କ୍ଷେତରେ ମାଟି ଫାଟି ଆଁ କରିଛି, ବିଧାନସଭାରେ ମରୁଡ଼ି ଚର୍ଚ୍ଚା

0
150

ଭୁବନେଶ୍ୱର: ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଯୋଗୁଁ ରାଜ୍ୟର ଚାଷୀମାନେ ଘୋର ପ୍ରଭାବିତ ହୋଇଛନ୍ତି। ଉପକୂଳ ଜିଲ୍ଲାଗୁଡ଼ିକରେ ଚଳିତ ସପ୍ତାହରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ ରାଜ୍ୟର ବାକି ଅଂଚଳରେ ଚାଷୀମାନେ ବର୍ଷାକୁ ଚାତକ ପକ୍ଷୀ ଭଳି ଅନେଇ ରହିଛି। ଜନ୍ମାଷ୍ଟମୀ ଶେଷ ହୋଇଥିବା ବେଳେ ଏପର୍ଯ୍ୟନ୍ତ ଖରିଫ ଧାନର ଚାଷ ଯେଭଳି ସ୍ଥିିତିରେ ପହଂଚିବା କଥା, ତାହା ହୋଇପାରି ନାହିଁ। ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ଯଦି ଭଲ ବର୍ଷା ହୁଏ, ତଥାପି ମଧ୍ୟ ଉତ୍ପାଦନ ହ୍ରାସ ପାଇବା ସୁନିଶ୍ଚିତ।

ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ ସେପ୍ଟେମ୍ବର ୧ ତାରିଖ ଠାରୁ ଆରମ୍ଭ ହୋଇଯାଇଛି। ଅଧିବେଶନର ପ୍ରଥମ କାର୍ଯ୍ୟ ଦିବସରରେ ବୁଧବାର ନିଅଣ୍ଟିଆ ବର୍ଷା, ମରୁଡ଼ି ଏବଂ ଜଳସେଚନ ନେଇ ଜୋରଦାର୍‌ ଚର୍ଚ୍ଚା ହୋଇଛି। ସରକାର ମରୁଡ଼ିକୁ ପ୍ରାକୃତିକ ବୋଲି ଦର୍ଶାଇଥିବା ବେଳେ ବିରୋଧୀ ଦଳର ନେତାମାନେ ଶାସକ ଦଳକୁ ଟାର୍ଗେଟ କରିଛନ୍ତି। ତେବେ ବର୍ତ୍ତମାନ ସରକାର ରାଜ୍ୟରେ ୨୦ ବର୍ଷରୁ ଅଧିକ ସମୟ ଧରି ଶାସନରେ ଥିବା ବେଳେ ଚାଷୀମାନେ ପାଣି ନପାଇବା କ୍ଷୋଭର ବିଷୟ ବୋଲି ବୁଦ୍ଧିଜୀବୀମାନେ ମତ ଦିଅନ୍ତି।

୨୩ ଜିଲ୍ଲାରେ ନିଅଣ୍ଟିଆ ବର୍ଷା: କୃଷି ମନ୍ତ୍ରୀ

ରାଜ୍ୟ କୃଷିମନ୍ତ୍ରୀ ଅରୁଣ ସାହୁ ବିଧାନସଭାରେ ବୁଧବାର କହିଛନ୍ତି ଯେ, ବିଗତ ୨୦ବର୍ଷ ଭିତରେ ରାଜ୍ୟରେ ୮ଥର ମରୁଡ଼ି ହୋଇଛି। ଚଳିତ ଖରିଫ ଋତୁରେ ଅଗଷ୍ଟ ୨୮ତାରିଖ ସୁଦ୍ଧା ୨୩ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି। ୧୪ଜିଲ୍ଲାର ୪୭ଟି ବ୍ଲକରେ ଫସଲ ପ୍ରଭାବିତ ହୋଇଛି। ମରୁଡ଼ି ମୁକାବିଲା ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ରାୟଗଡ଼ା ଓ ଗଜପତି ଜିଲ୍ଲାରେ  କିଛି ଦିନ ପୂର୍ବରୁ ଭଲ ବର୍ଷା ହୋଇଥିବାରୁ ମରୁଡ଼ିସ୍ଥିତିରେ ସୁଧାର ଆସିଛି। କିନ୍ତୁ ଯେଉଁ ଜିଲ୍ଲା ଗୁଡ଼ିକରେ କମ୍‌ ପରିମାଣରେ ବର୍ଷା ହୋଇଛି, ସେଠାରେ ଜଳସେଚନ ନେଇ ସରକାର ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି। କୃଷିମନ୍ତ୍ରୀ ଗୃହରେ କହିଛନ୍ତି ଯେ, ମରୁଡ଼ି ମନୁଷ୍ୟ କୃତ ନୁହେଁ।

ପାଣି ପାଇଁ ଚାଷୀ ଡହଳବିକଳ

ବିଧାନସଭାରେ କୃଷିମନ୍ତ୍ରୀ କହିଛନ୍ତି ଯେ, ମରୁଡ଼ି ମନୁଷ୍ୟ କୃତ ନୁହେଁ। ଏହା ଶତପ୍ରତିଶତ ସତ। କିନ୍ତୁ ମନୁଷ୍ୟର ଯୋଜନା ଅନୁସାରେ ତଥା ସରକାରଙ୍କ ବ୍ୟାପକ ପଦକ୍ଷେପ ମାଧ୍ୟମରେ ମରୁଡ଼ିକୁ ମୁକାବିଳା କରାଯାଇ ପାରିବ। ଚାଷୀମାନେ ଫସଲ ପାଇଁ ଯେପରି ପାଣିର ସମସ୍ୟାକୁ ସାମ୍ନା ନକରନ୍ତି ସେଥିପାଇଁ ଦୀର୍ଘମିଆଦି ବ୍ୟବସ୍ଥା କରାଯାଇ ପାରିବ। କିନ୍ତୁ ରାଜ୍ୟ ସରକାରଙ୍କ ସେହିଭଳି ଦୂରଦୃଷ୍ଟି ସପନ୍ନ ନୁହଁନ୍ତି। ୨୦ ବର୍ଷର ଶାସନ ମଧ୍ୟରେ ସରକାର ଯଦି ଚାଷୀଙ୍କ କଲ୍ୟାଣ ପାଇଁ ଉଠା ଜଳସେଚନା ବ୍ୟବସ୍ଥା ଓ ଡ୍ୟାମ୍‌, ଆନିକଟ ମାଧ୍ୟମରେ କେନାଲ ଯୋଗେ ପାଣିର ବ୍ୟବସ୍ଥା କରିଥାନ୍ତେ, ତା’ହେଲେ ଚାଷୀମାନେ ଆଜି ପାଣି ପାଇଁ ଡହଳବିକଳ ହେଉ ନଥାନ୍ତେ।

ଜଳସେଚନ କରିବାରେ ସରକାର ବିଫଳ

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଥିଲେ ଯେ, ବିଭାଗୀୟ ମନ୍ତ୍ରୀଙ୍କ ଉତ୍ତର ଚିରାଚରିତ ଓ ଦୁର୍ଭାଗ୍ୟଜନକ। ମରୁଡ଼ି ପାଇଁ ପ୍ରକୃତିକୁ ଦୋଷ ଦେଲେ ହେବନାହିଁ। ଏହାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କିଛି କରାଯାଇ ନାହିଁ। ଉଠା ଜଳସେଚନ କାର୍ଯ୍ୟକ୍ଷମ ହୋଇନାହିଁ, ଜଳାଶୟଗୁଡ଼ିକ ଶୁଖିଲା ହୋଇ ପଡ଼ିଛି। ସରକାର ଜଳସେଚନ କରିବାରେ ବିଫଳ ହୋଇଛନ୍ତି।

ପ୍ରତିଶ୍ରୁତି ପୂରଣ ନକରିବା କ’ଣ ପ୍ରକୃତି ଦାୟୀ?

ଗୃହରେ ବୁଧବାର କଂଗ୍ରେସ ପ୍ରଶ୍ନକାଳ ବାତିଲ କରି ରାଜ୍ୟର ମରୁଡ଼ି ସ୍ଥିତି ନେଇ ଆଲୋଚନା କରିବାକୁ ଦାବି କରିଥିଲା। କଂଗ୍ରେସ ବିଧାୟକଦଳ ନେତା ନରସିଂହ ମିଶ୍ର ଲିଖିତ ଭାବେ ଏ ନେଇ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ନରସିଂହ କହିଥିଲେ ଯେ, କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ଉତ୍ତର ଅବାନ୍ତର। ମୁଁ ଏହାକୁ ଗ୍ରହଣ କରି ପାରୁନାହିଁ। ୩୦ଟିରୁ ୨୭ଜିଲ୍ଲାରେ ମରୁଡ଼ି। ତେଣୁ ସରକାର ଆଇନ ଅନୁଯାୟୀ ଏହି ଜିଲ୍ଲାଗୁଡ଼ିକୁ ମରୁଡ଼ିଗ୍ରସ୍ତ ଜିଲ୍ଲା ବୋଲି ଘୋଷଣା କରନ୍ତୁ। କାରଣ ୨୦୧୧ ସୁଦ୍ଧା ପ୍ରତି ବ୍ଲକରେ ୩୫ପ୍ରତିଶତ ଜଳସେଚନ ହେବ ବୋଲି ସରକାର କହିଥିଲେ। ଯଦି ନିଜର ପ୍ରତିଶ୍ରୁତି ପୂରଣ କରିପାରି ନାହାନ୍ତି, କ’ଣ ଏଥି ପାଇଁ ପ୍ରକୃତି ଦାୟୀ? 

Share the article

LEAVE A REPLY