ଭାରତରେ ପିତା-ପୁତ୍ର ମୁଖ୍ୟମନ୍ତ୍ରୀ ପରଂପରା

0
141

ନୂଆଦିଲ୍ଲୀ/ଭୁବନେଶ୍ୱର: ଭାରତୀୟ ରାଜନୀତିରେ ବଂଶବାଦ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି । ପିତା ରାଜନୀତିରେ ଥିଲେ ପୁତ୍ରମାନଙ୍କୁ କମ ପରିଶ୍ରମରେ ସଫଳତା ମିଳୁଛି । ଏଥିରେ ମତଦାତା ତଥା ଦେଶର ଜନତା ମଧ୍ୟ ସମର୍ଥନ କରୁଛନ୍ତି । ଭାରତୀୟ ଲୋକେ ଅନ୍ୟ ଦେଶ ତୁଳନାରେ ଅଧିକ ପରାଂପରାବାଦୀ ଓ ସମବେଦନାବାଦୀ । ଜଣେ ବ୍ୟକ୍ତି ପଦପଦବୀରେ ଥାଇ ମୃତ୍ୟୁ ହେଲେ ଲୋକେ ସଂପୃକ୍ତ ପରିବାର ପ୍ରତି ସମବେଦନା ଓ ସ୍ୱାନ୍ତନା ଦେଇଥାନ୍ତି । ଦେଶର ଏକାଧିକ ରାଜ୍ୟରେ ପିତା ମୁଖ୍ୟମନ୍ତ୍ରୀ ଥିଲେ ପୁତ୍ର ମଧ୍ୟ ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ହେଉଥିବା ଦୃଷ୍ଟିଗୋଚର ହେଉଛି । ସେହିପରି ପିତା ଯଦି ବିଧାୟକ, ଜିଲ୍ଲା ପରିଷଦ ଚେୟାରମ୍ୟାନ, ସମିତି ସଭ୍ୟ ଅଥବା ସରପଂଚ ଅଛନ୍ତି, ତା’ହେଲେ ତାଙ୍କର ପୁତ୍ରଙ୍କୁ ମତଦାତା ଭୋଟ ଦେଇ ଲୋକପ୍ରତିନିଧି କରୁଛନ୍ତି ।

ପ୍ରସଙ୍ଗ କ୍ରମେ ଆଜି କର୍ଣ୍ଣାଟକକୁ ନୂଆ ମୁଖ୍ୟମନ୍ତ୍ରୀ ମିଳିଛି । କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍ ଆର ବୋମ୍ମଇଙ୍କ ପୁତ୍ର ବାସବରାଜ ବୋମ୍ମଇଙ୍କୁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଭାରତୀୟ ଜନତା ପାର୍ଟି (ବିଜେପି) ବିଧାୟକ ଦଳର ନେତା ଭାବେ ଚୟନ କରିବା ପରେ ସେ ଆଜି ଶପଥ ଗ୍ରହଣ କରିଛନ୍ତି । ଏଥି ସହିତ କର୍ଣ୍ଣାଟକର ଇତିହାସରେ ଆଉ ଏକ ଫର୍ଦ୍ଦ ଯୋଡ଼ି ହୋଯାଇଛି । କାରଣ ପିତା-ପୁତ୍ର ମୁଖ୍ୟମନ୍ତ୍ରୀ ତାଲିକାରେ ବାସବରାଜ ପରିବାର ସ୍ଥାନ ପାଇଛି ।

ଏଚଡି ଦେବେଗୌଡ଼ା-କୁମାରସ୍ୱାମୀ

ଉତ୍ତର କର୍ଣ୍ଣାଟକରୁ ଆସିଥିବା ଲିଙ୍ଗାୟତ ନେତା ବସବରାଜ ବୋମ୍ମଇ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍ ଆର ବୋମଇଙ୍କ ପୁତ୍ର ହେଉଛନ୍ତି ବାସବରାଜ । ଏସ୍‌ଆର ବୋମ୍ମଇ ୧୯୮୮ରୁ ୧୯୮୯ ଯାଏଁ ମୁଖ୍ୟମନ୍ତ୍ରୀ ଥିଲେ । ୬୧ ବର୍ଷୀୟ ବୋମ୍ମଇ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପାଙ୍କ ନେତୃତ୍ୱରେ ପରିଚାଳିତ ସରକାରରେ ଗୃହ, ଆଇନ, ସଂସଦୀୟ ଏବଂ ବଧାୟୀ କାର୍ଯ୍ୟ ବିଭାଗରେ ମନ୍ତ୍ରୀ ଦାୟିତ୍ୱରେ ଥିଲେ । କେବଳ ବୋମୋଇଙ୍କ ପରିବାର ନୁହେଁ, ବରଂ ଏହା ପୂର୍ବରୁ କର୍ଣ୍ଣାଟକରେ ଆଉ ଏକ ପିତା-ପୁତ୍ର ଯୋଡ଼ି କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡ଼ାଙ୍କ ପରିବାର ହେଉଛି ଏହାର ଜ୍ୱଳନ୍ତ ଉଦାହରଣ । ଦେବେଗୌଡ଼ା ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଥିଲେ । ପରେ ତାଙ୍କର ପୁତ୍ର ଏଚ୍‌ଡି କୁମାରସ୍ୱାମୀ ମଧ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ଏକାଧିକ ରାଜ୍ୟରେ ପିତା-ପୁତ୍ର ରାଜନୀତି

କେବଳ କର୍ଣ୍ଣାଟକ ନୁହେଁ ବରଂ ଦେଶର ଏକାଧିକ ରାଜ୍ୟରେ ପିତା ମୁଖ୍ୟମନ୍ତ୍ରୀ ହେବା ପରେ ପୁତ୍ର ମଧ୍ୟ ସମାନ ଆସନରେ ଅଧିଷ୍ଠିତ ହୋଇଥିବା ଦୃଷ୍ଟିଗୋଚର ହେଉଛି । ଏହି କ୍ରମରେ ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ଓଡ଼ିଶା, ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ, ମେଘାଳୟ, ଅରୁଣାଚଳପ୍ରଦେଶ ଆଦି ରାଜ୍ୟରେ ପିତା ମୁଖ୍ୟମନ୍ତ୍ରୀ ହେବାର କିଛି ବର୍ଷ ପରେ ପୁତ୍ରଙ୍କୁ ଏହି ଆସନର ଅଧିକାରୀ ହେବାକୁ ସୁଯୋଗ ମିଳିଛି ।

ଅନ୍ୟରାଜ୍ୟରେ ପିତା-ପୁତ୍ର ମୁଖ୍ୟମନ୍ତ୍ରୀ

ଝାଡ଼ଖଣ୍ଡ: ଶିବୁ ସୋରେନ-ହେମନ୍ତ ସୋରେନ
ମେଘାଳୟ: ପୂର୍ଣ୍ଣୋ ସଂଗମା-କୋନରାଡ ସଂଗମା
ଅରୁଣାଚଳ ପ୍ରଦେଶ: ଦୋରଜୀ ଖଣ୍ଡୁ-ପେମା ଖଣ୍ଡୁ
ଉତ୍ତର ପ୍ରଦେଶ: ମୁଲାୟମ ସିଂହ ଯାଦବ-ଅଖିଳେଶ ସିଂହ ଯାଦବ
ଜମ୍ମୁ କଶ୍ମୀର: ଶେଖ ଅବଦ୍ଦୁଲ୍ଲା-ଫାରୁକ ଅବଦ୍ଦୁଲ୍ଲା-ଉମର ଅବଦ୍ଦୁଲ୍ଲା(ତିନି ପିଢ଼ି)
ମହାରାଷ୍ଟ୍ର-ଶଙ୍କର ରାଓ ଚହ୍ୱାନ-ଅଶୋକ ଚହ୍ୱାନ

ପିତା-ପୁତ୍ର ମୁଖ୍ୟମନ୍ତ୍ରୀ ତାଲିକାରେ ଆନ୍ଧ୍ର-ତାମିଲନାଡୁ

ଦକ୍ଷିଣ ଭାରତୀୟ ରାଜ୍ୟ ତାମିଲନାଡୁ ଓ ଆନ୍ଧ୍ର ପ୍ରଦେଶରେ ପିତା-ପୁତ୍ର ଯୋଡ଼ି ମୁଖ୍ୟମନ୍ତ୍ରୀ ହେବାର ସୁଯୋପ ପାଇଛନ୍ତି । ତାମିଲନାଡୁର ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନଙ୍କ ପିତା ଏମ୍ କରୁଣାନିଧି ମଧ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ । କରୁଣାନିଧିଙ୍କ ପରଲୋକ ପରେ ଡିଏମ୍‌କେ ପାର୍ଟିର ଦାୟିତ୍ୱ ଷ୍ଟାଲିନଙ୍କ ଉପରେ ନ୍ୟସ୍ତ କରିଥିଲା । ବିଗତ ବିଧାନସଭା ନିର୍ବାଚନରେ ଡିଏମକେ ଭଲ ପ୍ରଦର୍ଶନ କରିଥିଲା ଏବଂ ଷ୍ଟାଲିନ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଆନ୍ଧ୍ରପ୍ରଦେଶରେ ୱାଇ ଏସ୍ ରାଜଶେଖର ରେଡ୍ଡୀ ମୁଖ୍ୟମନ୍ତ୍ରୀ ଥିଲେ । ଏବେ ତାଙ୍କର ସୁପୁତ୍ର ୱାଇଏସ୍ ଜଗନମୋହନ ରେଡ୍ଡୀ ମୁଖ୍ୟମନ୍ତ୍ରୀ ଅଛନ୍ତି ।

୨୦୦୦ ମସିହାରୁ ନବୀନ ମୁଖ୍ୟମନ୍ତ୍ରୀ

ପିତା-ପୁତ୍ରଙ୍କ ରାଜନୀତି ଓଡ଼ିଶାରେ ଅଧିକ ଲୋକପ୍ରିୟ ହୋଇଛି । ପ୍ରବାଦ ପୁରୁଷ ତଥା ଓଡ଼ିଶା ମାଟିର ଯୋଗ୍ୟ ସନ୍ତାନ ସ୍ୱର୍ଗତ ବିଜୁ ପଟ୍ଟନାୟକ ୧୯୬୧ ମସିହା ଜୁନ ୨୩ରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏହି ପାଳିରେ ସେ ୧୯୬୩ ମସିହା ଅକ୍ଟୋବର ୨ ତାରିଖ ଯାଏଁ ମୁଖ୍ୟମନ୍ତ୍ରୀ ପଦରେ ଥିଲେ । ସେ ୨୭ ବର୍ଷ ପରେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୨ୟ ପାଳିରେ ବିଜୁ ପଟ୍ଟାନୟକ ୧୯୯୦ ମାର୍ଚ୍ଚ ୫ରୁ ୧୯୯୫ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଥିଲେ । ବିଜୁ ବାବୁଙ୍କ ଭାବମୂର୍ତ୍ତିରେ ବିଜେଡି ଓଡ଼ିଶାରେ ୨୧ ବର୍ଷ ହେବ ଶ୍ରେଷ୍ଠ ଦଳ ଭାବରେ ଉଭା ହୋଇଛି । ବିଜୁବାବୁଙ୍କ ସୁଯୋଗ୍ୟ ସନ୍ତାନ ନବୀନ ପଟ୍ଟନାୟକ ୨୦୦୦ ମସିହାରୁ ମୁଖ୍ୟମନ୍ତ୍ରୀ ଅଛନ୍ତି ।

Share the article

LEAVE A REPLY