ରାଜ୍ୟରେ ସରକାରୀ ବସ୍‌ ନେଟଓ୍ଵାର୍କ ବଢ଼ିଲା

0
237
Spread the love

ଭୁବନେଶ୍ୱର: ରାଜ୍ୟରେ ସରକାରୀ ବସ୍‌ର ନେଟଓ୍ଵାର୍କ ବଢ଼ିଛି। ରାଜ୍ୟ ସରକାର ଲୋକଙ୍କର ଯାତାୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନୂଆ ବସ୍‌ ଏବଂ ବସ୍‌ର ରୁଟ ପ୍ରସ୍ତୁତ କରୁଛନ୍ତି। ଏହି କ୍ରମରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେପ୍ଟେମ୍ବର ୨ ତାରିଖରେ ୧୧୦ଟି ଦିନ ନୂଆ ବସ୍‌ର ଶୁଭାରମ୍ଭ କରିଛନ୍ତି। ବସ୍‌ଗୁଡ଼ିକ ଓଡ଼ିଶାର ଜନସାଧାରଣଙ୍କ ଯାତାୟତ ତଥା ପରିବହନ କ୍ଷେତ୍ରରେ ସହାୟକ ହେବ। ଖୁବ୍‌ ଶୀଘ୍ର ଆହୁରି ୭୦ଟି ବସ୍‌ର ଶୁଭାରମ୍ଭ ହେବ। ବସ୍‌ ଗୁଡ଼ିକରେ ଅତ୍ୟାଧୁନିକ ସୁବିଧା ରହିଛି ଏବଂ ଏଥିରୁ କିଛି ବସ୍‌ ପଡ଼ୋଶୀ ରାଜ୍ୟକୁ ମଧ୍ୟ ସଂଯୋଗ କରିବ। ସୂଚନାଯୋଗ୍ୟ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌ଆରଟିସି) ଅଧିକ ୧୮୦ଟି ବସ୍‌ ଚଳାଚଳ କରିବାକୁ ଯୋଜନା କରିଥିଲା। କିନ୍ତୁ ବର୍ତ୍ତମାନ ପରିପ୍ରେକ୍ଷୀରେ ଏହା ସମ୍ଭବ ହୋଇପାରି ନଥିବାରୁ ପ୍ରଥମ ପର୍ଯ୍ୟାୟରେ ୧୧୦ଟି ବସ୍‌ର ଶୁଭାରମ୍ଭ ହୋଇଛି।

ଭାରତୀୟ ପୁଲିସ୍‌ ସେବା ଅଧିକାରୀ ତଥା ଓଆରଟିସି ଚେୟାରମ୍ୟାନ ଏବଂ ପରିଚାଳନା ଅଧିକାରୀ ଦିପ୍ରେଶ କୁମାର ପଟ୍ଟନାୟକ କହିଛନ୍ତି, ସେପ୍ଟେମ୍ବର ୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ୧୧୦ଟି ବସ୍‌ର ଶୁଭାରମ୍ଭ ହୋଇଥିବା ବେଳେ ଆଉ ୭୦ଟି ବସ୍‌ ଆଗାମୀ ଦିନରେ ଖୁବ ଶୀଘ୍ର ଚଳାଚଳ କରିବ।

ସରକାରୀ ବସ୍‌ରେ ଅତ୍ୟାଧୁନିକ ସୁବିଧା

ନୂତନଭାବେ ଚଳାଚଳ ହୋଇଥିବା ବସ୍‌ଗୁଡ଼ିକରେ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି। ଏହା ଆରାମଦାୟକ, ସୁରକ୍ଷିତ ଓ ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ ଯାତ୍ରୀମାନଙ୍କୁ ନୂଆ ଅନୁଭୂତି ଆଣିବ। ବସ୍‌ଗୁଡ଼ିକରେ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି। ବସ୍‌ ମଧ୍ୟରେ ଘୋଷଣାନାମା ସିଷ୍ଟମ ଆଇଟିଏମ୍‌ଏସ୍‌ ସକ୍ଷମ, ଅଗ୍ନି ନିର୍ବାପକ ବ୍ୟବସ୍ଥା, ଉନ୍ନତ ସୁରକ୍ଷା ପାଇଁ ସିସିଟିଭି କ୍ୟାମେରା, କାର୍ବନ ଫୁଟ୍‌ ଫ୍ରି ହ୍ରାସ ନିମନ୍ତେ ବିଏସ୍‌-୬, ଯାତ୍ରୀଙ୍କ ପାଇଁ କମ୍ଫର୍ଟ ସିଟ୍‌, ଆପାତକାଳୀନ ବଟନ୍‌, ଭିଟିଏସ୍‌ (ଭେଇକିଲ ଟ୍ରାକିଂ ସିଷ୍ଟମ), ଜରୁରୀକାଳୀନ ପ୍ରସ୍ଥାନ ଭଳି ବିଭିନ୍ନ ପ୍ରଯୁକ୍ତିବିଦ୍ୟା ଜ୍ଞାନ କୌଶଳ ସୁବିଧାମାନ ରହିଛି।

ବସ୍‌ରେ ସୁରକ୍ଷାକୁ ଗୁରୁତ୍ୱ

ସବୁଠାରୁ ବଡ଼କଥା ହେଲା ଯେ, ରାଜ୍ୟ ସରକାରଙ୍କ ଦ୍ୱାରା ନୂତନ ଭାବେ ଆରମ୍ଭ କରାଯାଇଥିବା ବସ୍‌ ଗୁଡ଼ିକରେ ଯାତ୍ରୀମାନଙ୍କ ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇବ ବୋଲି ଆଶା କରାଯାଉଛି। ବସ୍‌ଗୁଡ଼ିକ ଓଡ଼ିଶାର ବିଭିନ୍ନ ଜିଲ୍ଲା ଦେଇ ପଡ଼ୋଶୀ ରାଜ୍ୟକୁ ମଧ୍ୟ ସଂଯୋଗ କରିବ। ବିଶେଷ ଭାବରେ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼କୁ କିଛି ବସ୍‌ ଚଳଚଳ କରିବ।  

ଓଏସ୍‌ଆରଟିସିର ଭବିଷ୍ୟତ ଯୋଜନା

ସୂଚନାଯୋଗ୍ୟ, ବର୍ତ୍ତମାନ ପରିପ୍ରେକ୍ଷୀରେ ଓଏସ୍‌ଆରସିଟି ପକ୍ଷରୁ ୨୮ଟି ଜିଲ୍ଲାରେ ୪୩ଟି ଆନ୍ତରାଜ୍ୟ ମାର୍ଗରେ ୩୯୮ଟି ବସ୍‌ ଚଳାଚଳ କରୁଛି। ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ଛତିଶଗଡ଼କୁ ମଧ୍ୟ ବସ୍‌ଗୁଡ଼ିକ ସଂଯୋଗ କରୁଛି। ୧୮୦ଟି ବସ୍‌ ମଧ୍ୟରେ ୧୦ଟି ଭଲଭୋ, ୪୦ଟି ଏସି ଅଲଟ୍ରା ଡିଲକ୍ସ, ୮୦ଟି ନନ୍‌ ଏସି ଡିଲକ୍ସ ଏବଂ ୫୦ଟି ନନ୍‌ ଏସି ହାଇଟେକ୍‌ ବସ୍‌ ରହିଛି। ଆଗାମୀ ଦିନରେ ଓଏସ୍‌ଆରଟିସି ଅନେକ ନୂଆ ରୁଟ ସହିତ ନୂଆ ବସ୍‌ ଯୋଗ କରି ସାରା ରାଜ୍ୟରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିବାକୁ ଯୋଜନା ରଖୁଛି।

ଘରୋଇ ବସ୍‌ରେ ଭଡ଼ା ଅଧିକ

ଘରୋଇ ବସ୍‌ ଗୁଡ଼ିକରେ ଭଡ଼ା ଅଧିକ ରହୁଛି। ଏହି ଦୃଷ୍ଟିରୁ ଯାତ୍ରୀଙ୍କୁ ସରକାରୀ ବସ୍‌ରେ ଯାତ୍ରା କରିବା ସୁହାଇବା ଭଳି ଲାଗିବ। କାରଣ ସରକାରୀ ବସ୍‌ରେ ଘରୋଇ ବସ୍‌ ତୁଳନାରେ ଯାତ୍ରୀଙ୍କୁ କମ୍‌ ଭଡ଼ା ଦେବାକୁ ହୋଇଥାଏ। କିନ୍ତୁ ଘରୋଇ ବସ୍‌ ସଂଖ୍ୟା ରାଜ୍ୟରେ ୧୭ ହଜାରରୁ ଅଧିକ ଥିବା ବେଳେ ସରକାରୀ ବସ୍‌ ସଂଖ୍ୟା ୫୦୦ ତଳକୁ ରହିଛି। ଅଧିକରୁ ଅଧିକ ସରକାରୀ ବସ୍‌ ଚଳାଚଳ କଲେ ସାଧାରଣ ଲୋକଙ୍କୁ ସୁବିଧା ହୋଇପାରିବ। କେରଳ, କର୍ଣ୍ଣାଟକ, ତାମିଲନାଡୁ, ଦିଲ୍ଲୀ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ରାଜ୍ୟରେ ସରକାରୀ ବସ୍‌ ଚଳାଚଳ ବହୁମାତ୍ରାରେ କରୁଛି। ଫଳରେ ସେହି ରାଜ୍ୟର ଲୋକଙ୍କୁ ପରିବହନ ପାଇଁ କମ୍‌ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। 

LEAVE A REPLY