କଳଙ୍କିତ ବିଧାୟକ: ସମାଜସେବା ନାଁରେ କରୁଛନ୍ତି ରାଜନୀତି

0
248

ଭୁବନେଶ୍ୱର: ସମାଜ ସେବାର ଆଳ ଦେଖାଇ ଆଜିକାଲିର ଲୋକେ ରାଜନୀତିରେ ପାଦ ଥାପୁଛନ୍ତି। ଜନତାଙ୍କୁ ମିଛ ପ୍ରତିଶ୍ରୁତି ଦେଇ ଭୋଟ ମାଗିଥାନ୍ତି। କିନ୍ତୁ ନିର୍ବାଚନ ସରିଗଲେ ଜନତାଙ୍କୁ ଦେଇଥିବା ପ୍ରତିଶ୍ରୁତି ଭୁଲି ଯାଇଥାନ୍ତି। ଏହା ତୃଣମୂଳ ସ୍ତରରୁ ସାଂସଦଙ୍କ ପର୍ଯ୍ୟନ୍ତ ପ୍ରଯୁଯ୍ୟ। ମାତ୍ର ଏବେ କିଛି ନେତା ଅଛନ୍ତି, ଯେଉଁମାନେ କି ସମାଜର ବିକାଶ ଦିଗରେ କାମ କରୁଛନ୍ତି। ହେଲେ ଏମାନଙ୍କର ସଂଖ୍ୟା ବହୁତ କମ। ସମାଜସେବକ ମାନେ ଯେତେବେଳେ ରାଜନେତା ପାଲଟି ଯାଆନ୍ତି, ଏମାନଙ୍କ ମଧ୍ୟରୁ ଅନେକ ନିଜର ହିତାହିତ ଜ୍ଞାନ ଭୁଲି ଯାଇଥାନ୍ତି। ସେମାନେ ସମାଜ ସେବା କ’ଣ କରିବେ, ସରକାରୀ ସଂପତ୍ତିକୁ ନିଜର କରିବାରେ ବ୍ୟସ୍ତ ରହିଥାନ୍ତି।

ନେତାମାନେ ଯେତେବେଳେ ବିତ୍ତଶାଳୀ ହେଉଛନ୍ତି, ସେମାନେ ନିଜର କର୍ତ୍ତବ୍ୟକୁ ଭୁଲିଯାଉଛନ୍ତି। କିଛି ନେତାମାନେ ଦାଦାଗିରି କରୁଛନ୍ତି। ଏପରିକି ଅନ୍ୟଙ୍କୁ ନିର୍ଯାତନା ଦେବା ସ ମାଡ଼ମାରିବା ମଧ୍ୟ ପଛାଉ ନାହାନ୍ତି। ଆଉ ଏଭଳି କାମ କରି ଖୋର୍ଦ୍ଧା ଜିଲ୍ଲା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜୁ ଜନତା ଦଳରୁ ଚଳିତ ମାସ ୮ ତାରିଖ ନିଲମ୍ବିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁଣ୍ଡାରାଜ ଅଭିଯୋଗରେ ପ୍ରଶାନ୍ତଙ୍କ ନାଁ ସରକାରଙ୍କ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତାଲିକାରୁ ହଟାଇ ଦେଇଛନ୍ତି।

ବେଗୁନିଆ ବିଧାୟକଙ୍କ ଦାଦାଗିରି

ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଅତୀତରେ ବେଗୁନିଆରେ ମଧ୍ୟ ଦାଦାଗିରି କରିଥିଲେ। ସେହି ସମୟରେ ସେ ବେଗୁନିଆ ତତ୍କାଳୀନ ତହସିଲଦାରଙ୍କୁ ଆକ୍ରମଣ କରିଥିଲେ। ନିଜ କ୍ୱାର୍ଟର ନିକଟରେ ଜଣେ ଉଠାଦୋକାନୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ବେଗୁନିଆରେ ଆୟୋଜିତ ଏକ ରକ୍ତଦାନ ଶିବିରରେ ବ୍ୟାପକ ଭଙ୍ଗାରୁଜା କରିଥିଲେ। କିନ୍ତୁ ସେହି ସମୟରେ ବିଜେଡି ପ୍ରଶାନ୍ତଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେଇ ନଥିଲା, ଯେଉଁଥି ପାଇଁ ବିଧାୟକ ନିଜର ଆଚାର-ବ୍ୟବହାର ପରିବର୍ତ୍ତନ କରିପାରି ନଥିଲେ।

ବିଜେପି କର୍ମୀ-ସାମ୍ବାଦିକଙ୍କୁ ଆକ୍ରମଣ

ଏବେ ଚିଲିକା ବିଧାନସଭା ନିର୍ବାଚନ ମଣ୍ଡଳି ଅଂଚଳରେ ମଧ୍ୟ ସମାନ ପ୍ରକାର କାମ କରିଛନ୍ତି। ଜଣେ ଜନପ୍ରତିନିଧି ହୋଇ ପ୍ରଶାନ୍ତ ବାରମ୍ବାର ହିଂସା ଠାରୁ ନିବୃତ୍ତ ରହିପାରୁ ନାହିଁ। ବାଲଗାଁସ୍ଥିତ ବିଜ୍ଞାପତି ଅଂଚଳ ପରିଷଦ (ଏନ୍‌ଏସି) କାର୍ଯ୍ୟାଳୟରେ ଭାରତୀୟ ଜନତା ପାର୍ଟି (ବିଜେପି)ର ଜଣେ ସ୍ଥାନୀୟ ନେତାଙ୍କୁ ମାଡ଼ ମାରିଛନ୍ତି। ସେହିପରି ଜଣେ ସାମ୍ବାଦିକଙ୍କୁ ମଧ୍ୟ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଛି। ସାମ୍ବାଦିକଙ୍କୁ ଆକ୍ରମଣ କରିବାର କାରଣ ହେଲା ଯେ, ସେ ବିଜେପି ନେତାଙ୍କୁ ମାଡ଼ ମାରୁଥିବାର ଭିଡିଓ ରେକର୍ଡିଂ କରୁଥିଲେ।  

ଇଂଜିନିୟରଙ୍କୁ ଉଠ୍‌ବସ୍‌ କରିଥିଲେ ବିଧାୟକ

ପ୍ରଶାନ୍ତ ଜଗଦ୍ଦେବଙ୍କ ପୂର୍ବରୁ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ର ବିଜେଡି ବିଧାୟକ ସରୋଜ ମେହେର ପୂର୍ତ୍ତ ବିଭାଗର ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ କାନ ଧରି ଉଠ୍‌ବସ୍‌ କରାଇଥିଲେ। ୨୦୧୯ରେ ଏହି ଘଟଣା ରାଜ୍ୟବ୍ୟାପୀ ଚର୍ଚ୍ଚା ହୋଇଥିଲା। ନିମ୍ନମାନର ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରିବାକୁ ଯାଇ ବିଧାୟକ ରାସ୍ତାରେ କଙ୍ଗାରୁ କୋର୍ଟ କରି ପୂର୍ତ୍ତ ବିଭାଗର ଜେଇ ଜୟକାନ୍ତ ଶବରଙ୍କୁ ଦଣ୍ଡିତ କରିବାର ଦୃଶ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ଶାସକ ଦଳର ବିଧାୟକଙ୍କ ଏପରି କାର୍ଯ୍ୟକଳାପକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଅପମାନର ଶିକାର ହୋଇଥିବା ଜେଇ ଶ୍ରୀ ଶବରଙ୍କ ପତ୍ନୀ ପ୍ରବୀଣା ରାଜହଂସ ପାଟଣାଗଡ଼ ଥାନାରେ ଏତଲା ଦେଇଥିଲେ। ତେବେ ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହେବା ପରେ ବିଧାୟକ ଶ୍ରୀ ମେହେର ନିଜ ଆଚରଣ ପାଇଁ ଗଣମାଧ୍ୟମରେ ଦୁଃଖ ପ୍ରକାଶ କରିଥିଲେ।

ଓଡ଼ିଶା ବାହାରେ ବିଧାୟକଙ୍କ ଆଚରଣ

କେବଳ ଓଡ଼ିଶାର ବିଧାୟକ ଦାଦାଗିରି ଦେଖାଉଛନ୍ତି, ତାହା ନୁହେଁ। ବରଂ ଦେଶର ଅନ୍ୟ ରାଜ୍ୟରେ ମଧ୍ୟ କିଛି ବିଧାୟକ ନିଜର ଖରାପ ଆଚରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ଚଳିତ ବର୍ଷ ଜାନୁଆରୀ ୧୬ ତାରିଖରେ ଦେଶରେ ଯେତେବେଳେ କରୋନା ଟିକାକରଣ ଆରମ୍ଭ ହେଲା, ସେହି ସମୟରେ ଦିଲ୍ଲୀରେ ତୃଣମୂଳ କଂଗ୍ରେସର ୨ ଜଣ ବିଧାୟକ ଜୋର ଜବରଦସ୍ତି ଟିକାକରଣ କେନ୍ଦ୍ରକୁ ପ୍ରବେଶ କରି ଟିକା ନେଇଥିଲେ। ବର୍ଷ ୨୦୧୯ରେ ମଧ୍ୟପ୍ରଦେଶର ଇନ୍ଦୋର ନଗରପାଲିକାର ଜଣେ କର୍ମଚାରୀଙ୍କୁ ମାଡ଼ମାରି ବିଜେପି ବିଧାୟକ ଗିରଫ ହୋଇଥିଲେ। 

LEAVE A REPLY

Please enter your comment!
Please enter your name here