ଅତିରିକ୍ତ ଖର୍ଚ୍ଚ ବଢ଼ାଉଛି ପେଟ୍ରୋଲ-ଡିଜେଲ ଦର

0
215

ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ ଦର ଶସ୍ତା ହେବାର ୪୮ ଘଣ୍ଟା ମଧ୍ୟରେ ଖାଇବା ତେଲ ଦର ମଧ୍ୟ ହ୍ରାସ ପାଇଛି। ଆକାଶ ଛୁଆ ଦର ବୃଦ୍ଧି ଯୋଗୁଁ ପ୍ରତ୍ୟେକ ଜିନିଷ ଉପରେ ଦର ବୃଦ୍ଧି ଦାଉ ସାଜିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ୍‌ ଉପର ଶୁଳ୍କ ହ୍ରାସ କରିଥିଲେ। ତେବେ ଖାଇବା ତେଲ ଦର କମିବା ପରେ ଉଭୟ ଗୃହକର୍ତ୍ତା ଓ ଗୃହିଣୀ ମାନଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। କେନ୍ଦ୍ର ସରକାର ପାମ୍‌ ତେଲ, ସୋୟାବିନ୍‌ ଓ ସୂର୍ଯ୍ୟମୁଖୀର ଦର ହ୍ରାସ କରିଛନ୍ତି। ପାମ୍‌ ତେଲ ଉପରେ କୃଷି ସେସ୍‌ ୨୦ ପ୍ରତିଶତରୁ କମାଇ ୭.୫ ପ୍ରତିଶତ କରିଛନ୍ତି। ସେହିପରି ସୋୟାବିନ୍‌ ଓ ସୂର୍ଯ୍ୟମୁଖୀ ତେଲ ଉପରେ ୫ ପ୍ରତିଶତକୁ କମିଛି। କେନ୍ଦ୍ର ଖାଉଟି କଲ୍ୟାଣ, ଖାଦ୍ୟ ଓ ଯୋଗାଣ ମନ୍ତ୍ରାଳୟର ଏହି ଘୋଷଣା ପରେ ଖାଇବା ତେଲର ଦାମ ଲିଟର ପିଛା ୫ରୁ ୨୦ ଟଙ୍କା ପର୍ଯ୍ୟନ୍ତ କମିଛି। ମାତ୍ର ବିଭିନ୍ନ  ରାଜ୍ୟରେ ଦର ଅଲଗା ଅଲଗା।

ଖାଇବା ତେଲ ଦର କମିବା ପରେ ଗୃହିଣୀମାନେ ରୋଷେଇ କଲା ବେଳେ ଆଉ ପୂର୍ବ ଭଳି ମନକୁ କୁଣ୍ଠାବୋଧ କରିବେ ନାହିଁ। ତେଲ ଦର ବଢ଼ିବା ଯୋଗୁଁ ଗୃହିଣୀମାନଙ୍କୁ ମାପିଚୁପି ଏହା ବ୍ୟବହାର କରିବାକୁ ପଡୁଥିଲା। ନିରାମିଶ, ଚିପ୍ସ୍‍ କଲାବେଳେ ଅଧିକ ତେଲ ଖର୍ଚ୍ଚ ହେଉଥିଲା। ତେଣୁ ବାଧୁଥିଲା। ସାଧାରଣ ପରିବାରର ସ୍ଥିତି ଆହୁରି ଖରାପ ହୋଇଯାଇଥିଲା। ଏବେ ତେଲ ଦର ହ୍ରାସ ପାଇବା ପରେ ଅତିକମ୍‌ରେ ଆଶ୍ୱସ୍ତି ମିଳିଛି। ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଘଟିବା ଦ୍ୱାରା ପ୍ରତ୍ୟେକ କ୍ଷେତ୍ରରେ ପ୍ରଭାବ ପଡୁଛି, ଯାହାକି ଲୋକଙ୍କର ଅତିରିକ୍ତ ଖର୍ଚ୍ଚ ବଢୁଛି।    

୫ରୁ ୧୦ ପଇସା କମିଲା ବସ୍‌ ଭଡ଼ା

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହେବା ପରେ ଗତମାସ ୧୬ ତାରିଖରେ ବସ୍‌ ଭଡ଼ା ବୃଦ୍ଧି ହୋଇଥିଲା। ଏହା ଦ୍ୱାରା ସାଧାରଣ ଜନତାଙ୍କ ମୁଣ୍ଡରେ ଚଡ଼କ ପଡ଼ିଲା ସଦୃଶ ହୋଇଥିଲା। କିନ୍ତୁ ଚଳିତ ମାସ ୫ ତାରିଖ ମଧ୍ୟରାତ୍ରୀରୁ ଇନ୍ଧନ ଦର ହ୍ରାସ ପାଇବା ପରେ ଜନସାଧାରଣଙ୍କୁ ଯାତାୟାତ ପାଇଁ ପୂର୍ବାପେକ୍ଷା କମ୍‌ ରାଶି ଖର୍ଚ୍ଚ କରିବାକୁ ପଡ଼ିବ। ସାଧାରଣ ବସ୍‌ରେ ଯାହା ଆଗାରୁ କିଲୋମିଟର ପିଛା ୯୨ ପଇସା ଦେବାକୁ ପଡୁଥିଲା, ତାହା ଏବେ ୮୭ ପଇସା କରିଦିଆଯାଇଛି।  ଏକ୍ସପ୍ରେସ୍‌ ବସ ଭଡ଼ା କିମି ପିଛା ୯୬ ପଇସାରୁ ୯୧ ପଇସା ହୋଇଛି। ଡିଲକ୍ସ ବସ୍‌ ଭଡା ୧ଟଙ୍କା ୩୫ ପଇସାରୁ ୧ଟଙ୍କା ୨୫ ପଇସା ଏବଂ ଏସି ଡିଲକ୍ସ ବସ୍‌ ଭଡ଼ା କିମି ପିଛା ୧ଟା ୬୩ ପଇସାରୁ ୧ଟଙ୍କା ୫୩ ପଇସା ହୋଇଛି।

ଓଡ଼ିଶା-ଉତ୍ତର ପ୍ରଦେଶରେ ପାର୍ଥକ୍ୟ

କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଏକ୍ସସାଇଜ୍‌ ଡ୍ୟୁଟି ହ୍ରାସ କରିବା ପରେ ଉତ୍ତର ପ୍ରଦେଶରେ ଦେଶର ସବୁଠାରୁ ଶସ୍ତାରେ ପେଟ୍ରୋଲ ଓ ଡିଜେଲ ମିଳୁଛି। ଚଳିତ ମାସ ୬ ତାରିଖରେ କାନପୁର (ସହରାଞ୍ଚଳ)ରେ ପେଟ୍ରୋଲ ଲିଟର ପିଛା ୯୪.୯୭ଟଙ୍କା ଓ ଡିଜେଲ ୮୬.୪୯ଟଙ୍କା ହୋଇଛି। କିନ୍ତୁ ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ପେଟ୍ରୋଲ ଲିଟର ପିଛା ୧୦୭ଟଙ୍କା ୫୫ ପଇସା ଓ ଡିଜେଲ ଲିଟର ପିଛା ୯୭.୧୭ ଟଙ୍କା ହୋଇଛି। ଓଡ଼ିଶା ସରକାର ପ୍ରେଟୋଲ ଉପରେ ୩୯ ଟଙ୍କା ଭାଟ୍‌ ନେଉଥିଲେ। କେନ୍ଦ୍ର ସରକାର ତେଲ ଦର ହ୍ରାସ କରିବା ପରେ ଓଡ଼ିଶାରେ ପେଟ୍ରୋଲ ଉପରୁ ୩ଟଙ୍କା ଭାଟ୍‌ ହ୍ରାସ କରାଯାଇଛି।

ବିଜେଡିକୁ ବିଜେପିର ବାଣ

କେନ୍ଦ୍ର ସରକାର ତେଲ ଦର ହ୍ରାସ କରିବା ପରେ ବିଜେଡି ସରକାରକୁ ବିଜେପି ଟାର୍ଗେଟ କରିଛି। କେନ୍ଦ୍ର ଉତ୍ପାଦନ ଶୁଳ୍କ କମାଇଥିବାରୁ ମୋଦୀ ସରକାରଙ୍କୁ ରାଜ୍ୟ ବିଜେପି ଧନ୍ୟବାଦ ଦେଇଛି। ଏଥି ସହିତ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି, ରାଜ୍ୟ ସରକାର ଆଉ ୧୪ ଟଙ୍କା ଭାଟ ହ୍ରାସ କରନ୍ତୁ। ରୋଷେଇ ଗ୍ୟାସ ବୃଦ୍ଧି ନେଇ ବିଜେଡିର ଆନ୍ଦୋଳନ ଦାନା ବାନ୍ଧୁଥିବା ବେଳେ ବିଜେଡି ନେତା ବିଜେପି ସହ ତର୍କ କରିବାକୁ ଶ୍ରୀ ମହାନ୍ତି ଆହ୍ଵାନ ଦେଇଛନ୍ତି। ରାଜ୍ୟ ସରକାର ୩୨ ପ୍ରତିଶତ ଭାଟ ନେଉଥିବା ବେଳେ ଏବେ ଏହାକୁ ୨୮ ପ୍ରତିଶତକୁ ହ୍ରାସ କରିଛନ୍ତି। ଫଳରେ ପେଟ୍ରୋଲ ଲିଟର ପିଛା ୩ ଟଙ୍କା ୧୦ ପଇସା କମିଛି।

LEAVE A REPLY

Please enter your comment!
Please enter your name here