କାର୍ତ୍ତିକ ବ୍ରତ ଓ ପଞ୍ଚୁକ

0
220

ଭୁବନେଶ୍ୱର: ଓଡ଼ିଶାର ସଂସ୍କୃତିରେ ଶ୍ରାବଣ, କାର୍ତ୍ତିକ ଓ ମାର୍ଗଶୀର ମାସକୁ ପୂଣ୍ୟ ମାସ କୁହାଯାଏ। ଶ୍ରାବଣ ଓ କାର୍ତ୍ତିକ ମାସରେ ବହୁ ସଂଖ୍ୟାରେ ଲୋକେ ଶୁଦ୍ଧ ଶାକାହାରୀ ଭୋଜନ କରିଥାନ୍ତି। ଏପରିକି କିଛି ଲୋକ ପିଆଜ-ରସୁଣକୁ ମଧ୍ୟ ଗ୍ରହଣ କରି ନଥାନ୍ତି। କାର୍ତ୍ତିକ ମାସକୁ ଯେତିକି ପୂଣ୍ୟମାସ ବୋଲି ମନେ କରାଯାଇଥାଏ, ପଞ୍ଚୁକକୁ ମହାପୂଣ୍ୟ ବୋଲି କୁହାଯାଇଥାଏ। ପବିତ୍ର ଅଁଳାନବମୀ ପରବର୍ତ୍ତୀ ଦିନ ତଥା ଶୁକ୍ଳ ପକ୍ଷ ଏକାଦଶୀ ତିଥି ଠାରୁ କାର୍ତ୍ତିକ ମାସର ଅନ୍ୟତମ ମୁଖ୍ୟ ଆକର୍ଷଣ ପଞ୍ଚୁକ ବ୍ରତ ଆରମ୍ଭ ହୋଇଥାଏ। ଏହି ସମୟ ମଧ୍ୟରେ ମହାପ୍ରଭୁ ୫ ଦିନ ଧରି ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇ ଥାଆନ୍ତି। ପଞ୍ଚୁକ ବ୍ରତର ଶେଷ ଦିନରେ ମହାପ୍ରଭୁଙ୍କ ରାଜାରାଧି ବେଶ (ସୁନାବେଶ)କୁ ଭକ୍ତମାନେ ଦର୍ଶନ କରିବା ପରଂପରା ରହି ଆସିଛି।  

ପଞ୍ଚୁକ କେବଳ ଶ୍ରୀକ୍ଷେତ୍ର କିମ୍ବା ଏକାମ୍ରକ୍ଷେତ୍ରରେ ସୀମିତ ରହିନାହିଁ। ଏହି ପର୍ବ ପୂରା ରାଜ୍ୟରେ ପାଳିତ ହୋଇଥାଏ। ରାଜ୍ୟର ମନ୍ଦିର ଗୁଡ଼ିକରେ ପଞ୍ଚୁକ ସମୟରେ ଶ୍ରଦ୍ଧାଳୁମାନଙ୍କର ଭିଡ଼ ରହିଥାଏ। ଶ୍ରୀଲିଙ୍ଗରାଜ ମନ୍ଦିର ଓ ବାସୁଦେବ ମନ୍ଦିରରେ ହବିଷିଆଳିଙ୍କ ପୂଜା ସହ ଅନ୍ୟ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ। ଶ୍ରଦ୍ଧାଳୁମାନେ ଚଉଁରା ମୂଳେ ପୂଜା କରିବା ସହ ହବିଷିଆଳିମାନେ ଦିନ ତମାମ ପୂଜା ପାଠାରେ ସାମିଲ ହୋଇଥାନ୍ତି। ହବିଷ୍ୟାଳିମାନେ ଭୋର ୪ଟାରୁ ଉଠି ସ୍ନାନ ଶେଷ କରିବା ପରେ ପ୍ରଥମେ ତୁଳସୀ ଗଛ ମୂଳେ ପୂଜାର୍ଚ୍ଚନା କରନ୍ତି। ପରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରନ୍ତି। ସୂର୍ଯ୍ୟଙ୍କୁ ପାଣି ଦେଇ ତୁଳସୀ ପାଣି ପିଅନ୍ତ ଓ ଦେହରେ ଓ ମୁଣ୍ଡରେ ଚିତା ତିଳକ ଲଗାଇ ଭାଗବତ ପାଠ କରିଥାନ୍ତି। ଶ୍ରଦ୍ଧାଳୁମାନେ ଠାକୁର ଦର୍ଶନ ସାରି ତୁଳସୀ ଚଉଁରା ମୂଳେ ମୁରୁଜ ପକାନ୍ତି। ମୁରୁଜରେ ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ରାଧାକୃଷ୍ଣ, ଗରୁଡ଼ଙ୍କ ଚିତ୍ର ଆଙ୍କିବା ସହିତ ରାଧାକୃଷ୍ଣ ଓ ଶିବ ପାର୍ବତୀଙ୍କ ଫଟୋ ପୂଜା କରନ୍ତି। ସନ୍ଧ୍ୟାରେ ମନ୍ଦିରକୁ ଯାଇ ଦେବଦେବୀଙ୍କୁ ଦର୍ଶନ କରି ସଞ୍ଜ ବଳିତା ଦେଇ ଆଳତି କରନ୍ତି।

ପଞ୍ଚୁକରେ ଶ୍ରୀଜିଉଙ୍କ ବେଶ

ପଞ୍ଚୁକ ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ୫ ଦିନ ଧରି ମହାପ୍ରଭୁ ଭକ୍ତଙ୍କୁ ପାଞ୍ଚଟି ସ୍ୱତନ୍ତ୍ର ବେଶରେ ଦର୍ଶନ ଦେଇଥାନ୍ତି। ପ୍ରଥମ ଦିନରେ ଶ୍ରୀହରି ଉଞ୍ଚାପନ ଓ ଶ୍ରୀଜିଉଙ୍କ ଲକ୍ଷ୍ମୀ ନାରାୟଣ ବେଶ, ଦ୍ଵିତୀୟ ଦିନରେ ଶ୍ରୀଜିଉ ବାଙ୍କଚୁଳା ବେଶ, ତୃତୀୟ ଦିନରେ ତ୍ରିବିକ୍ରମ ବେଶ, ଲକ୍ଷ୍ମୀନୃସିଂହ ବେଶରେ ଶ୍ରୀଜିଉ ଦର୍ଶନ ଦେବେ। ପଞ୍ଚୁକର ଶେଷ ଦିନରେ ତଥା କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀଜିଉ ରାଜାଧିରାଜ ବେଶରେ ଦର୍ଶନ ଦେବେ। ପଞ୍ଚୁକ ପାଞ୍ଚ ଦିନ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ଚୂଡ଼ାନ୍ତ ହୋଇଛି। ପଞ୍ଚୁକ ସମୟରେ ମନ୍ଦିର ଗୁଡ଼ିକରେ ଯେଭଳି ଉତ୍ସବମୁଖର ହୋଇଥାଏ, ନାମ ସଂକୀର୍ତନରେ ମଠ ଗୁଡ଼ିକରେ ମଧ୍ୟ ଭକ୍ତିଭାବରେ ତଲ୍ଲୀନ ହେଉଥାଏ। ତେବେ କାର୍ତ୍ତିକ ବ୍ରତକୁ ଯେଉଁମାନେ ମାସ ତମାମ ପାଳନ କରି ନଥାନ୍ତି, ସେମାନେ ପଞ୍ଚୁକ ବ୍ରତ ପାଳିଥାନ୍ତି। ପଞ୍ଚୁକରେ ଦେବଦେବୀ ପୀଠଗୁଡ଼ିକରେ ସ୍ୱତନ୍ତ୍ର ପୂଜା ନୀତି ଆରମ୍ଭ ହୋଇଯାଏ।

କରୋନା କାଳରେ ପଞ୍ଚୁକ

ଚଳିତ ବର୍ଷ ମଧ୍ୟ ଗତବର୍ଷ ଭଳି ପଞ୍ଚୁକ ସମୟରେ କଟକ ଜିଲ୍ଲା ଆଠଗଡ଼ର ଧବଳେଶ୍ୱର ମନ୍ଦିରରେ ୧୪୪ ଧାରା ଜାରି ହେବ। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏହିଭଳି ନିଷ୍ପତ୍ତି ହୋଇଛି। ଭକ୍ତମାନେ ମନ୍ଦିରକୁ ପ୍ରବେଶ କରିପାରିବେ ନାହିଁ। କେବଳ ରୀତି ଅନୁଯାୟୀ ପୂଜକମାନେ ହିଁ ମନ୍ଦିର ଭିତରକୁ ଯାଇ ପାରିବେ। କଡ଼ାସୁରକ୍ଷା ବ୍ୟବସ୍ଥା ପାଇଁ ପୋଲିସ ଫୋର୍ସ ମୁତୟନ ହୋଇସାରିଛନ୍ତି। ପୁରୀ ଜିଲ୍ଲା ସାକ୍ଷୀଗୋପାଳ ମନ୍ଦିରରେ ମଧ୍ୟ ଅଁଳାନମବୀରେ ୧୪୪ ଧାରା ଜାରି କରାଯାଇଛି। ଶ୍ରଦ୍ଧାଳୁମାନେ ଶ୍ରୀରାଧା ପାଦ ଦର୍ଶନ ନକରିପାରି ନିରାଶ ହୋଇଛନ୍ତି।

Share the article

LEAVE A REPLY