ସାର ଅଭାବ: ଖରିଫ ଧାନ ଅମଳ ନେଇ ଚିନ୍ତାରେ ଚାଷୀ

0
72

ଭୁବନେଶ୍ୱର: ଚାଷ ଜମିର ଉର୍ବରତା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ଚାଷ ଜମିର ଉର୍ବରତା ହ୍ରାସ ପାଇବାର ମୂଳ କାରଣ ହେଉଛି ଜୈବିକ ଖତର ଅଭାବ ଏବଂ ରାସାୟନିକ ସାରର ବ୍ୟବହାର । ଗାଁ-ଗଣ୍ଡାରେ ପୂର୍ବଭଳି ଲୋକେ ଗାଈ, ବଳଦ, ଛେଳି, ମେଣ୍ଢା, ମଇଁଷୀ ଆଦି ପାଳନ କରୁ ନାହାନ୍ତି । ତେଣୁ ଚାଷୀମାନେ ଜୈବିକ ଖତ ଅଭାବର ସମ୍ମୁଖୀନ ହେଉଛନ୍ତି । ଏଭଳି କ୍ଷେତ୍ରରେ ଚାଷୀମାନେ ରାସାୟନିକ ସାରକୁ ମୂଳ ଅସ୍ତ୍ର ବୋଲି ମନେ କରୁଛନ୍ତି । ବାସ୍ତବରେ ରାସାୟନିକ ସାରର ପ୍ରୟୋଗ ବିନା ଫସଲ ଭଲ ଅମଳ ହେଉ ନାହିଁ ।

ଅନ୍ୟପଟରେ ଚାଷ ଜମିରେ ରାସାୟନିକ ସାର ବିପୁଳମାତ୍ରାରେ ପ୍ରୟୋଗ କଲା ପରେ ଯାଇ ଭଲ ଫସଲ ଉତ୍ପାଦନ ହେବାର ଆଶା ରହୁଛି । କିନ୍ତୁ ଚଳିତ ଖରିଫ ଋତୁରେ ରାଜ୍ୟର ଅନେକ ସ୍ଥାନରେ ଏବେ ଚାଷୀମାନେ ପର୍ଯ୍ୟାପ୍ତ ପରିମାଣରେ ସାର ପାଇପାରୁ ନାହାନ୍ତି । ଧାନ ବିହୁଡ଼ା ଏବଂ ରୋପଣ ସମୟ ଜାରି ଥିବା ବେଳେ ଚାଷୀମାନଙ୍କୁ ଏବେ ଗ୍ରୋମର, ୟୁରିଆ ସାରର ଆବଶ୍ୟକତା ରହୁଛି । କିନ୍ତୁ ଏସବୁର ଅଭାବରେ ଚାଷୀଙ୍କ ଫସଲ ଉତ୍ପାଦନରେ ବାଧା ପହଂଚିବାର ସମ୍ଭାବନା ରହୁଛି । ରାଜ୍ୟ ସରକାର ଯେତିକି ପରିମାଣରେ ସାର ଯୋଗାଇ ଦେଉଛନ୍ତି, ତାହା ଚାଷୀଙ୍କ ପାଇଁ ଯଥେଷ୍ଟ ନୁହେଁ ବୋଲି ଅଭିଯୋଗ ହେଉଛି । ଅନ୍ୟପଟରେ ସରକାର କହୁଛନ୍ତି, ଚାଷୀଙ୍କ ପାଇଁ ସାରରର ଅଭାବ ଯେଭଳି ନୁହେଁ, ବ୍ୟବସ୍ଥା କରାଯାଇଛି ।

ମିଳୁନି ଆବଶକ୍ୟକତାନୁସାରେ ସାର

ରାଜ୍ୟ ସାରା ସାର ଅଭାବ ରହୁଛି, ନାଁ ସାର ଯୋଗାଣରେ ଦୁର୍ନୀତି ହେଉଛି । ଚାଷୀ ଏବାବଦରେ ଜାଣି ନାହାନ୍ତି । ସରକାର ସେବା ସମବାୟ ସଂସ୍ଥା ମାଧ୍ୟମରେ ଚାଷୀମାନଙ୍କୁ ସାର ଋଣ ଦେଉଛନ୍ତି । କିନ୍ତୁ ଚାଷୀମାନଙ୍କର ଆବଶ୍ୟକତା ଅନୁସାରେ ପାଇପାରୁ ନାହାନ୍ତି । ଯେଉଁ ଚାଷୀଙ୍କୁ ୧୦ ବସ୍ତା ସାର ମିଳିବା କଥା, ସେ ପାଉଛନ୍ତ ୫ରୁ ୬ ବସ୍ତା । କିଛି ସ୍ଥାନରେ ସାର ପାଇବା ପାଇଁ ଚାଷୀଙ୍କୁ ଅନେକ ହଟ୍ଟହଟା ହେବାକୁ ପଡୁଛି । ଏକାଧିକ ଥର ସମବାୟ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡୁଛି ।

କେନ୍ଦ୍ର-ରାଜ୍ୟକୁ କଂଗ୍ରେସର ଟାର୍ଗେଟ

ସାର ପାଇଁ ବାରମ୍ବାର ଦାବି କଲା ପରେ ମଧ୍ୟ ଏହା ଏକ ମାସ ମଧ୍ୟରେ ନମିଳିବାର ମଙ୍ଗଳବାର ନବରଂଗପୁର ଜିଲ୍ଲା ଉମରକୋଟରେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ଘେରାଉ କରିବା ସହିତ ତହସିଲଦାରଙ୍କୁ ଏକ ଦାବି ପତ୍ର ଦେଇଛନ୍ତି । ଚାଷୀମାନଙ୍କର ଅଭିଯୋଗ ଯେ, ସାରର ଅଭାବରେ ଅନେକ ଚାଷୀ ନିଜର କାମ ଆଗକୁ ବଢ଼ାଇପାରି ନାହାନ୍ତି । ଚାଷୀମାନେ ସାହୁକାର ଓ ମହାଜନଙ୍କ ପାଖରୁ ଟଙ୍କା ଧାର-କରଜ ଆଣି ଚାଷ କରିଥିବାରୁ ଚିନ୍ତାରେ ପଡ଼ିଯାଇଛନ୍ତି । ଉମରକୋଟରେ ଚାଷୀମାନଙ୍କର ଏହି ଆନ୍ଦୋଳନରେ ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ମଧ୍ୟ ଉପସ୍ଥିତ ଥିଲେ । ପୂର୍ବତନ ସାଂସଦ ଶ୍ରୀ ମାଝୀ ଚାଷୀଙ୍କୁ ସାର ନ ମିଳିବା ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ସାର ଯୋଗାଣ ବାଧାପ୍ରାପ୍ତ

ପରିବହନଜନିତ ସମସ୍ୟା ଯୋଗୁଁ କିଛି ଜିଲ୍ଲାରେ ଚାଷୀମାନଙ୍କୁ ସାର ମିଳିବାରେ ଅସୁବିଧା ହେଉଥିବା ଜଣାଯାଇଛି । ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଏଭଳି ପରିସ୍ଥିତି ଉପୁଜିଛି । ଉଭୟ ଜିଲ୍ଲାକୁ ଟ୍ରେନ୍ ମାଧ୍ୟମରେ ସାର ଆସିଥାଏ । ହେଲେ ମରାମତିଜନିତ କାର୍ଯ୍ୟ ପାଇଁ ଝାରସୁଗୁଡ଼ା ଠାରେ ଗତ ଫେବ୍ରୁଆରୀ ମାସ ଠାରୁ ରେକ୍ ପଏଣ୍ଟ ବନ୍ଦ ରହିଛି । ଏବେ ଚାଷ କାମ ଜାରି ଥିବା ବେଳେ ଚାଷୀମାନେ ଆବଶ୍ୟକତା ଅନୁସାରେ ସାର ନ ପାଇ ହଇରାଣ ହେଉଛନ୍ତି ।

Share the article

LEAVE A REPLY