ଶିବାଳୟରେ ନାହିଁ କୋଳାହଳ, ଶୁଭୁନି ବୋଲବମ୍ ଡାକ

0
177

ଭୁବନେଶ୍ୱର: ଶ୍ରାବଣ ମାସ ଆରମ୍ଭ ହୋଇଯାଇଛି । ଆଜି ପ୍ରଥମ ସୋମବାରରେ ଶିବାଳୟ ଗୁଡ଼ିକରେ ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କର ଭିଡ଼ ନାହିଁ । ମନ୍ଦିର ପୂଜାରୀ ଓ ସୀମିତ ସେବାୟତଙ୍କ ଦ୍ୱାରା ମହାଦେବଙ୍କୁ ପୂଜାର୍ଚ୍ଚନା କରାଯାଇଛି । ଶ୍ରାବଣ ମାସରେ ଶିବଙ୍କର ପ୍ରିୟ ଦିନରେ କାଉଡ଼ିଆମାନେ ମନ୍ଦିର ଭିତରକୁ ପ୍ରବେଶ କରିପାରି ନାହାନ୍ତି । ମନ୍ଦିର ପରିସରରେ ବୋଲବମ୍ ଡାକ ନଶୁଭି ଶାନ୍ତ ପରିବେଶ ସୃଷ୍ଟି ହୋଇଛି । କାରଣ ରାଜ୍ୟ ସରକାର ବିଗତ କିଛି ଦିନ ପୂର୍ବରୁ କାଉଡିଆ ଯାତ୍ରା ଉପରେ କଟକଣା ଲଗାଇଛନ୍ତି । କିନ୍ତୁ କିଛି ମନ୍ଦିରରେ ଗହଳି ନଥିଲେ ମଧ୍ୟ ଭକ୍ତମାନେ ଜଳ ଲାଗି କରିଛନ୍ତି ।

ଅମାନିଆ ହେଲେ କାର୍ଯ୍ୟାନୁଷ୍ଠାନ

କରୋନା ଭାଇରସ ସଂକ୍ରମଣର ୨ୟ ଲହର ନିୟନ୍ତ୍ରଣକୁ ଆସି ନଥିବାରୁ ରାଜ୍ୟ ସରକାରଙ୍କ ଦ୍ୱାରା କାଉଡ଼ିଆ ଯାତ୍ରା ଉପରେ କଟକଣା ଲଗାଇଛନ୍ତି । ଫଳରେ ରାସ୍ତାରେ ଆଉ ବୋଲବମ୍ ଡାକ ଶୁଭୁନାହିଁ । କାରଣ ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ଶିବଭକ୍ତମାନେ ଡରିଯାଇଛନ୍ତି । ରାସ୍ତାରେ ବୋଲବମ ଯାତ୍ରା ଦେଖିବା ମାତ୍ରେ କାର୍ଯ୍ୟାନୁଷ୍ଠାନ ହୋଇପାରେ । ସରକାର ଗାଇଡଲାଇନରେ କହିଛନ୍ତି ଯେ, ଶିବ ଭକ୍ତମାନେ କୌଣସି ଧାର୍ମିକ ସ୍ଥାନରୁ ଜଳଧରି ଅନ୍ୟ ଶିବାଳୟକୁ ଯାତ୍ରା କରିପାରିବେ ନାହିଁ । ରାସ୍ତାରେ କଳସ ଧରି ଯାଉଥିବା ଦେଖାଗଲେ ଦୃଢ଼ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିବ ।

କୋଭିଡ-୧୯ କଟକଣା ଯୋଗୁଁ ଓଡ଼ିଶା ବ୍ୟତୀତ ଅନ୍ୟ ରାଜ୍ୟ ଗୁଡ଼ିକର ମଧ୍ୟ କାଉଡ଼ିଆ ଯାତ୍ରାକୁ ବାରଣ କରାଯାଇଛି । ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ରାଜସ୍ଥାନ ସରକାର ମଧ୍ୟ କାଉଡ଼ିଆ ଯାତ୍ରାକୁ ଚଳିତ ବର୍ଷ ବାତିଲ କରିଛନ୍ତି । ପୂର୍ବରୁ ଉତ୍ତର ପ୍ରଦେଶରେ କାଉଡ଼ିଆ ଯାତ୍ରା ସୀମିତ ଶ୍ରଦ୍ଧାଳୁଙ୍କୁ ନେଇ କରାଯିବାର ଆଶା ଦେଖାଯାଉଥିଲା । କିନ୍ତୁ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବା ପରେ ରାଜ୍ୟ ସରକାର କାଉଡ଼ିଆ ଯାତ୍ରାକୁ ଶେଷରେ ବାତିଲ କରିଥିଲେ । ଦେଶର ଅନ୍ୟ ପ୍ରମୁଖ ଶିବାଳୟ ଗୁଡ଼ିକରେ ମଧ୍ୟ ଗେରୁଆବସ୍ତ୍ରଧାରୀ ଭକ୍ତମାନେ ମଧ୍ୟ ଶିବଙ୍କୁ ଜଳ ଲାଗି କରିପାରି ନାହାନ୍ତି ।

ଭକ୍ତ ଶୂନ୍ୟ ଶିବାଳୟ

ରାଜ୍ୟ ସରକାରଙ୍କ କଟକଣା ଯୋଗୁଁ ଭୁବନେଶ୍ୱରସ୍ଥିତ ଶ୍ରୀଲିଙ୍ଗରାଜ, ପୁରୀର ଲୋକନାଥ, ଢେଙ୍କାନାଳ ଜିଲ୍ଲାର କପିଳାସସ୍ଥିତ ବାବା ଚନ୍ଦ୍ରଶେଖର, ସମ୍ବଲପୁର ଜିଲ୍ଲା ହୁମାସ୍ଥିତ ବିମଳେଶ୍ୱର, କୋରାପୁଟ ଜିଲ୍ଲା ବୈପାରୀଗୁଡ଼ାସ୍ଥିତ ଗୁପ୍ତେଶ୍ୱର, ଭଦ୍ରକର ଆରଡ଼ିସ୍ଥିତ ବାବା ଅଖଣ୍ଡଳମଣୀ ପୀଠରେ ଆଜି ଭକ୍ତମାନଙ୍କର କୋଳାହଳ ଶୁଣାଯାଇ ନାହିଁ । ଶ୍ରାବଣ ମାସ ଆସିଲେ ଏହି ସବୁ ଶିବାଳୟଗୁଡ଼ିକରେ କାଉଡ଼ିଆମାନଙ୍କର ପ୍ରବଳ ଭିଡ଼ ହୋଇଥାଏ । ବୋଲବମ୍ ସ୍ୱରରେ ପରିବେଶ ଉଛୁଳି ପଡୁଥାଏ । ରାତି ୪ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ଲମ୍ବା ଲାଇନ୍ ଲାଗିଥାଏ । ଏସବୁ ଏଥର କରୋନା ପାଇଁ ଫିକା ପଡ଼ିଛି ।

ସେବାର ସୁଯୋଗ ମିଳିଲାନି

କରୋନା କଟକଣା ପାଇଁ ଶିବାଳୟ ଗୁଡ଼ିକରେ ଭକ୍ତ ଶୂନ୍ୟ ପରିସ୍ଥିତି ଦେଖାଯାଇଛି । ଶିବାଳୟ ଗୁଡ଼ିକରେ ଯେଉଁ ଉତ୍ସବର ମାହୋଲ ଥାଏ, ତାହା ଆଉ ଦେଖାଯାଉ ନାହିଁ । ରାଜ୍ୟର ପ୍ରସିଦ୍ଧ ତଥା ଲୋକପ୍ରିୟ ଶିବ ମନ୍ଦିର ଗୁଡ଼ିକରେ କୋଣ ଅଣୁକୋଣରୁ ଭକ୍ତମାନେ ଜୁଟିଥାନ୍ତି । କାନ୍ଧରେ କାଉଡ଼ି ଭାରଧରି ପବିତ୍ର ଜଳାଶୟରୁ ଜଳ ଉଠାଇ ଭକ୍ତମାନେ ନିଜ ନିଜ ମାନସିକ ଅନୁଯାୟୀ ଶିବପୀଠକୁ ଆସିଥାନ୍ତି । ଶ୍ରାବଣ ମାସର ସୋମବାର ଗୁଡ଼ିକରେ ପ୍ରବଳ ଭିଡ ହୋଇଥାଏ । ଭକ୍ତଙ୍କ ସେବା ପାଇଁ ପ୍ରଶାସନ ଏବଂ ଅନ୍ୟ ସଂଗଠନ ନିଜକୁ ନିୟୋଜିତ କରିଥାଏ । କାଉଡ଼ିଆ ମାନଙ୍କୁ ଭୋଜନ ବ୍ୟବସ୍ଥା କରାଯାଇଥାଏ । ଏସବୁ ଏଥର ହୋଇପାରିଲା ନାହିଁ ।

ବେପାର ମାନ୍ଦା

କାଉଡ଼ିଆ ଯାତ୍ରାକୁ ଅନୁମତି ମିଳିଥିଲେ ପୂଜା ଦୋକାନୀ, କପଡ଼ା ଦୋକାନୀ ଓ ଫ୍ୟାନ୍ସି ଷ୍ଟୋର ଗୁଡ଼ିକର କିଛି ରୋଜଗାର ହୋଇଥାନ୍ତା । ଦୋକାନୀମାନେ ପୂଜା ସାମଗ୍ରୀ, ଗେରୁଆ ବସ୍ତ୍ର ବିକ୍ରି କରଥାନ୍ତେ । ସରକାରଙ୍କ ଦ୍ୱାରା କାଉଡ଼ିଆ ଯାତ୍ରାକୁ ବାରଣ କରାଯିବା ପରେ ବ୍ୟବସାୟୀମାନଙ୍କୁ ଆଥିର୍କ ଘାଟା ହୋଇଛି । ଗତ ବର୍ଷ ମଧ୍ୟ କାଉଡ଼ିଆ ଯାତ୍ରାକୁ ବାରଣ କରାଯାଇଥିବାରୁ ସେମାନେ କ୍ଷତି ସହିଥିଲେ ।

Share the article

LEAVE A REPLY