ତେଲ ଦର କେତେ ବଢ଼ିଲେ ଚେତିବେ ସରକାର?

0
192
Spread the love

ଭୁବନେଶ୍ବର: ତେଲଦରରେ ନିଆଁ ଲାଗିଛି। ପେଟ୍ରୋଲ, ଡିଜେଲ, ଏଲପିଜି ଗ୍ୟାସ ଓ ଅନ୍ୟ ଖାଇବା ତେଲ ଦର ବୃଦ୍ଧି ଯୋଗୁଁ ଲୋକଙ୍କର ଚିନ୍ତା ବଢ଼ିବାରେ ଲାଗିଛି। ପେଟ୍ରୋଲ ପମ୍ପ ଗୁଡ଼ିକରେ ଆଗ ଭଳି ଆଉ ବାଇକ୍‌ ଗୁଡ଼ିକର ଭିଡ ରହୁନାହିଁ।  ସାରଧାରଣ ଲୋକ ମୋଟରସାଇକେଲ ବାହାର କରିବା ପୂର୍ବରୁ ଗନ୍ତବ୍ୟ ସ୍ଥଳର ଦୂରତା କଥା ଚିନ୍ତା କରିବାକୁ ପଡୁଛି। ଏହାର କାରଣ ହେଲା ବର୍ଦ୍ଧିତ ପେଟ୍ରୋଲ ଦର। ଗରିବ ଲୋକ ଯେତେବେଳେ ଜରୁରୀକାଳୀନ ସ୍ବାସ୍ଥ୍ୟ ସେବା ପାଇଁ ଘରୋଇ ଗାଡ଼ି ଭଡ଼ାରେ ନେବାକୁ ଚାହୁଁଛି, ପୂର୍ବତୁଳନାରେ ପାଖାପାଖି ୨୦ ପ୍ରତିଶତ ଭଡ଼ା ଅଧିକ ଦେବାକୁ ପଡୁଛି। ଦରବୃଦ୍ଧି ଯୋଗୁଁ ଗୃହିଣୀମାନଙ୍କୁ ମଧ୍ୟ ରୋଷେଇ ସମୟରେ ସତର୍କ ରହିବାକୁ ପଡୁଛି। ଗ୍ୟାସ ସହିତ ଅନ୍ୟ ଜିନିଷର ଖର୍ଚ୍ଚ ଯେପରି ସୁବିନିଯୋଗ ହୁଏ, ସେଥିପ୍ରତି ସତର୍କ ରହିବାକୁ ପଡୁଛି।

ଭୁବନେଶ୍ବରରେ ନଭେମ୍ବର ୧ ତାରିଖରେ ପେଟ୍ରୋଲ ଲିଟର ପିଛା ୧୧୦.୬୯ଟଙ୍କା, ଡିଜେଲ ୧୦୭.୩୯ ଟଙ୍କା, ଏଲପିଜି ସିଲିଣ୍ଡର ୯୨୬ ଟଙ୍କା ଓ ଅଟୋ ଗ୍ୟାସ କିଲୋ ୩୫.୨୮ଟଙ୍କାରେ ପହଂଚିଛି। ମାଲକାନଗିରିରେ ପେଟ୍ରୋଲ ଲିଟର ପିଛା ୧୧୬.୬୧ଟଙ୍କା, ଡିଜେଲ ୧୧୩.୧୨ଟଙ୍କା ଓ ଏଲ୍‌ପିଜି ଗ୍ୟାସ୍‌ ୧୨୮.୫୦ ପଇସା। ମାଲକାନଗିରି ସହର ଠାରୁ ଦୂରରେ ଥିବା ଖୁଚୁରା ଦୋକାନ ଗୁଡ଼ିକରେ ପେଟ୍ରୋଲ ଲିଟର ପିଛା ଏବେ ୧୪୦ରୁ ୧୫୦ ଟଙ୍କାରେ ବିକ୍ରି ହେଉଛି। ପେଟ୍ରୋଲ ଦର ବୃଦ୍ଧି ଯୋଗୁଁ ସାଧାରଣ ଜନତାଙ୍କୁ ଆହୁରି ବାଧୁଛି। ତେଲ ଦର ବୃଦ୍ଧି ଯୋଗୁଁ ଅନ୍ୟାନ୍ୟ ଜିନିଷ ଉପରେ ମଧ୍ୟ ଅଧିକ ଖର୍ଚ୍ଚ ହେଉଛି।

ଆନ୍ଦୋଳନରେ ନେତା ବ୍ୟସ୍ତ

ତେଲ ଦର ହ୍ରାସ ପାଇଲେ ହେଲେ ସାଧାରଣ ଜନତା ଉପକୃତ ହେବେ। ଲୋକଙ୍କୁ ଅତିରିକ୍ତ ଖର୍ଚ୍ଚରୁ ମୁକ୍ତି ମିଳିବ। ଦୈନିକ ତେଲର ଦର ହୁ ହୁ ହୋଇ ବଢୁଥିବା ବେଳେ ଜନସାଧାରଣ ହେଉ ଅଥବା ସରକାର ଏଥି ପ୍ରତି ଆଦୌ ଚିନ୍ତା କରୁ ନାହାନ୍ତି। ଭାରତୀୟ ଜନତା ପାର୍ଟି (ବିଜେପି) କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗସ୍ଥିତ ସନ୍‌ସାଇନ୍‌ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡକୁ ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ ଜାରି ରିଖିଛି। ବିଜେପି କର୍ମୀଙ୍କୁ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିରେ ସାଧାରଣ ପରିବାର କେମିତି ଅତିରକ୍ତ ଖର୍ଚ୍ଚ ବହନ କରିବାକୁ ପଡୁଛି, ତାହା ଦୃଷ୍ଟିଗୋଚର ହେଉନାହିଁ।

ବିଜେଡିର ଅଭିନବ ପ୍ରତିବାଦ

ମମିତାଙ୍କ ପରିବାରକୁ ନ୍ୟାୟ ଦାବିରେ ବିଜେପି ନେତାମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ସେପଟେ ଦରଦାମ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛି ବିଜେଡି। ବି‌ଜେଡି କର୍ମୀମାନେ ଘୋଡା ଗାଡି ଓ ସାଇକେଲରେ ଶୋଭାଯାତ୍ରା କରି ରାଜଭବନ ଆଗରେ ପହଞ୍ଚି ଚୁଲି ଜାଳି ରୋଷେଇ କରି ପ୍ରତିବାଦ କରିଛନ୍ତି। ବିଜୁ ଯୁବ ଓ ମହିଳା ବିଜେଡି କର୍ମୀ  ଦଳୀୟ କାର୍ଯ୍ୟାଳୟରୁ ରାଜଭବନ ପର୍ଯ୍ୟନ୍ତ ସାଇକେଲ ଶୋଭାଯାତ୍ରା କରି ଯାଇଥିଲେ। ସେଠାରେ ରାଜ୍ୟପାଳଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ଦେଇଥିଲେ। ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦେବା ସ୍ବାଗତଯୋଗ୍ୟ ପଦକ୍ଷେପ। ମାତ୍ର ଦଳୀୟ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ କଥାବାର୍ତ୍ତା କରି ତେଲ ଉପରେ ରାଜ୍ୟ ସରକାର ଲାଗୁ କରିଥିବା ଟ୍ୟାକ୍ସକୁ କୋହଲ କଲେ ଜନସାଧାରଣ ଉପକୃତ ହୋଇପାରନ୍ତେ।

କ’ଣ କୁହନ୍ତି ବିଜେପି ନେତା

ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ରଙ୍କ ଅନୁସାରେ ପେଟ୍ରୋଲ ଦର ବୃଦ୍ଧି ପାଇଁ ରାଜ୍ୟ ସରକାର ଦାୟୀ। ପେଟ୍ରୋଲିୟ ପଦାର୍ଥ ଉପରେ ରାଜ୍ୟ ସରକାର ଭାଟ୍‌କୁ କୋହଳ କରିବାର କ୍ଷମତା ରହିଛି। ପେଟ୍ରୋଲ-ଡିଜେଲରେ ପ୍ରତି ଲିଟର ପିଛା ହାରାହାରି ୩୯ ଟଙ୍କା ଟିକସ ପାଉଥିବା ରାଜ୍ୟ ସରକାର କାହିଁକି ତାଙ୍କ ଭାଗକୁ ହ୍ରାସ କରୁନାହାନ୍ତି? ରାଜ୍ୟସରକାର ଏହା କଲେ ଲୋକେ ଉପକୃତ ହୁଅନ୍ତେ ।  

ଘରୋଇ ସିଲିଣ୍ଡର ୨୬୪ ଟଙ୍କା ବୃଦ୍ଧି

ଦୀପାବଳି ପୂର୍ବରୁ ପେ‌ଟ୍ରୋଲିୟମ୍‌ କଂପାନୀ ମାନେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର  ୨୦୨୧ ନଭେମ୍ବର ୧ ତାରିଖରେ ୨୬୪ଟଙ୍କା ବୃଦ୍ଧି କରିଛନ୍ତି। ଏଥି ସହିତ ଏବେ ଦିଲ୍ଲୀରେ ୧୯.୨ କିଲୋ ଓଜନର ଏଲ୍‌ପିଜି କମର୍ସିଆଲ ସିଲିଣ୍ଡର ୨ ହଜାର ଟଙ୍କା ୫୦ ପଇସା ହୋଇଯାଇଛି। ପୂର୍ବରୁ ଏହାର ୧୭୩୬ ଟଙ୍କା ହୋଇଥିଲା।  

LEAVE A REPLY