ମନ୍ତ୍ରୀଙ୍କୁ ବାରମ୍ବାର ଅଣ୍ଡାମାଡ଼

0
303

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅଧୀନରେ ଥିବା ମହାଲିଙ୍ଗ ଗାଁର ସନ୍‌ସାଇନ୍‌ ପବ୍ଲିକ୍‌ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣାକୁ ମାସେ ପୂରିଛି। ମମିତାଙ୍କ ମୃତଦେହ ମିଳିବା ଘଟଣାକୁ ୨୧ ଦିନ ହୋଇଛି। ଷ୍ଟାଡିୟମ୍‌ ପରିସରରୁ ମାଟି ଭିତରୁ ମୃତଦେହ ଠାବ ହେବା ଦିନଠାରୁ ବିରୋଧୀ ବିଜେପି ଓ କଂଗ୍ରେସ ନେତାମାନେ ରାଜ୍ୟବ୍ୟାପୀ ପ୍ରଦର୍ଶନ ଓ ଆନ୍ଦୋଳନ ଜାରି ରଖିଛନ୍ତି। କେତେବେଳେ ଥାନାରେ ପ୍ରବେଶ କରୁଛନ୍ତି ତ କେତେବେଳେ ମନ୍ତ୍ରୀଙ୍କୁ କଳାପତାକା ଦେଖାଉଛନ୍ତି। ଅଭିଯୁକ୍ତ ତଥା ସନ୍‌ସାଇନ୍‌ ସ୍କୁଲର ମାଲିକ ଗୋବିନ୍ଦ ସାହୁ ଗିରଫ ହୋଇସାରିଥିଲେ ମଧ୍ୟ ବିରୋଧୀ ଦଳର ନେତାମାନେ ସନ୍ତୁଷ୍ଟ ନୁହଁନ୍ତି। ବିରୋଧୀଙ୍କ କହିବା ଅନୁସାରେ ଏହି ହତ୍ୟା କାଣ୍ଡରେ ମନ୍ତ୍ରୀଙ୍କ ସଂପୃକ୍ତି ରହୁଛି ଏବଂ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ। ଅନ୍ୟପଟରେ ପ୍ରମାଣ ପତ୍ର ଅଭାବରୁ ମନ୍ତ୍ରୀଙ୍କ ବିରୋଧରେ ବିଜେଡି କାର୍ଯ୍ୟାନୁଷ୍ଠାନ ନେଇପାରୁ ନାହିଁ।

ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ବିଜେପି ଓ କଂଗ୍ରେସ ନେତାମାନେ ଉତ୍ତେଜିତ ହୋଇଛନ୍ତି। କଳାହାଣ୍ଡି ଜିଲ୍ଲାରେ ସୋମବାର ୨ ଜଣ ମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ କରିଛନ୍ତି। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକଙ୍କ ଗାଡ଼ିର କାଚ ଭଙ୍ଗାଯାଇଛି। ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁଙ୍କ ଗାଡ଼ି ଉପରକୁ ନର୍ଲା ଠାରେ ଅଣ୍ଡାମାଡ଼ ହୋଇଥିଲା ବେଳେ ସଂସ୍କୃତି ତଥା ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ଗାଡ଼ି ଉପରକୁ କଲମପୁରରେ ଅଣ୍ଡାମାଡ଼ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ମନ୍ତ୍ରୀ ଟୁକୁନୀ ସାହୁ ନର୍ଲା ଫେରୁଥିବା ବେଳେ ତାଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ କରାଯାଇଥିଲା। ସେହିପରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ମନ୍ତ୍ରୀ ଜ୍ୟୋତି ପ୍ରକାଶ କଲମପୁର ଅଭିମୁଖେ ଯାଇ ଅଘଟଣର ଶିକାର ହୋଇଥିଲେ। ଉଭୟ ନର୍ଲା ଓ କଲମପୁରରେ ବିଜେପି ଓ କଂଗ୍ରେସ କର୍ମୀମାନେ ମନ୍ତ୍ରୀ ଶ୍ରୀମତୀ ସାହୁ ଓ ଶ୍ରୀ ପାଣିଗ୍ରାହୀଙ୍କୁ ତୀବ୍ର ବିରୋଧ କରିବା ସହିତ କଳାପତାକା ଦେଖାଇଥିଲେ। ନର୍ଲାରେ ‘ମନ୍ତ୍ରୀ ଟୁକୁନୀ ସାହୁ ଗୋ ବ୍ୟାକ୍‌ ଗୋ ବ୍ୟାକ୍‌’ କରିଥିଲେ ବିଜେପି କର୍ମୀ।

୨୪ ଘଣ୍ଟା ମଧ୍ୟରେ ୩ଥର ଅଣ୍ଡାମାଡ଼

ତେବେ ସୋମବାର ଦିନର ଏହି ଘଟଣା ପୂର୍ବରୁ ମଧ୍ୟ କଳାହାଣ୍ଡି ଜିଲ୍ଲାରେ ମମିତା ମେହେର ହତ୍ୟା ପ୍ରସଙ୍ଗରେ ଉଭୟ କଂଗ୍ରେସ ଓ ବିଜେପି ଆକ୍ରମଣାତ୍ମକ ସ୍ଥିତିରେ ଥିଲେ। ରବିବାର ଜୁନାଗଡ଼ ଠାରେ ବିଜେଡିର ମିଶ୍ରଣ ପର୍ବରେ ଯୋଗଦେବାକୁ ଯାଉଥିବା ବେଳେ ଦିବ୍ୟଶଙ୍କର ମିଶ୍ର ଓ ବିଜେଡି ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଥିଲା। କଳାପତାକା ପ୍ରଦର୍ଶନ କରି ବିଜେପି କର୍ମୀ ‘ବବି ଦାସ ଗୋବ୍ୟାକ୍‌’ ସ୍ଲୋଗାନ ଦେଇଥିଲେ। ମନ୍ତ୍ରୀଙ୍କ ବହିଷ୍କାର ଦାବି କରି ବିକ୍ଷୋଭ ବିଜେପି କର୍ମୀ ପ୍ରଦର୍ଶନ କରିଥିଲେ। ମାତ୍ର ୨୪ ଘଣ୍ଟା ମଧ୍ୟରେ ମନ୍ତ୍ରୀ ଗାଡ଼ି ଉପରକୁ କଳାହାଣ୍ଡିରେ ୩ ଥର ଅଣ୍ଡା ମାଡ଼ ହୋଇଛି। ପରିସ୍ଥିତି ଏଭଳି ହେଉଛି ଯେ, ମୁକାବିଲା କରିବାକୁ ପୋଲିସ ଆଗରେ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି।  

କେନ୍ଦ୍ରମନ୍ତ୍ରୀଙ୍କୁ ଅଣ୍ଡାମାଡ଼

ଭୁବନେଶ୍ୱର ବିମାନବନ୍ଦର ବାହାରେ ଗତମାସ ୩୧ ତାରିଖରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ କାର ଉପରକୁ କଂଗ୍ରେସ କର୍ମୀମାନେ ଅଣ୍ଡାମାଡ଼ କରିଥିଲେ। କେନ୍ଦ୍ରମନ୍ତ୍ରୀ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଭୁବନେଶ୍ୱର ଆସିଥିବା ବେଳେ ବିରୋଧୀଙ୍କ ଆକ୍ରୋଶର ଶିକାର ହୋଇଥିଲେ। ବିମାନବନ୍ଦର ପରିସରରୁ ସହର ଆଡ଼କୁ ଯାଉଥିବାବେଳେ କଂଗ୍ରେସର ଦୁଇ ଜଣ କର୍ମୀ ଉତ୍ତରପ୍ରଦେଶର ଲଖିମପୁର ଖେରି ହିଂସା ଘଟଣାରେ ମନ୍ତ୍ରୀଙ୍କ ଗାଡ଼ିରେ ଅଣ୍ଡା ଫିଙ୍ଗିଥିଲେ। କଂଗ୍ରେସ କର୍ମୀମାନେ କହିଥିଲେ ଯେ,  ଆମେ ପୂର୍ବରୁ ‘କୃଷକ ହତ୍ୟାକାରୀ’ ଅଜୟ ମିଶ୍ରାଙ୍କୁ ପବିତ୍ର ଓଡ଼ିଶା ପରିଦର୍ଶନ ନ କରନ୍ତୁ।

ଦାମରାଉତଙ୍କୁ ହୋଇଥିଲା ଆକ୍ରମଣ!

୨୦୧୮ ମସିହାରେ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କୁ ଅଣ୍ଡାମାଡ଼ର ଶିକାର ହେବାକୁ ପଡ଼ିଥିଲା। କଟକ ଜିଲ୍ଲା ନିଆଳିରେ ଦାମ ରାଉତଙ୍କ ସଭା ମଞ୍ଚକୁ ଅଣ୍ଡାମାଡ଼ କରାଯାଇଥିଲା। ସେଦିନ ଅଙ୍ଗନବାଡ଼ି କର୍ମୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଓଡିଶା ସୂଚନା ଅଧିକାର ଅଭିଯାନ ଓ ନିଆଳି ସୁରକ୍ଷା ମଞ୍ଚ ପକ୍ଷରୁ ନିଆଳି ହାଇସ୍କୁଲ ପଡ଼ିଆରେ ଏକ ସମାବେଶ ଆରମ୍ଭ ହେବା ମାତ୍ରେ ଅନେକ ଅଙ୍ଗନବାଡି କର୍ମୀ ଶୋଭାଯାତ୍ରାରେ ପ୍ଲାକାର୍ଡ ଧରି ଆସି ପୂର୍ବରୁ ଦାମଙ୍କ ‘ସ୍ୱାମୀ ଛାଡି ଅଙ୍ଗନବାଡି କର୍ମୀ’ ସଂପର୍କିତ ମନ୍ତବ୍ୟର ପ୍ରତିବାଦ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ହଠାତ୍‌ ହାଇସ୍କୁଲ ପଡ଼ିଆ ପାଚେରି ପଟୁ କେହି ସଭାମଞ୍ଚକୁ ଦୁଇଟି ଅଣ୍ଡାମାଡ କରିଥିଲେ।  କିନ୍ତୁ ସଭାମଂଚରେ ଅଣ୍ଡାମାଡ ଘଟଣାକୁ ଦାମ ଅସ୍ୱୀକାର କରିଥିଲେ। 

LEAVE A REPLY

Please enter your comment!
Please enter your name here