍ୟଟନର ସହର!

0
203

ନୂଆଦିଲ୍ଲୀ: ଭାରତରେ କରୋନା ଭାରଇସ ସଂକ୍ରମଣର ୨ୟ ଳହର ଚିନ୍ତା ବଢ଼ାଉଛି । ପିକ୍ ସମୟ ୨ ମାସ ହେବ ଅତିକ୍ରମ କରିସାରିଥିଲେ ମଧ୍ୟ ସଂକ୍ରମଣ ଏପର୍ଯ୍ୟନ୍ତ ନିୟନ୍ତ୍ରଣକୁ ଆସିପାରି ନାହିଁ । କରୋନାକୁ ମୂଳୋତ୍ପାଟନ କରିବା ପାଇଁ ସରକାର, ଗବେଷକ, ବୈଜ୍ଞାନିକ, ଚିକିତ୍ସା କର୍ମଚାରୀ ଏବଂ ପ୍ରଶାସନ ଲାଗିଛନ୍ତି । ଦେଶରେ ଟିକାକରଣକୁ ୬ ମାସ ହୋଇସାରିଛି । ଟେଷ୍ଟିଂକୁ ଜୋରଦାର କରାଯାଇଛି । କିନ୍ତୁ ଏସବୁ ପରେ ବି କରୋନା ନିୟନ୍ତ୍ରଣକୁ ଆସିପାରି ନାହିଁ । ଏହାରି ମଧ୍ୟରେ ଦେଶରେ ୩ କୋଟି ୯୦ ଲକ୍ଷ ଲୋକ କରୋନା ପଜିଟିଭ ହୋଇଥିବା ବେଳେ ପ୍ରାୟ ୪ ଲକ୍ଷ ୧୦ ହଜାର ଲୋକ ପ୍ରାଣ ହରାଇ ସାରିଛନ୍ତି ।

ତାମିଲନାଡୁ, କର୍ଣ୍ଣାଟକ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କେରଳ, ମହାରାଷ୍ଟ୍ର ଓ ଓଡ଼ିଶାରେ କରୋନା ଭାଇରସ ଅଧିକ ଚିନ୍ତା ବଢ଼ାଇଛି । କରୋନାର ୨ୟ ଲହର ଶେଷ ହୋଇ ନଥିବା ବେଳେ କିଛି ବିଶେଷଜ୍ଞ ୩ୟ ଲହର ନେଇ ସତର୍କ ସୂଚନା ଦେଇଛନ୍ତି । ପୁଣି କୁହାଯାଉଛି ଯେ, କରୋନାର ୩ୟ ଲହର ଜୁଲାଇ ପ୍ରଥମ ସପ୍ତାହରୁ ଆସିସାରିଛି । କରୋନାର ୩ୟ ଲହର ଭାରତରେ ଦେଖାଯାଇଛି କି ନାହିଁ, ତାହା ଭିନ୍ନ କଥା । କିନ୍ତୁ ଏତିକି କୁହାଯାଇପାରିବ ଯେ, ଯେଉଁ ଦିନ କୋଭିଡ ହସ୍‌ପିଟାଲ ଗୁଡ଼ିକରେ ରୋଗୀଙ୍କ ଉପସ୍ଥିତି ଶୂନ୍ୟ ରହିବ, କରୋନା ନିୟନ୍ତ୍ରିତ ବୋଲି କୁହାଯାଇପାରିବ ।

ରୂପ ବଦଳାଉଛି କରୋନା

କରୋନା ଭାଇରସ ନୂଆଁ ନୂଆଁ ରୂପ ବଦଳାଉଛି । ଡେଲ୍ଟା ଏବଂ ଡେଲ୍ଟା ପ୍ଲସ ଭ୍ୟାରିଆଣ୍ଟ ପରେ ଏବେ କପ୍ପା ଭ୍ୟାରିଆଣ୍ଟ ମଧ୍ୟ ସାମ୍ନାକୁ ଆସିଛି । ସରକାର ଯେତେ ଯାହା ଉଦ୍ୟମ କରୁଥିଲେ ମଧ୍ୟ ବ୍ୟକ୍ତିଗତ ସ୍ତରରେ ଲୋକେ ସତର୍କ ନରହିବାରୁ ସଂକ୍ରମଣ ବ୍ୟାପିବାରେ ଲାଗିଛି । ଦେଶର ପ୍ରମୁଖ ସହରରେ ପର୍ଯ୍ୟଟନସ୍ଥଳ ଗୁଡ଼ିକ ଖୋଲି ଦିଆଯାଇଛି । ପର୍ଯ୍ୟଟକମାନଙ୍କ ଭିଡ ରହୁଛି । ଲୋକେ କୋଭିଡ-୧୯ ଗାଇଡଲାଇନକୁ ଉଲ୍ଲଂଘନ କରୁଛନ୍ତି । ପର୍ଯ୍ୟଟନର ସହରଗୁଡ଼ିକରେ ଥିବା ହୋଟେଲ ଓ ରେଷ୍ଟୁରାଣ୍ଟ ଗୁଡ଼ିକରେ ମଧ୍ୟ ଭିଡ଼ ରହୁଛି ।

ସଂକ୍ରମଣକୁ ପର୍ଯ୍ୟଟକଙ୍କ ନାହି ଭୟ

ଦିଲ୍ଲୀ, ଉତ୍ତରପ୍ରଦେଶ, ଶିମଲା ଓ ମସୁରୀରେ ପର୍ଯ୍ୟଟକମାନଙ୍କର ଭିଡ଼ ରହୁଛି । ଏମାନେ ବଜାର ଗୁଡ଼ିକରେ ଭିଡ଼ ଲଗାଉଛନ୍ତି । ଭିଡରୁ ଜଣାପଡୁଛି ଯେ, ଲୋକଙ୍କ ମନରେ କରୋନା ଭୟ ନାହିଁ । ମୌସୁମୀ ବାୟୁ ନିଷ୍କ୍ରିୟ ହୋଇଥିବାରୁ ବର୍ଷାର ଅଭାବ ଦେଖାଯାଇଛି ଏବଂ ଲୋକେ ଗରମରୁ ଆଶ୍ୱସ୍ତି ପାଇଁ ବାହାରକୁ ଯାଉଛନ୍ତି । ବାହାରେ ବୁଲିବା ମନା ନାହିଁ, କିନ୍ତୁ ସାମାଜିକ ଦୂରତା ଓ ସତର୍କତାକୁ ଲୋକେ ଭୁଲିଯାଉଥିବାରୁ ସଂକ୍ରମଣ ବ୍ୟାପିବାରେ ଲାଗିଛି ।

ଉସୁରୀ-ଶିମଲାରେ ପ୍ରବଳ ଭିଡ଼

ଉତ୍ତରାଖଣ୍ଡର ପ୍ରସିଦ୍ଧ ପର୍ଯ୍ୟଟନର ସହର ‘ମସୁରୀ’ରେ ଆଜିକାଲି ପ୍ରବଳ ଜନଗହଳି ଦେଖିବାକୁ ମିଳୁଛି । ସଡ଼କରେ ବହୁ ଲମ୍ବା ଲାଇନ ଯାନବାହାନ ଲାଗୁଛି । ସେହିପରି ଶିମଲା, ମନାଲୀ ଏବଂ ଧର୍ମଶାଳା ଭଳି ବଡ଼ ପର୍ଯ୍ୟଟନ ସ୍ଥଳରେ ହୋଟେଲଗୁଡ଼ିକ ପୂରା ହୋଇଯାଇଛି । ଅନେକ ପର୍ଯ୍ୟଟକଙ୍କୁ ହୋଟେଲ ମିଳୁନ ଥିବାରୁ ବାଧ୍ୟ ହୋଇ ଗାଡ଼ି ଭିତରେ ରାତ୍ରୀ ଯାପନ କରୁଛନ୍ତି । କିନ୍ତୁ କିଛି ପର୍ଯ୍ୟଟକ ଅତିଥି ଭବନରେ ସମୟ କାଟୁଛନ୍ତି । ପର୍ଯ୍ୟଟକମାନେ ବିନା ମାସ୍କରେ ବୁଲିବା ସହିତ ସାମାଜିକ ଦୂରତାକୁ ଭୁଲିଯାଇଛନ୍ତି ।

ମେଟ୍ରୋ ସହରରେ କରୋନାକୁ ଅଣଦେଖା

ମେଟ୍ରୋ ସିଟିରେ କୋଭିଡ-୧୯କୁ ଅଧିକ ଅଣଦେଖା କରାଯାଉଛି । ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁର ଓ ହାଇଦ୍ରାବାଦରେ ଥିବା ବଜାରଗୁଡ଼ିକରେ ମଧ୍ୟ ଲୋକଙ୍କର ପ୍ରବଳ ଭିଡ ରହୁଛି । ସାମାଜିକ ଦୂରତାକୁ ଉଲ୍ଲଂଘନ କରାଯାଉଥିବା ଦୃଷ୍ଟିଗୋଚର ହେଉଛି । ଲୋକ ମାସ୍କ ପିନ୍ଧି ନ ପିନ୍ଧି ବଜାରରେ ବୁଲୁଛନ୍ତି । ଲୋକେ ବାହାରକୁ ଯିବା ପୂର୍ବରୁ କୋଭିଡ-୧୯ ଗାଇଡଲାଇନ ଉପରେ ନଜର ରଖିବା ଦରକାର । କିନ୍ତୁ ଅଧିକାଂଶ ସ୍ଥାନରେ ଏହା ହୋଇପାରୁ ନଥିବାରୁ ସଂକ୍ରମଣ ବଢ଼ିବାର ଆଶଙ୍କା ରହୁଛି ।

Share the article

LEAVE A REPLY