ଡାହାଣୀ ଭାଙ୍ଗୁଛି ପାରିବାରିକ ସଂପର୍କ, ବିଶୃଙ୍ଖଳିତ ହେଉଛି ସମାଜ

0
158

ଭୁବନେଶ୍ୱର: ରାତି ପାହିଲେ ଆମେ ସ୍ୱାଧୀନତାର ୭୫ ବର୍ଷରେ ପଦାର୍ପଣ କରିବା। ଆଜିର ଯୁବକୁ ସୂଚନା ଓ ପ୍ରଯୁକ୍ତିବଦ୍ୟିାର ସମୟ କୁହାଯାଉଛି। ଟେକ୍ନୋଲୋଜୀର ଏଭଳି ବିକାଶ ହୋଇପାରିଛି ଯେ, ଯେକୌଣସି ସମସ୍ୟାର ସମାଧାନ ଅତି ସହଜରେ କରାଯାଇ ପାରୁଛି। କିନ୍ତୁ କ୍ଷୋଭର ବିଷୟ ଯେ, ଆଜି ବି ରାଜ୍ୟରେ ଏଭଳି ଅନେକ ସ୍ଥାନ ଅଛି, ଯେଉଁଠି ଅନ୍ଧବିଶ୍ୱାସକୁ ଲୋକେ ଜାବୁଡ଼ି ଧରିଛନ୍ତି। ଅନ୍ଧବିଶ୍ୱାସ ଯୋଗୁଁ ଲୋକଙ୍କର ଜୀବନ ଯାଉଥିବା ବେଳେ ଅନେକ ପରିବାର ଉଜୁଡ଼ି ଯାଉଛି। ଅନ୍ଧବିଶ୍ୱାସ ଏବଂ କୁସଂସ୍କାର ମୁଖ୍ୟତଃ ଆଦିବାସୀ ଅଧ୍ୟୁଷିତ ଏବଂ ଦୁର୍ଗମ ଅଂଚଳରେ ଏହା ହେଉଛି ପ୍ରମୁଖ ସମସ୍ୟା। ଏଥିରୁ ଗୁଣି-ଗାରେଡ଼ି ଓ ଡାହାଣୀ ଅନ୍ୟତମ।

ଆଦିବାସୀ ଅଂଚଳରେ ନିରିହ ଜନତା ଗୁଣିଆର ବସବର୍ତ୍ତି ହୋଇ ଅନ୍ଧବିଶ୍ୱାସର ଶିକାର ହେଉଛନ୍ତି। ଘରେ ସାଧାରଣତଃ ଦୀର୍ଘ ଦିନ ଜ୍ଜର ହେଲେ ଡାକ୍ତରଙ୍କ ପରାମର୍ଶ ନ ନେଇ କ୍ୱାକ୍‌, ଗୁଣିଆର ପରାମର୍ଶ ନେଇଥାନ୍ତି। ସୁଯୋଗ ନେଇ ଖଳ ପ୍ରକୃତିର ଲୋକଟି ପରିବାରର ଶାନ୍ତି ପାଇଁ କୁକୁଡ଼ା ବଳି ସହିତ ଅନ୍ୟକୁ ଡାହାଣୀ ଆଖ୍ୟା ଦେଇ ନିଜକୁ ସିଦ୍ଧ ଗୁଣିଆ ବୋଲି ପ୍ରମାଣ କରିବାକୁ ଚେଷ୍ଟା କରିଥାଏ। ନିଜ ପରିବାରର କୁଶଳ ଚାହୁଥିବା ପରିବାର ମୁଖ୍ୟ ଅନ୍ଧବିଶ୍ୱାସର ବସବର୍ତ୍ତି ହୋଇ ଗୁଣିଆ କଥାରେ ହତ୍ୟା କରିବାକୁ ବାଧ୍ୟ ହୋଇ ଥାଏ। କିନ୍ତୁ ଭବିଷ୍ୟତ ଜୀବନ କ’ଣ ହେବ, ତାହା ଚିନ୍ତା କରି ନଥାଏ। ଡାହାଣୀ କାରଣ ଯୋଗୁଁ ଅନେକ ସ୍ଥାନରେ ପାରିବାରିକ ସଂପର୍କ ମଧ୍ୟରେ ଫାଟ ସୃଷ୍ଟି ହେଉଛି। ସେହିଭଳି ଏହି ସମସ୍ୟା ଲାଗି ସମାଜରେ ବିଶୃଙ୍ଖଳା ମଧ୍ୟ ଦେଖାଯାଉଛି।

ସୁନ୍ଦରଗଡ଼-ମୟୂରଭଂଜରେ ଅନ୍ଧବିଶ୍ୱାସ

ବିଗତ ଦିନରେ ରାଜ୍ୟରେ ଯେଉଁ ଡାହାଣୀଜନିତ ଏକାଧିକ ସମସ୍ୟା ଗୁଡ଼ିକ ଦେଖାଯାଇଛି, ସେଥିରୁ ଅଧିକାଂଶ ଘଟଣା ସୁନ୍ଦରଗଡ଼ ଓ ମୟୂରଭଂଜ ଜିଲ୍ଲାରେ ଅଧିକ ଦୃଷ୍ଟିଗୋଚର ହୋଇଛି। ସୁନ୍ଦରଗଡ଼ ଜିଲ୍ଲାର ବଣାଇ, ଲାଠିକଟା, ହେମଗିର, କୋଇଡ଼ା ଓ କୁଆଁରମୁଣ୍ଡାରେ ହତ୍ୟାକାଣ୍ଡ ଘଟିଛି। ସେହିଭଳି ମୟୂରଭଂଜ ଜିଲ୍ଲାର ବାଙ୍ଗିରିପୋଷି, ଗୋରୁମହିଷାଣୀ, ରାଇରଙ୍ଗପୁର, ବେତନଟୀ, ବିଶୋଇ ଓ ଚିତ୍ରଡ଼ା ଅଂଚଳରେ ଡାଆଣୀ ସଂଦେହରେ ହିଂସାକାଣ୍ଡ ଘଟିଛି। ଏତଦ୍‌ ବ୍ୟତୀତ ଯାଜପୁର, କେନ୍ଦୁଝର ତଥା ରାଜ୍ୟର ଅନ୍ୟ ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଡାହାଣୀଜନିତ ହତ୍ୟାକାଣ୍ଡ ଘଟିଛି।

ଡାହାଣୀର ନାହିଁ ଭୟ

ପ୍ରକୃତରେ ଡାହାଣୀ ଅଛି କି ନାହିଁ, ତାହାର କୌଣସି ସତ୍ୟତା ନାହିଁ। ସୂଚନା ଓ ପ୍ରଯୁକ୍ତିବଦ୍ୟାର ଯୁଗରେ ଏହାକୁ ଅତ୍ୟାଧୁନିକ ସମୟର ମନୁଷ୍ୟ ମାନେ ବିଶ୍ୱାସ କରି ନଥାନ୍ତି। ତଥାପି ଆଦିବାସୀ ଅଂଚଳରେ ଡାହାଣୀକୁ ଅସ୍ୱୀକାର କରାଯାଇ ନଥାଏ। ରାଜ୍ୟରେ ଡାହାଣୀ ସଂଦେହରେ ବିଭିନ୍ନ ସମୟରେ ହିଂସାକାଣ୍ଡ ଘଟଣା ଲୋକଲୋଚନକୁ ଆସୁଛି। ଡାହାଣୀ ପାଇଁ ମାଡ଼ମାରିବା, ହତ୍ୟାକାଣ୍ଡ ଭଳି ଘଟଣା ଘଟୁଛି। ଡାହାଣୀ ସନ୍ଦେହରେ ଯେତିକି ହତ୍ୟା ହୋଇଛି, ଏଥିରେ ଅଧିକାଂଶ ମହିଳା ଶିକାର ହୋଇଛନ୍ତି। ଅଭିଯୁକ୍ତମାନେ ଜେଲ, ଆଜୀବନ କାରାଦଣ୍ଡ ଭୋଗୁଛନ୍ତି। ଅନେକ ପରିବାର ଭୁଶୁଡ଼ି ଯାଉଛି। କିନ୍ତୁ ଏଥିରୁ ଅନ୍ୟମାନେ ଶିକ୍ଷା ପାଇପାରୁ ନାହାନ୍ତି।

ସ୍ଥାଣୁ ପାଲଟିଛି ସମିତି

ଅନ୍ଧବିଶ୍ୱାସ ପ୍ରଥାକୁ ଦୂର କରିବା ପାଇଁ ଅତୀତରେ ରାଜ୍ୟର ପ୍ରତି ଥାନାରେ ଏକ ପୁଲିସ ସମିତି ଗଠନ କରାଯାଇଥିଲା। ଏହି ସମିତିରେ ଚାଳିଶରୁ ଊର୍ଦ୍ଧ୍ଵ ସଦସ୍ୟ ଥିଲେ। ସଭାପତି ସହିତ ଥାନା ଅଧିକାରୀ ମୁଖ୍ୟ ଥିଲେ। ଗାଁ ଗାଁ ବୁଲି ଏହି ସମିତି ଲୋକଙ୍କୁ  ବାଲ୍ୟବିବାହ, ଡାହାଣୀ ପରି ଅନ୍ଧବିଶ୍ୱାସର ବସବର୍ତ୍ତି ନ ହେବା ପାଇଁ ସଚେତନ କରାଉଥିଲା। କିନ୍ତୁ କରୋନା ସମୟରେ ଏହି ସମିତି ସ୍ଥାଣୁ ପାଲଟିଯାଇଛି। ଏହାକୁ ପୁଣି ଥରେ କାର୍ଯ୍ୟକ୍ଷମ କରିବା ପାଇଁ କିଛି ସ୍ଥାନରେ ସାଧାରଣରେ ଦାବି ହୋଇଛି।

Share the article

LEAVE A REPLY