ରାଜପଥ ଉପରେ ଏୟାରଷ୍ଟ୍ରିପ୍‌

0
145

ନୂଆଦିଲ୍ଲୀ: ଭାରତ ଦ୍ରୁତ ଗତିରେ ବିକାଶିତ ହେଉଛି। ବିକଶିତ ରାଷ୍ଟ୍ରଗୁଡ଼ିକର ସହିତ ସମକକ୍ଷ ହେବାକୁ ଅଗ୍ରଗତି କରୁଛି। ଚୀନ ଓ ପାକିସ୍ତାନକୁ କଡ଼ାଜବାବ ଦେବା ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଛି। ସମ୍ଭାବିତ ଯୁଦ୍ଧ ଓ ଯୁଦ୍ଧ ଭଳି ପରିସ୍ଥିତି ମୁକାବିଲା କରିବା ପାଇଁ ରାଜପଥ ଉପରେ ଏୟାରଷ୍ଟ୍ରିପ୍‌ ନିର୍ମାଣ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶରେ ‘ପୂର୍ବାଞ୍ଚଳ ଏକ୍ସପ୍ରେସ୍‌ ୱେ’କୁ ଉଦ୍‌ଘାଟନ କରିଛନ୍ତି, ଯେଉଁଠି ଲଢୁଆ ବିମାନ ଅବତରଣ କରିପାରିବ। ମିରାଜ, ସୁଖୋଇ ଓ ଜାଗୁଆର ଲଢୁଆ ବିମାନ ଅବତରଣ କରିବାରେ କୌଣସି ଅସୁବିଧା ହେବ ନାହିଁ।

ଆଜି ଉତ୍ତର ପ୍ରଦେଶର ସୁଲତାନପୁରରେ ଇଣ୍ଡିଆନ୍‌ ଏୟାରଫୋର୍ସର ପରିବହନ ଏୟାରକ୍ରାଫ୍ଟ C-123J ସୁପର ହରକ୍ୟୁଲିସରୁ ପୂର୍ବାଞ୍ଚଳ ଏକ୍ସପ୍ରେସ୍‌ ୱେରେ ମୋଦୀ ଅବତରଣ କରିଛନ୍ତି। ଇଣ୍ଡିଆନ୍‌ ଏୟାରଫୋର୍ସ ବିମାନ ଏଠାରେ ଏୟାର ଶୋ’ ପ୍ରଦର୍ଶନ କରିଛି। ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ଉପରେ ଚୀନ ସହିତ ଉତ୍ତେଜନା ଜାରି ରହିଥିବା ବେଳେ ଭାରତ ନିଜକୁ ଏଭଳି ପ୍ରସ୍ତୁତ କରିପାରିଛି। ଯୁଦ୍ଧ ହେଉ ଅଥବା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆମର ବାୟସେନାର ବିମାନ ଜରୁରୀକାଳୀନ ଅବତରଣ କରିପାରୁ, ଏହି ଉଦ୍ଦେଶ୍ୟ ନେଇ ରାଜପଥ ଉପରେ ଏୟାରଷ୍ଟ୍ରିପ୍‌ ନିର୍ମାଣ କରାଯାଇଛି।

ଜାତୀୟ ରାଜପଥରେ ଏୟାରଷ୍ଟ୍ରିପ୍‌
ଦେଶର ଏକାଧିକ ସ୍ଥାନରେ ଜାତୀୟ ରାଜପଥ ଉପରେ ଏୟାରଷ୍ଟ୍ରିପ୍‌ ନିର୍ମାଣ କାମ ଜାରି ରହିଛି। ଦିଲ୍ଲୀ-ସୁଲତାନପୁର ହାଇୱେ, ଉତ୍ତରପ୍ରଦେଶର ଲକ୍ଷ୍ନୌ-ବାରାଣସୀ ହାଇୱେ, ବିହାରର କିଶନଗଂଜ-ଇସଲାମପୁର ହାଇୱେ, ଝାଡ଼ଖଣ୍ଡରେ ଜାମସେଦପୁର-ବାଲେଶ୍ବର ହାଇୱେ, ପଶ୍ଚିମବଙ୍ଗରେ ଖଡ଼ଗପୁର-କେନ୍ଦୁଝର ହାଇୱେ, ଉତ୍ତରାଖଣ୍ଡରେ ରାମପୁର-କାଠଗୋଦାମ ହାଇୱେ, ଜମ୍ମୁ କଶ୍ମୀର ବିଜବେହରା-ଚିନାର ବାଗ ହାଇୱେ, ଆସାମରେ ମୋହନବାଡ଼ି-ତିନସୁକିଆ ହାଇୱେ, ଓଡ଼ିଶାରେ ଛତ୍ରପୁର-ଦୀଘା ହାଇୱେ, ରାଜସ୍ଥାନରେ ଫଲୋଦୀ-ଜୟସଲମେର ହାଇୱେ, ଗୁଜରାଟରେ ଦ୍ବାରକା-ମାଲିୟା ହାଇୱେ, ଆନ୍ଧ୍ରପ୍ରଦେଶରେ ବିଜୟୱାଡା-ରାଜମହେନ୍ଦ୍ରୀ ହାଇୱେ ଓ ତାମିଲନାଡୁରେ ଚେନ୍ନାଇ-ପଣ୍ଡିଚେରୀ ହାଇୱେ ଉପରେ ଏୟାରଷ୍ଟ୍ରିପ ନିର୍ମାଣ କାମ ଜାରି ରହିଛି।  

ଆର୍ଥିକ-ସାମାଜିକ ବିକାଶରେ ପୂର୍ବାଞ୍ଚଳ ଏକ୍ସପ୍ରେସ୍‌ ୱେ
୩୪୧ କିଲୋମିଟର ବିଶିଷ୍ଟ ଏହି ଏକ୍ସପ୍ରେସ୍‌ ୱେ ଉତ୍ତରପ୍ରଦେଶର  ୯ଟି ସହରର ଜୀବନରେଖା ପାଲଟିବ। ଲକ୍ଷ୍ନୌ ଠାରୁ ବାରବାଙ୍କୀ, ଫୈଜାବାଦ୍‌, ଆମ୍ବେଦକରନଗର, ଆମେଥୀ, ସୁଲତାନପୁର, ଆଜମଗଡ଼, ମଉଁ ଓ ଗାଜପୁରକୁ ସ୍ପର୍ଶ କରିଛି। ରାଜ୍ୟର ଆର୍ଥିକ ଓ ସାମାଜିକ ବିକାଶରେ ଏହି ରାଜପଥ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇବ। ନିର୍ମାଣ କାମ ୩୬ ମାସ ଲାଗିଥିବା ବେଳେ ଏହି ପ୍ରକଳ୍ପରେ ୨୨ ହଜାର ୫୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏଥିରେ ୧୮ଟି ଫ୍ଲାଏଓଭର ବ୍ରିଜ୍‌, ୭ଟି ରେଲୱେ ଓଭରବ୍ରିଜ୍‌, ୬ଟି ଟୋଲ, ୫ଟି ରାମ୍ପ ଓ ୭ଟି ଅଣ୍ଡରପାସ୍‌ ନିର୍ମାଣ ହୋଇଛି।  

ସୁରକ୍ଷାକୁ ଗୁରୁତ୍ବ
୬ଥାକିଆ ଏହି ଏକ୍ସପ୍ରେସ୍‌ ୱେରେ ଆଗାମୀ ଦିନରେ ଯାନବାହନ ଯାତାୟାତ ସଂଖ୍ୟା ବଢ଼ିବ। ତେଣୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯାତ୍ରୀଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ବ ଦେଇଛନ୍ତି। ଏହି ରାଜପଥ ଉପରେ ୧୧୨ ଗାଡ଼ି ମହଜୁଦ ରହିବ। ଆମ୍ବୁଲାନ୍ସ, ପୋଲିସ ପାଣ୍ଡି, ପେଟ୍ରୋଲ ପମ୍ପ, ସିଏନ୍‌ଜି ଷ୍ଟେସନ, ଇଲେକ୍ଟ୍ରିକ୍‌ ବାହନ ପାଇଁ ରିଚାର୍ଜ ଷ୍ଟେସନ ମଧ୍ୟ କରାଯିବ।

ପ୍ରତିଷ୍ଠା ହେବ କାରଖାନା
ଜ୍ୟ ସରକାରଙ୍କ ଯୋଜନା ଅନୁସାରେ ‘ପୂର୍ବାଞ୍ଚଳ ଏକ୍ସପ୍ରେସ୍‌ ୱେ’ର ରାସ୍ତାକଡ଼ରେ ୫ଟି ବୃହତ୍ତ ଶିଳ୍ପାଞ୍ଚଳ କ୍ଲଷ୍ଟର ନିର୍ମାଣ ହେବ। ଏଥିରେ ସ୍ଥାନୀୟ ଲୋକଙ୍କୁ ରୋଜଗାର ମିଳିବ। ସେହିପରି ଖାଦ୍ୟ ଏବଂ ପ୍ରସସ୍ତିକରଣ, ରିଫାଇଣ୍ଡ, ପ୍ରେଟ୍ରୋଲିୟମ ଉତ୍ପାଦ, କେମିକାଲ ଉତ୍ପାଦ, ନନ ମେଟାଲିକ ମିନିରାଲ ପ୍ରଡକ୍ଟସ୍‌, ଇଲେକ୍ଟ୍ରିକାଲ ସାମଗ୍ରୀ, ମେଡିକାଲ ସାମଗ୍ରୀ ସଂପର୍କିତ କାରଖାନା ବସାଇବାକୁ ସରକାର ଯୋଜନା ରଖିଛନ୍ତି।

ବିକାଶ ଦେଖିବ ୧୧ ଜିଲ୍ଲା
ପୂର୍ବାଞ୍ଚଳ ଏକ୍ସପ୍ରେସ୍‌ ୱେ ମାଧ୍ୟମରେ ବାରବାଙ୍କୀ, ଆମେଥୀ, ସୁଲତାନପୁର, ଜୌନପୁର, ଆଜମଗଡ଼, ମଉ, ଅଯୋଧ୍ୟା, ସନ୍ଥକବୀରନଗର, ଗୋରଖପୁର, ଆମ୍ବେଦକର ଓ ବାଲିଆର ବିକାଶ ହେବ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ୍ସପ୍ରେସ୍‌ ଉଦ୍‌ଘାଟନ ହେବା ପୂର୍ବରୁ ଗଣମାଧ୍ୟମର ପ୍ରତିନିଧିଙ୍କୁ ସେ କହିଛନ୍ତି ଯେ, ପୂର୍ବାଞ୍ଚଳ ପାଇଁ ରାସ୍ତା ଖୋଲିଯାଇଛି। ଏହି ଏକ୍ସପ୍ରେସ୍‌ ଉଭୟ ଉତ୍ତରପ୍ରଦେଶ ଓ ବିହାରବାସୀଙ୍କ ପାଇଁ ଲାଭ ପହଞ୍ଚାଇବ। ଏହା ଡବଲ ଇଞ୍ଜିନର ସରକାରଙ୍କ ଉପହାର ହେବ।

Share the article

LEAVE A REPLY