ଓଡ଼ିଶାରେ ଗରିବ ଲୋକଙ୍କୁ ସ୍ମାର୍ଟ ହେଲ୍‌ଥ କାର୍ଡ

0
191

ଭୁବନେଶ୍ୱର: ଓଡ଼ିଶାର ସ୍ୱାସ୍ଥ୍ୟ ବ୍ୟବସ୍ଥା ସ୍ମାର୍ଟ ହେବ। ଗରିବ ଲୋକଙ୍କୁ ଗୁରୁତର ରୋଗ ପାଇଁ ଚିକିତ୍ସାରେ ଆଥିର୍କ ସମସ୍ୟା ପାଚେରୀ ଭଳି ଲାଗିବ ନାହିଁ। ଆସନ୍ତା ସେପ୍ଟେମ୍ବର ୧ ତାରିଖ ଠାରୁ ଲାଗୁ ହେବାକୁ ଥିବା ରାଜ୍ୟ ସରକାରଙ୍କ ସ୍ମାର୍ଟ ହେଲ୍‌ଥ କାର୍ଡ ମାଧ୍ୟମରେ ଏହି ଅସୁବିଧା ଦୂର ହେବ। ରାଜ୍ୟ ସରକାର ଚଳିତ ମାସ ୨୦ ତାରିଖରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ଶୁଭାରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ଗସ୍ତରେ ହିତାଧିକାରୀଙ୍କୁ ସ୍ମାର୍ଟ ହେଲଥ କାର୍ଡର ବଣ୍ଟନ କରିଛନ୍ତି।  

୨୦୦ରୁ ଊର୍ଦ୍ଧ୍ୱ ହସ୍ପିଟାଲରେ କାମ କରିବ

ମାଲକାନିରି ଗସ୍ତରେ ସ୍ମାର୍ଟ ହେଲଥ କାର୍ଡର ଶୁଭାରମ୍ଭ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ୨୦୧୮ ଆମ ଗାଁ, ଆମ ବିକାଶ କାର୍ଯ୍ୟକ୍ରମ ଚାଲିଥିଲା। ସେତେବେଳେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କ ଚିକିତ୍ସା ପାଇଁ ୧୦ ଲକ୍ଷ ଟଙ୍କା ବୃଦ୍ଧି କରିବାକୁ ମମତା ପଡିଆମୀ ପ୍ରସ୍ତାବ ଦେଇଥିଲେ। ସେତେବେଳେ ତାଙ୍କ ପ୍ରସ୍ତାବ ମୋତେ ବହୁତ ଭଲ ଲାଗିଥିଲା। ତାପରେ ମହିଳାଙ୍କ ଚିକତ୍ସା ପାଇଁ ୧୦ ଲକ୍ଷ ଟଙ୍କା ବୃଦ୍ଧି କରିଥିଲୁ। ଆଜି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନୂଆ ରୂପରେ କାର୍ଯ୍ୟକାରୀ କରିବାକୁ ଯାଉଛୁ। ସେପ୍ଟେଟର ପହିଲାରୁ  ଲାଗୁ ହେବାକୁ ଥିବା ନୂଆ ବ୍ୟବସ୍ଥାରେ ହିତାଧିକାରୀଙ୍କୁ କୌଣସି କାଗଜପତ୍ର ଦେବାକୁ ପଡ଼ିବନି। କେବଳ କାର୍ଡ ଦେଖାଇଲେ ଚିକିତ୍ସା ସୁବିଧା ପାଇପାରିବେ ହିତାଧିକାରୀ। ଦେଶର ୨୦୦ରୁ ଅଧିକ ବଡ଼ ବଡ଼ ହସ୍ପିଟାଲରେ ଏହି କାର୍ଡ ଜରିଆରେ ଚିକିତ୍ସା ସୁବିଧା ମିଳିବ।

ସ୍ୱାସ୍ଥ୍ୟ ହିଁ ସଂପଦ: ନବୀନ

ସ୍ୱାସ୍ଥ୍ୟ ଆମ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସ୍ୱାସ୍ଥ୍ୟ ହିଁ ସମ୍ପଦ ବୋଲି କୁହାଯାଏ। ତେଣୁ ପରିବାରରେ କେହି ଅସୁସ୍ଥ ହୋଇପଡ଼ିଲେ, ଆମର ଚିନ୍ତା ବଢିଯାଇଥାଏ। ସବଠୁ ବଡ ଚିନ୍ତା ଥାଏ ଚିକିତ୍ସା ପାଇଁ ଆବଶ୍ୟକ ଟଙ୍କା। ଏଥିପାଇଁ କିଏ ଜମି ବିକିଥାଏ, କିଏ ସୁନା ବିକିଥାଏ, କିଏ ଋଣ କରିଥାଏ। କେହି କେହି ଚିକିତ୍ସା ଖର୍ଚ୍ଚ ପାଇଁ ପିଲାମାନଙ୍କ ପାଠପଢା ମଧ୍ୟ ବନ୍ଦ କରିଦେଇଥାନ୍ତି।କେହି କେହି ମଧ୍ୟ ଧାର କରଜ କରିଥାନ୍ତି। ଏ ଖବର ମୁଁ ଯେତେବେଳେ ଶୁଣେ, ମୋତେ ବହୁତ ଦୁଃଖ ଲାଗେ। ଆମର ଏହି ସ୍ମାର୍ଟ ହେଲଥ କାର୍ଡ ଆପଣଙ୍କର ଏ ଦୁଃଖ ଲାଘବ କରିବଯ ଚିକିତ୍ସା ବୋଝ କମ୍‌ କରିବାରେ ସାହାଯ୍ୟ କରିବ।

ସରକାରୀ ହସ୍‌ପିଟାଲରେ ମାଗଣା ସେବା

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ସବୁ ସରକାରୀ ହସ୍ପିଟାଲଗୁଡିକରେ ସମସ୍ତ ସ୍ୱାସ୍ଥ୍ୟ ସେବା ମାଗଣାରେ ପ୍ରଦାନ କରାଯାଉଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ସବୁ ସରକାରୀ ହସ୍ପିଟାଲରେ ଓଡିଶାବାସୀଙ୍କର ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି। ସରକାରୀ ହସ୍ପିଟାଲରେ ଡ଼ାଇଲିସିସ୍‌ ଠାରୁ ଆରମ୍ଭ କରି କେମୋ ଥେରାପୀ, ସିଟି ସ୍କାନ, ଏମଆରଆଇ, ବିଭିନ୍ନ ପାଥୋଲୋଜି ଟେଷ୍ଟ ସୁବିଧା ମିଳୁଛି।

ଗରିବ ପରିବାର ମୁହଁରେ ହସ!

ଆର୍ଥିକ ଭାବେ ଅନଗ୍ରସର ଓଡ଼ିଶାବାସୀଙ୍କ ପାଇଁ ରାଜ୍ୟ ସରକାର ସ୍ମାର୍ଟ ହେଲ୍‌ଥ କାର୍ଡର ଶୁଭାରମ୍ଭ କରିଛନ୍ତି। ନିଶ୍ଚିତ ଭାବେ କୁହାଯାଇପାରିବ ଯେ, ଏହା ଏକ ଐତିହାସିକ ପଦକ୍ଷେପ। ଆଥିର୍କ ସମସ୍ୟାରେ ସହିତ ଲଢ଼େଇ କରୁଥିବା ପରିବାର ଉପକୃତ ହେବେ। ଆଦିବାସୀ ଓ ଦୁର୍ଗମ ଅଂଚଳର ରୋଗୀ ଏବଂ ସେମାନଙ୍କର ପରିବାର ମୁହଁରେ ହସ ଫୁଟିବ। ଯୋଜନା ଯଦି ଠିକ ଭାବରେ ପରିଚାଳିତ ହେବ, ତା’ହେଲେ କୋଟି କୋଟି ଲୋକ ଉପକାର ହେବେ। କାରଣ ରାଜ୍ୟରେ ଆମେ ଅନେକ ଯୋଜନା ଦେଖିଛେ, ପ୍ରକୃତ ହିତାଧିକାରୀଙ୍କୁ ମଧ୍ୟ ଜନକଲ୍ୟାଣରେ ସାମିଲ କରାଯାଇ ନଥାଏ। ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଗରିବ ଏବଂ ପ୍ରକୃତ ହିତାଧିକାରୀ ଯୋଜନାରୁ ଉପକୃତ ହୋଇ ପାରିନଥାନ୍ତି।

Share the article

LEAVE A REPLY