କବିତାର ଦୁର୍ଭାଗ୍ୟ-୨

0
229

ଏ ପୃଥିବୀରେ ସମସ୍ତଙ୍କର କିଛିନା କିଛି ଦୁର୍ଭାଗ୍ୟ ଥିବାପରି କବିତାର ବି କିଛି ଦୁର୍ଭାଗ୍ୟ ରହିଥିବାର ଜଣାପଡେ ! କବିତାର ଦୁର୍ଭାଗ୍ୟ ଏଇଆ ଯେ ଜଣେ କବି ନିଜର କବିତାକୁ ଯେତେଥର ପଢେ ଏବଂ ତାକୁ ଭଲପାଏ ଆଉ କୌଣସି ପାଠକଟିଏ ତାକୁ ସେତେ ବେଶି ଗୁରୁତ୍ୱ ଦିଏ ନାହିଁ । ଅବଶ୍ୟ କବିତାର ଦୁର୍ଭାଗ୍ୟ ସହ କବିର ଦୁର୍ଭାଗ୍ୟ ବି ସେଥିରେ ଜଡିତ ହୋଇ ରହିଥାଏ । ତେବେ କବିତାର ସୌଭାଗ୍ୟ ବୋଲି ଯେ କିଛି ନାହିଁ ସେ କଥା ବି ନୁହେଁ । କେବଳ ତଫାତ ଏତିକି ଯେ କବିତା ଯେତେ ହୀନସ୍ତାର ଶିକାର ହୁଏ ସେଇ ପରିମାଣରେ ସେ କାହାର ଅନୁଗ୍ରହ,ଶ୍ରଦ୍ଧା ବା ସମ୍ମାନ ଲାଭ କରିବାରେ ସମର୍ଥ ହୋଇପାରେ ନାହିଁ ।


କୌଣସି କବିତା ପାଠୋତ୍ସବକୁ ଜଣେ କବିକୁ ଅତିଥି ଭାବରେ ଶ୍ରଦ୍ଧାର ସହ ନିମନ୍ତ୍ରଣ କରାଯାଇଥାଏ । କିନ୍ତୁ ଅତିଥି କବିତା ସଭାକୁ ଆସିବା ବେଳକୁ ସେଠାରେ ଜଣେ ହେଲେ କବିଙ୍କର ଦେଖା ନଥାଏ । କିଛି କାଁ-ଭାଁ କବିତା ଲେଖୁ ନଥିବା , କବିତା ପଢୁ ନଥିବା ,ଅଥବା କବିତା ସଂପର୍କରେ କିଛି ହେଲେ ଜାଣି ନଥିବା ଅନିମନ୍ତ୍ରିତ ଶ୍ରୋତାମାନଙ୍କୁ ନେଇ କବିତା ସଭାର ଶୁଭାରମ୍ବ କଳାବେଳକୁ ଚୈତ୍ର ମାସରେ ମହୁଳ ପଡିବା ପରି ଜଣେ ଜଣେ କବିଙ୍କର ଆବିର୍ଭାବ ହୁଏ ।


ଯେଉଁ କବିମାନେ କବିତା ସଭାକୁ କବିତା ପାଠକରିବା ଲାଗି କେତେ ଉତ୍ସୁକତାର ସହ ଆସିଥାନ୍ତି ସେମାନେ କବିତା ସଭାର ପଛ ଭାଗରେ ବସି ସାଙ୍ଗେ ସାଙ୍ଗେ କବିତା ଲେଖନ୍ତି । ଏବଂ ଆଉ ଥୋକେ ତାଙ୍କ କବିତା ଖାତାର ଲମ୍ବା ତାଲିକା ବାହାର କରନ୍ତି ଯେ – ଶ୍ରୋତାମାନେ ତାହା ଶୁଣିଶୁଣି ଅବଶ୍ୟ ବିରକ୍ତ ଅନୁଭବ କରନ୍ତି । କବିତାର ହୀନସ୍ତା ଏତିକିରେ ସମାପ୍ତ ହୁଏ ନାହିଁ । କବିତା କିଏ ଆଗ ପଢିବ ଏବଂ ପଳେଇବ ସେଥିଲାଗି କବି ମାନଙ୍କ ଭିତରେ ଟଣାଓଟରା ହୋଇଥାଏ । ସେମାନଙ୍କର କହିବାର କଥାଥାଏ ଯେ ସେମାନେ ଦୂରରୁ ଆସିଛନ୍ତି ତେଣୁ ଆଗ ତାଙ୍କୁ ସୁଯୋଗ ଦେଲେ ସେମାନେ ନିଜ କବିତା ଶୁଣାଇ ସେଠାରୁ ଫେରାର ହେଇଯିବେ ।


ତେବେ ଜଣେଜଣେକରି ସମସ୍ତ ସଭାର କବି ନିଜନିଜ କବିତା ଶୁଣାଇ ଯଦି ସଭାରୁ ବିଦାୟ ନେଇଯିବେ ସବା ଶେଷରେ ଥିବା ବିଚରା କବିର କବିତା ଶୁଣିବ କିଏ ? ମାଇକ ବାଲା ଆଉ ଦରିବାଲା ! ଏବଂ ଏହା ବ୍ୟଙ୍ଗାତ୍ମକ କଥା ନୁହେଁ ; ଏହା ହେଉଛି କବିତା ସଭା ଗୁଡିକର ନିତୁତା ବାସ୍ତବତା । ଯାହା ମୁଁ ଅଙ୍ଗରେ ଅନେକ ଯାଗାରେ ନିଭେଇଛି ।
କବିତାର ତୃତୀୟ ଦୁର୍ଭାଗ୍ୟ ହେଲା ଯେ ଆଜିକାଲି କେହି କବିତା ବହି କିଣୁ ନାହାଁନ୍ତି ବୋଲି ପ୍ରକାଶକ ମାନେ କବିତା ଛାପିବାଲାଗି ସିଧା ମନା କରିଦେଉଛନ୍ତି । ଏବଂ ଯଦି ବି ସେମାନେ ଛାପିବେ ତାର ସବୁ ପାଉଣା କବିକୁ ଦେବାକୁ ପଡିବ ଏବଂ ନିର୍ବୋଧ କବି ନିଜ ହାତରୁ ହଜାର ହଜାର ଟଙ୍କା ଖର୍ଚ୍ଚ କରି ଛାପିଥିବା ବହିକୁ ମାଗଣାରେ ଅନ୍ୟମାନଙ୍କୁ ବାନ୍ଟିବାଲାଗି ବାଧ୍ୟ ହେବ । ନହେଲେ ସେ କବିତା ଲେଖେ ବୋଲି କେହି ଜାଣି ପାରିବେ ନାହିଁ । କେବଳ ଶୁଖିଲା ବାହାବା ପାଇବା ଛଡା କବିର ଆର୍ଥିକ ଲାଭ ଆଉ କିଛି ନାହିଁ । ଅବଶ୍ୟ କେହି ଯଦି ଭାଗ୍ୟବାନ ହୋଇଥିବ ବା ଖୁସାମଦକରି ପାରିଥିବ ଲକ୍ଷାଧିକ ଟଙ୍କାର ପୁରଷ୍କାର ପାଇଯିବ, ନହେଲେ ନାହିଁ । କିନ୍ତୁ ଏ ସୁଯୋଗ କେତେଲୋକଙ୍କୁ ବା ମିଳେ ?
ଜଣେ ରାତିସାରା ନାଟକ ଦେଖି ପାରିବ ଗୋଟାଏ ଘନ୍ଟା ଗଳ୍ପ ଶୁଣିପାରିବ ବା ଦୁଇଶହ ପୃଷ୍ଠାରଉପନ୍ୟାସ ପଢିବା ଲାଗି ସମୟ ପାଇବ; କିନ୍ତୁ ଗୋଟିଏ କବିତା ଅଧାମିନିଟ୍ ଶୁଣିବା ଲାଗି କାହା ପାଖରେ ଧୈର୍ଯ୍ୟ ଏବଂ ସମୟ ନଥାଏ ।କବିତା ଶେଷ ହେବା ପୂର୍ବରୁ ଶ୍ରୋତା ହାଇମାରିବ ନତୁବା ସେ ଜାଗା ଛାଡି ପଳାୟନ କରିବ । ହାଏରେ ଦୁର୍ଭାଗ୍ୟ, କବିର କବିତା ପାଇଁଏହି ହୀନସ୍ତାଠାରୁ ଆଉ କିଛି ବଡ ବିଡମ୍ବନା ଅଛି କି ଏ ଦୁନିଆଁରେ ?


କେହି ଜଣେ ଥରେ କହିଥିଲେ ଯଦି କୌଣସି ଏକ ଜାଗାରୁ ଲୋକଙ୍କୁ ଘଉଡାଇବାର ଅଛି , ତେବେ ଚାନ୍ଦା ମାଗିବା ଆରମ୍ଭ କର ନହେଲେ ଲୋକଙ୍କୁ କବିତା ଶୁଣାଅ !
କିନ୍ତୁ କେବଳ ଲୋକଙ୍କୁ ଦୋଷାରୋପ କରି କବିତା ଦୁର୍ଭାଗ୍ୟ ଭିତରେ ବଂଚିଛି କହିଲେ ସବୁବେଳେ ଠିକ ହେବ ନାହିଁ । ଏଥିପାଇଁ କବିତାକୁ ନିଜକୁ ସଜେଇ ହେବାକୁ ପଡିବ ,ନିଜକୁ ରୂପସୀ ଏବଂ ଆକର୍ଷଣୀୟ କରିବାକୁ ହେବ । କବିତା ବହି ଛାପିବା ପାଇଁ ଆଜିକାଲି ପ୍ରକାଶକ ମାନେ କାହିଁକି ଚାହୁଁ ନାହାଁନ୍ତି ,ତେବେ କଣ ଲୋକେ କବିତା ବହି କିଣିକି ପଢୁ ନାହାଁନ୍ତି କିବୋଲି ମୁଁ କହିବାରୁ ଜଣେ ଅଧ୍ୟାପକ କହିଲେ –ଗୀତ ବାନ୍ଧୁଥିବା ଲୋକମାନେ କବିତା ଲେଖିଲେ ଦୁର୍ଦ୍ଦଶା ତାହା ହିଁ ହେବ । ଅର୍ଥାତ ତାଙ୍କ କହିବାର ମତ ହେଲା ଆଜିକାଲି ଅକବି ମାନେ ମଧ୍ୟ କବିତା ଲେଖିବାରେ ଓସ୍ତାଦ୍ । ଏହି ଅକବି ମାନଙ୍କୁ ଉପହାସ କରିବାକୁ ଯାଇ କବିସୂର୍ଯ୍ୟ ମଧ୍ୟ କବି ହୋଇଗଲେ ସମସ୍ତ ଲୋକ ,କହି ବ୍ୟଙ୍ଗାତ୍ମକ କବିତା ଲେଖିଥିଲେ । ତଣୁ କବିତା ଲେଖି କବି ହେବା ନୁହେଁ ;କବି ହୋଇକବିତା ଲେଖିବାକୁ ପଡିବ । ନହେଲେ କବିତାର ଦୁର୍ଭାଗ୍ୟର କଦାପି ଇତିଶ୍ରୀ ହେବ ନାହିଁ ।
କବିତା ଯଦି ମଣିଷକୁ ବଂଚିବା ପାଇଁ ରାସ୍ତା ଦେଖାଇ ପାରିବ ନାହିଁ , କବିତା ପାଠ କଳାବେଳେ ପାଠକ ଯଦି କିଛି ନୂଆ କଥା ଭାବିବା ଲାଗି ଖୋରାକ ପାଇବ ନାହିଁ ,ଜଣେ କବିତା ପଢିବ ବା କାହିଁକି ?


ମନୋଜ ଦାସ ଥରେ କହିଥିଲେ ୍େ‌ଯ ଲେଖକ ଲକ୍ଷଲକ୍ଷ ଲୋକଙ୍କର ଲକ୍ଷଲକ୍ଷ ମୁହୂର୍ତ ନଷ୍ଟ କରିଥାଏ । ତେଣୁ ସେଇ କଥାକୁ ଭାବନା ସାମ୍ନାରେ ରଖି ସାହିତ୍ୟ ଲେଖିବା ଉଚିତ । ଜଣେ ଶିକ୍ଷକର ଦୋଷକୁ ଯେମିତି କ୍ଷମା କରାଯାଇ ପାରେ ନାହିଁ, ଜଣେ କବିର ସେମିତି କିଛି ହେଲେ ଦୋଷ ରହିବା ଅସମୀଚୀନ । ଜଣେ କବି କବି ଭଳି ବଂଚିବା ଦରକାର । ଜଣେ କବିର ଜୀବନ ଶୈଳୀ ସହ ଆଉ କାହାକୁ ତୁଳନା କରାଯାଇ ନପାରେ । ବଂଚିବାର ଭାବନାରେ ଜଣେ ଯେତେ ପରିପକ୍ୱ, କବିତା ତାର ସେତେ ଉପଯୋଗୀ ଏବଂ ଯଥାର୍ଥ ପୂର୍ଣ । ତେବେ ଏହି ଜାଗାରେ ଭାଷା ଏବଂ ଶୈଳୀ ଆଡକୁ ଯିବାର କଥା କୁହାଯାଉ ନାହିଁ । କୁହାଯାଉଛି କବିତାର ଅଭିନବ କଥା କହିବାର ଦକ୍ଷତା ସଂପର୍କରେ ।
କବିର ଭିତରେ ଯଦି କବିର ଭାବନା ନଥାଏ । କବି ୍‌ଯଦି କବି ଭଳି ବଂଚିବା ଶିଖି ନଥାଏ ତେବେ ସେଠି କବିତାର ଦୁର୍ଭାଗ୍ୟର ଅୟମାରମ୍ଭ ହୁଏ ।କିନ୍ତୁ କବି ଭଳି ବଂଚିବା ଅଧିକାଂଶ କବିଙ୍କ ପକ୍ଷରେ ସଂଭବ ନଥାଏ । ତେଣୁ କିଛି ବୁଦ୍ଧିଜିବୀ ମତ ଦିଅନ୍ତି ଯେ ମିଥ୍ୟାବାଦୀ କପଟଚାରୀ ମାନେ ମଧ୍ୟ ଭଲ କବିତା ଲେଖି ପାରନ୍ତି ।
ତେଣୁ ସେଠିଥାଏ କବିତା ପ୍ରକାରେ ଏବଂ କବିର ଜୀବନ ଶୈଳୀ ଥାଏ ଆଉ ଏକ ପ୍ରକାରେ । କବି ନିଜ ପାଇଁ କବିତା ଲେଖୁ ନଥାଏ ! ଯାହା ପାଇଁ ଏବଂ ଯେଉଁଥିପାଇଁ କବିତା ଲେଖୁଥାଏ ତାହା ବି କିଛି କାମରେ ଆସୁ ନଥାଏ ।


କିନ୍ତୁ କବି ଗଙ୍ଗାଧର ମେହେର ,ସନ୍ଥକବି ଭୀମ ଭୋଇ ଅଥବା ଗୋପବନ୍ଧୁ ଦାସଙ୍କ କବିତାରେ ଯେଉଁ ଭାବନା ରହିଥିଲା ତାଙ୍କ ବଂଚିବାର ଶୈଳୀ ମଧ୍ୟ ଠିକ ସେଭଳିରହିଥିଲା । କବି ଜୀବନର ମିଥାଚାର ଭିତରେ ବଂଚିବାକୁ ସେମାନେ ପସନ୍ଦ କରୁ ନଥିଲେ । ତେଣୁ ସେଠି କବିତାର ଦୁର୍ଭାଗ୍ୟ ବୋଲି କିଛି ନଥିଲା । ଏବଂ ସେଇଥି ପାଇଁ ସେଇ ସବୁ କବିଙ୍କ ଅଧିକାଂଶ କବିତା କାଳକୁ ଜିତି ଯିବାରେ ସମର୍ଥ ହେଲା


ଲୋକଙ୍କର ଏକ ଧାରଣା ଥାଏ ଯେ-କବିମାନେ ଏକ ଭିନ୍ନ ପ୍ରକାର ମଣିଷଥାନ୍ତି । ସେମାନେ ପ୍ରକାଶ୍ୟରେ ପ୍ରତିବାଦ କରନ୍ତି ନାହିଁ । କିନ୍ତୁ ସେମାନଙ୍କ କଥାର ସ୍ୱତନ୍ତ୍ରତା ଥାଏ । ଯିଏ ରୁକ୍ଷଥାଏ ସେ କବି ହୋଇପାରିବ ନାହିଁ । ସେମାନେ ଟଂକାର ହିସାବ କରନ୍ତି ନାହିଁ । କିନ୍ତୁ ହୃଦୟର ବେପାର କରନ୍ତି । ଲାଭ କ୍ଷତି କିଛି ଖୋଜନ୍ତି ନାହିଁ । ବରଂ ଯେତିକି ଯେତିକି କ୍ଷତିଗ୍ରସ୍ତ ହେଉଥାନ୍ତି ସେତିକି ଦମଦାର କବିତା ଲେଖି ପାରନ୍ତି ।


ଯିଏ ପ୍ରତାରଣା ପାଇ ନାହିଁ ,ଯିଏ ଠକାମୀର ଶୀକାର ହୋଇ ନାହିଁ ,ଯିଏ ଜୀବନକୁ ଆଂଜୁଳାରେ ଧରି ବଂଚିବା ଶିଖିନି ସେ ପ୍ରକାର ବ୍ୟକ୍ତି କବିତା ଲେଖି ପାରିବ ନାହିଁ ।କବିତା ଲେଖିଲେ ମଧ୍ୟ ସେ କବିତା କାହାର ହୃଦୟକୁ ସ୍ପର୍ଶ କରି ପାରିବ ନାହିଁ । ଏବଂ ସେଠାରେ କବିତା ଆପେ ଆପେ ଦୁର୍ଭାଗ୍ୟ ଆଡକୁ ଚାଲିଯାଏ । ସେ କବିତା ସାହିତ୍ୟର କଳେବରକୁ ଅଯଥା ବୃଦ୍ଧି କରେ ସିନା ତା ଭିତରେ ସାହିତ୍ୟ ବୋଲି କିଛି ନଥାଏ । ସାହିତ୍ୟ ଏକ ପୃଥକ ଚିନ୍ତାଧାରା ,ଯାହା ବୁଝିହୁଏ ନାହିଁ ବୁଝେଇ ହୁଏ ନାହିଁ !
ଆଧୁନିକ ଜୀବନର ବ୍ୟସ୍ତତା ଭିତରେ ମଣିଷ ସାହିତ୍ୟଠାରୁ ଦୂରେଇ ଯାଉଛି କଥାଟି ଶତକଡା ଶହେଭାଗ ସତ ହୋଇ ନପାରେ । ଏମିତି ବି ହୋଇପାରେ ସାହିତ୍ୟ –କବିତା ମନିଷକୁ ନିଜ ଆଡକୁ ଟାଣି ଆଣିବା ଲାଗି ଅସମର୍ଥ । ମଣିଷ ନୁହେଁ ; ଏ ପୃଥିବୀର ସବୁ ଜୀବ ଏତେ ସ୍ୱାର୍ଥପର ଯେ ସେମାନେ ବିନା ଲାଭରେ କିଛି କରିବାକୁ ପସନ୍ଦ କରନ୍ତି ନାହିଁ ।
ଏ ପୃଥିବୀରେ ଏମିତି କୌଣସି କବି ବା ଲେଖକ ନାହିଁ ଯିଏକି ତାଙ୍କ ଲେଖାରେ ସମସ୍ତଙ୍କୁ ଖୁସି କରି ପାରବେ !କାରଣ ସମସ୍ତଙ୍କର ରୁଚି ଏବଂ ଗ୍ରହଣ କରିବାର ତରିକା ଅଲଗା ଅଲଗା । ଏକଥାବି ସତ ଯେ ଏ ପୃଥିବୀର କୌଣସି ବି କଥା ଶେଷକଥା ନୁହେଁ ! ଯେ କୌଣସି ମତ ଉପରେ ଆଉ ଗୋଟେ ମତ ଦିଆ୍‌ଯାଇ ପାରେ । ସୁତରାଂ ଗୋଟିଏ ଲେଖାରେ ସମସ୍ତଙ୍କର ହୃଦୟକୁ ଜୟ କରାଯାଇ ପାରେ ନାହିଁ । ତେବେ ଜଣକୁ ଭଲ ଲାଗୁଥିବା ବେଳେ ଆଉ ଜଣକୁ ଭଲ ନଲାଗିବାଟା କବିତାର ଦୁର୍ଭାଗ୍ୟ ହୋଇ ନପାରେ ।
ସବୁଠାରୁ ଶେଷକଥା ହେଲା ଯେ -କବିତାକୁ ଆଉ କବିତା ପରି ଲେଖାଯାଉ ନାହିଁ । ତାର କାରଣ କବି ହେବାର ସାମାନ୍ୟ ହେଲେ ଯୋଗ୍ୟତା ଯେଉଁ ମାନଙ୍କର ନାହିଁ ସେମାନେ କବିତା ଲେଖି କବି ସାଜୁଛନ୍ତି । ଯାହା ଲେଖିଦେଲେ କବିତା ହେଇଯାଏ ନାହିଁ । କବିତାର ଶୈଳୀ ,କବିତାର ନୂଆପଣ ସବୁ କିଛି କବିତା ବଂଚିବା ଉପରେ ନିର୍ଭର କରେ । ନହେଲେ ସେ କବିତା ମାଡ ଖାଇଯାଏ , ଦୁର୍ଭାଗ୍ୟର ଆରମ୍ଭ ହେଇଯାଏ


ଓଡିଶାର ସକ୍ରେଟିସ କୁହାଯାଉଥିବା ଲେଖକ ଚିତରଂଜନ ଦାଶଙ୍କ କହିବାନୁସାରେ ଏ ଦୁନିଆଁର ସବୁଲୋକ ଖରାପ ବୋଲି ଯେଉଁମାନେ ଏତେବଡ ପାଟିକରି କହନ୍ତି ସେମାନଙ୍କଠାରୁ ଖରାପ ଆଉ ବଦମାସ ଲୋକ ଆଉ କେହି ନୁହଁନ୍ତି । ଏ କଥାକୁ ଗଭୀର ଭାବରେ ଅନୁଧ୍ୟାନ କଲେ ଜଣାପଡେ ଯେ – ଏହାର ସତ୍ୟତା ଶତକଡା ଶହେଭାଗ ଠିକ୍ । ଏବଂ ଏକଥାଟିକୁ ଆମ ସଂସାରରେ ଯେତେ ବି ବିଭାଗ ରହିଛି ସବୁଠି ନିର୍ଦ୍ୱନ୍ଦରେ ପ୍ରୟୋଗ କରାଯାଇ ପାରେ ।
ରାଜନୀତିରେ ,ଧର୍ମରେ ଭାଷାରେ ,ସଭ୍ୟତାରେ ଏବଂ ସଂସ୍କୃତିରେ ,ଦର୍ଶନରେ,ଅର୍ଥନୀତିରେ ଏପରିକି ବଂଚିରହିବାର ନିତି ଦିନିଆ ଶୈଳୀରେ । ନିଜକୁ ସବୁବେଳେ ଠିକ କହି ଅନ୍ୟକୁ ନିନ୍ଦା କରିବାର ଅସୁସ୍ଥ ପରଂପରା ଆମ ଦେଶରେ କାହିଁ ଆବହ ମାନ କାଳରୁ ରହି ଆସିଛି । ଆମର ମାନସିକ ସ୍ତିତାବସ୍ଥା ଏମିତି ନିର୍ମିତ ହୋଇଛି ଯେ ଆମେ ସବୁ ସମୟରେ ଅନ୍ୟର ତ୍ରୁଟିକୁ କେବଳ ଦେଖିଚାଲୁ । ଆମେ ଠିକ ଭାବରେ ଚାଲି ଜାଣୁ ; କିନ୍ତୁ ଅନ୍ୟମାନେ ଠିକ ଭାବରେ ଚାଲି ଜାଣନ୍ତି ନାହିଁ । ଏ ପ୍ରକାର ଭାବନା ଆମ ଦେଶର ଶିକ୍ଷିତ ,ଅଶିକ୍ଷିତ ନେତା,ମନ୍ତ୍ରୀ,ଶିକ୍ଷକ,କୃଷକ,ପାନଦୋକାନି ,ସମସ୍ତଙ୍କ ପାଖରେ ଅଛି ।


ମଣିଷର ସବୁଠାରୁ ବଡଦୋଷ ହେଲା ୍େ‌ଯ ସେ ନିଜକୁ ସବୁବେଳେ ଠିକ ଏବଂ ଅନ୍ୟକୁ ଭୁଲ ବୋଲି କହେ ଏବଂ ଦାବୀ କରେ ! ସେଥିପାଇଁ ଏତେ ଅଶନ୍ତି ,ଏତେ ଦ୍ୱନ୍ଦ ,ଗଣ୍ଡଗୋଳ । ବ୍ୟକ୍ତି ଓ ରାଷ୍ଟ୍ରର ବିକାଶରେ ଏହି ଚିନ୍ତାଧାରା ଅନ୍ତରାୟ ମଧ୍ୟ ।
୍େ‌ଯଉଁମାନେ ଅନ୍ୟକୁ ଦେଖନ୍ତି ,ଅନ୍ୟର ଦୋଷକୁ ଖୋଜନ୍ତି ସେମାନଙ୍କୁ ପବ୍ଳିକ କୁହାଯାଏ । ସେମାନେ କେବେ ବ୍ୟକ୍ତି ହୋଇ ପାରନ୍ତି ନାହିଁ !ଏମାନଙ୍କୁ ପୁରାଣ ଭାଷାରେ ବୁର୍ଜ୍ଜୁୟା ଆଖ୍ୟା ଦିଆଯାଇଛି ।


ଗ୍ରୀସର ଏକ ଗଳ୍ପ ଅନୁସାରେ ସବୁ ଲୋକ ଦୁଇଟି ଭାର ବୋହି ଚାଲୁଛନ୍ତି ।ତେବେ ପଛ ଭାରରେ ମଣିଷ ନିଜର ଦୋଷକୁ ରଖିଛି ଏବଂ ସାମ୍ନାର ଭାରରେ ଅନ୍ୟର ଦୋଷକୁ । ତେଣୁ ମଣିଷ ନିଜର ଦୋଷକୁ ଅବଲୋକନ କରିପାରେ ନାହିଁ । ଯେଉଁ ମାନଙ୍କର ଜନ୍ମରୁ ଆଖି ନାହିଁ ସେମାନଙ୍କୁ ଅନ୍ଧ କୁହାଯିବ ନାହିଁ । ଯିଏ ନିଜର ଦୋଷ ଦେଖି ପାରେ ନାହିଁ ତାକୁ ଅନ୍ଧ କହିଲେ ଠିକ ହେବ ।ତାପରେ କବିତା ଦୁର୍ଭାଗ୍ୟ ଆଡକୁ ଯିବା ବନ୍ଦ କରିଦେବ ।

(ଏହା ଲେଖକଙ୍କ ନିଜସ୍ୱ ମତ ଅଟେ )

ଅଧ୍ୟାପକ ବିପିନ ମହାନନ୍ଦ

ବିକାଶ କଲେଜ, ଶାସନ, ସଂବଲପୁର

Email: [email protected]

ମୋବାଇଲ ନଂ ୮୬୫୮୭ ୩୪୬୭୦

Share the article

LEAVE A REPLY