କେରଳ-ମହାରାଷ୍ଟ୍ରରେ କରୋନାର ୩ୟ ଲହର ନେଇ ସତର୍କ ଘଣ୍ଟି

0
148

ଭୁବନେଶ୍ୱର: ଉଭୟ କେରଳ ଓ ମହାରାଷ୍ଟ୍ରରେ କରୋନା ଭାଇରସ ସଂକ୍ରମଣ ପୁଣି ଥରେ ବଢ଼ିବାରେ ଲାଗିଛି । ଏହି ୨ଟି ରାଜ୍ୟରେ ଦୈନିକ ସଂକ୍ରମଣର ପ୍ରାୟ ୫୦ ପ୍ରତିଶତ ଲୋକ ଥିବା ବେଳେ ଏବେ ୩ୟ ଲହର ଆରମ୍ଭ ହୋଇଯାଇଛି ବୋଲି ମଧ୍ୟ କିଛି ବିଶେଷଜ୍ଞ ବୟାନ ଦେଉଛନ୍ତି । ଦେଶରେ କରୋନା ଭାଇରସ ପୁଣି ଥରେ ଉପର ମୁହାଁ ହୋଇଯାଇଥିବା ବେଳେ ବିଦ୍ୟାଳୟ ଶିକ୍ଷା ଅନିଶ୍ଚିତତା ଦେଇ ଅଗ୍ରସର ହେଉଛି । ଦେଶରେ ଯଦିଓ ଅନ୍‌ଲାଇନ୍ ମାଧ୍ୟମରେ ପାଠପଢ଼ା ଜାରି ରହିଛି, ତଥାପି ଏଥିରେ ପିଲାମାନଙ୍କ ଶିକ୍ଷାଗ୍ରହଣ ପୂରା ହୋଇପାରିବ ନାହିଁ ବୋଲି ଶିକ୍ଷାବିତ୍ ମାନେ କୁହାନ୍ତି ।

କୋଭିଡ କଟକଣା ମଧ୍ୟରେ ଦେଶର ଅଧିକାଂଶ ରାଜ୍ୟରେ ଏବେ ୯ମ ଠାରୁ ଏକାଦଶ ଶ୍ରେଣୀ ଯାଏଁ ପାଠପଢ଼ା ଆରମ୍ଭ ହୋଇଯାଇଛି । ଛାତ୍ରଛାତ୍ରୀମାନଙ୍କୁ ମାସ୍କ, ସାନିଟାଇଜର ଧରି ସ୍କୁଲ ଯିବାକୁ ହେଉଛି । କେତେ ଦିନ ପର୍ଯ୍ୟନ୍ତ ପିଲାମାନଙ୍କୁ ବ୍ୟାଗରେ ମାସ୍କ ଓ ହ୍ୟାଣ୍ଡ ସାନିଟାଇଜର ନେଇ ଯିବାକୁ ହେବ, ତାହା କହିହେବ ନାହିଁ । କିନ୍ତୁ ଏତିକି କୁହାଯାଇପାରିବ ଯେ, ଯେତେଦିନ ଯାଏଁ ବିଶ୍ୱରୁ କରୋନା ସଂକ୍ରମଣ ଶେଷ ହୋଇ ନଥିବ ପିଲାମାନେ ହାତରେ ମାସ୍କ ଓ ସାନିଟାଇଜର ନେଇ ବିଦ୍ୟାଳୟ ଯିବେ ।

ଅଫ୍‌ଲାଇନ୍‌ରେ ପଢ଼ିବେ୪ର୍ଥ ଶ୍ରେଣୀ ପିଲା

ଦେଶରେ କରୋନାର ୩ୟ ଲହର ନେଇ ବୁଦ୍ଧିଜୀବୀବାନେ ଚିନ୍ତା କରୁଥିବା ବେଳେ ହରିୟାଣା ସରକାର ଆସନ୍ତା ସେପ୍ଟେମ୍ବର ୧ ତାରିଖ ଠାରୁ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକ ଖୋଲିବ । ସରକାରଙ୍କ ଗାଇଡଲାଇନ୍ ଅନୁସାରେ ୪ର୍ଥ ଏବଂ ୫ମ ଶ୍ରେଣୀ ପିଲା ସ୍କୁଲ ଯାଇ ଅଫ୍‌ଲାଇନ୍‌ରେ ପାଠ ପଢ଼ିବେ । ବର୍ତ୍ତମାନ ପରିପ୍ରେକ୍ଷୀରେ ହରିୟାଣାର କରୋନା ସଂକ୍ରମଣ ନିୟନ୍ତ୍ରିତ ଅଛି । କିନ୍ତୁ ଦେଶରେ କରୋନା ସଂକ୍ରମଣ ଯେଭଳି ଭାବରେ ବଢ଼ିବାରେ ଲାଗିଛି, ସେପ୍ଟେମ୍ବର ୧ ତାରିଖ ବେଳକୁ ସ୍ଥିତି ଅଲଗା ଥିବ ବୋଲି ଅନୁମାନ କରାଯାଉଛି ।  

ସତର୍କ ରହିବାକୁ ହେବ

ହରିୟାଣାରେ ଗତ ଜୁଲାଇ ୧୨ ତାରିଖ ଠାରୁ ନବମ ଠାରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲ ଖୋଲିଛି । ସେହିପରି ଜୁଲାଇ ୨୩ ତାରିଖରେ ୬ଷ୍ଠରୁ ୮ମ ଶ୍ରେଣୀ ପିଲାଙ୍କ ଅଫଲାଇନ୍ ପାଠପଢ଼ା ଜାରି ରହିଛି । ସରକାର କହିଛନ୍ତି ଯେ, ବିଦ୍ୟାଳୟରେ କୋଭିଡ ଗାଇଡଲାଇନକୁ ଗୁରୁତ୍ୱ ଦେଇ ପାଠ ପଢ଼ା କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ପ୍ରାଥମିକ ଶ୍ରେଣୀର ପିଲାମାନଙ୍କୁ ସ୍କୁଲ ଛାଡ଼ିଲେ ଅଧିକ ସତର୍କ ରହିବାକୁ ପଡ଼ିବ । ପିଲାମାନଙ୍କ ଉପରେ ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ଅନ୍ୟ ଅଣ ଶିକ୍ଷକମାନଙ୍କୁ ମଧ୍ୟ ସଜାଗ ରିହବାକୁ ହେବ ।

ଓଡ଼ିଶାରେ କେବେ ଖୋଲିବ ପ୍ରାଥମିକ ସ୍କୁଲ?

ଓଡ଼ିଶାରେ କରୋନା ସଂକ୍ରମଣର ୨ୟ ଲହର ଥମି ନାହିଁ। ଏବେବି ଦୈନିକ ସଂକ୍ରମଣ ପାଖାପାଖି ୮୦୦ ରହୁଛି। ପ୍ରଥମରୁ ୮ମ ଶ୍ରେଣୀ ଯାଏଁ ଅନ୍‌ଲାଇନ୍‌ରେ କ୍ଲାସ ଜାରି ରହିଛି। ନବମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ଅଫ୍‌ଲାଇନ୍‌ କ୍ଲାସ ହେଉଛି। କିନ୍ତୁ ରାଜ୍ୟରେ ସଂକ୍ରମଣ ଥମି ନଥିବାରୁ ପ୍ରାଥମିକ ସ୍କୁଲ ଗୁଡ଼ିକ କେବେ ଖୋଲିବ, ତାହା ରାଜ୍ୟ ସରକାର ଘୋଷଣା କରି ନାହାନ୍ତି।

ସେପ୍ଟେମ୍ବର ୧ରୁ ଦିଲ୍ଲୀରେ ଖୋଲିବ ସ୍କୁଲ

ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀରେ ପର୍ଯ୍ୟାୟକ୍ରମେ ସ୍କୁଲ ଖୋଲିବ। ଏନେଇ ଡିଡିଏମଏ ବୈଠକରେ ନିଷ୍ପତ୍ତି ନିଆଯାଇଛି। ସେପ୍ଟେମ୍ବର ୧ ତାରିଖ ଠାରୁ ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବ ଓ ସେପ୍ଟେମ୍ବର ୮ ତାରିଖରୁ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ହୋଇଛି। ସ୍କୁଲ ଗୁଡ଼ିକ ଖୋଲିଲେ କରୋନା କଟକଣା ସଠିକ ଢଙ୍ଗରେ ପାଳନ କରାଯିବା ନେଇ ବି ପରାମର୍ଶ ଦିଆଯାଇଥିଲା। ଦିଲ୍ଲୀରେ କରୋନା ସଂକ୍ରମଣ ଏକପ୍ରକାର ନିୟନ୍ତ୍ରଣରେ ଅଛି। ଲଗାତର ୬ଷ୍ଠ ଦିନରେ ଦିଲ୍ଲୀରେ ଜଣେ ବି ଲୋକ କରୋନା ସଂକ୍ରମଣରେ ମୃତ୍ୟୁ ହୋଇ ନାହିଁ।

Share the article

LEAVE A REPLY