ହଟିଲା ଏକାଧିକ କଟକଣା; ଗରିବ ଲୋକଙ୍କୁ ବଂଚିବାର ରାହା ଦିଶିଲା

0
113

ଭୁବନେଶ୍ୱର: କରୋନା ଭାଇରସ୍ ସଂକ୍ରମଣର ୨ୟ ଲହର ସାମାନ୍ୟ ନିୟନ୍ତ୍ରଣକୁ ଆସିଛି । ରାଜ୍ୟରେ ୧୫ ଦିନ ପୂର୍ବରୁ ସଂକ୍ରମଣ ହାର ୫ ପ୍ରତିଶତ ଥିବା ବେଳେ ଏବେ ଏହା ୩ ପ୍ରତିଶତରେ ପହଂଚିଛି । ଫଳରେ ସରକାର ସାଧାରଣ ଜନତାଙ୍କର ବୃହତ୍ତ ସ୍ୱାର୍ଥକୁ ଦୃଷ୍ଟିରେ ଆଂଶିକ ଲକ୍‌ଡାଉନ୍‌ରେ କଟକଣା କୋହଳ କରିଛନ୍ତି । ଗୁରୁବାର ରାଜ୍ୟ ସରକାରଙ୍କ ଲକ୍‌ଡାଉନ୍ ନେଇ ନୂଆ ଗାଇଡଲାଇନ୍ ଜାରି ହେବା ପରେ ଗରିବ, ଖଟିଖିଆ, ଶ୍ରମିକମାନଙ୍କ ମନରେ ନୂଆ ଆଶା ସଂଚାର ହୋଇଛି । କାରଣ ଲକ୍‌ଡାଉନ୍ କଟକଣାରେ ସମୟ ପରିବର୍ତ୍ତନ ହୋଇଛି ।

ରାଜ୍ୟ ସରକାରଙ୍କ ତରଫରୁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି ଯେ, ରାଜ୍ୟରେ କରୋନା ସ୍ଥିତିରେ ସାମାନ୍ୟ ସଂଶୋଧନ ଆସିଛି । କିନ୍ତୁ ରାଜ୍ୟ ସଂପୂର୍ଣ୍ଣ କୋଭିଡ-୧୯ ମୁକ୍ତ ହୋଇପାରି ନଥିବାରୁ ରାଜ୍ୟବାସୀଙ୍କୁ ଆହୁରି ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ରାଜ୍ୟ ସରକାର ଆଂଶିକ ଲକ୍‌ଡାଉନ୍ ଅବଧିକୁ ଆସନ୍ତା ଅଗଷ୍ଟ ୧ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

ଜୀବନ-ଜୀବିକା ଗୁରୁତ୍ୱପୂର୍ଣ୍ଣ

ଲୋକଙ୍କର ଜୀବନ ଓ ସେବାନଙ୍କର ଜୀବିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । କୋଭିଡ ସଂକ୍ରମଣ ହ୍ରାସ ପାଇଥିବାରୁ ଲୋକେ ନିଜର ରୋଜଗାର ପାଇଁ ଅଧିକ ସମୟ ଦେଇପାରିବେ । ରୋଜଗାର ପାଇଁ ଅଧିକ ସମୟ ଖର୍ଚ୍ଚ କରିବା ଦ୍ୱାରା ପରିବାରର ଆର୍ଥିକ ଉନ୍ନତି ଆସିବ । ରାଜ୍ୟ ସରକାର ୩୦ଟି ଜିଲ୍ଲାକୁ ୨ ଭାଗରେ ବିଭକ୍ତ କରିଛନ୍ତି । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଥିବା ୨୦ଟି ଜିଲ୍ଲାକୁ ‘କାଟାଗୋରୀ-ଏ’ରେ ସାମିଲ କରିଛନ୍ତି । ଏହି ସବୁ ଜିଲ୍ଲା ଗୁଡ଼ିକରେ ଦୋକାନ-ବଜାର ଗୁଡ଼ିକ ସକାଳ ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲିବ । ପୂର୍ବରୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ଦୋକାନ-ବଜାର ଗୁଡ଼ିକ ଖୋଲା ରହୁଥିଲା । ସପ୍ତାହାନ୍ତ ସଟଡାଉନ୍‌କୁ ରହିବ ନାହିଁ । ସେହିପରି ଉତ୍ତର ଓ ଉପକୂଳ ଓଡ଼ିଶାରେ ଥିବା ୧୦ଟି ଜିଲ୍ଲାକୁ ‘କାଟାଗୋରୀ-ବି’ରେ ସାମିଲ କରାଯାଇଛି, ଯେଉଁଠାରେ କି ଦେକାନ-ବଜାର ଗୁଡ଼ିକ ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲା ରହିବ । ପୂର୍ବରୁ ଏଠାରେ ଦୋକାନ ବଜାର ଗୁଡ଼ିକ ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଖୋଲା ରହୁଥିଲା । କିନ୍ତୁ କାଟାଗୋରୀ-ବି ଜିଲ୍ଲା ଗୁଡ଼ିକରେ ସପ୍ତାହନ୍ତ ସଟ୍‌ଡାଉନ୍ ଜାରି ରହିବ । ଲକ୍‌ଡାଉନରେ କୋହଳ ହେବା ପରେ ଚାଷୀ, ଶ୍ରମିକ, ଦିନ ମଜୁରିଆ ଆଦି ବଜାର ଉପରେ ଅଧିକ ସମୟ ରହିପାରିବେ । ଫଳରେ ସେମାନଙ୍କର ରୋଜଗାର ବଢ଼ିବ ।

ଅନ୍ତଃରାଜ୍ୟ ପରିବହନ ସେବା ଆରମ୍ଭ

ରାଜ୍ୟବାସୀଙ୍କୁ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ମିଳିଛି । ଲୋକେ ସାଧାରଣ ପରିବହନ ମାଧ୍ୟମରେ ଗୃହ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଯାଇପାରିଛନ୍ତି । ପୂର୍ବରୁ ଏହା ପଶ୍ଚିମ ଓ ଦକ୍ଷିଣାଂଚଳ ଜିଲ୍ଲାରେ ହୋଇପାରୁଥିଲା । ଏହି ପରିବହନ ସେବା ପୁଣି ଜିଲ୍ଲା ଭିତରେ ହି ସୀମିତ ରହୁଥିଲା । ଲୋକେ ଅନ୍ୟ ଜିଲ୍ଲାକୁ ବସ୍‌ରେ ଯାଇପାରୁ ନଥିଲେ । ବିଶେଷ କରି ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର ଓ ସମ୍ବଲପୁରକୁ ଅନ୍ୟ ଜିଲ୍ଲାରୁ ବସ୍ ଚଳାଚଳ ହୋଇ ପାରି ନଥିବାରୁ ଲୋକେ ବହୁତ ହଇରାଣ ହେଉଥିଲେ । ଏହି ସମସ୍ୟା ଏବେ ରହିବ ନାହିଁ । କଟକଣା ହେଉ ପଛେ ଅନ୍ତଃରାଜ୍ୟ ପରିବହନ ସେବା ଆରମ୍ଭ ହୋଇଯିବା ପରେ ବସ୍ ଗୁଡ଼ିକ ଚାଲିଛି । ଅଟୋ, ଟ୍ୟାକ୍ସି ରାସ୍ତାରେ ଗଡ଼ିଛି । ଡ୍ରାଇଭର, ହେଲପର ଓ ମାଲିକମାନଙ୍କ ମନରେ ନୂଆ ଆଶା ସଂଚାର ହୋଇଛି ।

ଖୋଲିଲା ସେଲୁନ-ବିଉଟି ପାର୍ଲର

ରାଜ୍ୟରେ କୋଭିଡ କଟକଣା ସହିତ ସେଲୁନ, ସ୍ପା ଓ ବିଉଟି ପାର୍ଲର ଖୋଲିଛି । ଏହି ସବୁ କାମରେ ଲକ୍ଷ ଲକ୍ଷ ଲୋକ ନିୟୋଜିତ ହୋଇଥାନ୍ତି । ଏହି ସବୁ କାମରେ ନିୟୋଜିତ ଥିବା ଅଧିକାଂଶଙ୍କର ଆଥିର୍କ ଅବସ୍ଥା ସ୍ୱଚ୍ଛଳ ନୁହେଁ । ଉଦାହରଣ ସ୍ୱରୂପ ଏକ ସେଲୁନରେ ଜଣେ ମାଲିକ ଥିବା ବେଳେ ଏଠାରେ ଅତିକମରେ ୩ରୁ ୪ ଜଣ କର୍ମଜୀବୀ ନିୟୋଜିତ ହୋଇଥାନ୍ତି । କରୋନା ଯୋଗୁଁ ମେ’ ୧ ତାରିଖରୁ ହାତ ବାନ୍ଧି ବସିଥିବା ବେଳେ, ସେମାନେ ପରିବାର ଚଳାଇବାକୁ ବହୁ କଷ୍ଟ ଅନୁଭବ କରୁଥିଲେ । ତେଣୁ ଏବେ ସେମାନଙ୍କର ମୁହଁରେ ହସ ଦେଖିବାକୁ ମିଳିଛି ।

ଅଭ୍ୟାସ କରିବେ ଖେଳାଳି

ପ୍ରତ୍ୟେକ ବ୍ୟକ୍ତିଙ୍କ କ୍ୟାରିୟର ବଡ଼ ଗୁରୁତ୍ୱପୂର୍ଣ୍ଣ । କରୋନ ଯୋଗୁଁ ଖୋଳିମାନେ ପଡ଼ିଆକୁ ଆସିପାରୁ ନଥିଲେ । ସେମାନେ ଅଭ୍ୟାସ କରିବାରୁ ବଂଚିତ ରହୁଥିଲେ । ଫଳରେ ଜାତୀୟ, ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ନେଇ ମନରେ ସନ୍ଦେହ ଦେଖାଯାଉଥିଲା । ଏବେ ଖେଳାଳିମାନେ ପଡ଼ିଆକୁ ଆସିପାରିବେ । ବିନା ଦର୍ଶକରେ ଆଉଟଡୋର ଖେଳ ହୋଇପାରିବ । ଖେଳାଳିମାନେ ନିଜର ଅଭ୍ୟାସ ଓ ପ୍ରତିଯୋଗୀ ମନୋଭାବକୁ ଆଗକୁ ନେଇପାରିବେ । ସେହିପରି ମନୋରଂଜନରେ କ୍ୟାରିଅର କରୁଥିବା ବ୍ୟକ୍ତିମାନେ ଆଉଟଡୋର ଓ ଇନଡୋର ଫିଲ୍ମ ସୁଟିଂ ପାଇଁ ଯାଇପାରିବେ । ଏଥି ପାଇଁ ସରକାର ଅନୁମତି ଦେଇଛନ୍ତି ।

Share the article

LEAVE A REPLY