ବିଚିତ୍ର ନୀତି: ପୂଜାରେ ୭ ଜଣ, ନିର୍ବାଚନ ସଭାରେ ୫୦୦ ଲୋକ

0
165

ଭୁବନେଶ୍ୱର: ସରକାରୀ ଆଇନ୍‌ ଏବଂ ବ୍ୟବସ୍ଥା ବିଚିତ୍ର। କ୍ଷମତାପ୍ରାପ୍ତ ଅଧିକାରୀଙ୍କୁ ଯାହା ପସନ୍ଦ ଲାଗେ, ତାହା ହିଁ କରନ୍ତି। ସେମାନେ ଭାବନ୍ତି ଦେଶର ଜନତା ନିର୍ବୋଧ। ସେଥିପାଇଁ ସବୁକାମରେ ସମାନ ପ୍ରକାର ବ୍ୟବସ୍ଥା କରିପାରି ନଥାନ୍ତି। ଦେଶରେ କରୋନା ଭାଇରସ ସଂକ୍ରମଣର ୨ୟ ଲହର ଜାରି ଥିବାରୁ କୋଭିଡ-୧୯ ଗାଇଡଲାଇନ୍‌କୁ ଗୁରୁତ୍ୱପୂର୍ଣ୍ଣ ଭାବେ ଦେଖାଯାଉଛି। ଜନଗହଳି ନ ହେବା ପାଇଁ ସରକାର ଗାଇଡଲାଇନ୍‌ କରିଛନ୍ତି। ଦେଶରେ କରୋନା ଥମି ନଥିବା ବେଳେ ଚଳିତ ମାସରେ ଦେଶରେ ଉପନିର୍ବାଚନ ହେଉଛି। ଏଥି ସହିତ ଦେଶରେ ପାର୍ବଣ ଋତୁ ମଧ୍ୟ ଆରମ୍ଭ ହୋଇଯାଇଛି। କିନ୍ତୁ ପାର୍ବଣରେ ଉତ୍ସାହ  ଦେଖାଯିବ ନାହିଁ। ପୂଜାସ୍ଥଳ ଗୁଡ଼ିକ ଆଡ଼ମ୍ବରପୂର୍ଣ୍ଣ ହୋଇପାରିବ ନାହିଁ। କେବଳ ପରଂପରାକୁ ରକ୍ଷା କରି ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ, କ୍ଲବ ଘର, ପୂଜାମଣ୍ଡପରେ ପୂଜାର ଆୟୋଜନ ହେବ। କାରଣ ସରକାର କଟକଣା ଜାରି କରିଛନ୍ତି।

ନିରାଡମ୍ବର ପୂଜା

ଗଣେଶ ପୂଜା ସେପ୍ଟେମ୍ବର ୧୦ ତାରିଖରେ ପାଳନ ହେବ। ଏହା ପୂର୍ବରୁ ରାଜ୍ୟ ସରକାର ଗାଇଡଲାଇନ୍‌ ଜାରି କରିଛନ୍ତି। ପୂଜାମଣ୍ଡପ ଗୁଡ଼ିକ ଆବଦ୍ଧ ପରିବେଶରେ ରହିବ। ସର୍ବସାଧାରଣ ପୂଜାସ୍ଥଳକୁ ଯାଇପାରିବେ ନାହିଁ। ଶିକ୍ଷାନୁଷ୍ଠାନ ଗୁଡ଼ିକରେ ହେବାକୁ ଥିବା ଆୟୋଜନରେ ମାତ୍ର ୨୦ ଜଣ ବ୍ୟକ୍ତି ଉପସ୍ଥିତ ରହିପାରିବେ। ଅନ୍ୟପଟରେ ପୂଜାମଣ୍ଡପରେ ୭ ଜଣ ବ୍ୟକ୍ତି ଯୋଗଦେଇପାରିବେ। ମୂର୍ତ୍ତିଗୁଡ଼ିକର ଉଚ୍ଚତା ୪ଫୁଟ୍‌ ରହିପାରିବ। କିନ୍ତୁ ନିର୍ବାଚନ ପାଇଁ ଇନ୍‌ଡୋର ସଭାରେ ସର୍ବାଧିକ ୨୦୦ ଜଣ କିମ୍ବା  ହଲ୍‌ର ମୋଟ୍‌ କ୍ଷମତାର ୩୦ ପ୍ରତିଶତ ଲୋକ ଯୋଗଦେଇପାରିବେ। ଆଉଟଡୋର୍‌ ପଡ଼ିଆରେ ସଭା ହେଲେ ସର୍ବାଧିକ ୫୦୦ ଜଣ ଯୋଗ ଦେଇପାରିବେ ବୋଲି ନିର୍ବାଚନ କମିଶନର କହିଛନ୍ତି।

୩୦ରେ ପିପିଲି ନର୍ବାଚନ

ସୂଚନାଯୋଗ୍ୟ ଆସନ୍ତା ୩୦ତାରିଖରେ ପିପିଲି ଉପନିର୍ବାଚନ ପାଇଁ ମତଦାନ ହେବ। ଭାରତର ନିର୍ବାଚନ କମିସନଙ୍କ ପକ୍ଷରୁ ଏନେଇ ଶନିବାର ବିଜ୍ଞପ୍ତି ପ୍ରକାଶ ପାଇଛି। ବିଧାୟକ ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପରେ ପିପିଲିରେ ଉପନିର୍ବାଚନ ହେଉଛି। ପୂର୍ବରୁ ଉପନିର୍ବାଚନ ୨ଥର ସ୍ଥଗିତ ରହିଛି। ଅକ୍ଟୋବର ୩ ତାରିଖରେ ଭୋଟ୍‌ ଗଣତି ହେବ। ସମସ୍ତ ନିର୍ବାଚନ ପ୍ରକ୍ରିୟା ଅକ୍ଟୋବର ୫ତାରିଖ ଭିତରେ ଶେଷ କରିବାକୁ କୁହାଯାଇଛି। କିନ୍ତୁ ଏସବୁ ଭିତରେ ଦେଶରେ କରୋନାର ୩ୟ ଲହର ବି ଡରାଉଛି। କାରଣ ବିଶେଷଜ୍ଞମାନେ ବାରମ୍ବାର କହି ଆସୁଛନ୍ତି ଯେ, ୩ୟ ଲହର ସେପ୍ଟେମ୍ବର-ଅକ୍ଟୋବର ମାସରେ ଆସିପାରେ। କରୋନାର ୩ୟ ଲହର ଆସିବା ଅଥବା ନଆସିବା ଅଲଗା କଥା, ଏବେ କିନ୍ତୁ ଦେଶରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୪୦ ହଜାର ଉପରେ ରହୁଛି। କେରଳ ଏବଂ ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। 

 ପାତରଅନ୍ତର କାହିଁକି?

ଗତ ବର୍ଷ କରୋନା କଟକଣା ମଧ୍ୟରେ ପାର୍ବଣ ଋତୁ ସଂପର୍ଣ୍ଣ ହୋଇଥିଲା। ଚଳିତ ବର୍ଷ ମଧ୍ୟ ଏହାର ପୁନାରାବୃତ୍ତି ହେବ ବୋଲି ଆଶା କରାଯାଉଛି। ରାଜ୍ୟ ସରକାରଙ୍କ ଗାଇଡଲାଇନ୍‌ ଅନୁସାରେ ପୂଜା ଓ ପର୍ବ ହେବ ଏଥିରେ ସଂଦେହ ନାହିଁ। କିନ୍ତୁ ରାଜନୈତିକ ରାଲି, ସଭାକୁ ନିୟନ୍ତ୍ରଣ କରାଯାଇପାରିବା ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ନେତାଙ୍କ ହାତରେ କ୍ଷମତା ଥିବାରୁ ସାଧାରଣ ଲୋକଙ୍କ ଅଭିଯୋଗକୁ ବା ପଚାରୁଛି କିଏ। ବୁଦ୍ଧିଜୀବୀମାନଙ୍କ ମନରେ ପାତର-ଅନ୍ତର ନେଇ ଅନେକ ପ୍ରଶ୍ନବାଚୀ ଉଠୁଛି। କାରର ପଡ଼ିଆରେ ଆୟୋଜନ ହେଉଥିବା ସଭାରେ ଏକ ସମୟରେ ଯଦି ୫୦୦ ଲୋକ ଉପସ୍ଥିତ ରହିପାରିବେ। ପୂଜା ସ୍ଥଳରେ ସେହିଭଳି ବ୍ୟବସ୍ଥା କଲେ ଅସୁବିଧା କେଉଁଠି?

Share the article

LEAVE A REPLY