ପ୍ରତ୍ୟେକ ମଣିଷ ତାର ଏନ୍ତୁଡ଼ିଶାଳ ରୁ ହିଁ ଗୋଟେ ଚରିତ୍ର ପାଲଟିଯାଏ

0
595

ଲେଖିକା : ମୀନା ସ୍ଵାଇଁ ବୃତ୍ତି : ଶିକ୍ଷକତା ଠିକଣା : କୋରାପୁଟ, ଓଡ଼ିଶା

ପ୍ରକାଶିତ ପୁସ୍ତକ : ଥୁରିଆ ର ଲୁହ (ଗଳ୍ପ ସଂକଳନ), ସ୍ଵପ୍ନ ର ରଙ୍ଗ(କବିତା ସଂକଳନ), ଜୀବନ ଵୁକୁରେ ବିଜ୍ଞାନ(ପ୍ରକାଶକ ଙ୍କ ନିକଟରେ ପ୍ରକାଶିତ ହେବା ଅପେକ୍ଷାରେ)

ସାହିତ୍ୟକୁ ଆପଣ କେମିତି ଆପଣେଇଛନ୍ତି? କେବଳ ଏକ ମନୋରଞ୍ଜନ ନା ଅନ୍ୟ କିଛି ଚିନ୍ତାଧାରାରେ ଏହାକୁ ଦେଖନ୍ତି?


ବଞ୍ଚିବାକୁ ଲୋଡା ହୁଏ ଯେମିତି ପାଣି,ପବନ,ମାଟି, ଆଲୋକ ସେମିତି ଲୋଡାହୁଏ ମୋ ପାଇଁ ସାହିତ୍ୟ ।ସାହିତ୍ୟ ମୋତେ ଓଦା
ମାଟିର ବାସ୍ନା ଭଳି ମତୁଆଲା କରେ,ସୂର୍ଯ୍ୟାସ୍ତ ର ଲାଲିମା ଭଳି ଚରିଯାଏ ମୋ ଦେହରେ, ସୁଷମା ଭରା ପ୍ରକୃତି ଭଳି ଚୋରାଇ ନିଏ ମୋତେ
ବ୍ୟସ୍ତତା ଓ କଷ୍ଟରୁ।


ସାହିତ୍ୟର ବିଭିନ୍ନ ଦିଗ ଯେପରିକି ଗଳ୍ପ, କବିତା, ନାଟକ, ପ୍ରବନ୍ଧ,ଏଇସବୁ ଦିଗରେ ଆପଣଙ୍କ ଦଖଲ ରହିଛି; କିନ୍ତୁ କେଉଁ ଏକ ନିର୍ଦ୍ଧିଷ୍ଟ ଦିଗ ସହ ଆପଣ ସଂପୂର୍ଣ୍ଣ ରୂପେ ଏକାତ୍ମ କି? ଯଦି ହଁ, ତେବେ କେମିତି ଆଉ ଯଦି ନୁହନ୍ତି, ତେବେ କାହିଁକି ଏକାତ୍ମ ହୋଇପାରିନାହାନ୍ତି?


ଉତ୍ତର:ଗଳ୍ପ,କବିତା, ନାଟକ,ପ୍ରବନ୍ଧ ଆଦି ମନୁଷ୍ୟ ଭାବପ୍ରବଣ ମନର ସ୍ଵତଃପ୍ରବୃତ୍ତ ସୃଷ୍ଟି।ମୁଁ ଯେତେବେଳେ ଅଧିକ ଭାବପ୍ରବଣ ହୁଏ କବିତା
ଝରିଆସେ,ଯେତେବେଳେ ମୋ ଭିତରେ ଦାର୍ଶନିକ ଟିଏ ମୁଣ୍ଡ ଟେକେ ଗଳ୍ପ ଜନ୍ମନିଏ, କୌଣସି ବିଷୟକୁ ନେଇ ଚିନ୍ତାଶୀଳ ହେଲେ ଫିଚର
ଟିଏ ରୂପ ନିଏ।କିଛି ସମ୍ବେଦନଶୀଳ ବାର୍ତ୍ତା ଲୋକଙ୍କ ଅନ୍ତରରେ ପହୁଞ୍ଚାଇବା ପ୍ରୟାସରେ ନାଟକ ଓହ୍ଲାଇ ଆସେ କାଗଜ ପୃଷ୍ଠାକୁ। ସୃଜନ
ଯୋଉ ରୂପରେ ଆସୁ ନା କାହିଁକି,ସେଥିରେ ମୁଁ ଏକାତ୍ମ ହେଇଯାଏ।


ଜଣେ ସୁସାହିତ୍ୟିକା ବ୍ୟତିରେକ ଆପଣ ଜଣେ ନାରୀ। ନିଜର ସନ୍ତାନସନ୍ତତି ଓ ନିଜର ସର୍ଜନା ଭିତରେ କିଛି ସାମଞ୍ଜସ୍ୟ ବାରିପାରିଛନ୍ତି କି?


ସନ୍ତାନ ହେଉ ବା ସର୍ଜନା,ଜନ୍ମ ଦେବା ପୁର୍ବରୁ ଗର୍ଭ ବେଦନା ସହ୍ୟକରିବାକୁ ପଡେ।ଜନ୍ମ ନେବା ପରେ ଅପାର ଆନନ୍ଦ, ବାତ୍ସଲ୍ୟ
ମମତା ଜାଗିଉଠେ । ଉଭୟଙ୍କୁ ଜନ୍ମ ଦେବା ପୁର୍ବରୁ ସ୍ରଷ୍ଟା ଆପ୍ରାଣ ଚେଷ୍ଟା କରିଥାଏ, ସୃଷ୍ଟି ସୁସ୍ଥ ଓ ବଳିଷ୍ଠ, ହେଉ।


ଆପଣଙ୍କ ଗଳ୍ପ ହେଉ ଅବା କବିତା,ଏସବୁରେ ପ୍ରକୃତିର ଏକ ଭିନ୍ନ ସ୍ଥାନ ଓ ସ୍ଵାଦ ଥାଏ। କୋରାପୁଟର ପ୍ରାକୃତିକ ପରିବେଶର ଏଥିପ୍ରତି କୌଣସି ଅବଦାନ ରହିଛି କି? ଯଦି ହଁ, କେମିତି?


ନିଶ୍ଚୟ ରହିଛି। ମୁଁ ପ୍ରକୃତି ପ୍ରେମୀ। କୋରାପୁଟ ଭଳି ପ୍ରାକୃତିକ ସୌନ୍ଦର୍ଯ୍ୟ ଭରପୂର ଅଞ୍ଚଳ ମୋ ମନ ଉପରେ ଏତେ ପ୍ରଭାବ ବିସ୍ତାର
କରିଛି ଯେ ସୃଜନ ଉପରେ ବି ତାହା ସ୍ଵତଃ କାୟା ବିସ୍ତାର କରେ।ମୋତେ ଲାଗେ,ପ୍ରକୃତି ହିଁ ରଚନା କୁ ଜୀବନ୍ତ କରେ । ପାଠକ ର ଆତ୍ମା କୁ ଛୁଏଁ।


ବର୍ତ୍ତମାନ ସାହିତ୍ୟରେ ବାମାବାଦୀ ଦୃଷ୍ଟିକୋଣକୁ ନେଇ ଅନେକ ଚର୍ଚ୍ଚା ଚାଲୁଛି। ଏହି ଦିଗରେ ଆପଣଙ୍କ ମତାମତ କ’ଣ?


ସମ୍ମାନ ଓ ସ୍ବାଭିମାନର ସହ ବଞ୍ଚିବା ଅଧିକାର ନାରୀ ର ରହିଛି ଯଦିଓ ସେହି ଅଧିକାର ରୁ ସେ ଅଧିକାଂଶ ସମୟ ବଞ୍ଚିତ
ରହେ।ତେବେ ଏଥିପାଇଁ କେବଳ ପୁରୁଷ କୁ ଦୋଷାରୋପ କରାଯାଇ ପାରିବ ନାହିଁ।ନାରୀ ବି ଏଥିପାଇଁ ସମ ପରିମାଣରେ ଦାୟୀ। ଶାରୀରିକ,
ମାନସିକ, ଆବେଗିକ ଦୃଷ୍ଟିରୁ ନାରୀ ନିଜେ ନିଜକୁ ଗଢ଼ିବାକୁ ପଡ଼ିବ।

ଆପଣ ଜଣେ ବିଜ୍ଞାନ ଶିକ୍ଷୟିତ୍ରୀ। କିନ୍ତୁ ନିଜ ବିଦ୍ୟାର୍ଥୀଙ୍କୁ ସାହିତ୍ୟାନୁରାଗୀ କରିବା ପାଇଁ କେବେ କେମିତି ଚେଷ୍ଟା କରିଛନ୍ତି କି?

ମୁଁ ସାହିତ୍ୟକୁ ପ୍ରାଣାଧିକ ଭଲ ପାଉଥିବା ଜଣେ ବିଜ୍ଞାନ ଶିକ୍ଷୟିତ୍ରୀ।ଜଣେ ବିଜ୍ଞାନ ଶିକ୍ଷୟିତ୍ରୀ ହିସାବରେ ବିଜ୍ଞାନକୁ ବିଦ୍ୟାର୍ଥୀ ଙ୍କ
ନିକଟରେ ପ୍ରିୟ କରାଇବାକୁ ମୁଁ ସାହିତ୍ୟର ସାହାରା ନିଏ। ଜଣେ ସାହିତ୍ୟିକ ହିସାବରେ ପିଲାଙ୍କୁ ସାହିତ୍ୟ ଅନୁରାଗୀ କରିବାକୁ ବିଜ୍ଞାନ ମୋ
ପାଇଁ ଏକ ଉତ୍କୃଷ୍ଟ ମାଧ୍ୟମ ଭଳି କାର୍ଯ୍ୟ କରେ। ଅନେକ ବିଜ୍ଞାନ ଭିତ୍ତିକ ନାଟକ ରଚନା, ନିର୍ଦ୍ଦେଶନା,ମଞ୍ଚସ୍ଥ କରିଛି ଯାହାକି ରାଜ୍ୟ ସ୍ତରରେ
ପ୍ରଦର୍ଶିତ ହୋଇ ପୁରସ୍କୃତ ହୋଇଛି।କିଶୋର ମାନଙ୍କ ସମସ୍ୟା କୁ ନେଇ ଅନେକ “ରୋଲ୍ ପ୍ଲେ” ବା “ଭୂମିକା ନିର୍ବାହ” ରଚନା ଓ ମଞ୍ଚସ୍ଥ କରିଛି
ଯାହାକି ଜାତୀୟ ସ୍ତରରେ ପ୍ରଦର୍ଶିତ ହୋଇଛି। ଅନେକ ଶିକ୍ଷା ଭିତ୍ତିକ ସାମାଜିକ ନାଟକ ରଚନା,ନିର୍ଦ୍ଦେଶନା ଦେଇଛି ଯାହାକି ଆକାଶବାଣୀ
ଜୟପୁର କେନ୍ଦ୍ର ଦ୍ଵାରା ପ୍ରଚାରିତ ହେଇଛି। ଏସବୁ ପିଲାଙ୍କୁ ସାହିତ୍ୟ ଅନୁରାଗୀ କରିବାରେ ନିଶ୍ଚୟ ସହାୟ ହେଇଛି।

ଜଣେ ସ୍ରଷ୍ଟା କ’ଣ ଜୀବନରେ ନାଟକ ଭଳି ଅନେକ ଅଙ୍କ ଓ ଚରିତ୍ର ଭିତରେ ବଞ୍ଚିବାକୁ ପସନ୍ଦ କରନ୍ତି? ଆପଣଙ୍କ ଏ ବିଷୟରେ କୌଣସି ଅନୁଭୂତି ଅଛି କି?


ସ୍ରଷ୍ଟା ପ୍ରଥମେ ଜଣେ ମଣିଷ। ପ୍ରତ୍ୟେକ ମଣିଷ ତାର ଏନ୍ତୁଡ଼ିଶାଳ ରୁ ହିଁ ଗୋଟେ ଚରିତ୍ର ପାଲଟିଯାଏ । ଅଙ୍କ ପରିବର୍ତ୍ତନ ହେଉଥାଏ
ଆଉ ଚରିତ୍ର ର ଗତିଶୀଳତା ବି। ସ୍ରଷ୍ଟା ଜଣେ ସମ୍ବେଦନଶୀଳ ମନୁଷ୍ୟ ହେଇଥିବାରୁ ପ୍ରତ୍ୟେକ ଅଙ୍କରେ ତାର ଭୂମିକା କୁ ଭୋଗୁଥାଏ।ସେହି
ଭୋଗିବା ହିଁ ତା ତାକୁ ସୃଜନଶୀଳ କରାଏ। ମୋ ଜୀବନ ର ଗୁଡ଼ାଏ ନିଜସ୍ଵ ଅନୁଭବ ଗଳ୍ପ ଓ କବିତା ହୋଇ କାଗଜ ପୃଷ୍ଠାକୁ ଓହ୍ଲାଇ ଆସିଛି।

ବର୍ତ୍ତମାନର ଓଡିଆ ସାହିତ୍ୟକୁ ନେଇ ଆପଣ କେତେ ଆଶାବାଦୀ? ଯୁବ ପୀଢିଙ୍କୁ କି ବାର୍ତ୍ତା ଦେବାକୁ ଚାହିଁବେ?

ଓଡ଼ିଆ ସାହିତ୍ୟ ସମୃଦ୍ଧ। ଯୁବ ପିଢୀଙ୍କ ମାନବ କୈନ୍ଦ୍ରିକ ଲେଖା ଖୁବ୍ ଚମତ୍କାର। ବର୍ତ୍ତମାନ ବହୁତ ଲେଖା ହେଉଛି,ପୁସ୍ତକ ପ୍ରକାଶନ ବି
ବୃଦ୍ଧି ପାଇଛି। କିନ୍ତୁ ପରବର୍ତ୍ତୀ ପୀଢ଼ି ଇଂରାଜୀ ମାଧ୍ୟମରେ ପଢ଼ିବା ଫଳରେ ଓଡ଼ିଆ ସାହିତ୍ୟ ଠାରୁ ଦୂରେଇଯିବା ସ୍ଵାଭାବିକ। ଭବିଷ୍ୟତ ରେ
ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଲେଖକ ଓ ପାଠକ ଗୋଷ୍ଠୀ ର ରେଖାଚିତ୍ର ନିମ୍ନାଭିମୁଖୀ ନ ହେଉ।

Share the article

LEAVE A REPLY