ମାଟ୍ରିକ ଫଳ: ବିନା ପରୀକ୍ଷାରେ ୯୭.୮୯ %, ଅଫ୍‌ଲାଇନ୍‌ରେ ୮୦.୮୩% ପିଲା ପାସ

0
206
Spread the love


ଭୁବନେଶ୍ୱର: ରାଜ୍ୟରେ ଶିକ୍ଷା ବର୍ଷ ୨୦୨୦-୨୧ ପାଇଁ କରୋନା ମହାମାରୀର ୨ୟ ଲହର ଭିତରେ ମାଟ୍ରିକ୍‌ ଫଳ ପ୍ରକାଶିତ ହୋଇଛି। ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ଅଫ୍‌ଲାଇନ୍‌ ପରୀକ୍ଷା ହୋଇପାରିଲା ନାହିଁ ରାଜ୍ୟ ସରକାର ବାଧ୍ୟ ହୋଇ ବିକଳ୍ପ ବ୍ୟବସ୍ଥା ମାଧ୍ୟମରେ ଗତ ଜୁନ ମାସ ୨୪ ତାରିଖରେ ମାଟ୍ରିକ୍‌ ରେଜଲ୍‌ଟ ବାହାର କରିଥିଲେ। ନବମ ଶ୍ରେଣୀର ପ୍ରଦର୍ଶନ ଆଧାରରେ ପିଲାମାନଙ୍କର ଫଳ ବାହାର କରାଯାଇଥିଲା। ପିଲାମାନଙ୍କୁ ବାର୍ଷିକ ପରୀକ୍ଷା ଦେବାକୁ ପଡ଼ି ନ ଥିଲା ସତ, କିନ୍ତୁଫଳ କିଛି କମ ଆସି ନଥିଲା। ବିନା ପରୀକ୍ଷାରେ ସ୍କୁଲ ଗୁଡ଼ିକ ମଧ୍ୟ ଭଲ ପ୍ରଦର୍ଶନ ଦେଖାଇଥିଲେ। ରାଜ୍ୟର ୫ହଜାର ୯୪୫ ସ୍କୁଲରେ ପାସ୍‌ହାର ଶତପ୍ରତିଶତ ରହିଥିଲା। ତଥାପି ଅନେକ ପିଲା ଫଳାଫଳ ନେଇ ଅସନ୍ତୁଷ୍ଟ ଦେଖାଯାଇଥିଲେ। ଫଳରେ ସରକାର ବାଧ୍ୟ ହୋଇ ଅଫ୍‌ଲାଇନ୍‌ରେ ପରୀକ୍ଷା କରାଇଥିଲେ। ଏବେ ଏହି ପରୀକ୍ଷାର ଫଳାଫଳ ଆସିଯାଇଛି। ଅଫ୍‌ଲାଇନ୍‌ ମାଧ୍ୟମରେ ଦେଇଥିବା ପରୀକ୍ଷାରେ ୮୦.୮୩ ପ୍ରତିଶତ ପିଲା ପାସ୍‌ କରିଛନ୍ତି।

ମାଟ୍ରିକ ପାଇଁ ବିକଳ୍ପ ମାଧ୍ୟମରେ ବାହାର କରାଯାଇଥିବା ଫଳାଫଳର ପାସ୍‌ହାର ୯୭.୮୯ ପ୍ରତିଶତ। ପୂର୍ବରୁ ଏତେ ପ୍ରତିଶତ ପିଲା ପାସ୍‌ କରି ନଥିଲେ। ମୋଟ ୫ ଲକ୍ଷ ୬୨ ହଜାର ୧୦ ଜଣ ମାଟ୍ରିକ ପାସ୍‌ କରିଛନ୍ତି। ଅନ୍ୟପକ୍ଷରେ ଫେଲ ହୋଇଥିବା ପିଲାଙ୍କ ସଂଖ୍ୟା ୭ ହଜାର ୭୦୩ ଜଣ। ଅଫ୍‌ଲାଇନ୍‌ରେ ହୋଇଥିବା ମାଟ୍ରିକ ପରୀକ୍ଷାରେ ମୋଟ୍‌ ୫୨୩୩ ଜଣ ପିଲା ପାସ୍‌ କରିଛନ୍ତି। ଏଥିରେ ୩୧୦୦ ଛାତ୍ର ଓ ୨୧୩୩ ଜଣ ଛାତ୍ରୀ ଅଛନ୍ତି। ଅଫ୍‌ଲାଇନ୍‌ ପରୀକ୍ଷାରେ ୧୪୧ ଜଣ ଛାତ୍ରଛାତ୍ରୀ ଫେଲ୍‌ ହୋଇଛନ୍ତି। ତେବେ ଯେଉଁମାନେ ଫେଲ ହୋଇଛନ୍ତି, ସେମାନଙ୍କର ପୂର୍ବ ଫଳାଫଳକୁ ଗ୍ରହଣ କରାଯିବ।

ରି-ଚେକିଂ କରିପାରିବେ ଅସନ୍ତୁଷ୍ଟ ପିଲା

ମାଧ୍ୟମିକ ଶକ୍ଷା ପରିଷଦ (ବୋର୍ଡ) ପକ୍ଷରୁ କୁହାଯାଇଛି ଯେ, ଅଫ୍‌ଲାଇନ୍‌ ମାଧ୍ୟମରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୭୧ ଜଣଙ୍କ ନମ୍ବର ବଢ଼ିଛି। ୪୫୯ ଜଣଙ୍କର ନମ୍ବର କମିଛି। ତେଣୁ ଯେଉଁ ଛାତ୍ରଛାତ୍ରୀମାନେ ନିଜର ନମ୍ବର ପ୍ରତି ଅସନ୍ତୁଷ୍ଟ ଅଛନ୍ତି, ସେମାନେ ପୁଣି ଥରେ ନିଜର ଖାତା ଚେକିଂ କରିବା ପାଇଁ ଆବେଦନ କରିପାରିବେ। ଆସନ୍ତା ସେପ୍ଟେମ୍ବର ୮ ସୁଦ୍ଧା ପିଲାମାନେ ରି-ଚେକିଂ ପାଇଁ ଆବେଦନ କରିପାରିବେ। କିନ୍ତୁ ଅଭିଭାବକଙ୍କର ଆଶା ଥିଲା ଯେ, ସେମାନଙ୍କର ପିଲା ଅଧିକ ନମ୍ବର ଆଣିବେ।

ଅଫ୍‌ଲାଇନ୍‌ ଫଳ ଉତ୍ସାହଜନକ ନୁହେଁ

ଅସନ୍ତୁଷ୍ଟ ମାଟ୍ରିକ ଛାତ୍ରଛାତ୍ରୀ ଗତ ଜୁଲାଇ ୩୦ ତାରିଖରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଅଫ୍ଲଲାଇନ୍‌ ମାଧ୍ୟମରେ ପରୀକ୍ଷା ଦେଇଥିଲେ। ପରୀକ୍ଷା ଦେବା ପାଇଁ ଫର୍ମଫିଲପ୍‌ କରିଥିବା ପିଲାଙ୍କ ମଧ୍ୟରୁ ୧୦୮୬ ଜଣ ଅନୁପସ୍ଥିତ ଥିଲେ। ଅନେକ ପିଲା କିଛି ବିଷୟରେ ପରୀକ୍ଷାରେ ସାମିଲ ହୋଇ ବାକି ବିଷୟରେ ଅନୁପସ୍ଥିତ ଥିଲେ। ଗତ ୧୧ ତାରିଖରୁ ୭ଟି ଜିଲ୍ଲା (କଟକ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ ଏବଂ ପୁରୀ)ର ୯ଟି କେନ୍ଦ୍ରରେ ଖାତାଦେଖା ହୋଇଥିଲା। ଖାତା ଦେଖିବାକୁ ପାଖାପାଖି ୧୫୦୦ ଶିକ୍ଷକ ନିୟୋଜିତ ହୋଇଥିଲେ।

ଅଫ୍‌ଲାଇନ୍‌ ପରୀକ୍ଷା ଭୟ!

ବିକଳ୍ପ ମାଧ୍ୟମରେ ୯୭.୮୯ ପ୍ରତିଶତ ପିଲା ପାସ ହେବା ପରେ ବି ଅନେକ ଛାତ୍ରଛାତ୍ରୀ ନିଜର ମାର୍କକୁ ନେଇ ଅସନ୍ତୁଷ୍ଟ ପ୍ରକାଶ କରିଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରେ ମାର୍କ କମ ମିଳିଥିବା ନେଇ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା। ସରକାର ଯୁକ୍ତି ବାଢ଼ିଥିଲେ ଯେ, ଅସନ୍ତୁଷ୍ଟ ପିଲାଙ୍କ ପାଇଁ ଅଫ୍‌ଲାଇନ୍‌ ପରୀକ୍ଷା ବ୍ୟବସ୍ଥା କରାଯାଇଛି। ବିକଳ୍ପ ମାଧ୍ୟମରେ ଭଲ ନମ୍ବର ମିଳିଥିବାରୁ କମ ପରିମାଣରେ ପିଲାଙ୍କୁ ଛାଡ଼ି ଅଫ୍‌ଲାଇନ୍‌ ପରୀକ୍ଷା ଦେବାକୁ ଆଗ୍ରହ ପ୍ରକାଶ କରି ନଥିଲେ। କିନ୍ତୁ ଅଫ୍‌ଲାଇନ୍‌ ମାଧ୍ୟମରେ ହୋଇଥିବା ପରୀକ୍ଷାର ପାସ୍‌ ହାର ବିକଳ୍ପ ବ୍ୟବସ୍ଥା ଠାରୁ ବଢ଼ି ନାହିଁ। ଯଦି ସବୁ ପିଲା ଅଫ୍‌ଲାଇନ୍‌ ମାଧ୍ୟମରେ ପରୀକ୍ଷା ଦେଇଥାନ୍ତେ, ତା’ହେଲେ ରେଜଲ୍ଟ ଆହୁରି ନୈରାଶ୍ୟଜନକ ହୋଇଥାନ୍ତା ବୋଲି ବୁଦ୍ଧିଜୀବୀମାନେ ପ୍ରକାଶ କରନ୍ତି।

LEAVE A REPLY