କୃଷି ଆଇନ୍‌: ନରମିଲେ ପ୍ରଧାନମନ୍ତ୍ରୀ ମୋଦୀ

0
149

ନୂଆଦିଲ୍ଲୀ: ତିନି କୃଷି ଆଇନ୍‌କୁ ବିରୋଧ କରି ଦିଲ୍ଲୀ ସୀମାର ଗାଜିପୁର, ଟିକିରି ଓ ସଂଘୁ ସୀମାରେ ଗତ ବର୍ଷ ନଭେମ୍ବର ୨୬ରୁ ଆରମ୍ଭ ହୋଇଥିବା ଚାଷୀ ମାନଙ୍କର ଆନ୍ଦୋଳନ ଜାରି ରହିଛି। ଚାଷୀ ନେତାଙ୍କୁ ବାରମ୍ବାର ବୁଝାଇ ବିଫଳ ହେବା ପରେ ମୋଦୀ ସରକାର ଏହି ଆନଇନକୁ ପ୍ରତ୍ୟାହାର କରି ନେଇଛନ୍ତି। ତେବେ ଦାବି ପୂରା ହୋଇଥିଲେ ବି ଆନ୍ଦୋଳନ ଶେଷ ହୋଇନାହିଁ। ଚାଷୀ ନେତା ମାନେ ଏମ୍‌ଏସ୍‌ପି ନେଇ ଆନ୍ଦୋଳନ ଜାରି ରଖିଛନ୍ତି। ସେମାନଙ୍କର ଦାବି ହେଲା ଯେ, ଚାଷୀ ସଂଗଠନ ଯାହା ଦାବି କରିଛି, କେନ୍ଦ୍ର ମାନିନେଉ।  

ଚାଷୀ ନେତାଙ୍କର ଏକ ପ୍ରକାର ଜୟ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ପ୍ରଥମ ଥର ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଆଇନ୍‌କୁ ପ୍ରତ୍ୟାହାର କରାଯାଇଛି। ଏହି ଆଇନ୍‌କୁ ନେଇ ବିଗତ ଦିନରେ ଚାଷୀମାନେ ଅନେକ ଥର ଆନ୍ଦୋଳନ କରିଥିଲେ। ଚାଷୀ ଆନ୍ଦୋଳନ ଯୋଗୁଁ ଦେଶର ଆର୍ଥିକ ଓ ସାମାଜିକ ଜୀବନ ଉପରେ ପ୍ରଭାବ ପଡ଼ିଥିଲା। ସରକାରଙ୍କ କ୍ଷତି ହୋଇଥିଲା। ଚଳିତ ବର୍ଷ ଜାନୁଆରୀ ୨୬ରେ ଚାଷୀ ମାନେ ଯେତେବେଳେ ନୂଆଦିଲ୍ଲୀର ଲାଲକିଲ୍ଲା ଠାରେ ଟ୍ରାକ୍ଟର ରାଲି କରିଥିଲେ ଏକ ବଡ଼ଧରଣର ଉତ୍ତେଜନା ଦେଖାଯାଇଥିଲା। ଆନ୍ଦୋଳନକାରୀ ୩୦୦ ବେରିକେଡ ଓ ୧୭ଟି ଗାଡ଼ି ଭାଙ୍ଗିଥିଲେ। କିଛି ପୋଲିସ କର୍ମଚାରୀ ମାନେ ଆହତ ହୋଇଥିଲେ। କେନ୍ଦ୍ର ସରକାର ୩ କୃଷି ଆଇନ୍‌ ପ୍ରତ୍ୟାହାର କରିବା ପରେ କଗ୍ରେସ ଦେଶବ୍ୟାପୀ ‘କିଷାନ ବିଜୟ ଦିବସ’ ପାଳନ କରିଛି। 

କ୍ଷମା ମାଗିଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ସଂସଦରେ ଗତବର୍ଷ ସେପ୍ଟେମ୍ବରରେ ଅନୁମୋଦିତ ହୋଇଥିବା ୩ କୃଷି ଆଇନ୍‌କୁ ସରକାର ବାତିଲ କରିବେ। ଶୁକ୍ରବାର ଦେଶବାସୀଙ୍କୁ ସମ୍ବୋଧନ କରିବା ଅବସରରେ ମୋଦୀ ଏହା କହିଛନ୍ତି। ପ୍ରଧାନମନ୍ତ୍ରୀ କ୍ଷମା ମାଗିବା ସହ ସ୍ୱୀକାର କରିଛନ୍ତି ଯେ, କୃଷି ଆଇନ ସମ୍ବନ୍ଧରେ ଗୋଟିଏ ଗୋଷ୍ଠୀର କୃଷକମାନଙ୍କୁ ବୁଝାଇବାରେ ସରକାର ଅସମର୍ଥ ହୋଇଛନ୍ତି।  ମାସରେ ହେବାକୁ ଥିବା ସଂସଦୀୟ ଅଧିବେଶନରେ ତିନି କୃଷି ଆଇନ ଉଚ୍ଛେଦ ପାଇଁ ସାମ୍ବିଧାନିକ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସେ କହିଛନ୍ତି। କୃଷକମାନଙ୍କୁ ନିବେଦନ କରି ସେ କହିଛନ୍ତି, ଦୟାକରି ନିଜନିଜର ଘରପରିବାରକୁ ଫେରି ଯାଆନ୍ତୁ। ସତ୍ୟ ଓ ଅନାବିଳ ହୃଦୟରେ ମୁଁ ଭାରତବାସୀଙ୍କୁ କ୍ଷମା ମାଗୁଛି ଯେ କୃଷକମାନଙ୍କୁ ବୁଝାଇବାରେ ଆମେ ଅସମର୍ଥ ହୋଇଛୁ।

ସ୍ୱାଗତ ଜଣାଇଲେ ନବୀନ

କୃଷି ଆଇନ୍‌ ପ୍ରତ୍ୟାହାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ ଜଣାଇଛନ୍ତି। ଏଥି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ୱାଗତ ଜଣାଇଛନ୍ତି। ଏହା ଚାଷ ଓ ଚାଷୀଙ୍କ ପାଇଁ ମଙ୍ଗଳ ହୋଇଛି। ଓଡ଼ିଶା ସରକାର ସବୁବେଳେ ଚାଷୀଙ୍କ ପାଇଁ କାମ କରୁଛି। ଚାଷୀଙ୍କ ସହିତ ଅଛି। ୩ କୃଷି ଆଇନ୍‌ ଯେତେବେଳେ ଗୃହୀତ ହୋଇଥିଲା କଂଗ୍ରେସ, ବାମଦଳ, ବିଜେଡି, ସମାଜବାଦୀ ପାର୍ଟି, ତୃଣମୂଳ କଂଗ୍ରେସ ସହ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା। ଭାରତବନ୍ଦ, ବିକ୍ଷୋଭ, ରାଲି ଆଦିରେ ସକ୍ରିୟ ଭାବେ ବାମଦଳ, କଂଗ୍ରେସ ଓ କେତେକ କୃଷକ ସଂଗଠନ ଭାଗ ନେଇଥିଲେ।

ଧାରା ୩୭୦ ଫେରାଇବା ଦାବି

କେନ୍ଦ୍ର ସରକାରଙ୍କ ୩ କୃଷି ନିଷ୍ପତ୍ତି ପ୍ରତ୍ୟାହାର ପରେ କଶ୍ମୀରର ନେତାମାନେ ଉତ୍ସାହିତ ଦେଖାଯାଇଛନ୍ତି। ସେମାନେ କହିଛନ୍ତି ଯେ, ସରକାର ଯେପରି କୃଷି ଆଇନ ପ୍ରତ୍ୟାହାର କଲେ, ଠିକ ସେପରି କଶ୍ମୀରରେ ଧାରା ୩୭୦ ଲଗାନ୍ତୁ ବୋଲି ସେମାନେ ଦାବି କରିଛନ୍ତି।  ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପଡିପି ନେତ୍ରୀ ମେହେବୁବା ମୁଫତି କହିଛନ୍ତ,ି ଯେ କୃଷି ଆଇନ ପ୍ରତ୍ୟାହାର ଏକ ସ୍ୱାଗତଯୋଗ୍ୟ ପଦକ୍ଷେ।  ନିର୍ବାଚନରେ ହାରିବାର ଭୟ କାରଣରୁ ମୋଦୀ ସରକାର ଏପରି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି। ବିଜେପି ସରକାର ଚାଷୀଙ୍କ ମୁହଁରେ ହସ ଫୁଟାଇଥିବା ବେଳେ କଶ୍ମୀରବାସୀଙ୍କୁ ଅପମାନିତ କରିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି। ନ୍ୟାସନାଲ କନଫରେନ୍‌ସ ମୁଖ୍ୟ ଫାରୁକ ଅବଦୁଲ୍ଲାଙ୍କ ଦାବି ହେଲା ଯେ, କେନ୍ଦ୍ର ସରକାର ଜମ୍ମୁ ଓ କଶ୍ମୀରରେ ଧାରା ୩୭୦, ୩୫କ ଲାଗୁ କରିବା ସହ ପୂର୍ଣ୍ଣ ରାଜ୍ୟମାନ୍ୟତା ଫେରାଇ ଦିଅନ୍ତୁ।

Share the article

LEAVE A REPLY