ଶିବ ଭକ୍ତିରେ ଭକ୍ତ ବିଭୋର…

0
132

ଭୁବନେଶ୍ୱର: ଆଜି ଶ୍ରାବଣର ଦ୍ୱିତୀୟ ସୋମବାର । ଶିବାଳୟଗୁଡ଼ିକରେ ଶାନ୍ତ ପରିବେଶ ଦେଖାଯାଇଛି । ଏହାରି ଭିତରେ ପୂଜକମାନେ ମହାଦେବଙ୍କୁ ପୂଜାର୍ଚ୍ଚନା କରିଥିବା ବେଳେ ଶ୍ରଦ୍ଧାଳୁମାନଙ୍କୁ ଶିବାଳୟକୁ ପ୍ରବେଶ ଅନୁମତି ମିଳିପାରି ନାହିଁ । କିନ୍ତୁ ରାଜ୍ୟରେ ଛୋଟ ଛୋଟ ସ୍ଥାନରେ ଥିବା ମନ୍ଦିରଗୁଡ଼ିକରେ କିଛି କିଛି ଭକ୍ତ ମହାଦେବଙ୍କୁ ଜଳାଭିଷେକ କରିଛନ୍ତି । ରାଜ୍ୟ ସକରାର କରୋନା ସଂକ୍ରମଣକୁ ଦୃଷ୍ଟିରେ କାଉଡ଼ିଆ ଯାତ୍ରା ମନା କରିଛନ୍ତି ଏବଂ ରାସ୍ତାରେ ଜଳ ଧରି ଯାଉଥିବା କାଉଡ଼ିଆମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୂର୍ବରୁ ଘୋଷଣା କରିଛନ୍ତି । କିନ୍ତୁ ଯଦିଓ କାଉଡ଼ିଆମାନେ ଜଳ ଭାର ନେଇ ଶିବାଳୟକୁ ଯାଇ ନାହାନ୍ତି, ଅନେକ ଶ୍ରଦ୍ଧାଳୁ ମନ୍ଦିରକୁ ପହଂଚିଛନ୍ତି ।

ରାଜ୍ୟର ପ୍ରସିଦ୍ଧ ଶିବ ମନ୍ଦିର ଗୁଡ଼ିକରେ ଭକ୍ତ ପ୍ରବେଶ କରିପାରି ନାହାନ୍ତି । କିନ୍ତୁ ଗ୍ରାମାଂଚଳ ଓ ସହରାଂଚଳର ବସ୍ତି ଗୁଡ଼ିକରେ ଥିବା ମନ୍ଦିରରେ ମଧ୍ୟ ଭକ୍ତ ପ୍ରବେଶ କରୁଛନ୍ତି । ସରକାରଙ୍କ ଦ୍ୱାରା ଘୋଷଣା ହୋଇଥିବା ନିୟମ ଅଣଦେଖା ହେଉଛି । ମନ୍ଦିର ଗୁଡ଼ିକରେ ଭକ୍ତମାନେ ଯଦିଓ ମାସ୍କ ପିନ୍ଧି ପ୍ରବେଶ କରୁଛନ୍ତି, କିନ୍ତୁ ସାମାଜିକ ଦୂରତାର ଅଭାବ ରହୁଛି । ମନ୍ଦିର ସମ୍ମୁଖର ପୂଜା ଦୋକାନ ଗୁଡ଼ିକରେ ମଧ୍ୟ ଶ୍ରଦ୍ଧାଳୁ କୋଭିଡ-୧୯ ନିୟମକୁ ଅଣଦେଖା କରୁଛନ୍ତି । ସର୍ବୋପରି ଭକ୍ତଙ୍କ ଭକ୍ତି ଆଗରେ ସରକାରଙ୍କ ନିୟମ ବଳି ପଡୁଥିବା ଦୃଷ୍ଟିଗୋଚର ହେଉଛି ।

ଜଳାଭିଷେକ କଲେ କାଉଡ଼ିଆ

କରୋନାର ୨ୟ ଲହର ଭାରତ ସହିତ ଓଡ଼ିଶାରେ ହ୍ରାସ ପାଇବାରେ ଲାଗିଛି । କିନ୍ତୁ ସଂକ୍ରମଣ ଯେହେତୁ ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଆସିପାରି ନାହିଁ ସରକାର ମନ୍ଦିର ଖୋଲିବାକୁ ଅନୁମତି ଦେଇ ନାହାନ୍ତି ଓ କାଉଡ଼ିଆ ଯାତ୍ରାକୁ ବାରଣ କରିଛନ୍ତି । ହେଲେ ସରକାରଙ୍କ ନିୟମକୁ ଶିବଭକ୍ତମାନଙ୍କୁ ହଜମ ହୋଇିପାରୁ ନାହିଁ । ଯେକୌଣସି ପ୍ରକାରରେ ଶିବଙ୍କ ଦର୍ଶନ ପାଇବାକୁ ବ୍ୟାକୁଳ ହୋଇ ଉଠୁଛନ୍ତି । ଗତମାସ ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଅନ୍ତର୍ଗତ ମାଣିପୁର ଗାଁରେ କାଉଡ଼ିଆମାନେ ମନ୍ଦିରରେ ପ୍ରବେଶ କରି ଶିବଲିଙ୍ଗରେ ଜଳାଭିଷେକ କରିଥିଲେ । ସେମାନେ ସରକାରଙ୍କ ନିୟମକୁ ମାନି ନଥିଲେ ।

୧୪ କାଉଡ଼ିଆ ଗିରଫ

କୋଭିଡ ସଂକ୍ରମଣ ଯୋଗୁଁ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ରାଜସ୍ଥାନ, ଓଡ଼ିଶା ସମେତ ଅନ୍ୟ ରାଜ୍ୟମାନେ ମଧ୍ୟ କାଉଡ଼ିଆ ଯାତ୍ରାକୁ ଅନୁମତି ଦେଇନାହାନ୍ତି । କିନ୍ତୁ ଏସବୁ ସତ୍ତ୍ୱେ କାଉଡ଼ିଆ ମାନେ ଗତ ସୋମବାର ହରିଦ୍ୱାରର ‘ହର କି ପୌରୀ’ ଘାଟକୁ ପହଂଚି ଜଳଭାର ନେଇଥିଲେ । ୧୪ ଜଣ କାଉଡ଼ିଆ ଗେରୁଆ ବସ୍ତ୍ର ପରିଧାନ କରି ‘ବୋଲ-ବମ୍ ଭୋଲେ’ ଡାକୁଥିଲେ । ପୋଲିସ ଏହି ୧୪ ଜଣ କାଉଡ଼ିଆ ଓ ୨ କାଉଡ଼ିଆ ସାମଗ୍ରୀ ବିକ୍ରି କରୁଥିବା ୨ ଜଣ ଦୋକାନୀଙ୍କୁ ଗିରଫ କରିଥିଲା । ଗିରଫ ଶିବ ଭକ୍ତମାନଙ୍କୁ ପରେ ସଂଗରୋଧରେ ରଖାଯାଇଥିଲା ।

ଉଜୈନରେ ଦଳାଚକଟା ସ୍ଥିତି

ମଧ୍ୟପ୍ରଦେଶର ଉଜୈନସ୍ଥିତ ମହାକାଳେଶ୍ୱର ମନ୍ଦିରରେ ଗତ ଜୁଲାଇ ୨୬ ତାରିଖରେ ଦଳଚକଟା ସ୍ଥିତି ଦେଖାଯାଇଥିଲା । ସେଦିନ କିଛି ମହିଳା ଏବଂ ଶିଶୁ ସାମାନ୍ୟ ଆହତ ହୋଇଥିଲେ । ମନ୍ଦିରରେ ଉପସ୍ଥିତ ଲୋକଙ୍କ କହିବା ଅନୁସାରେ ମନ୍ଦିର ଦର୍ଶନ କରିବା ଲାଗି ଭିଆଇପି ଲୋକଙ୍କ ସହିତ ଅନ୍ୟମାନଙ୍କର ଭିଡ଼ ଯୋଗୁଁ ସ୍ଥିତି ନିୟନ୍ତ୍ରଣ ବାହାରେ ଥିଲା । ଶ୍ରାବଣର ପ୍ରଥମ ସୋମବାର ଯୋଗୁଁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ସମେତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଉମା ଭାରତୀ ଏବଂ ଅନ୍ୟ ଭିଆଇପି ମହାକାଳେଶ୍ୱରଙ୍କ ଦର୍ଶନ ପାଇଁ ମନ୍ଦିର ପହଂଚିଥିଲେ । ଦ୍ୱାଦଶ ଜ୍ୟୋର୍ତିଲିଙ୍ଗଙ୍କ ମଧ୍ୟରୁ ଅନ୍ୟତମ ମହାକାଳେଶ୍ୱରଙ୍କ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ତରଫରୁ ପୂର୍ବରୁ କୁହାଯାଇଥିଲା ଯେ, ଶ୍ରଦ୍ଧାଳୁ ୪୮ ଘଣ୍ଟା ପୂର୍ବରୁ ହୋଇଥିବା ଆରଟିପିସିଆର ରିପୋର୍ଟ ନେଗେଟିଭ ନେଇ ଆସିବେ । ଅଥବା କୋଭିଡ ଟିକାର ଅତିକମରେ ଗୋଟିଏ ଡୋଜ ନେଇଥିବା ଦରକାର । ମନ୍ଦିର ସକାଳ ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲାଯାଇଥିଲା ଏବଂ ଏହି ସମୟ ମଧ୍ୟରେ ୩୫୦୦ ଲୋକଙ୍କୁ ଦର୍ଶନ କରାଇବା ପାଇଁ ବ୍ୟବସ୍ଥା କରାଯାଇଥିଲା । ହେଲେ ଶିବଭକ୍ତଙ୍କର ସଂଖ୍ୟା ଏଥିରୁ ଅଧିକ ଥିଲା ।

Share the article

LEAVE A REPLY