ରାଜ୍ୟରେ କୋଭିଡ-୧୯ ଅନିୟନ୍ତ୍ରିତ, କଟକଣା କୋହଳ

0
206
Spread the love

ଭୁବନେଶ୍ୱର: ଓଡ଼ିଶାରେ କରୋନା ସଂକ୍ରମଣ ସଂପୂର୍ଣ୍ଣ ଭାବରେ ନିୟନ୍ତ୍ରିତ ହୋଇ ନଥିବାବେଳେ ଅଧିକାଂଶ କ୍ଷେତ୍ରରେ କଟକଣା କୋହଳ ହୋଇ ସାରିଛି। ଦୋକାନ-ବଜାର ୧୪ ଘଣ୍ଟା ପାଇଁ ଖୋଲିଛି। ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଶତପ୍ରତିଶତ କର୍ମଚାରୀଙ୍କୁ ନେଇ ପରିଚାଳିତ ହେଉଛି। ଶ୍ରୀମନ୍ଦିର ଓ ଶ୍ରୀଲିଙ୍ଗରାଜ ମନ୍ଦିର ବ୍ୟତୀତ ରାଜ୍ୟର ଅଧିକାଂଶ ମନ୍ଦିର ଖୋଲିସାରିଛି। ସେହିପରି ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାମାନେ ସ୍କୁଲ ଯାଇସାରିଛନ୍ତି। ସିନେମା ହଲ ଓ ସପିଂ ମଲ ଖୋଲିଥିବା ବେଳେ ଯାତ୍ରା ମଂଚ ଆରମ୍ଭ ହୋଇଯାଇଛି। ରାଜ୍ୟ ସରକାର କରୋନା କଟକଣାରେ କୋହଳ କରିଥିବା ବେଳେ ସଂକ୍ରମଣକୁ ଦୃଷ୍ଟିରେ ରଖି ଲୋକଙ୍କ ଗତିବିଧି ଉପରେ ମଧ୍ୟ ନଜର ରଖିଛନ୍ତି

ଏବେ ପ୍ରଶ୍ନ ଉଠୁଛି କଟକଣା ଯେଭଳି ଭାବରେ କୋହଳ ହୋଇଛି, ରାଜ୍ୟରେ ପୁଣି ଥରେ ସଂକ୍ରମଣ ବଢ଼ିପାରେ। କାରଣ କଟକଣା କୋହଳ ହେବା ପରେ ଲୋକେ ଅନିୟନ୍ତ୍ରିତ ହୋଇଯାଇଛନ୍ତି। ସରକାରଙ୍କ ଜାରି ହୋଇଥିବା କୋଭିଡ ମାର୍ଗଦର୍ଶିକାକୁ ପାଳନ କରୁ ନାହାନ୍ତି। ହାଟ-ବଜାର, ମନ୍ଦିର, ସପିଂ ମଲ, ବସ୍‌ଷ୍ଟାଣ୍ଡ, ରେଳ ଷ୍ଟେସନ, ହୋଟେଲ ଆଦିରେ ଲୋକଙ୍କର ପ୍ରବଳ ଗହଳି ରହୁଛି। ତେଣୁ ଯାହା ପରିଲକ୍ଷିତ ହେଉଛି ଲୋକେ କରୋନା ନମାନି ୩ୟ ଲହର ସୃଷ୍ଟି କରିଦେବେ।

ବିନା ଟିକା ଓ ରିପୋର୍ଟରେ ଓଡ଼ିଶା ପ୍ରବେଶ

ଏବେ ରାଜ୍ୟ ସରକାର ଘୋଷଣା କରିଛନ୍ତି ଯେ, ବାହାର ରାଜ୍ୟ ଆସୁଥିବା ଲୋକଙ୍କୁ ଆଉ କୋଭିଡ ନେଗେଟିଭ ରିପୋର୍ଟ ଦରକାର ହେବନି। ରାଜ୍ୟ ସରକାର କହିଛନ୍ତି ଯେ, ରାଜ୍ୟରେ କରୋନା ସଂକ୍ରମଣ କମିଛି। ତେଣୁ ଓଡ଼ିଶା ଆସିବା ପାଇଁ ଲୋକଙ୍କୁ ଆଣ୍ଟିଜେନ ଓ ଆରଟିପିସିିଆର ନେଗେଟିଭ ରିପୋର୍ଟ ଦେଖାଇବାକୁ ପଡ଼ିବ ନାହିଁ। କୋଭିଡର ୨ୟ ଲହର ସମୟରେ ସଂକ୍ରମଣ ସଂଖ୍ୟା ବଢ଼ିବା ପରେ  ସରକାର ବାହାରୁ ଆସୁଥିବା ଯାତ୍ରୀଙ୍କ ଉପରେ ଏହି କଟକଣା ଲଗାଇଥିଲେ। ଯେହେତୁ ବାହାର ରାଜ୍ୟରେ ସଂକ୍ରମଣ ବଢ଼ିବା ଆରମ୍ଭ ହୋଇଯାଇଛି, ତେଣୁ ବିନା କରୋନା ନେଗେଟିଭ ରିପୋର୍ଟ ଅଥିବା ଟିକାର ୨ ଡୋଜ୍‌ ନେଇ ନଥିଲେ ବି ଲୋକେ ଆସିବେ, ତାହା ଓଡ଼ିଶା ପାଇଁ ବିପଦ ହୋଇପାରେ।

୯ରୁ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ

   ରାଜ୍ୟରେ ପ୍ରଥମରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପିଲା ଗତ ମାସ ୨୬ ତାରିଖ ଠାରୁ ଅଫଲାଇନ୍‌ରେ କ୍ଲାସ ଆରମ୍ଭ କରିଦେଇଛି। ଏହି ୨ଟି ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ଖୋଲିଯାଇଛି। ଆସନ୍ତା ୯ ତାରିଖ ଠାରୁ ବେଷୟିକ ଶିକ୍ଷାନୁଷ୍ଠାନ ଗୁଡ଼ିକ ଖୋଲବାକୁ ଯାଉଛି। ପୁଣି ଅଗଷ୍ଟ ମାସରେ ନବମ ଓ ଏକାଦଶ ଶ୍ରେଣୀ ଖୋଲିପାରେ। ଫଳରେ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ପିଲା, ଶିକ୍ଷକ ଓ ଅନ୍ୟ କର୍ମଚାରୀମାନେ ଭିଡ଼ ଲଗାଇବେ। ତେବେ ଶିକ୍ଷାନୁଷ୍ଠାନ ଖୋଲିବା ପୂର୍ବରୁ ଶ୍ରେଣୀଗୃହ, ଲାବୋରେଟୋରୀ ଓ ହଷ୍ଟେଲକୁ ସାନିଟାଇଜ କରାଗଲେ ବି ପରବର୍ତ୍ତୀ ସମୟରେ ସଂକ୍ରମଣ ନ ବଢ଼ିବ, ତାହାର ଗ୍ୟାରେଣ୍ଟି କେହି ଦେଇପାରିବେ ନାହିଁ।  

ଚିନ୍ତା ବଢ଼ାଉଛି ମୃତ୍ୟୁ ସଂଖ୍ୟା

ରାଜ୍ୟରେ ଦେଖୁଦେଖୁ କରୋନା ସଂକ୍ରମଣଜନିତ ମୃତ୍ୟୁ ସଂଖ୍ୟା ୬ ହଜାର ୨୩୬ରେ ପହଂଚିସାରିଛି । ଅଗଷ୍ଟ ୫ ତାରିଖ ସୁଦ୍ଧା ୧ କୋଟି ୬୩ ଲକ୍ଷ ୫୫ ହଜାର ୨୭୬ ଜଣଙ୍କର ନମୁନା ପରୀକ୍ଷା ହୋଇଛି । ଏଥିରୁ ୯ ଲକ୍ଷ ୮୩ ହଜାର ୫୨୩ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୯ ଲକ୍ଷ ୬୩ ହଜାର ୭୧୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟରେ ୧୩ ହଜାର ୫୧୬ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି । ଏବେ ରାଜ୍ୟ ସରକାର କରୋନା ମୃତ୍ୟୁ ଘଟଣାକୁ ଅଡିଟ କରୁଛନ୍ତି । ଏହି କାମ ସରିବା ପରେ ପ୍ରକୃତ ମୃତ୍ୟୁ ତଥ୍ୟ ଆସିବ ।  

LEAVE A REPLY