ଜଳିବ ଦୀପାଲୋକ, ସବୁଜ ବାଣକୁ ଅନୁମତି

0
221
Spread the love

ଭୁବନେଶ୍ୱର: କୋଭିଡ-୧୯ ଭାଇରସ୍‌ ଓ ପ୍ରଦୂଷଣ ପର୍ବ ପାଳନରେ ବାଧକ ସାଜିଛି। କରୋନା ଭାଇରସ୍‌ ମହାମାରୀ ଯୋଗୁଁ ପ୍ରତ୍ୟେକ ପର୍ବ କଟକଣା ଭିତରେ ପାଳନ କରାଯାଉଛି। ଉତ୍ସବରେ ବହୁ ସଂଖ୍ୟାରେ ଲୋକଙ୍କର ସକ୍ରିୟତା ରହୁନାହିଁ। କେବଳ ପରଂପରାକୁ ଜୀବିତ ରଖିବା ପାଇଁ ବିଗତ ଦେଢ଼ ବର୍ଷ ହେଲା ପର୍ବ-ପର୍ବାଣୀ ପାଳିତ ହେଉଛି। କିନ୍ତୁ ପର୍ବ-ପର୍ବାଣୀରେ ଲୋକଙ୍କ ଭିଡ଼ ନହେଲେ ତା’ର କୌଣସି ମୂଲ୍ୟ ନଥାଏ। ବର୍ଷର ଅନ୍ୟପର୍ବ ଗୁଡ଼ିକରେ ଯେଭଳି ଲୋକଙ୍କର ଭାଗିଦାରୀ କମ୍‌ ରହିଥିଲା ଦୀପାବଳି ମଧ୍ୟ କଟକଣା ସହିତ ପାଳନ ହେଉଛି।

ଦୀପାବଳିର ମୁଖ୍ୟ ଆକର୍ଷଣ ହେଉଛି ମାଟି ଦୀପ ଜାଳିବା। କିନ୍ତୁ ଆଧୁନିକର ତାଳ ଦେଇ ଘରକୁ ରଂଗୀନ ଏଲଇଡି ଆଲୋକମାଳାରେ ସଜ୍ଜିକରଣ କରାଯାଉଛି। ତ୍ରେତୟା ଯୁଗରୁ ପାଳିତ ହୋଇ ଆସୁଥିବା ଦୀପାବଳି ପର୍ବରେ ଏଥର ମଧ୍ୟ ସାରା ଭାରତ ଆଲୋକିତ ହେଉଛି। ଭଗବାନ ଶ୍ରୀରାମଙ୍କ ଅଯୋଧ୍ୟା ଆଗମନକୁ ସ୍ମରଣ କରି ପାଳନ କରାଯାଉଥିବା ପର୍ବରେ ଅତ୍ୟାଧୁନିକତା ଛାପ ପଡ଼ିଛି। ଘରଗୁଡ଼ିକ ଏଲଇଡି ଆଲୋକରେ ସଜାଯାଇଥିବା ବେଳେ ଚଳିତ ଥର ବାଣର ଶବ୍ଦ କମ୍‌ କରିଦିଆଯାଇଛି। ଏହାର କାରଣ ହେଲା ଯେ, ସୁପ୍ରିମ କୋର୍ଟ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦୀପାବଳିରେ ରାତି ୮ଟାରୁ ୧୦ଟା ମଧ୍ୟରେ କେବଳ ସବୁଜ ବାଣ ଫୁଟିବ ବୋଲି ଆଦେଶ ଦେଇଛନ୍ତି। ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତି ଦଣ୍ଡିତ ହେବେ। କିଛି ସ୍ଥାନରେ ବାଣ ଫୁଟିବା ଉପରେ ସଂପୂର୍ଣ୍ଣ ବାରଣ କରାଯାଇଛି। ଗୁରୁଗ୍ରାମ, ଫରିଦାବାଦ ଓ ହରିୟାଣାରେ ବାଣ ବିକ୍ରି ଉପରେ କଟକଣା ଲାଗୁ ହୋଇଛି।

କ’ଣ କହିଥିଲେ କୋର୍ଟ

ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶକୁ ସମ୍ମାନ ଦେଇ ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ୨ ଘଣ୍ଟା ପାଇଁ ସବୁଜ ବାଣ ଫୁଟିବ। ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ. ମୁରଲୀଧର ଓ ଜଷ୍ଟିସ୍‌ ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ବିଚାର କରି ସର୍ତ୍ତ ପାଳନ ସହିତ ଏଭଳି ନିର୍ଦେଶ ଦେଇଛନ୍ତି। ସେହପିର ସ୍ୱତନ୍ତ୍ର ରିଲିଫ କମିସନରଙ୍କ ନିର୍ଦ୍ଦେଶନାମା ଅନୁସାରେ ଯେଉଁ ଡିଲର୍ସ ମାନେ ସେମାନଙ୍କ ଷ୍ଟକ୍‌ ଯାଞ୍ଚ୍‌ ପରେ ପେଟ୍ରୋଲିୟମ୍‌ ଆଣ୍ଡ୍‌ ଏକ୍ସପ୍ଲୋସିଭସ୍‌ ସେଫ୍‌ଟି ଅର୍ଗାନାଇଜେସନ୍‌ (ପେସୋ) ନିକଟରୁ ସାର୍ଟିଫିକେଟ ହାସଲ କରିବେ, ସେମାନଙ୍କୁ କେବଳ ବାଣ ବିକ୍ରି ପାଇଁ ଅନୁମତି ମିଳିଛି। ସିଏସଆଇଆର-ନ୍ୟାସନାଲ୍‌ ଏନଭାରୋନମେଣ୍ଟାଲ୍‌ ଇଂଜିନୟରିଂ ରିସର୍ଚ୍ଚ ଦ୍ଵାରା ପ୍ରସ୍ତାବିତ ଫର୍ମୁଲାରେ ପ୍ରସ୍ତୁତ ବାଣ ପ୍ରଦୂଷଣ ନିୟନ୍ତ୍ରଣରେ ସହାୟକ ହୋଇଥାଏ।  

ସବୁଜ ବାଣ

ସବୁଜ ବାଣଗୁଡ଼ିକ ଅନ୍ୟ ବାଣ ଅପେକ୍ଷା କମ୍‌ କ୍ଷତିକାରକ ଓ ଏଥିରେ ବହୁତ୍‌ କମ୍‌ ମାତ୍ରାରେ ରାସାୟନିକ ପଦାର୍ଥ ମିଶିଥାଏ। ସିଏସ୍‌ଆଇଆର୍‌ର ନ୍ୟାସନାଲ୍‌ ଏନ୍‌ଭାଇରୋନ୍‌ମେଣ୍ଟାଲ୍‌ ଇଞ୍ଜିନିୟରିଂ ରିସର୍ଚ୍‌ ଏହାକୁ ତିଆରି କରୁଛି। ପେଟ୍ରୋଲିୟମ୍‌ ଓ ଏକ୍ସ୍‌ପ୍ଲୋସିଭ୍‌ ସେଫ୍‌ଟି ଅର୍ଗାନାଇଜେସନ୍ରୁ ମଞ୍ଜୁରି ମିଳିବା ପରେ ଏହାର ଉତ୍ପାଦନ ଆରମ୍ଭ ହୋଇଯିବ। ଏହି ପ୍ରକାରର ବାଣ ରାସାୟନିକ ପଦାର୍ଥ କ୍ଷରଣ ସ୍ତରକୁ କମ୍‌ କରିବା ସହ ଧୂଳିକଣାକୁ ଶୋଷି ନେଇଥାଏ। ସେହିପରି ଲାଇଟ୍‌ ଓ ସାଉଣ୍ଡ୍‌ ଶୋ’ ହୋଇଥାଏ, ଯାହା କମ୍‌ ପ୍ରଦୂଷଣ କରିଥାଏ। ପାର୍ଟିକୁଲେଟ୍‌ ମେଟର୍‌, ନାଇଟ୍ରସ୍‌ ଅକ୍ସାଇଡ୍‌ ଓ ସଲ୍‌ଫର୍‌ ଅକ୍ସାଇଡ୍‌ ଭଳି ପ୍ରଦୂଷକ ୩୦-୩୫ ପ୍ରତିଶତ ହ୍ରାସ କରିବାର ଦକ୍ଷତା ଥାଏ।  ବାଣ ଫୁଟିବା ସମୟରେ ଧୂଆଁ ସହ ଜଳୀୟବାଷ୍ପ ବାହାରିଥାଏ। ଏହା ଧୂଳିକଣାକୁ ଉପରକୁ ଉଠିବାକୁ ଦିଏ ନାହିଁ। ଜଳୀୟବାଷ୍ପ ଧୂଳିକଣାକୁ ଗ୍ରହଣ କରି ତଳକୁ ନେଇ ଆସେ। ସବୁଜ ବାଣ ମାତ୍ର ୧୧୦ରୁ ୧୨୫ ଡେସିବିଲ ଶବ୍ଦ କରିଥାଏ। ସାଧାରଣ ବାଣ ଫୁଟିବା ସମୟରେ ପ୍ରାୟ ୧୬୦ ଡେସିବିଲ୍‌ ଶବ୍ଦ ହୋଇଥାଏ।  

ଓଡ଼ିଶାରେ ହେଉନି ସବୁଜ ବାଣ

ସବୁଜ ବାଣ ଏପର୍ଯ୍ୟନ୍ତ ଓଡ଼ିଶାରେ ତିଆରି ହୋଇପାରି ନାହିଁ। କାରଣ ଏହାର ତିଆରି ଶୈଳୀ ଓ ଲାଇସେନ୍ସ ପ୍ରକ୍ରିୟା ଭିନ୍ନ। ଏହି ବାଣ ତିଆରି କରିବା ପାଇଁ ରାଜ୍ୟର କୌଣସି ବାଣ ବ୍ୟବସାୟୀଙ୍କ ପାଖରେ ଅନୁମତି ନାହିଁ। ଏଥି ପାଇଁ ସ୍ୱତନ୍ତ୍ର ଅନୁମତି ନେବାକୁ ପଡ଼େ।, ଯହାକି ନାଗପୁରସ୍ଥିତ କେନ୍ଦ୍ରୀୟ ବିସ୍ଫୋରକ ନିୟନ୍ତ୍ରକ ମୁଖ୍ୟଙ୍କଠାରୁ ଅନୁମତି ନେବାକୁ ପଡ଼େ। ଏହି ସଂସ୍ଥା ପ୍ରଥମେ ବାଣଗୁଡ଼ିକର ପରୀକ୍ଷା କରଥାନ୍ତି। ଏହାପରେ ଏହି ଗବେଷଣା ତଥ୍ୟକୁ କେନ୍ଦ୍ରୀୟ ବିସ୍ଫୋରକ ନିୟନ୍ତ୍ରକ ମୁଖ୍ୟଙ୍କ ନିକଟକୁ ପଠାନ୍ତି। ଯଦି ଏହା ସବୁଜ ବାଣର ମାନଦଣ୍ଡରେ ଥାଏ, ତା’ପରେ ଅନୁମତି ମିଳିଥାଏ।

LEAVE A REPLY