ଥରିଲା ଆଫଗାନିସ୍ତାନ, କାବୁଲ ବିମାନବନ୍ଦର ବାହାରେ ‘ଶବ’ର ପାହାଡ଼

0
97

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଆତଙ୍କବାଦୀଙ୍କ ବର୍ବରତା ସୀମା ଅତିକ୍ରମ କରିଛି । ଗତ ୧୫ ତାରିଖ ଦିନ ତାଲିବାନୀମାନେ ରାଜଧାନୀ କାବୁଲ ସହରକୁ ଅକ୍ତିଆର କରିବା ପରେ ସେଠାରେ ସ୍ଥିତି ଅନିୟନ୍ତ୍ରିତ ହୋଇପଡ଼ିଛି । ଏଠାରେ ଏବେ ଜନଜୀବନ ଏକ ଘଡ଼ିସନ୍ଧିର ସମୟ ଦେଇ ଗତିକରୁଛି । ଲୋକେ ସୁରକ୍ଷିତ ନାହାନ୍ତି । ଖାଦ୍ୟ, ପାନୀୟ ଜଳ ଓ ସୁରକ୍ଷା ବ୍ୟବସ୍ଥା ସବୁଠାରୁ ବଡ଼ ପ୍ରଶ୍ନ ହୋଇଛି । ପରିସ୍ଥିତି ଏଭଳି ହୋଇଛି ଯେ, ଲୋକେ ଭୟର ବାତାବରଣ ମଧ୍ୟରେ ସମୟ କାଟୁଛନ୍ତି । କାବୁଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ଗୁରୁବାର ସନ୍ଧ୍ୟା ଠାରୁ ବିଳମ୍ବିତ ରାତି ଯାଏଁ ୩ଥର ବୋମା ବିସ୍ଫୋରଣ ହୋଇଛି । ଆମେରିକାର ଦାବି ଅନୁସାରେ ଏଥିରେ ଶତାଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ମୃତକଙ୍କ ମଧ୍ୟରେ ଆମେରିକାର ୧୩ ଜଣ ସୈନିକ ମଧ୍ୟ ଥିବା କୁହାଯାଉଛି ।

ଆଫାଗାନିସ୍ତାନରେ ଆତଙ୍କବାଦୀଙ୍କ ଉଗ୍ରରୂପ ଦେଖାଯିବା ପରେ ବିଦେଶୀ ନାଗରିକମାନେ ଏଠାରୁ ସ୍ୱଦେଶ ଫେରିଯିବାକୁ ଚାହୁଁଛନ୍ତି । ଏହି କ୍ରମେରେ ଭାରତ ସମେତ ଆମେରିକା, ବ୍ରିଟେନ, ଫ୍ରାନ୍ସ ଆଦି ଅନ୍ୟ ରାଷ୍ଟ୍ରମାନେ କାବୁଲରୁ ନିଜର ନାଗରିକମାନଙ୍କୁ ଉଦ୍ଧାର କରି ବିମାନରେ ଫେରାଇ ଆଣୁଛନ୍ତି । ଆମେରିକା ଆସନ୍ତା ୩୧ ତାରିଖ ମଧ୍ୟରେ ନିଜର ନାଗରିକମାନଙ୍କୁ ଫେରାଇ ନେବାକୁ ଚାହୁଁଛି । କିନ୍ତୁ ଯଦି ଉଦ୍ଧାର କାମ ଯଦି ବାକି ରହିବ, ତାହେଲେ ଆମେରିକୀୟଙ୍କ ସୁରକ୍ଷା ପାଇଁ ସେନା ମୁତୟନ ରହିବେ ବୋଲି କହିଛି ।

କମ ସମୟ ମଧ୍ୟରେ ୩ ବିସ୍ଫୋରଣ

କାବୁଲ ବିମାନବନ୍ଦର ଭିତରେ ଜୀବନ ବଂଚାଇବା ପାଇଁ ଲୋକ ନିଜ ନିଜ ଦେଶର ବିମାନ ଅପେକ୍ଷାରେ ଥିବା ବେଳେ ବାହାରେ ବିସ୍ଫୋରଣ ଆରମ୍ଭ ହୋଇଯାଇଥିଲା । ବିସ୍ଫୋରଣରେ ଏପର୍ଯ୍ୟନ୍ତ ୭୦ରୁ ଊର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ତେବେ ଦେଶରେ କୌଣସି ସରକାର ନଥିବାରୁ ଆହତମାନଙ୍କୁ ଜରୁରୀକାଳୀନ ଭିତ୍ତିରେ ହସ୍ପିଟାଲ ନେବାକୁ କେହି ନଥିଲେ । ମୃତକଙ୍କ ମଧ୍ୟରେ ୧୩ ଜଣ ଆମେରିକୀୟ ସୈନିକ ଅଛନ୍ତି ବୋଲି ଆମେରିକା ଦାବି କରିଛି । ପ୍ରଥମ ବିସ୍ଫୋରଣ ଅବେ ଗେଟ ନିକଟରେ, ଦ୍ୱିତୀୟଟି ଏୟାରପୋର୍ଟ ନିକଟରେ ନିର୍ମିତ ବୈରନ ହୋଟେଲ ପାଖରେ ହୋଇଥିଲା । ସେହିପରି ମଧ୍ୟ ରାତ୍ରୀରେ ବିମାନବନ୍ଦର ବାହାରେ ଅନ୍ୟ ଏକ ଶକ୍ତିଶାଳୀ ବିସ୍ଫୋରଣ ହୋଇଥିଲା ।

ସମବେଦନା ଜଣାଇଲା ଭାରତ

କାବୁଲ ବିମାନବନ୍ଦର ନିକଟରେ ଗୁରୁବାର ହୋଇଥିବା ଆତ୍ମଘାତୀ ବିସ୍ଫୋରଣ ଘଟଣା ନେଇ ଭାରତ ସମବେଦନା ଜଣାଇଛି । ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଏହି ଆତଙ୍କବାଦୀ ଆକ୍ରମଣର ପୀଡିତଙ୍କ ପ୍ରତି ସମବେଦନା ଜଣାଉଛୁ । ଆହତଙ୍କ ପାଇଁ ପ୍ରାର୍ଥନା କରୁଛୁ । ଭାରତ କହିଛି ଯେ, ଏହି ବିସ୍ଫୋରଣ ଆହ୍ୱାନ କରୁଛି ଯେ, ଆତଙ୍କବାଦୀଙ୍କ ବିରୋଧରେ ସମଗ୍ର ବିଶ୍ୱ ଏକଜୁଟ ହେବାର ଆବଶ୍ୟକତା ଅଛି ।

ଆତଙ୍କବାଦୀଙ୍କୁ ମାରିବୁ: ବାଇଡେନ୍‌

ବୋମା ବିସ୍ଫୋରଣ ଘଟଣାରେ ୧୩ ଜଣ ଆମେରିକୀୟ ସୈନିକଙ୍କ ମୃତ୍ୟୁ ପରେ ରାଷ୍ଟ୍ରପତି ଜୋ ବାଇଡେନଙ୍କ କ୍ରୋଧର ସୀମା ବଢ଼ିଯାଇଛି । ହ୍ୱାଇଟ ହାଉସରୁ ନିଜର ଏକ ସମ୍ବୋଧନରେ ବାଇଡେନ କହିଛନ୍ତି, ଆମେ ଆତଙ୍କବାଦୀଙ୍କୁ ଛାଡ଼ିବୁ ନାହିଁ । ସେମାନଙ୍କୁ ଖୋଜି ଖୋଜି ନିହତ କରିବୁ । ଆମେ ଆତଙ୍କବାଦୀଙ୍କୁ ସହଜରେ ଛାଡ଼ିବୁ ନାହିଁ । ଖୋଜି ଖୋଜି ଗୁଳି କରିବୁ । ଆତଙ୍କବାଦୀମାନେ କରିଥିବାର କାଣ୍ଡର ଉଚିତ ଜବାବ ମିଳିବ । ଆଫଗାନିସ୍ତାନରୁ ଆମେରିକୀୟ ନାଗରିକଙ୍କୁ ଉଦ୍ଧାର କରିବା ପ୍ରକ୍ରିୟା ଜାରି ରହିବ ବୋଲି ବାଇଡେନ କହିଛନ୍ତି ।

Share the article

LEAVE A REPLY