ରହସ୍ୟ ଘେରରେ ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଂଜନଙ୍କ ମୃତ୍ୟୁ

0
178

ଭୁବନେଶ୍ୱର: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବନଖଣ୍ଡ କାର୍ଯ୍ୟାଳୟରେ ସହକାରୀ ବନ ସଂରକ୍ଷକ (ଏସିଏଫ୍‌) ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ ରୋଚକ ମୋଡ଼ ନେଉଛି । କାରଣ ଏସିଏଫ୍ ଘଟଣା ଦିନ ଅଦରକାରୀ କାଗଜରେ ନିଆଁ ଲଗାଉଥିଲେ କି ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇ ଏଭଳି ରୂପ ଦିଆଯାଇଛି, ତାହା ଗୋଟିଏ ସପ୍ତାହରୁ ଅଧିକ ଦିନ ଅତିକ୍ରାନ୍ତ ହୋଇଥିଲେ ବି ସ୍ପଷ୍ଟ ହୋଇପାରୁ ନାହିଁ । ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ଠୋସ୍ ପ୍ରମାଣ ପାଇପାରୁ ନାହିଁ । ତେଣୁ ଘଟଣାର ରହସ୍ୟ ବଢ଼ିବାରେ ଲାଗିଛି ।

କ’ଣ କୁହନ୍ତି ସୌମ୍ୟଙ୍କ ପରିବାର

ଅନୈତିକ ସଂପର୍କକୁ ନେଇ ସୌମ୍ୟରଂଜନଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ବାପା ଅଭିରାମ ମହାପାତ୍ର ଅଭିଯୋଗ ଆଣିଛନ୍ତି । ସେ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା, ରୋଷେୟା ମନ୍ମଥ କୁମ୍ଭ ଓ ବିଦ୍ୟାଭାରତୀଙ୍କ ଉପରକୁ ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ଅନ୍‌ଲାଇନ୍‌ରେ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଅଭିଯୋଗ କରିବା ସହ ଘଟଣାର କ୍ରାଇମବ୍ରାଂଚ ତଦନ୍ତ ଦାବି କରିଛନ୍ତି । କିନ୍ତୁ ବିଦ୍ୟାଭାରତୀ ଶ୍ୱଶୁର ଘର ଲୋକଙ୍କର ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେହିପରି ଡିଏଫଓ ଏବଂ ରୋଷେୟା ଘଟଣା ସହିତ କୌଣସି ସଂପର୍କ ନାହିଁ ବୋଲି କହିଛନ୍ତି ।

ଭଲ ସଂପର୍କ ଥିଲା, ସଂଦେହ ହୋଇଥିଲା

ବାଲେଶ୍ୱର ଜିଲ୍ଲା ଖଇଣା ଥାନା ଅନ୍ତଗର୍ତ ନୟାଖଣ୍ଡି ପଂଚାୟତ ବେୁନିଆ ଗାଁର ସୂଚନାଯୋଗ୍ୟ ସୌମ୍ୟ (୩୨) ୨୦୨୦ ମେ’ ମାସ ୨୦ ତାରିଖରେ ପାରଳାଖେମୁଣ୍ଡି ଏସିଏଫ୍ ଭାବେ ଯୋଗଦେଇଥିଲେ । ସେ ୨୦୨୦ ଡିସେମ୍ବର ୧ ତାରିଖରେ ମୟୂରଭଂଜ ଜିଲ୍ଲା କପ୍ତିପଦା ବ୍ଲକ ଅନ୍ତର୍ଗତ ଗୌଡ଼ଗାଁର ଶ୍ରୀହରୀ ପଣ୍ଡାଙ୍କ ଝିଅ ବିଦ୍ୟାଭାରତୀ ପଣ୍ଡାଙ୍କୁ ବିବାହ କରିଥିଲେ । ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କିଛି ମାସ ପର୍ଯ୍ୟନ୍ତ ଭଲ ସଂପର୍କ ଥିଲା । କିନ୍ତୁ ସୌମ୍ୟ କୌଣସି ବାହାର ଝିଅଙ୍କ ସହିତ ସଂପର୍କ ରଖିଛନ୍ତି ଭାବି ବିଦ୍ୟାଭାରତୀ ନିଜ ସ୍ୱାମୀଙ୍କ ଉପରେ ସନ୍ଦେହ କରୁଥିଲେ । ହେଲେ ଏସବୁ ପରେ ବି ସ୍ୱାମୀଙ୍କୁ ବହୁତ ଭଲ ପାଉଥିଲେ । ଘଟଣା ଦିନ ବିଦ୍ୟାଭାରତୀ ଘର ଭିତରେ ମୋବାଇଲରେ ଗେମ ଖେଳୁଥିବା ବେଳେ ସୌମ୍ୟ ଅଗ୍ନିକାଣ୍ଡଜନିତ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ବୋଲି ବିଦ୍ୟାଭାରତୀ କହିଛନ୍ତି ।

ଅନ୍ୟ ଝିଅଙ୍କ ସହିତ ସୌମ୍ୟଙ୍କ ସଂପର୍କ?

ପାରଳାଖେମୁଣ୍ଡି ପୋଲିସ ଜେରା କରୁଥିବା ବେଳେ ବିଦ୍ୟାଭାରତୀ କହିଛନ୍ତି, ସୌମ୍ୟଙ୍କ ସହିତ ଅନ୍ୟ ଝିଅଙ୍କର ସଂପର୍କ ଥିଲା । ଦୀର୍ଘ ୫ ଦିନ ଯାଏଁ ଚୁପ ଥିବା ବିଦ୍ୟାଭାରତୀ ମଙ୍ଗଳବାର ଗଣମାଧ୍ୟମକୁ କହିଛନ୍ତି ଯେ, ଦିନେ ସେ ସ୍ୱାମୀଙ୍କ ସହିତ ବସିଥିବା ବେଳେ ଏକ ଅଜଣା ନମ୍ବରରୁ ଫୋନ୍ ଆସିଥିଲା । ଏହା ପରେ ସୌମ୍ୟରଂଜନ ହଡ଼ବଡେଇ ଯାଇଥିଲେ । କୌଣସି ପ୍ରକଳ୍ପ କାମପାଇଁ କେହି ଜଣେ କଥା ହେବାକୁ ଚାହୁଁଛନ୍ତି ବୋଲି ସେ ବିଦ୍ୟାଭାରତୀଙ୍କୁ କହିଥିଲେ । ବିଦ୍ୟାଭାରତୀ ଫୋନ୍ ରିସିଭ କରିବା ପାଇଁ କହି ଫୋନ୍‌ର ଇଅର ଫୋନକୁ ନିଜ କାନରେ ଲଗାଇଥିଲେ । ସେହି ସମୟରେ ସେ ଜଣେ ଝିଅର ସ୍ୱର ଶୁଣିଥିଲେ । ଫୋନରେ ଝିଅଟି କହୁଥିଲା- ସୌମ୍ୟ ଏତେ ଦିନ ହେଲା କାହିଁକ ଫୋନ୍ କରୁନ । କେବଳ ସେତିକି ନୁହେଁ ଅଜଣା ମୋବାଇଲ ନମ୍ବରରୁ ସୌମ୍ୟଙ୍କ ମୋବାଇଲକୁ ଆଇ ଲଭ୍ ୟୁ ମେସେଜ ମଧ୍ୟ ଆସିଛି ।

ମୃତ୍ୟୁ ପୂର୍ବରୁ କ’ଣ କହିଥିଲେ ସୌମ୍ୟ

ଗତ ୧୨ ତାରିଖ ରାତିର ଘଟଣା । ସରକାରୀ ବଙ୍ଗଳାରେ କିଛି ଅଦରକାରୀ କାଗଜପତ୍ର ଏକାଠି କରି ନିଆଁ ଲଗାଉଥିବା ବେଳେ ପାଖରେ ଥିବା କିରାସିନିରେ ନିଆଁ ଧରିଥିଲା । ଏଥିରେ ସେ ଜଳିଯାଇଥିଲେ । ପତ୍ନୀ ଦେଖୁଥିଲେ ମଧ୍ୟ କିଛି କରିପାରି ନଥିଲେ । କାରଣ ସେହି ସମୟ ବେଳକୁ ସୌମ୍ୟଙ୍କ ଶରୀରର ୮୦ ପ୍ରତିଶତ ପୋଡ଼ିଯାଇଥିଲା । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଂଚିଥିଲା । କଟକସ୍ଥିତ ଅଶ୍ୱିନୀ ହସ୍‌ପିଟାଲରେ ମୃତ୍ୟୁ ପୂର୍ବରୁ ସୌମ୍ୟ ମାଜିଷ୍ଟ୍ରେଟଙ୍କ ଆଗରେ ବୟାନ ଦେଇଥିଲେ ଯେ, ଏହି ଦୁର୍ଘଟଣା ପାଇଁ କେହି ଦାୟୀ ନୁହଁନ୍ତି ।

Share the article

LEAVE A REPLY