ଧନୀ ହେବା ସ୍ୱପ୍ନ: ଶିକାରୀଙ୍କ ଟାର୍ଗେଟରେ ବାଘ

0
251
Spread the love

ଭୁବନେଶ୍ୱର: ପଶୁମାନଙ୍କର ରାଜା କୁହାଯାଉଥିବା ସିଂହ ପରେ ଜଙ୍ଗଲରେ ଅନ୍ୟ ବଳବାନ ଜନ୍ତୁ ହେଉଛି ବାଘ । ବାଘ ଯେତେବେଳେ ଜଙ୍ଗଲରେ ଚାଲୁଥାଏ, ସେହି ସମୟରେ କିଛି ଦୂର ପର୍ଯ୍ୟନ୍ତ ଶବ୍ଦ ହୋଇଥାଏ ବୋଲି ବିଶେଷଜ୍ଞମାନେ କୁହନ୍ତି । ଆକାର ଦୃଷ୍ଟିରୁ ହାତୀ, ସମ୍ବର, ଗୟଳଙ୍କ ତୁଳନାରେ ଛୋଟ ହୋଇଥିଲେ ବି ବାଘ ବହୁତ ବୁଦ୍ଧିମାନ ଓ ବଳବାନ । ସେଇଥି ପାଇଁ ହାତୀ ଭଳି ବଡ଼ ଜନ୍ତୁ ମଧ୍ୟ ବାଘକୁ ସମ୍ମୁଖୀନ ହୋଇପାରି ନଥାନ୍ତି । ବାଘ ଏକ ଲୟରେ ଶିକାର କରିଥାଏ । ଏପରିକି ପାଣିକୁ କୁଦାମାରୀ କୁମ୍ଭୀର ଶିକାର କରିବାକୁ ମଧ୍ୟ ପଛେଇ ନଥାଏ । କିନ୍ତୁ ବିଚକ୍ଷଣ ବୁଦ୍ଧି ସତ୍ତେବିଚରା ବାଘ ଜନ୍ତୁ ଶିକାରୀଙ୍କ କବଳରୁ ରକ୍ଷା ପାଇପାରୁ ନାହିଁ ।

ରାଜ୍ୟରେ ବାଘ ଶିକାରୀଙ୍କ ପ୍ରାଦୂର୍ଭାବ ଦେଖାଯାଇଛି । ରାଜ୍ୟରେ ଯଦିଓ ମହାବଳ ବାଘ ସଂଖ୍ୟା ହାତଗଣତି ରହିଛି, କିନ୍ତୁ ଅନେକ ସମୟରେ ଚିତାବାଘ ଗୁଡ଼ିକ ଚଳପ୍ରଚଳ ହେଉଥିବା ଜଣାଯାଉଛି । ନୂଆପଡ଼ା ଅଭୟାରଣ୍ୟ, ଡେବ୍ରିଗଡ଼ ଅଭୟାରଣ୍ୟ, ସାତକୋଶିଆ, ଶିମିଳିପାଳ ଅଭୟାରଣ୍ୟରେ ବାଘ ଥିବା ଜଣାଯାଇଛି । ସମ୍ଭବତଃ ଏହି ଅଭୟାରଣ୍ୟ ଭିତରୁ ବାଘ ଶିକାର କରାଯାଉଥାଇ ପାରେ । ଶିକାରୀମାନେ ବାଘଙ୍କ ଠାରୁ ଅଧିକ ଭୟଙ୍କର ରୂପ ନେଉଛନ୍ତି । ବନ ବିଭାଗର ଆଇନ, ବନ କର୍ମଚାରୀଙ୍କୁ ଖାତିର ନକରି ବାଘ ଶିକାର କାମରେ କିଛି ଲୋକ ବ୍ୟସ୍ତ ରହୁଛନ୍ତି । କୁହାଯାଇଥାଏ ଯେ, ବାଘର ଚମଡ଼ା, ନିଶ, ନଖ ବହୁ ମୂଲ୍ୟରେ ବିକ୍ରି ହୋଇଥାଏ । ଶିକାରୀମାନେ ବାଘକୁ ମାରି ଅନ୍ୟ ରାଜ୍ୟକୁ ଚାଲାଣ କରୁଛନ୍ତି । ଏଥି ପାଇଁ ବୋଧେ ଏକ ରାକେଟ କାମ କରୁଛି ।

ବନ ବିଭାଗ ଏବଂ ଏସ୍‌ଟିଏଫ୍ ଗତ ମଙ୍ଗଳବାର ଏବଂ ବୁଧବାର ଦେବଗଡ଼ ଏବଂ ବୌଦ୍ଧ ଜିଲ୍ଲାରେ ଚଢ଼ାଉ କରି ୨ଟି ବାଘ ଛାଲ ଜବତ କରିଛି । ଶିକାରୀମାନଙ୍କ ଠାରୁ ବାଘ ଛାଲ ଜବତ କରିବା ପାଇଁ ଅଧିକାରୀମାନଙ୍କୁ ବ୍ୟବସାୟୀର ପରିଚୟ ଦେବାକୁ ପଡ଼ିଥିଲା । ବାଘ ଛାଲ ଜବତ ସମୟରେ ବନ ବିଭାଗ ଏବଂ ଏସ୍‌ଟିଏଫ୍ ୫ ଜଣଙ୍କୁ ଗିରଫ କରିଛି । ପଚରାଉଚରାରୁ ଯାହା ଜଣାପଡ଼ିଛି ଅଭିଯୁକ୍ତମାନେ ବାହାର ରାଜ୍ୟକୁ ଏହା ପଠାଇବାକୁ ଯୋଜନା ରଖିଥିଲେ ।

ବାଘ ଛାଲ ଜବତ, ୪ ଗିରଫ

ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଅନ୍ତର୍ଗତ ତିଲେଇମାଳ ଗାଁର ରତିଆ କିଡୋ (୨୯) କିଛି ମାସ ପୂର୍ବରୁ ଏକ ବାଘ ଶିକାର କରିଥିଲା । ସେ ଏହାକୁ ବିକ୍ରି କରିବା ପାଇଁ ଗ୍ରାହକ ଖୋଜୁଥିଲା । ତେବେ ବାଘ ଛାଲ ରତିଆ କିଡ଼ୋ ରଖିଥିବା ନେଇ ବନବିଭାଗ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଥିଲା । ଦେବଗଡ଼ ଡିଏଫଓ କ୍ଷମା ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶ ଅନୁସାରେ ଯୋଜନା ମୁତାବକ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ଟିମ୍‌ରେ ମୋଟ ୮ ଜଣ ଥିଲେ । ମଙ୍ଗଳବାର ଭୋର ସକାଳୁ ଟିମ୍‌ର କିଛି ସଦସ୍ୟ ଗ୍ରାହକ ସାଜି ରତିଆଙ୍କ ପାଖକୁ ଯାଇଥିବା ବେଳେ ଅନ୍ୟମାନେ ବାହାରେ ଅଧବାଟରେ ଥିଲେ । ପ୍ରଥମ ଟିମ୍ ମୂଳଚାଳ କରୁଥିବା ବେଳେ ରତିଆ ନିଜର ଅନ୍ୟ ୩ ସହଯୋଗୀଙ୍କୁ ଡାକିଥିଲା । ତେବେ ପୂର୍ବ ଯୋଜନା ଅନୁସାରେ ବନ ବିଭାଗର କର୍ମଚାରୀମାନେ ୪ ଜଣଙ୍କୁ ଗିରଫ କରି ସେଠାରୁ ଆଣିଥିଲେ ।

ବୌଦ୍ଧ ଜିଲ୍ଲାରେ ପୁଣି ବାଘ ଛାଲ ଜବତ

ସେହିପରି ରାଜ୍ୟ ଟାସ୍କ ଫୋର୍ସ ଟିମ୍ ଗତ ବୁଧବାର ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ କପାସିରା ଗାଁ ମୁଣ୍ଡରୁ ଜଣେ ଶିକାରୀଙ୍କୁ ଗିରଫ କରିବା ସହିତ ତା’ଠାରୁ ବାଘ ଛାଲ ସହ ଦେଶୀ ବନ୍ଧୁକ ଏବଂ ଗୁଳି ଜବତ କରିଛି । ଅଭିଯୁକ୍ତକୁ ଏସ୍‌ଟିଏଫ୍ ଗିରଫ ପରେ ଅଧିକ ପଚରାଉଚରା କରିଛି । ଜବତ ବାଘ ଛାଲ ଉତ୍ତର ପ୍ରଦେଶର ଡେରାଡୁନ ପରୀକ୍ଷା ପାଇଁ ଯିବ । ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ, ମାସକ ପୂର୍ବରୁ ମନମୁଣ୍ଡା ଥାନା ଅନ୍ତର୍ଗତ ବାନ୍ଦନଝୁଲି ଗାଁରୁ ଜଣେ ବ୍ୟକ୍ତିଙ୍କ ଠାରୁ ବାଘ ଛାଲ ଜବତ ହୋଇଥିଲା । ପୁଣି ଥରେ ଏହି ଅଂଚଳରୁ ବାଘ ଛାଲ ଜବତ ହେବା ପରେ ବନ୍ୟଜନ୍ତୁପ୍ରେମୀମାନେ ଚର୍ଚ୍ଚା କରୁଛନ୍ତି ।

ବିପଦରେ ବନ୍ୟ ଜନ୍ତୁ

ବନ୍ୟ ଜନ୍ତୁମାନେ ଦିନକୁ ଦିନ ବିପଦ ଆଡ଼କୁ ଅଗ୍ରସର ହେଉଛନ୍ତି । ଜଙ୍ଗଲ ଅବକ୍ଷୟ, ବୃକ୍ଷରୋପଣ କମ ହେବ, ଜଙ୍ଗଲର ଉପଯୁକ୍ତ ଯତ୍ନ ନିଆଯିବା ଯୋଗୁଁ ବନ୍ୟଜନ୍ତୁମାନେ ସଂକଟରେ ପଡ଼ିଯାଉଛନ୍ତି । ଜଙ୍ଗଲ କ୍ଷୟ ହେବା ଦ୍ୱାରା ବନ୍ୟଜନ୍ତୁମାନେ ବାଧ୍ୟ ହୋଇ ବାହାରକୁ ଆସିଯାଉଛନ୍ତି ଏବଂ ଶିକାରୀମାନଙ୍କର ହାବୁଡ଼ରେ ପଡୁଛନ୍ତି । ଜଙ୍ଗଲରେ କେବଳ ବାଘ ଅସୁରକ୍ଷିତ ନୁହେଁ, ବରଂ ହାତୀ, ହରିଣ, ସମ୍ବର, କୁଟୁରା ଆଦି ପ୍ରାଣୀମଧ୍ୟ ସୁରକ୍ଷିତ ନାହାନ୍ତି ।

LEAVE A REPLY